Gold Turns Cheaper This Year: ସୁନା ଶସ୍ତା କିନ୍ତୁ କିଣୁନାହାନ୍ତି ଲୋକ, ଏବର୍ଷ ଦର ଖସିଲାଣି ପ୍ରାୟ ୫୦ ହଜାର ଟଙ୍କା

Jul 01, 2026 - 19:53
Gold Turns Cheaper This Year: ସୁନା ଶସ୍ତା କିନ୍ତୁ କିଣୁନାହାନ୍ତି ଲୋକ, ଏବର୍ଷ ଦର ଖସିଲାଣି ପ୍ରାୟ ୫୦ ହଜାର ଟଙ୍କା

ଶସ୍ତା ପରେ ଶସ୍ତା ହେଉଛି ସୁନା
ମାସକରେ ଖସିଲାଣି 15 ହଜାର, ବର୍ଷକରେ 50 ହଜାର
70 ପ୍ରତିଶତ କମିଲାଣି ସୁନା ଚାହିଦା!
.. 24 କ୍ୟାରେଟ୍ ଖାଣ୍ଟି ସୁନା 10 ଗ୍ରାମକୁ ୧ ଲକ୍ଷ ୪୦ ହଜାର ୭୮୦ ଟଙ୍କା। 22 କ୍ୟାରେଟ ୧ ଲକ୍ଷ ୨୯ହଜାର ୫୦ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଇଏ ଆଜିର ସୁନା ଦର। ରାତି ପାହିଲେ ଦର ଖସୁଛି। ହୁ ହୁ ହୋଇ ବଢୁଥିବା ସୁନା ମୂଲ୍ୟ ଏବେ ରକେଟ୍ ବେଗରେ ତଳମୁହାଁ। ହେଲେ ବଜାରରେ ସୁନା କିଣିବାକୁ ଗ୍ରାହକ ନାହାନ୍ତି। ଦାମ୍ ଖସିଥିଲେ ବି ସୁନା କିଣିବାକୁ କମୁଛି ଲୋକଙ୍କ ଚାହିଦା। ସାଧାରଣତଃ ଦର କମିଲେ ଗ୍ରାହକ ଅଧିକ କିଣିବା କଥା, କିନ୍ତୁ ବର୍ତ୍ତମାନ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। କାରଣ, ଲୋକଙ୍କ ଭିତରେ ଆଶା, ଦର ଆଗକୁ ଆହୁରି କମିପାରେ।..

ଆଗକୁ ବିବାହ ଋତୁ, ଏବେ ସୁନା ଦର କମୁଥିବା ବେଳେ ଆଗକୁ ଆହୁରି କମିବ ନା ପୁଣି ବଢିଯିବ ସେନେଇ ଦ୍ବନ୍ଦ୍ବରେ ଅଛନ୍ତି ଗ୍ରାହକ। ପ୍ରଶ୍ନ ଉଠୁଛି, ଲୋକେ ଏବେ କଣ କରିବେ? ସୁନା କିଣିବେ, ନା ଅପେକ୍ଷା କରିବେ ? ଯଦି ଅପେକ୍ଷା କରିବେ କେବେ କିଣିବେ ସୁନା ? ସୁନାରେ ନିବେଶ କରିବେ କି ନାହିଁ ? ସୁନା ବିକ୍ରି କରିବାର ବର୍ତ୍ତମାନ ପ୍ରକୃତ ସମୟ କି ? କାରଣ, ଗତ ୩ ମାସ ଭିତରେ ୭୦ରୁ ୮୦ ଟନ୍ ପୁରୁଣା ସୁନା ବିକ୍ରି ହୋଇଛି। ଯାହା ଗତବର୍ଷ ତୁଳନାରେ ୫୦%ରୁ ଅଧିକ।

ସୁନା ଦର ଆଗକୁ ଆହୁରି କମିଯିବା ଆଶଙ୍କାରେ ଲୋକେ ନିଜ ପାଖରେ ଥିବା ପୁରୁଣା ସୁନାକୁ ବଜାରରେ ବିକ୍ରି କରି ଟଙ୍କା ଉଠାଉଛନ୍ତି। ସେହିପରି ଦରରେ ଅସ୍ଥିରତା ଲାଗି ରହିଥିବାରୁ ଗ୍ରାହକମାନେ ଏବେ ବଡ଼ ଧରଣର ଗହଣା କିଣିବା ଅପେକ୍ଷା ଦର ସ୍ଥିର ହେବାକୁ ଅପେକ୍ଷା କରୁଛନ୍ତି। ଚାହିଦା ହ୍ରାସ ପାଇବା ମଧ୍ୟ ଦର କମିବାର ଅନ୍ୟ ଏକ କାରଣ। 

ବର୍ତ୍ତମାନ ବିଦେଶୀ ମୁଦ୍ରାପାଣ୍ଠି କମୁଛି। ତେଲ ଦର ବଢିବା ବେଳେ, ବିଦେଶୀ ମୁଦ୍ରା ପାଣ୍ଠି ନିୟନ୍ତ୍ରଣ ପାଇଁ ବର୍ଷେ ଯାଏଁ ସୁନା ନକିଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ଲୋକେ ସୁନା କିଣିବା କମାଇ ଦେଇଥିଲେ। ସୁନା ଆମଦାନୀ ବି କମିଛି। ସରକାର କଷ୍ଟମ୍ସ ଡ୍ୟୁଟି ୬%ରୁ ବଢ଼ାଇ ୧୫% କରିଛନ୍ତି। ଏବର୍ଷ ସୁନା ଦାମ୍ ରେକର୍ଡ ୧ ଲକ୍ଷ ୯୨ ହଜାର ଟଙ୍କା ପାର କରିଥିଲା। ଯାହା ଖସି ଲକ୍ଷେ 40 ହଜାରରେ ପହଁଚିଲାଣି। ତେବେ ଆଗକୁ ଦର ଆହୁରି ଖସିବା ଆଶଙ୍କା କରାଯାଉଛି। 

ବିଶ୍ୱ ବଜାରରେ ଆମେରିକୀୟ ଡଲାର ସୁଦୃଢ଼ ହେବା ଏବଂ ସେଠାକାର ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ଅଧିକ ସମୟ ପର୍ଯ୍ୟନ୍ତ ବଢ଼ି ରହିବା ଆଶଙ୍କା ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ସୁନା ଉପରେ ଚାପ ପଡ଼ିଛି। ଯାହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଉଛି।.....