Govardhan Puja 2026:: ନଭେମ୍ବର ୧୦ରେ ପାଳନ ହେବ ଗୋବର୍ଦ୍ଧନ ପୂଜା
ନୂଆଦିଲ୍ଲୀ: ଚଳିତ ବର୍ଷ ଗୋବର୍ଦ୍ଧନ ପୂଜାର ତାରିଖକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ସାଧାରଣତଃ ଦୀପାବଳିର ପରଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା ପାଳନ କରାଯାଏ। କିନ୍ତୁ ଚଳିତ ବର୍ଷ ଅମାବାସ୍ୟା ତିଥି ଦୁଇ ଦିନ ରହୁଥିବାରୁ ଦୀପାବଳିର ପରଦିନ ଏହି ପୂଜା ପାଳନ କରାଯିବ ନାହିଁ। ଏଥର ନଭେମ୍ବର ୧୦ ତାରିଖ ମଙ୍ଗଳବାର ଦିନ ଗୋବର୍ଦ୍ଧନ ପୂଜା ପାଳନ କରାଯିବ।
ଗୋବର୍ଦ୍ଧନ ପ୍ରତିପଦା ତିଥି ସୂର୍ଯ୍ୟୋଦୟ ସମୟରେ ରହିବାର ନିୟମ ଥିବାରୁ ଏହି ତାରିଖ ନିର୍ଦ୍ଧାରଣ କରାଯାଇଛି। ତେବେ ତିଥିକୁ ନେଇ କାହିଁକି ଏଭଳି ଦ୍ୱନ୍ଦ୍ୱ ଦେଖାଦିଏ, ଆସନ୍ତୁ ଜାଣିବା।
ଗୋବର୍ଦ୍ଧନ ପୂଜାକୁ ନେଇ କାହିଁକି ଦ୍ୱନ୍ଦ୍ୱ?
ହିନ୍ଦୁ ପଞ୍ଜିକା ଅନୁସାରେ ତିଥି ଇଂରାଜୀ କ୍ୟାଲେଣ୍ଡରର ତାରିଖ ପରି ନିର୍ଦ୍ଦିଷ୍ଟ ନୁହେଁ। ଏହା ଯେକୌଣସି ସମୟରେ ଆରମ୍ଭ ଓ ଶେଷ ହୋଇପାରେ। କେତେକ ସମୟରେ ଗୋଟିଏ ତିଥି ଦୁଇଟି ଇଂରାଜୀ ତାରିଖକୁ ବ୍ୟାପି ରହିଥାଏ। ଗୋବର୍ଦ୍ଧନ ପୂଜାର ତାରିଖ ସ୍ଥିର କରିବା ସମୟରେ ସୂର୍ଯ୍ୟୋଦୟ ବେଳେ କେଉଁ ତିଥି ରହିଛି, ଅମାବାସ୍ୟା କେବେ ଶେଷ ହେଉଛି ଏବଂ ପୂଜା ପାଇଁ ଶୁଭ ସମୟ କେବେ ରହିଛି, ତାହାକୁ ବିଚାର କରାଯାଏ। ଏହା ବ୍ୟତୀତ ସ୍ମାର୍ତ୍ତ ଓ ବୈଷ୍ଣବ ପରମ୍ପରାରେ ପର୍ବ ପାଳନ କରିବାର ନିୟମ ମଧ୍ୟ ଭିନ୍ନ ହୋଇଥାଏ। ତେଣୁ କେତେକ ପଞ୍ଜିକାରେ ଗୋବର୍ଦ୍ଧନ ପୂଜା ଗୋଟିଏ ଦିନ ପୂର୍ବରୁ ତ ଆଉ କେତେକରେ ପରଦିନ ପାଳନ କରିବାକୁ ଉଲ୍ଲେଖ ରହିଥାଏ।
ବ୍ରଜଭୂମିରେ ରହିଛି ବିଶେଷ ମହତ୍ତ୍ୱ
ମଥୁରା, ବୃନ୍ଦାବନ ଓ ବରସାନା ସମେତ ବ୍ରଜଭୂମିର ବିଭିନ୍ନ ମନ୍ଦିରରେ ସ୍ଥାନୀୟ ପଞ୍ଜିକା ଓ ଧାର୍ମିକ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ। ଗୌଡ଼ୀୟ ବୈଷ୍ଣବ ପରମ୍ପରାର ଅନୁଗାମୀମାନେ ନିଜ ଅଞ୍ଚଳର ବୈଷ୍ଣବ ପଞ୍ଜିକାକୁ ଅନୁସରଣ କରିଥାନ୍ତି। ତେଣୁ ତାରିଖରେ ଗୋଟିଏ ଦିନର ପାର୍ଥକ୍ୟ ରହିବା ସ୍ୱାଭାବିକ। ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କକୋପରୁ ବ୍ରଜବାସୀ ଓ ଗୋରୁଗାଈଙ୍କୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ପର୍ବତକୁ ନିଜ କନିଷ୍ଠ ଆଙ୍ଗୁଠିରେ ଉଠାଇଥିଲେ। ଏହି ଲୀଳାର ସ୍ମୃତିରେ ଗୋବର୍ଦ୍ଧନ ପୂଜା ପାଳନ କରାଯାଏ। ଏହି ଦିନ ଗୋବର୍ଦ୍ଧନ ପର୍ବତଙ୍କ ପୂଜା କରାଯିବା ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାରର ଭୋଗ ଅର୍ପଣ କରାଯାଏ। ଏହି ଉତ୍ସବକୁ ଅନ୍ନକୂଟ ଉତ୍ସବ ମଧ୍ୟ କୁହାଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
