Hirakud Dam Releases Floodwater: ମହାନଦୀରୁ ତଳମୁଣ୍ଡକୁ ମାଡ଼ି ଚାଲିଛି ବନ୍ୟାଜଳ, ୧୦ଟି ଗେଟ୍ ଦେଇ ପାଣି ନିଷ୍କାସିତ
ଗେଟ୍ ଖୋଲିଲା, ଆଉ ଗର୍ଜି ଉଠିଲା ହୀରାକୁଦ। ଧଳା ଫେଣରେ ଛାତି ଚିରି ମାଡ଼ି ଚାଲିଛି ବନ୍ୟାଜଳ। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ସହ ହୀରାକୁଦ ଡ୍ୟାମ୍ ଅଞ୍ଚଳରେ ସୃଷ୍ଟି ହୋଇଛି ଏହି ଅଦ୍ଭୁତ ଦୃଶ୍ୟ। ପ୍ରଥମେ ଖୋଲାଯାଇଥିଲା ୪ଟି ଗେଟ୍, ପରେ ଆଉ ୬ଟି। ମୋଟ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦରୁ ଛଡ଼ାଯାଇଛି ବନ୍ୟା ପାଣି। ପ୍ରଥମେ ସାତ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନର ଶୁଭାରମ୍ଭ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଗେଟ୍ ଖୋଲିବା ପରେ ଜଳର ଗର୍ଜନ, ଆଉ ତାକୁ ଦେଖିବାକୁ ଲୋକଙ୍କ ଉତ୍ସାହ। ହୀରାକୁଦ ତଳମୁଣ୍ଡରେ ଜମିଥିଲା ଶହ ଶହ ପର୍ଯ୍ୟଟକଙ୍କ ଭିଡ଼। କ୍ୟାମେରାରେ କଏଦ ହୋଇଛି ବର୍ଷର ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ତେବେ ସୁରକ୍ଷା ଦୃଷ୍ଟିରୁ ଏଥର ଡ୍ୟାମ୍ ନିକଟକୁ ଯାଇ ବନ୍ୟାଜଳ ଦେଖିବା ଉପରେ କଟକଣା ଲଗାଯାଇଛି। ହୀରାକୁଦ ପାଣି ଛାଡ଼ିଥିଲେ ବି ତଳମୁଣ୍ଡରେ କୌଣସି ବନ୍ୟା ସ୍ଥିତି ଆଶଙ୍କା ନାହିଁ। ରୁଲ୍ କର୍ଭ ଏବଂ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସମନ୍ୱୟ ରକ୍ଷା କରି ଜଳ ପରିଚାଳନା କରାଯାଉଥିବା ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ କହିଛନ୍ତି।
ହୀରାକୁଦ ଗେଟ୍ ଖୋଲିଥିବାରୁ ଫୁଲିଛି ମହାନଦୀର ଗର୍ଭ। ବନ୍ୟାଜଳ କଟକ ମୁଣ୍ଡଳୀରେ ପହଞ୍ଚିବାକୁ ଲାଗିବ ପ୍ରାୟ ୩୬ ଘଣ୍ଟା। ଆଉ ତା' ପୂର୍ବରୁ ଆଲର୍ଟ ମୋଡରେ ଅଛି କଟକ ଜିଲ୍ଲା ପ୍ରଶାସନ। ମହାନଦୀ ଓ ଏହାର ଶାଖା ନଦୀକୁ ଲୋକଙ୍କ ଯିବା ଉପରେ କଡ଼ା ନଜର ରହିଛି। ନଦୀରେ ଗାଧୋଇବା, ପହଁରିବା, ମାଛଧରା, ସେଲଫି ନେବା କିମ୍ବା ଭିଡିଓ ସୁଟିଂ କରିବା ଉପରେ କଡ଼ା କଟକଣା ଜାରି କରାଯାଇଛି। ମୁଣ୍ଡଳୀ, ଜୋବ୍ରା ବ୍ୟାରେଜ୍ ଓ ନଦୀବନ୍ଧ ଅଞ୍ଚଳରେ ବଢ଼ାଯାଇଛି ପାଟ୍ରୋଲିଂ। ବାଲିଘାଟ କାର୍ଯ୍ୟ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ନିୟମ ଭାଙ୍ଗିଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।
ହୀରାକୁଦ ବନ୍ୟା ପାଣି ଛାଡ଼ିଥିଲେ ବି ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। କିନ୍ତୁ ଉପରମୁଣ୍ଡରେ ବର୍ଷା ବଢ଼ିଲେ ଆଉ ଗେଟ୍ ଖୋଲାଯିବ କି ନାହିଁ ପ୍ରଶାସନ ନିଷ୍ପତ୍ତି ନେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।