Horror After Bail: ଜାମିନରେ ଆସି ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କଲା ପରେ… ପୁଣି ୩ ଜଣଙ୍କୁ ମାରିଲା

Jul 11, 2026 - 12:42
Horror After Bail: ଜାମିନରେ ଆସି ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କଲା ପରେ… ପୁଣି ୩ ଜଣଙ୍କୁ ମାରିଲା

ଏକ ପକ୍ସୋ ମାମଲାରେ ଜାମିନରେ ଆସିବା ପରେ  ଜଣେ ୨୮ ବର୍ଷୀୟ ଯୁବକ ୧୭ ବର୍ଷୀୟା ଅଭିଯୋଗକାରିଣୀ, ତାଙ୍କ ପରିବାର ସଦସ୍ୟ ଏବଂ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସମେତ ଛଅ ଜଣଙ୍କୁ ହତ୍ୟା କରିଛି । ପୋଲିସ କହିଛି ଯେ କେସ୍ ଦିଆଯିବାରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ କରିଥାଇପାରେ ।  

ଫ୍ୟୁଚର୍ ସିଟି ପୋଲିସ କମିଶନର ତରୁଣ ଯୋଶୀ କହିଛନ୍ତି ଯେ ରାଜ କୁମାର ନାମକ ଯୁବକ ବିରୋଧରେ ମେ ୧୬ ତାରିଖରେ POCSO ଆଇନରେ ଏକ ମାମଲା ରୁଜୁ କରାଯାଇଥିଲା।
ଯୋଶୀ କହିଛନ୍ତି ଯେ କୁମାରକୁ ସେହି ଦିନ ଗିରଫ କରାଯାଇଥିଲା  । ସେ କିଛି ଦିନ ତଳେ ଜାମିନରେ ଆସିଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୁମାର ପ୍ରଥମେ ତା ସ୍ତ୍ରୀ ସରିତା (୩୩) ଏବଂ ଚାରି ଏବଂ ଦୁଇ ବର୍ଷର ଦୁଇ ପିଲାଙ୍କୁ ତା ଘରେ ହତ୍ୟା କରିଥିଲା । ପରେ ଜଣେ ନାବାଳିକାର ଘରେ ପଶିଥିଲା। ସେ ଝିଅକୁ ଜୋରଜବରଦସ୍ତ ନେଇଯିବାକୁ ଚେଷ୍ଟା କରିଥିଲା । ଯେତେବେଳେ ତାଙ୍କ ୪୫ ବର୍ଷୀୟା ମାଆ ଏବଂ ୬୫ ବର୍ଷୀୟା ଜେଜେମାଆ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଉଭୟ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । 

ପରେ କୁମାର ନାବାଳିକା ଝିଅଟିକୁ ଦୈଭାଲାଗୁଡ଼ାର ଉପକଣ୍ଠରେ ଥିବା ଅଖିଳ ସାଗର ହ୍ରଦ ନିକଟବର୍ତ୍ତୀ ଏକ ସ୍ଥାନକୁ ନେଇଯାଇଥିଲା ।  ସେଠାରେ ସେ ତାର ଗଳା କାଟି ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଛି। ନାବାଳିକାର ଶରୀରରେ ଖଣ୍ଡିଆ ଖାବରା ହେବାର ଚିହ୍ନ ଅଛି । ହତ୍ୟା କରିବା ପୂର୍ବରୁ ସେ ଦୁଷ୍କର୍ମ କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ କହିଛି ।  

ହତ୍ୟାକାଣ୍ଡ ପରେ କୁମାର ତା ବାପା ଅରୁଣ କୁମାରଙ୍କୁ ଫୋନ୍ କରି ଏମିତି ହତ୍ୟା କରିଥିବା ସଂପର୍କରେ କହିଥିଲା ।  ଏହା ମଧ୍ୟ କହିଥିଲା ଯେ ସେ ମଧ୍ୟ ନିଜ ଜୀବନକୁ ଶେଷ କରିବାକୁ ଯୋଜନା କରୁଛି। ଏହାପରେ ତା ବାପା ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । 

ଶାହାବାଦ ପୋଲିସ ଗାଁକୁ ଯାଇ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଫ୍ୟୁଚର୍ ସିଟି କମିଶନରେଟର ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ଏକ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ସଠିକ୍ କ୍ରମ ଏବଂ ହତ୍ୟା ପଛରେ କ'ଣ ଉଦ୍ଦେଶ୍ୟ ଅଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏହି ଘଟଣା ଘଟିଛି । 

ଯେଉଁ ନାବାଳିକା ତା ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଥିଲା, ସେହି ନାବାଳିକାକୁ ସେ ହତ୍ୟା କରିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।