Heavy Rains Warning For 24 Districts: ରାଜ୍ୟରେ ବେହାଲ କରୁଛି ଲଗାଣ ବର୍ଷା, ୨୪ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

Jul 04, 2026 - 20:45
Heavy Rains Warning For 24 Districts: ରାଜ୍ୟରେ ବେହାଲ କରୁଛି ଲଗାଣ ବର୍ଷା, ୨୪ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଲଗାତର ବର୍ଷୁଛି। ସାରା ରାଜ୍ୟରେ ଜାରି ରହିଛି ବର୍ଷା। କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ପାଣି ଘେରରେ ପୁରା ଅଂଚଳ। ଲଗାଣ ବର୍ଷାରେ ରାସ୍ତା ଉପରେ ଚାଲିଛି ଆଣ୍ଠୁଏ ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ତଳିଆ ଅଂଚଳ। କୋରାପୁଟରୁ କଟକ, ବୌଦ୍ଧରୁ ବାଲେଶ୍ବର, ଲଘୁଚାପ ବର୍ଷାରେ ବେହାଲ ସାରା ରାଜ୍ୟ। 

ଲଗାଣ ବର୍ଷାରେ ବୁଡ଼ିଛି ଘରଦ୍ୱାର। ରାସ୍ତା ଉପରେ ନଦୀର ଭ୍ରମ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର କୁଳିଆପାଳି ରାସ୍ତାରେ ବହୁଛି ତିନି ଫୁଟର ପାଣି। ଫଳରେ କଣ୍ଟାମାଳରୁ ଶଗଡ଼ା ମଧ୍ୟରେ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ଯାତାୟାତ। ଘର ଆଗରେ ଜମିଛିି ଆଣ୍ଠୁଏ ପାଣି। ବର୍ଷା ଥମିଲେ ପାଣି ନିଷ୍କାସନ ହେବ ତାପରେ ବାହାରିବା ଚିନ୍ତା। ସୁବର୍ଣ୍ଣପୁର ବୀରମହାରାଜପୁର ତହସିଲ ସୁବଳୟା ବାବାମଠ ସାହିରେ ଜଳବନ୍ଦୀ ଜୀବନ। 

ସେହିପରି ଦିନକର ବର୍ଷାରେ ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ହାଲ୍ ବେହାଲ। ମେଡିକାଲରେ ପାଣି.. ୱାର୍ଡ ଭିତରେ.. ରୋଗୀଙ୍କ ବେଡ ତଳେ ବି। ଯାଜପୁରରେ ମଧ୍ୟ ଲଗାଣ ବର୍ଷାରେ ଶିବ ମନ୍ଦିରରେ ଜମିଛି 4 ଫୁଟର ପାଣି। ବୁଡି ଯାଇଛନ୍ତି ପାର୍ବତୀ, ଅଳ୍ପ ଦିଶୁଛନ୍ତି ଅଗ୍ନିଶ୍ବର। ଜଳମଗ୍ନ ମନ୍ଦିର ପରିସର। ଫଳରେ ମହାଦେବଙ୍କ ଠିକରେ ନୀତିକାନ୍ତି ହୋଇପାରୁନି କି ଦର୍ଶନ। 
ସେପଟେ ବର୍ଷାରେ ଧସିଯାଇଛି 30 ଫୁଟର ଆରଡି ରାସ୍ତା। 

ତୁହାକୁ ତୁହା ବର୍ଷା ପରେ ରାଜଧାନୀରେ ବି ଜଳବନ୍ଦୀ ସ୍ଥିତି। ଜାଗା ଜାଗାରେ ଜମିଛି ଆଣ୍ଠୁଏ ଉଚ୍ଚର ପାଣି। ଭୁବନେଶ୍ୱର ଉପକଣ୍ଠ ରୁଦ୍ରପୁରର ବିଏମସି 4 ନମ୍ବର ଓ୍ୱାର୍ଡର ବୈଭବ ନଗର ଓ ମିଲେନିୟମ ସିଟିରେ ଲୋକେ ଘରୁ ବାହାରିବା ମୁସ୍କିଲ। ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ଜଳମଗ୍ନ। ବାହ୍ୟ ଜଗତରୁ ପୁରା ବିଚ୍ଛିନ୍ନ ହୋଇପଡିଥିବା ଏହି ଅଂଚଳରୁ ପାଣି ନିଷ୍କାସନ ପାଇଁ ବିଏମସି ପମ୍ପ ଲଗାଇଛି। କେବଳ ଏହି ଅଂଚଳ ନୁହେଁ, ଅନେକ ଆପାର୍ଟମେଣ୍ଟ ଓ ତଳିଆ ଅଂଚଳରେ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି। କିଛି ସ୍ଥାନରେ ଗଛ ମଧ୍ୟ ପଡିଛି। ବିଏମସି କମାଣ୍ଡ କଣ୍ଟ୍ରୋଲ ରୁମରୁ ସହରର ସବୁ ସ୍ଥାନକୁ ମନିଟରିଂ କରାଯାଉଛି। 

ସେପଟେ ଦୁଇ ଦିନର ଲଗାଣ ବର୍ଷା ପରେ ଖୋଲିଛି ମାଛକୁଣ୍ଡ ଡି.ଡ୍ୟାମ୍ ର ପ୍ରଥମ ଗେଟ୍। ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ନିଷ୍କାସନ ହୋଇଛି ବର୍ଷା ଜଳ। ଚଳିତ ବର୍ଷ ପ୍ରଥମଥର ପାଇଁ ଡ୍ୟାମ୍ ର ଫାଟକ ଖୋଲାଯାଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।