Government Bus Driven Using Phone Torch: ସରକାରୀ ବସର ଚରମ ଅବହେଳା, ଯାତ୍ରୀଙ୍କ ଜୀବନ ସହ ଖେଳ

Jul 05, 2026 - 16:34
Government Bus Driven Using Phone Torch: ସରକାରୀ ବସର ଚରମ ଅବହେଳା, ଯାତ୍ରୀଙ୍କ ଜୀବନ ସହ ଖେଳ

ସଡ଼କ ସୁରକ୍ଷାକୁ ନେଇ ସରକାର ଅନେକ ନିୟମ କରୁଛନ୍ତି, କିନ୍ତୁ କର୍ଣ୍ଣାଟକରୁ ଆସିଥିବା ଏକ ଚାଞ୍ଚଲ୍ୟକର ଭିଡିଓ ଏବେ ସରକାରୀ ବ୍ୟବସ୍ଥାର ପୋଲ୍ ଖୋଲି ଦେଇଛି। ଘନ ଅନ୍ଧକାର ରାସ୍ତାରେ ବିନା ହେଡଲାଇଟ୍‌ରେ ଦ୍ରୁତ ଗତିରେ ଧାଉଁଛି ଏକ ଯାତ୍ରୀବାହୀ ବସ୍। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଡ୍ରାଇଭରଙ୍କୁ ରାସ୍ତା ଦେଖାଇବା ପାଇଁ ବସର କଣ୍ଡକ୍ଟର ମୋବାଇଲ୍ ଫୋନ୍‌ର ଫ୍ଲାସ୍ ଲାଇଟ୍ ବା ଟର୍ଚ୍ଚ ମାରୁଛନ୍ତି।

ଏହି ଘଟଣାଟି କଲବୁର୍ଗି ସହରରୁ ଚିଞ୍ଚୋଲି ଯାଉଥିବା କଲ୍ୟାଣ କର୍ଣ୍ଣାଟକ ରୋଡ୍ ଟ୍ରାନ୍ସପୋର୍ଟ ବସରେ ଘଟିଛି। ଏହି ଦୁଇ ସ୍ଥାନ ମଧ୍ୟରେ ଦୂରତା ପ୍ରାୟ ୯୦ କିଲୋମିଟର। ଏହା ସେହି ଦିନର ଶେଷ ବସ୍ ସେବା ଥିଲା।

ରାତିର ଅନ୍ଧାର ରାସ୍ତାରେ ବସର ହେଡଲାଇଟ୍ ହଠାତ ଖରାପ ହୋଇଯାଇଥିଲା। ଗାଡ଼ି ଅଟକାଇବା ବଦଳରେ ଡ୍ରାଇଭର ବସ୍ ଚଲାଇବା ଜାରି ରଖିଥିଲେ। କଣ୍ଡକ୍ଟର ଜଣକ ଆଗରେ ବସି ମୋବାଇଲ ଫୋନର ଟର୍ଚ୍ଚ ମାରି ରାସ୍ତା ଦେଖାଉଥିଲେ। ଭିଡିଓରେ ଏହି ବିପଜ୍ଜନକ ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି।

ଯାତ୍ରାର କେଉଁ ସମୟରେ ହେଡଲାଇଟ୍ ଖରାପ ହେଲା ତାହା ଜଣାପଡ଼ି ନାହିଁ। କିନ୍ତୁ ଏଭଳି ଅବସ୍ଥାରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଏଭଳି ବେପରୁଆ ଗାଡ଼ି ଚାଳନା ପାଇଁ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା।