Hacked IIT-Kanpur Website: ୱେବସାଇଟ୍ ହ୍ୟାକ୍ କରିଥିବା ଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଚାହିଁଲା ନାହିଁ ଆଇଆଇଟି କାନପୁର
କାନପୁର: "ମୋତେ ଆଉ ଏକ ସୁଯୋଗର ଆବଶ୍ୟକ" ଆଇଆଇଟି କାନପୁରର ୱେବସାଇଟ୍ ହ୍ୟାକ୍ କରି ଏପରି ଏକ ବାର୍ତ୍ତା ଛାଡ଼ିଛନ୍ତି ଜଣେ ଯୁବକ, ଯିଏ ଅନୁଷ୍ଠାନର ''ବି.ଟେକ୍ ସାଇବର ସିକ୍ୟୁରିଟି'' ପାଠ୍ୟକ୍ରମରେ ନାମଲେଖା ପାଇଁ ବିଫଳ ହୋଇଥିଲେ। ତେବେ ଏହି ଘଟଣାରେ ପୁଲିସ ନିକଟରେ ମାମଲା ରୁଜୁ କରି ଯୁବକଙ୍କ ଭବିଷ୍ୟତ ନଷ୍ଟ କରିବା ପରିବର୍ତ୍ତେ, ଆଇଆଇଟି କାନପୁର ତାଙ୍କୁ ନିଜର ସାଇବର ସିକ୍ୟୁରିଟି ସେଣ୍ଟରରେ ଇଣ୍ଟର୍ନସିପ୍ ସୁଯୋଗ ଦେବାକୁ ବିଚାର କରୁଛି।
ୱେବସାଇଟ୍ ହ୍ୟାକ୍ କରିବାର ସ୍କ୍ରିନସଟ୍ ସୋସିଆଲ ମିଡିଆ ''ଏକ୍ସ'' ରେ ଭାଇରାଲ ହେବା ପରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସିଷ୍ଟମକୁ କ୍ଷତି ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ନଥିଲା, ବରଂ ନିଜର ଦକ୍ଷତା ପ୍ରମାଣିତ କରିବା ପାଇଁ ସେ ଏପରି କରିଥିବା ଯୁବକ ଜଣକ ସୋସିଆଲ ମିଡିଆରେ ଦାବି କରିଥିଲେ। ଆଇଆଇଟି କାନପୁର ନିର୍ଦ୍ଦେଶକ ମଣୀନ୍ଦ୍ର ଅଗ୍ରୱାଲ କହିଛନ୍ତି, "ଚଳିତ ବର୍ଷ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଛି, ମାତ୍ର ଆମେ ପିଲାଟିର ଭବିଷ୍ୟତ ନଷ୍ଟ କରିବାକୁ ଚାହୁଁନାହୁଁ। ତେଣୁ ସାଇବର ସିକ୍ୟୁରିଟି ସେଣ୍ଟରରେ ଇଣ୍ଟର୍ନସିପ୍ ଦେବାକୁ ବିଚାର ଚାଲିଛି, ଯାହାଦ୍ୱାରା ସେ ଆସନ୍ତାବର୍ଷ ନାମଲେଖା ପାଇଁ ପୁଣି ଚେଷ୍ଟା କରିପାରିବେ।" ତେବେ ୱେବସାଇଟ୍ ହ୍ୟାକ୍ କରିବା କୌଣସି ସୁଯୋଗ ହାସଲ କରିବାର ସଠିକ୍ ପନ୍ଥା ନୁହେଁ ବୋଲି ସେ ସ୍ପଷ୍ଟ କରିବା ସହ, ଦକ୍ଷ ସାଇବର ବିଶାରଦମାନଙ୍କୁ ସିଧାସଳଖ ଆଇଆଇଟି ସହ ସମ୍ପର୍କ କରି ନିଜର ସିଭି ପଠାଇବାକୁ ପରାମର୍ଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।