Heavy Rain: ସୁରତରେ ୯ ମୃତ, ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର

Jul 08, 2026 - 19:25
Heavy Rain: ସୁରତରେ ୯ ମୃତ, ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର

"ଅହମଦାବାଦ: ଗୁଜରାଟରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବିଶେଷକରି ସୁରତ ସହର ଓ ଦକ୍ଷିଣ ଗୁଜରାଟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି।

ଗତ ଦୁଇ ଦିନ ମଧ୍ୟରେ କେବଳ ସୁରତରେ ବର୍ଷାଜନିତ ବିଭିନ୍ନ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି।

ରାଜ୍ୟରେ ଏକାସାଙ୍ଗରେ ପାଞ୍ଚଟି ପାଣିପାଗ ପ୍ରଣାଳୀ ସକ୍ରିୟ ଥିବାରୁ ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ରର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ଜାରି ରହିଛି।Advertisment ଗତ ୨୪ ଘଣ୍ଟାରେ ରାଜ୍ୟର ୧୯୫ଟି ତହସିଲରେ ବର୍ଷା ରେକର୍ଡ କରାଯାଇଛି।

ସେଥିମଧ୍ୟରୁ ୬ଟି ତହସିଲରେ ୧୦ ଇଞ୍ଚରୁ ଅଧିକ ବର୍ଷା ହୋଇଛି।

ସୁରତ ଜିଲ୍ଲାର ପାଲସାନାରେ ସର୍ବାଧିକ ୧୮ ଇଞ୍ଚ ବର୍ଷା ହୋଇଥିବାବେଳେ କାମରେଜରେ ୧୭ ଇଞ୍ଚ, ନବସାରୀରେ ୧୫ ଇଞ୍ଚ, ସୁରତ ସହରରେ ୧୪ ଇଞ୍ଚ, ବଲସାଡ଼ର କପରାଡାରେ ୧୩ ଇଞ୍ଚ ଓ ଜଲାଲପୁରରେ ୧୧ ଇଞ୍ଚ ବର୍ଷା ହୋଇଛି।

ଜୁଲାଇ ୬ ଓ ୭ ତାରିଖରେ ସୁରତରେ ପ୍ରାୟ ୧୮ ଇଞ୍ଚ ବର୍ଷା ହେବାରୁ ସହରର ପାଞ୍ଚଟି ପ୍ରମୁଖ ପ୍ରାକୃତିକ ଝରଣା ମଧ୍ୟରୁ ଚାରିଟି ଉଛୁଳି ପଡ଼ିଥିଲା।

ଫଳରେ ଆବାସିକ ଅଞ୍ଚଳ, ବସ୍ତି, ବ୍ୟବସାୟିକ ପ୍ରତିଷ୍ଠାନ ଓ ପ୍ରମୁଖ ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ଯାଇଥିଲା।

ସହରର ଅନେକ ସ୍ଥାନରେ ୧୧ରୁ ୧୯ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଥିବାରୁ ୧୯୪୧ ପରେ ଜୁଲାଇ ମାସର ସର୍ବାଧିକ ବର୍ଷାର ୮୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଯାଇଛି।

Storm: ଭୁବନେଶ୍ବରରେ ଘଡ଼ଘଡ଼ି ସହ ବର୍ଷା, ଜନଜୀବନ ପ୍ରଭାବିତ ବର୍ଷା କମିଥିଲେ ମଧ୍ୟ ସହରର ଅନେକ ଅଞ୍ଚଳରେ ପାଣି ଜମି ରହିଥିବାରୁ ସାଧାରଣ ଜୀବନ ସ୍ୱାଭାବିକ ହୋଇପାରିନାହିଁ।

ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ପାଣି ପଶି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଟ୍ରାକ୍ଟର, ଡମ୍ପର ଓ ସ୍ୱତନ୍ତ୍ର ଉଦ୍ଧାର ଉପକରଣ ନିୟୋଜିତ କରାଯାଇଛି।

୩ଟି ଏନ୍‌ଡିଆର୍‌ଏଫ୍‌ ଓ ୪ଟି ଏସ୍‌ଡିଆର୍‌ଏଫ୍‌ ଦଳ ସୁରତ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ସହ ମିଶି ଦିନରାତି ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି।

ପ୍ରାୟ ୩,୪୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନ ଓ ରିଲିଫ୍‌ ଶିବିରକୁ ସ୍ଥାନାନ୍ତର କରାଯାଇଛି।ମୃତକଙ୍କ ମଧ୍ୟରୁ ୪ ଜଣ ବିଦ୍ୟୁତ୍‌ ସ୍ପର୍ଶରେ, ୨ ଜଣ ଗଛ ପଡ଼ିବାରୁ, ୨ ଜଣ ସଚିନ ଜିଆଇଡିସି ଅଞ୍ଚଳରେ ବୁଡ଼ିଯିବାରୁ ଏବଂ ଜଣେ କାମରେଜର ଏକ ପ୍ରାକୃତିକ ଝରଣାରେ ଭାସିଯିବାରୁ ପ୍ରାଣ ହରାଇଛନ୍ତି।

ସାରା ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧,୫୨୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାବେଳେ ୧୩୪ ଜଣଙ୍କୁ ଉଦ୍ଧାର କରାଯାଇଛି।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ମୋଟ ୩୬ଟି ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଦଳ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପରିସ୍ଥିତିର ସମୀକ୍ଷା କରି ଉଦ୍ଧାର, ରିଲିଫ୍‌ ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।