Hirakud Dam: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

Jul 09, 2026 - 08:19
Hirakud Dam: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

"ସମ୍ବଲପୁର (ଗାର୍ଗୀ ଶତପଥୀ): ହୀରାକୁଦ ଜଳ ପରିଚାଳନାରେ ସହଯୋଗ କରୁନି ଛତିଶଗଡ଼।

୨ ଦିନ ପୂର୍ବରୁ ଓଡ଼ିଶାରେ ବର୍ଷା ହେଉଥିବା ବେଳେ ଛତିଶଗଡ଼ କଲମାର ସବୁ ଗେଟ୍‌ ଖୋଲିଦେଲା।

କିନ୍ତୁ, ଏ ସମ୍ପର୍କରେ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ଦେଲା ନାହିଁ।

ଏଥିଯୋଗୁଁ ଜଳଭଣ୍ଡାର ଜଳ ପରିଚାଳନାରେ ସମସ୍ୟା ହେଉଛି।

ବୁର୍ଲା ଅଶୋକ ନିବାସରେ ଅନୁଷ୍ଠିତ ଜାତୀୟ ବନ୍ଧ ନିରାପତ୍ତା କମିଟି ବୈଠକ (ଏନ୍‌ସିଡିଏସ୍‌)ରେ ବୁଧବାର ଏଭଳି ଅଭିଯୋଗ କରିଛି ଓଡ଼ିଶା।

Advertisment ହୀରାକୁଦ ଜଳ ପରିଚାଳନା ନେଇ କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସିଡବ୍ଲୁସିକୁ ଏଭଳି ଅଭିଯୋଗ କରା ଯାଇଥିବା ନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ସହକାରୀ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ବେହେରା।

ମହାନଦୀର ଉପରମୁଣ୍ଡରେ ରବିଶଙ୍କର, ଦୁଧଓ୍ବା, ହାସଦେଓ ଭଳି ଅନେକ ଡ୍ୟାମ୍‌ ରହିଛି।

ଏଥିମଧ୍ୟରୁ କଲମା ବ୍ୟାରେଜର ପାଣି ମାତ୍ର କେଇଘଣ୍ଟା ମଧ୍ୟରେ ଓଡ଼ିଶା ତଥା ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥାଏ।

ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ମଧ୍ୟରେ ନିୟମିତ ଜଳ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଆସୁଛି।

୧୯୯୦ ମସିହାରୁ ମହାନଦୀ ଉପରମୁଣ୍ଡରେ ଥିବା ସର୍ବପୁରାତନ ରବିଶଙ୍କର ଏବଂ ବଙ୍ଗୋ ଡ୍ୟାମ୍‌ର ତଥ୍ୟ ଛତିଶଗଡ଼ ପୂର୍ବରୁ ନିୟମିତ ଭାବରେ ଓଡ଼ିଶାକୁ ଦେଇଆସୁଥିଲା।

ଏପରିକି ଅତୀତରେ ଡାକ ଜରିଆରେ ତଥ୍ୟ ଦିଆଯାଉଥିଲା।

କିନ୍ତୁ ଏବେ ବେଶ୍‌ କିଛି ବର୍ଷ ହେଲା ଛତିଶଗଡ଼ର ଅସହଯୋଗକୁ ଦୃଷ୍ଟିରେ ରଖି ଗତ ୩୦ ତାରିଖରେ ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ପ୍ରତାପ ଚୌଧୁରୀ ହାସଦେଓ ବେସିନ, ବାଙ୍ଗୋ ପ୍ରକଳ୍ପ ଏବଂ ମହାନଦୀ ରିଜର୍ଭ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କୁ ସ୍ବତନ୍ତ୍ର ଚିଠି କରିଥିଲେ।

ଏଥିରେ ଲେଖାଯାଇଥିଲା ଯେ, କଲମା, ସରାଡିହି, ବସନ୍ତପୁର, ମିରୌନି, ଶିବରି ନାରାୟନ ଏବଂ ସାମୋଦ ବ୍ୟାରେଜର ଜଳ ନିଷ୍କାସନ ତଥ୍ୟ ଠିକ ଭାବରେ ଦିଆଗଲେ ଗୁଣାତ୍ମକ ଭାବରେ ଜଳ ପରିଚାଳନା ହୋଇପାରିବ।

ଏହି ଅବସରରେ ଇଂ ଚୌଧୁରୀ ୩ ଘଣ୍ଟାରେ ଜଳଭଣ୍ଡାରର ଜଳସ୍ତର, ପାଣି ପ୍ରବେଶ ଏବଂ ନିଷ୍କାସନ ସମ୍ପର୍କରେ ତଥ୍ୟ ଦେବା ପାଇଁ ଲେଖିଛନ୍ତି।

ହ୍ବାଟ୍‌ସଆପ୍‌ ଜରିଆରେ ଏହି ତଥ୍ୟ ଦିଆଗଲେ ଉଭୟ ରାଜ୍ୟ ଲାଭାନ୍ବିତ ହୋଇ ପାରିବେ ବୋଲି ଲେଖିଥିଲେ।

ଏହା ସତ୍ତ୍ବେ ଛତିଶଗଡ଼ ଜଳ ପରିଚାଳନାରେ ସହଯୋଗ କଲା ନାହିଁ।

ଏନ୍‌ସିଡିଏସ୍‌ ବୈଠକରେ ମହାନଦୀ ଅବବାହିକାରେ ଆଗାମୀ ବନ୍ୟାଜଳ ପରିଚାଳନା, ସମନ୍ୱୟ ରକ୍ଷା ଏବଂ ଉଭୟ ରାଜ୍ୟ ମଧ୍ୟରେ ବାର୍ଷିକ ସୂଚନା ତଥା ତଥ୍ୟର ଆଦାନପ୍ରଦାନକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି।

କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟଯନ୍ତ୍ରୀଙ୍କ କହିବା ଅନୁଯାୟୀ, ମହାନଦୀ ବେସିନକୁ ମୋଟ ତିନି ଭାଗରେ ବିଭକ୍ତ କରି ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରାଯାଉଛି।

ଏଥିମଧ୍ୟରୁ ସିଷ୍ଟମ-୨ର ସଂପୂର୍ଣ୍ଣ କାର୍ଯ୍ୟକାରିତା ହୀରାକୁଦ ଡ୍ୟାମ ଅଞ୍ଚଳରେ ହେଉଥିବା ବେଳେ ଆସନ୍ତା ମାସରେ ଛତିଶଗଡ଼ର ରାୟପୁରଠାରେ ସିଷ୍ଟମ-୧କୁ ନେଇ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Hirakud Dam: ହୀରାକୁଦ ବନ୍ଧ ପ୍ରତି ବିପଦ!

ଛତିଶଗଡ଼ରୁ ଆସୁନି ବନ୍ୟାର ଉପଯୁକ୍ତ ତଥ୍ୟ ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦ୍ୱାରା ପ୍ରଦତ୍ତ ବର୍ଷାର ଆକଳନ, କ୍ୟାଚ୍‌ମେଣ୍ଟ ଏରିଆ ବା ଜଳଗ୍ରହଣ ଅଞ୍ଚଳରେ ବର୍ଷାର ପରିମାଣ ଏବଂ ଛତିଶଗଡ଼ର ବଙ୍ଗୋ ଡ୍ୟାମ୍‌ ତଥା ରବିଶଙ୍କରସାଗର ଡ୍ୟାମ ଭଳି ଉପରମୁଣ୍ଡର ପ୍ରକଳ୍ପଗୁଡ଼ିକରୁ ଜଳ ନିଷ୍କାସନର ସୂଚନାକୁ ଠିକ୍ ସମୟରେ ହୀରାକୁଦ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା ପାଇଁ ସିଡବ୍ଲୁସିର ଉପସ୍ଥିତିରେ ହ୍ବାଟ୍‌ସଆପ୍‌ରେ ସୂଚନା ଆଦାନପ୍ରଦାନ ପାଇଁ ସହମତି ହୋଇଥିବା ଇଂ ବେହେରା ସୂଚନା ଦେଇଛନ୍ତି।

ଏହାଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ସନ୍ତୁଳିତ ରଖିବା ସହ ବନ୍ୟା ସମୟରେ ଗେଟ୍ ପରିଚାଳନା ଅଧିକ ସୁଗମ ଓ ନିର୍ଭୁଲ ହୋଇପାରିବ ବୋଲି ଆଶା କରାଯାଇଛି।

ବୈଠକ ଶେଷରେ ଛତିଶଗଡ଼ର ଅସହଯୋଗ ନେଇ ଛତିଶଗଡ଼ ଅଧିକାରୀ ପ୍ରଣୟ ପାଲ କିଛି ନକହି ଚାଲି ଯାଇଥିଲେ।

ଅନ୍ୟଦିଗରେ ଏହି ବୈଠକରେ ଛତିଶଗଡ଼ ଜଳସମ୍ପଦ ବିଭାଗର ପ୍ରତିନିଧିମାନେ ତାଙ୍କ ଅଭିଯୋଗ ସମ୍ପର୍କରେ ସିଡବ୍ଲୁସିକୁ ଜଣାଇଥିଲେ।

ତେବେ ମହାନଦୀ ଉପର ମୁଣ୍ଡରେ ଅକାମୀ ହୋଇ ପଡ଼ିଥିବା ବିଭିନ୍ନ ଗେଜ୍‌ ଷ୍ଟେସନ୍‌ ଗୁଡ଼ିକର ପୁନଃନିର୍ମାଣ କରି ସେଗୁଡ଼ିକୁ ସକ୍ରିୟ କରିବା ପାଇଁ ଆଜିର ବୈଠକରେ ସହମତି ହୋଇଥିବା ଜଣାପଡ଼ିଛି।

ଖୋଲିବ ହୀରାକୁଦର ଗେଟ୍‌ ଜୁଲାଇ ୯ ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଆଜିର ଏହି ବୈଠକ ଉଭୟ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା।

ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ, ବୁଧବାର ସଂଧ୍ୟା ୭ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୯୭ ଫୁଟ୍‌ ରହିଥିଲା।

ସେହି ସମୟରେ ହୀରାକୁଦକୁ ସେକେଣ୍ଡ ପ୍ରତି ହାରାହାରି ୨ ଲକ୍ଷ ୪୨ ହଜାର ୯୬୬ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୨୬ ହଜାର ୩୦୦୩ କ୍ୟୁସେକ ନିଷ୍କାସିତ ହେଉଥିଲା।

ଜଳଭଣ୍ଡାର ତଳମୁଣ୍ଡ ବେଲଗାଁଠାରେ ସେକେଣ୍ଡ ପ୍ରତି ହାରାହାରି ୧୮ ହଜାର ଘନଫୁଟ୍‌, ପଥର୍ଲାରେ ୪୯ ହଜାର ୭୯୯ ଘନଫୁଟ, ଖଇରମାଲରେ ୧ ଲକ୍ଷ ୬ ହଜାର ଘନଫୁଟ, ବରମୂଳରେ ୧ ଲକ୍ଷ ୫୫ ହଜାର ଘନଫୁଟ ଏବଂ ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ପାଣି ପ୍ରବାହିତ ହେଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପର ମୁଣ୍ଡରେ ୨.୨୪ ମିଲିମିଟର ଏବଂ ତଳମୁଣ୍ଡରେ ୦.୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।