High Court: ହାଇକୋର୍ଟରେ ଓସିଏ ସଭାପତିଙ୍କ ସତ୍ୟପାଠ: ଓସିଏ ନିର୍ବାଚନ ସପକ୍ଷରେ ପଙ୍କଜ
"କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଦାୟର ହୋଇଥିବା ମାମଲା ଗୁରୁବାର ନୂଆ ମୋଡ଼ ନେଇଛି।
ଓସିଏ ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ଭିନ୍ନମତ ଓ ଆଭିମୁଖ୍ୟ ଥିବା ପଦାରେ ପଡ଼ିଛି।
ହାଇକୋର୍ଟରେ ସଭାପତି ପଙ୍କଜଲୋଚନ ମହାନ୍ତିଙ୍କ ସତ୍ୟପାଠରୁ ଏହି କଥା ପଦାକୁ ଆସିଛି।
ଶ୍ରୀ ମହାନ୍ତି ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ଓସିଏ ହେଉଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ପୂର୍ଣ୍ଣାଙ୍ଗ ସଦସ୍ୟ।
ସୁପ୍ରିମକୋର୍ଟଙ୍କ ରାୟ ଓ ଜଷ୍ଟିସ୍ ଲୋଧା କମିଟି ସୁପାରିସ ଅନୁଯାୟୀ ପ୍ରସ୍ତୁତ ବିସିସିଆଇ ସମ୍ବିଧାନ ଅନୁସାରେ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୩ ବର୍ଷ।
ଓସିଏ ବିସିସିଆଇର ଅନୁଦାନ ଉପରେ ନିର୍ଭରଶୀଳ।
ବିସିସିଆଇର ସମ୍ବିଧାନ ବା ବାଇ ଲ"ର କୌଣସି ଉଲ୍ଲଂଘନ ହେଲେ ଓସିଏ ଅନୁଦାନରୁ ବଞ୍ଚିତ ହେବ।
ଯଦି କ୍ରମାଗତ ୨ ବର୍ଷ ଏପରି ସ୍ଥିତି ରୁହେ ତେବେ ଓସିଏକୁ ସଦସ୍ୟ ଭାବେ ମିଳିଥିବା ସ୍ବୀକୃତିକୁ ବିସିସିଆଇ ପ୍ରତ୍ୟାହାର କରିନେବାର ଆଶଙ୍କା ଉପୁଜିବ।
ତେଣୁ ଶ୍ରୀ ମହାନ୍ତି ନିର୍ବାଚନ ଆଉ ବିଳମ୍ବ ନ କରିବାକୁ ପରୋକ୍ଷରେ ହାଇକୋର୍ଟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନିବେଦନ କରିଛନ୍ତି।
ସମ୍ପାଦକ ଶ୍ରୀ ସଂଜୟ ବେହେରା କିନ୍ତୁ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।Advertisment ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ଅଧୀନରେ "କ୍ରିକେଟ୍" ଏକ ନିର୍ଦ୍ଦିଷ୍ଟ ଖେଳ ବୋଲି ଓସିଏ ଭ୍ରମରେ ଥିଲା।
ବିସିସିଆଇ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ ଅଧୀନରେ ଆସୁଛି କି ନାହିଁ ତାହା ଅସ୍ପଷ୍ଟ ଥିଲା।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ୨୦୨୫, ଡିସେମ୍ବର ୨୨ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାତୀୟ କ୍ରୀଡ଼ା ସଂଘଗୁଡ଼ିକର ନିର୍ବାଚନ ପ୍ରକ୍ରିୟା ୩୧ ଡିସେମ୍ବର ୨୦୨୬ ଭିତରେ ଶେଷ କରିବାକୁ କୁହାଯାଇଥିଲା।
ଏହି ନିର୍ଦ୍ଧାରିତ ଶେଷ ତାରିଖ ସହ ବାରବାଟୀ ଷ୍ଟାଡିୟମ୍ରେ ୨୦୨୫, ଡିସେମ୍ବର ୯ ଆନ୍ତର୍ଜାତୀୟ ମ୍ୟାଚ୍ କାରଣରୁ ଓସିଏର ସ୍ବତନ୍ତ୍ର ସାଧାରଣ ବୈଠକ ୨୦୨୫ ଅଗଷ୍ଟ ୩୧ରେ ବସି କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରହିବା ପ୍ରସଂଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା।
ଏବେ ଏହି ମାମଲାରେ ବିସିସିଆଇ ଜବାବ ଦାଖଲ କରିବା ପରେ ସ୍ପଷ୍ଟ ହୋଇଛି ଯେ, ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ ୨୦୨୫" ଅଧୀନରେ ବିସିସିଆଇ କିମ୍ବା କୌଣସି ରାଜ୍ୟ କ୍ରିକେଟ୍ ସଂଘ ଆସୁନାହାନ୍ତି।
ବିସିସିଆଇ ମେମୋରାଣ୍ଡମ ଅଫ ଆସୋସିଏସନ (ଏମଓଏ), ନିୟମାବଳୀକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ବେଳେ ବିସିସିଆଇକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପାଣ୍ଠି ପ୍ରଦାନ କରୁ ନାହାନ୍ତି।
ଓସିଏ ବିସିସିଆଇର ଏମଓଏ ଓ ନିୟମାବଳୀକୁ ପାଳନ କରୁଛି ଓ ଏହା ବିସିସିଆଇର ଏକ ସ୍ଥାୟୀ ସ୍ବୀକୃତିପ୍ରାପ୍ତ ସଂଘ।
ତେଣୁ ବିସିସିଆଇ ଆଭିମୁଖ୍ୟଠାରୁ ଭିନ୍ନ ଆଭିମୁଖ୍ୟ ଓସିଏର ହୋଇ ପାରିବ ନାହିଁ ବୋଲି ଶ୍ରୀ ମହାନ୍ତିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ସେପ୍ଟେମ୍ବର୍ ୨୨କୁ ଏ ସଂପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଓସିଏ ଏହାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନିଶ୍ଚିତତା ଭିତରେ ରଖି ପାରିବ ନାହିଁ।
ନିଜ ବାଇ ଲ", ବିସିସିଆଇର ଏମଓଏ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଓସିଏକୁ ତୁରନ୍ତ ନିର୍ବାଚନ କରିବାକୁ ହେବ।
ଏମଓଏ ଅନୁସାରେ ଜଣେ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ତିନିବର୍ଷ।
ଜଣେ କାର୍ଯ୍ୟକର୍ତ୍ତା ତିନି ଥରରୁ ଅଧିକ ରହି ପାରିବେ ନାହିଁ ଯାହା ଅର୍ଥ ୯ ବର୍ଷ।
ଜଣେ କାର୍ଯ୍ୟକର୍ତ୍ତା କୌଣସି ପଦବିରେ ଲଗାତାର ଦୁଇ ଥରରୁ ଅଧିକ ରହିବା ପରେ ୩ ବର୍ଷର କୁଲିଂ ଅଫ ଅବଧି ପୂରଣ କରିବାକୁ ପଡ଼ିବ।
ଏଭଳି ନିୟମ ବିସିସିଆଇ ଗ୍ରହଣ କରିଥିବା ବେଳେ ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓସିଏ କ୍ଷେତ୍ରରେ ମଧ୍ୟ ଲାଗୁ।
ବିସିସିଆଇ ସଦସ୍ୟତା ଓ ସ୍ବୀକୃତି ବଜାୟ ରଖିବା ପାଇଁ ରାଜ୍ୟ ସଂଘଗୁଡ଼ିକୁ ଏପରି ନିୟମ ପାଳନ କରିବାକୁ ହେବ।
ସତ୍ୟପାଠ ସମୟରେ ନିର୍ବାଚନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
