Hit-and-Run Menace Grips Capital Roads: ରାଜଧାନୀ ରାସ୍ତାରେ ମଣିଷ ଜୀବନ ଶସ୍ତା, ନିଇତି ରାତିରେ ହିଟ୍ ଆଣ୍ଡ ରନ୍

Jul 15, 2026 - 20:52
Hit-and-Run Menace Grips Capital Roads: ରାଜଧାନୀ ରାସ୍ତାରେ ମଣିଷ ଜୀବନ ଶସ୍ତା, ନିଇତି ରାତିରେ ହିଟ୍ ଆଣ୍ଡ ରନ୍

ରାଜଧାନୀରେ ବେଫିକର୍ ଡ୍ରାଇଭର୍ ଏବେ ରକ୍ତମୁଖା...ଆଖିବୁଜି ଗାଡ଼ି ଚଳାଉଛନ୍ତିି...ରକ୍ତରଂଜିତ ରାଜରାସ୍ତାରେ ମଣିଷ ମାରୁଛନ୍ତି...ଶାସ୍ତ୍ରୀନଗର ଦୁର୍ଘଟଣାକୁ ୨୪ ଘଣ୍ଟା ବିତିନି, ଖଣ୍ଡଗିରିରେ ବାଇକରେ ଥିବା ୨ ଯୁବକଙ୍କୁ ଧକ୍କା ଦେଇ ମାରିଦେଲା ଗାଡ଼ି। ହୋଇଗଲା ସୀମାପାର। କେନ୍ଦ୍ରାପଡ଼ାର ରଶ୍ମିରଂଜନ ଦାସ ଓ ବାଲେଶ୍ବର ରେମୁଣାର ବିଶ୍ବରଂଜନ ପଟ୍ଟନାୟକ। ଉଭୟେ ସାଙ୍ଗ। ଜଣେ ରହୁଥିଲେ କଳିଙ୍ଗନଗରରେ ଆଉ ଜଣେ ପାତ୍ରପଡ଼ାରେ।

ମଙ୍ଗଳବାର ରାତି, ପ୍ରାୟ ୧୧ଟା। ଖଣ୍ଡଗିରିରୁ ଖାଇବା ନେଇ ୨ ସାଙ୍ଗ ବାଇକରେ ଯାଉଥିଲେ ପାତ୍ରପଡ଼ା। କିନ୍ତୁ, ହଠାତ୍ ପଛପଟୁ ଦ୍ରୁତଗତିରେ ଏକ ଗାଡ଼ି ଆସି ଓଭରବ୍ରିଜ୍ ଉପରେ ପିଟିଦେଲା ଏମାନଙ୍କୁ। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଜଣଙ୍କ ଜୀବନ। ଏବେ ଫେରାର ଗାଡ଼ିକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଖଣ୍ଡଗିରି ପୋଲିସ ଯାଞ୍ଚ କରୁଛି। 

୨୪ ଘଣ୍ଟା ଭିତରେ ଦୁଇ ଦୁଇଟି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନି ହୋଇଛି । ବର୍ଷେ କି ଛଅ ମାସର ତଥ୍ୟ କଥା ବି ଛାଡ଼ନ୍ତୁ, ଗତ ସାତ ଦିନ ଭିତରେ ୫ ଜଣଙ୍କ ପ୍ରାଣହାନି ସହ ଜୁନ୍ ୧୫ରୁ ଚଳିତ ଜୁଲାଇ ୧୪ସୁଦ୍ଧା ପ୍ରାୟ ୮ ଜଣଙ୍କ ମୁଣ୍ଡ ଗଡ଼ିଲାଣି ସଡ଼କ ଦୁର୍ଘଟଣାରେ। ଅଧିକାଂଶ ଅଘଟଣ ରାତିରେ ହିଁ ଘଟିଛି। ଜୁନ୍ ୧୫ରେ ପ୍ରେସ୍ ଛକ ନିକଟରେ ଚା’ ପିଉଥିବାବେଳେ ଏକ EV କାର୍ ୬ ଜଣଙ୍କୁ ଧକ୍କା ଦେଇଥିବାବେଳେ ଜଣେ ଲେଡ଼ି IASଙ୍କ ସ୍ବାମୀଙ୍କ ସହ ୩ ଜଣଙ୍କ ଜୀବନ ଚାଲିଯାଇଥିଲା।

ସେହିପରି ଏହି ମାସ ୧୨ରେ ତମାଣ୍ଡୋ ଅଞ୍ଚଳରେ ଟ୍ରକ ଧକ୍କାରେ ଜଣେ, ସିଆରପି ଓଭରବ୍ରିଜ ଉପରେ ଜଣେ, ଗତ ୧୩ ତାରିଖରେ ଶାସ୍ତ୍ରୀନଗରରେ ଦାମୀ କାର୍ ଧକ୍କାରେ ଆଉ ଜଣଙ୍କ ପ୍ରାଣହାନୀ ହୋଇଥିଲା। ତାହାରି ଭିତରେ ଆହୁରି ଅନେକ ହିଟ୍ ଆଣ୍ଡ ରନ୍ ବି ସାମ୍ନାକୁ ଆସିଛି। ପଳାଶୁଣିରେ ହାଇୱା ଧକ୍କାରେ ଅନେକଙ୍କ ଜୀବନ ବଞ୍ଚିଯାଇଛି ସତ, କିନ୍ତୁ ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିଛି ଛନକା। 

ପ୍ରଶ୍ନ ଉଠୁଛି, ରାଜଧାନୀର ରାତିରେ ପ୍ରାୟତଃ କାହିଁକି ଘଟୁଛି ଏତେ ଦୁର୍ଘଟଣା ? ଆଇନ କାନୁନର କଡ଼ା ବ୍ୟବସ୍ଥା ସତ୍ତ୍ବେ କାହିଁକି ବେଫିକର୍ ବଡ଼ ବଡ଼ିଆ ଗାଡ଼ି ଚାଳକ ? ବାରମ୍ବାର ଚେକିଂ, ଜରିମାନା ଓ ଅଭିଯାନ ସତ୍ତ୍ୱେ କାହିଁକି ହିଟ୍ ଆଣ୍ଡ ରନ୍ କେସରେ ଲାଗୁନି ଲଗାମ ? ପୋଲିସ କମିଶନରଙ୍କ କହିବା କଥା, ଭୁବନେଶ୍ବରରେ ଡ୍ରଙ୍କେନ ଡ୍ରାଇଭ୍ ମାମଲାରେ ଗତବର୍ଷ ଜବତ ଗାଡ଼ି ସଂଖ୍ୟା ଥିଲା ୯୨୫।

ଆଉ ଚଳିତ ବର୍ଷ ୭ ମାସ ଭିତରେ ୧୬ ଶହ ୩୨ ଗାଡ଼ିକୁ ଧରାଯାଇଛି। ଅର୍ଥାତ ପୂର୍ବବର୍ଷ ଅପେକ୍ଷା ଏବର୍ଷରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ଡବଲ୍। ଏହାକୁ ନିୟନ୍ତ୍ରଣ ପାଇଁ ଏବଂ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଚରମ ଆକ୍ସନ ପାଇଁ କଡ଼ା ପଦକ୍ଷେପ ନିଆଯିବ। 

ଉଦବେଗଜନକ ହାରରେ ବଢୁଥିବା ଦୁର୍ଘଟଣା ପାଇଁ କେବଳ ଯେ ପୋଲିସକୁ ଦାୟୀ କରିଦେଲେ ହେବନି। ଗାଡ଼ି ଖଣ୍ଡେ ହାତରେ ପଡ଼ିବା ପରେ ଇନ୍ଦ୍ରଚନ୍ଦ୍ର ମାନୁନଥିବା ରାତି ଅଧିଆ ବେପରୁଆ ଚାଳକ ବି ଚେତିବା ଜରୁରୀ। ... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।