Heavy Rain Triggers Landslide: ବର୍ଷା ବିତ୍ପାତ, ସ୍ଥିତି ବେହାଲ୍; ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଭୂସ୍ଖଳନ
ଲଗାଣ ବର୍ଷାରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବେହାଲ୍ ସ୍ଥିତି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଭୂସ୍ଖଳନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଏକ୍ସପ୍ରେସ ୱେର ନବନିର୍ମିତ ମିସିଂ ଲିଙ୍କ୍ ସେକ୍ସନରେ ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସିପଡ଼ିଛି। ଖଣ୍ଡାଲା ଏକ୍ଜିଟ୍ ନିକଟରେ ଥିବା ଟନେଲ୍-୨ ବାହାରେ ଏହି ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି।
ମହାରାଷ୍ଟ୍ରରେ ଜାରି ରହିଥିବା ପ୍ରବଳ ମୌସୁମୀ ବର୍ଷା ଏବେ ସେଠାରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଫଳରେ ମୁମ୍ବାଇ ଯାଉଥିବା ଲେନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକକୁ ଅନ୍ୟ ରୁଟ୍ ଦେଇ ଡାଇଭର୍ଟ କରାଯାଇଛି। ତେବେ ସବୁଠାରୁ ଆଶ୍ୱାସନାର ବିଷୟ ହେଉଛି, ଏହି ଭୂସ୍ଖଳନରେ କୌଣସି ଜୀବନହାନି କିମ୍ବା କେହି ଆହତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ଘଟଣାସ୍ଥଳରେ ହାଇୱେ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ସାହାଯ୍ୟରେ ରାସ୍ତାରୁ ବଡ଼ ବଡ଼ ପଥର ଓ ମାଟି ହଟାଇବାକୁ ଚେଷ୍ଟା କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି ହେଉଥିଲେ ମଧ୍ୟ ଖୁବ୍ ଶୀଘ୍ର ଯାତାୟତ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ।
ଲଗାଣ ବର୍ଷାରେ ମୁମ୍ବାଇ, ପୁନେରେ ସ୍ଥିତି ଗମ୍ଭୀର ହୋଇଛି। କେଉଁଠି ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ବହୁଛି ତ କେଉଁଠି ତଳି ଅଞ୍ଚଳ, ଜନବସତି ଜଳମଗ୍ନ। ବିଭିନ୍ନ ସ୍ଥାନରେ ଟ୍ରେନ୍ ଟ୍ରାକରେ ବି ବର୍ଷା ପାଣି ପ୍ରବାହିତ ହେଉଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଥିବା ବେଳେ ଘର କାନ୍ଥ ବି ଭୁଶୁଡିଛି। ୩ ଦିନ ହେବ ମୁମ୍ବାଇ ବାସିନ୍ଦା ହୀନସ୍ତା ଭୋଗୁଛନ୍ତି। ବର୍ଷା ପାଇଁ ଏକାଧିକ ଟ୍ରେନର ଚଳାଚଳ ବାତିଲ୍ କରାଯାଇଥିବା ବେଳେ କିଛି ଟ୍ରେନ୍ ଗତିପଥ ପରିବର୍ତ୍ତନ ବି କରାଯାଇଛି।
- ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ସ୍ଥିତି ବେହାଲ୍
- ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ଭୂସ୍ଖଳନ
- ଖଣ୍ଡାଲା ଏକଜିଟ୍ ନିକଟ ମିସିଂ ଲିଙ୍କରେ ଖସିଲା ପାହାଡ଼ ଅତଡ଼ା
- ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ଖସିଲା ପଥର ଓ ମାଟି ଅତଡ଼ା
- ମୁମ୍ବାଇ ଅଭିମୁଖେ ଯାଉଥିବା ଲେନ୍ ବନ୍ଦ, ଯାତାୟାତ ବାଧାପ୍ରାପ୍ତ
- କୌଣସି ଜୀବନହାନୀ କିମ୍ବା ଆହତ ନେଇ ସୂଚନା ନାହିଁ
- ଲଗାଣ ବର୍ଷାରେ ମୁମ୍ବାଇ, ପୁନେରେ ସ୍ଥିତି ଗମ୍ଭୀର
- ମୁମ୍ବାଇରେ ଏକାଧିକ ଟ୍ରେନ୍ ଚଳାଚଳ ବାତିଲ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।