Heavy Rain Alert: ଆଜି ଉପାନ୍ତରୁ ଉପକୂଳ ବର୍ଷିବ,୧୧ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର,୦୫/୦୭: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ । ୬ ତାରିଖଠାରୁ (ସୋମବାର) କ୍ରମଶଃ ବର୍ଷା ପ୍ରକୋପ କମିବ । ତେବେ ୧୧/୧୨ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏଥିରେ ବଡ଼ ବର୍ଷା ନ ହେଲେ ମଧ୍ୟ ବର୍ଷା ପରିମାଣ ସାମାନ୍ୟ ବଢ଼ପାରେ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ଲଘୁଚାପ ରହିଛି । ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମକୁ ରହିବ । ଆସନ୍ତା ୨ ଦିନ ଭିତରେ ଏହା ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ସ୍ଥଳଭାଗରେ ଆଗକୁ ବଢ଼ିବ । ସମ୍ଭବତଃ ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶ ଆଡ଼କୁ । ତେଣୁ ୬ ତାରିଖରୁ ଓଡ଼ିଶାରେ ବର୍ଷା କମିପାରେ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗର ଆକଳନ ହେଲା-୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।
ରବିବାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବରଗଡ଼, ସମ୍ବଲପୁର, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏଥିଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଭିତରେ ଭୁବନେଶ୍ୱର ବାଣୀବିହାରସ୍ଥିତ ୪ ନମ୍ବର ମୁଖ୍ୟ ନାଳରେ ଜଣେ ଯୁବକ ଭାସି ଯାଇଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନଥିଲା । ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ର ଅନେକ ସ୍ଥାନରେ ରାସ୍ତା ଧୋଇଛି । କୁଜେଣ୍ଡି ନଦୀର ଜଳସ୍ତର ବଢ଼ିବାରୁ ତିନୋଟି ଗ୍ରାମ ବିଚ୍ଛିନ୍ନ ହୋଇପଡ଼ିଛି । ସଲାଗୁଡ଼ା ପଞ୍ଚାୟତର ଡୁଭୁରିଗାଟା ନିକଟ ବାଘ ନଦୀ ଫୁଲିବାରୁ ୧୨ଟି ପରିବାର ଏବଂ କ୍ରାରାଣ୍ଡିବାଲି ପଞ୍ଚାୟତର ଡଗେମେଣ୍ଡି ଗ୍ରାମର ୧୮ଟି ପରିବାର ବିଚ୍ଛିନ୍ନ ଅବସ୍ଥାରେ ରହିଛନ୍ତି ।
କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ବାସନ ମାଜୁଥିବାବେଳେ ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଲମତାପୁଟ ବ୍ଲକରେ ଅବସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିବା ପରେ ଶନିବାର ଡ୍ୟାମର ୭ ନଂ ଗେଟ ଖୋଲାଯାଇଛି । ତଳିଆ ଅଞ୍ଚଳ ନୂଆସାହି ପାର୍କ ଲାଇନ, ପୌର କାର୍ଯ୍ୟାଳୟ ସମ୍ମୁଖ, କୁନ୍ଦାରୀଗୁଡ଼ା, ଆଦର୍ଶନଗରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା । ଚିତ୍ରକୋଣ୍ଡା- ବାଲିମେଳା ମୁଖ୍ୟ ରାସ୍ତାର ଟନେଲ କ୍ୟାମ୍ପ ପଞ୍ଚାୟତ ଅଫିସ ଆଗରେ ଏକ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ଯାତୟାତ ବାଧାପ୍ରାପ୍ତ ହୋଇଥିଲା । କୋରୁକୋଣ୍ଡା ବ୍ଲକ୍ ସୋମନାଥପୁର ପଞ୍ଚାୟତ କଣ୍ଡେଲଗୁଡ଼ା ଗାଁରେ ଗଛ ପଡି଼ ୨ ଜଣଙ୍କ ଘର ଭାଙ୍ଗିଯାଇଛି । ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପ୍ରାୟ ୧୫ରୁ ଅଧିକ ପଞ୍ଚାୟତରେ ଚାଷ ଜମି ପାଣିରେ ବୁଡ଼ି ଯାଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସମସ୍ୟାରେ ଜଳବନ୍ଦୀ ସମସ୍ୟା ବି ଦେଖା ଦେଇଛି ଲଗାଣ ବର୍ଷା ପ୍ରଭାବରେ ।
ଗତ ୨୪ ଘଣ୍ଟା ଭିତରେ (ଶୁକ୍ରବାରରୁ ଶନିବାର ସକାଳ ସୁଦ୍ଧା) ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ହୋଇଛି । ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଜୁନ୍ ଶେଷ ସୁଦ୍ଧା ୪୭% ବର୍ଷା ନିଅଣ୍ଟିଆ ଥିଲା । ଜୁଲାଇର ପ୍ରଥମ ୪ ଦିନରେ ୨୯% ନିଅଣ୍ଟିଆ ସ୍ଥିତି ଭରଣା ହୋଇଛି । ୧୫ ଜିଲ୍ଲାରେ ମୋଟ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ଅଛି ।
ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ବାରଣ କରାଯାଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୦୧.୫୬ ଫୁଟ୍ରେ ରହିଛି । ନରାଜରେ ମହାନଦୀ, ଜେନାପୁରରେ ବ୍ରାହ୍ମଣୀ, ଆଖୁଆପଦାରେ ବୈତରଣୀ, ଏନଏଚ-୫ ଗୋବିନ୍ଦପୁରରେ ବୁଢ଼ାବଳଙ୍ଗ, ରାଜଘାଟରେ ସୁବର୍ଣ୍ଣରେଖା, କାଶୀନଗରରେ ବଂଶଧାରା ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ସତର୍କ ସଙ୍କେତଠାରୁ ବହୁ ତଳେ ପ୍ରବାହିତ ହେଉଥିଲା । ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ (ସକାଳ ୮ଟା ୩୦ ସୁଦ୍ଧା) ୪୧ ମିମି ବର୍ଷା ହୋଇଥିବାବେଳେ ସନ୍ଧ୍ୟା ଭିତରେ ୪୫.୬ ମିମି ବର୍ଷା ହୋଇଥିଲା । କଟକରେ ଗତକାଲିରୁ ଆଜି ସକାଳ ସୁଦ୍ଧା ୫୬ ମିମି ବର୍ଷା ହୋଇଥିବାବେଳେ ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୩୨ ମିମି ବର୍ଷା ରେକର୍ଡ ହୋଇଛି ।