Hope turns to chaos as second strike follows rescue efforts: ଲୋକ ଉଦ୍ଧାର ପାଇଁ ହେଲେ ଏକାଠି, ସେତିକି ବେଳେ ପାକିସ୍ତାନ କଲା ଦ୍ୱିତୀୟ ଷ୍ଟ୍ରାଇକ୍

Jun 29, 2026 - 14:25
Hope turns to chaos as second strike follows rescue efforts: ଲୋକ ଉଦ୍ଧାର ପାଇଁ ହେଲେ ଏକାଠି, ସେତିକି ବେଳେ ପାକିସ୍ତାନ କଲା ଦ୍ୱିତୀୟ ଷ୍ଟ୍ରାଇକ୍

ସୋମବାର ଦିନ ପାକିସ୍ତାନର ସୁରକ୍ଷା ବାହିନୀ ଆଫଗାନିସ୍ତାନ ସୀମାରେ ସ୍ଥଳ ଅପରେସନ ଏବଂ ବିମାନ ଆକ୍ରମଣ କରିଥିଲା । ସେଥିରେ ୨୯ ଜଣ ନିହତ ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର ସୋସିଆଲ ମିଡିଆ X ରେ ଆକ୍ରମଣ ଘୋଷଣା କରି କହିଛନ୍ତି ଯେ ପାକିସ୍ତାନୀ ତାଲିବାନ ଏବଂ ଏହାର ସହଯୋଗୀ ଜମାତ-ଉଲ-ଆହରର ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ପାକଟିଆ, ପାକଟିକା ଏବଂ କୁନାରରେ ତିନୋଟି ଲକ୍ଷ୍ୟସ୍ଥଳ ଧ୍ୱଂସ କରାଯାଇଛି ।

କାବୁଲ କିନ୍ତୁ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରତିକ୍ରିୟା ଦେଇଛି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଆକ୍ରମଣକୁ "କାପୁରୁଷ ଆକ୍ରମଣ" ବୋଲି କହି ନିନ୍ଦା କରିଛନ୍ତି ଏବଂ ତାଲିବାନର ଉପ ମୁଖପାତ୍ର ହମଦୁଲ୍ଲା ଫିତ୍ରତ ସୋମବାର ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସାଧାରଣ ନାଗରିକଙ୍କ ମୃତ୍ୟୁର ବିସ୍ତୃତ ବିବରଣୀ ଦେଇଛନ୍ତି । ଏ ପର୍ଯ୍ୟନ୍ତ ଉପଲବ୍ଧ ରିପୋର୍ଟ ଅନୁସାରେ, ଗତକାଲି ରାତିରେ ହୋଇଥିବା ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ୩୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଓ ୧୬୩ ଜଣ ଆହତ ହୋଇଛନ୍ତି। ତିନୋଟି ଆବାସିକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ଫିତ୍ରତ ସ୍ଥାନର ବିବରଣୀ ପ୍ରଦାନ କରିଥିଲେ। ପାକଟିଆର ଚମକାନି ଜିଲ୍ଲାର ମାଣ୍ଡୋଖାଇଲ ଗାଁରେ ପାକିସ୍ତାନୀ ଜେଟ୍ ଏକ ସାଧାରଣ ବାସଭବନ ଉପରେ ଆକ୍ରମଣ କରିଥିଲା । ସେଥିରେ ଜଣେ ବୃଦ୍ଧ ଏବଂ ଜଣେ ଶିଶୁ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟ ପାଇଁ ଏକାଠି ହୋଇଥିଲେ, ସେତେବେଳେ ଦ୍ୱିତୀୟ ଥର ପାଇଁ ସେହି ଅଞ୍ଚଳରେ ବୋମା ମାଡ଼ କରାଯାଇଥିଲା, ଯାହା ଫଳରେ ୨୮ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଥିଲେ ଓ ୧୫୮ ଜଣ ଆହତ ହୋଇଥିଲେ ବୋଲି ସେ କହିଛନ୍ତି। 

ୱାଲୁଷ୍ଟ ଗ୍ରାମରେ ଛଅ ଜଣଙ୍କୁ ହତ୍ୟା କରାଯାଇଛି । ଅଧିକାଂଶ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି । । ମାନୋଗାଇ ଜିଲ୍ଲାର ବାରୋଲୋ ଗ୍ରାମରେ ତୃତୀୟ ଆକ୍ରମଣରେ ଗୋଟିଏ ଘର ଧ୍ୱଂସ ହୋଇଥିଲେ ମଧ୍ୟ କୌଣସି ମୃତ୍ୟୁ ଘଟିନାହିଁ। ପାକିସ୍ତାନ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଅଭିଯୋଗକୁ ଅସ୍ୱୀକାର କରିଛି।

ଏହି ଆକ୍ରମଣଗୁଡ଼ିକ କରାଚିରେ ଶନିବାର ରାତିରେ ରିଜିଓନାଲ ପାରାମିଲିଟାରି ପାକିସ୍ତାନ ରେଞ୍ଜର୍ସର ମୁଖ୍ୟାଳୟ ଉପରେ ଆକ୍ରମଣ ଘଟିବାର ୨୪ ଘଣ୍ଟା ମଧ୍ୟରେ ହୋଇଥିଲା । ସେଥିରେ ୩ ଜଣ ସେନା ନିହତ ହୋଇଥିଲେ। ସୁରକ୍ଷା ବଳ ତିନି ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ ଏବଂ ଜଣଙ୍କୁ ଗିରଫ କରିଥିଲା ।