Global Manufacturing Rankings: ବିଶ୍ୱ ଉତ୍ପାଦନ ବଜାରରେ ଚୀନର ଏକଛତ୍ରବାଦୀ ରାଜ୍, ଜାଣନ୍ତୁ କେତେ ନମ୍ବରରେ ଭାରତ ?
ବିଶ୍ୱ ଉତ୍ପାଦନ ବଜାରରେ ଚୀନ୍ ଆଜି ଏକ ଅପ୍ରତିଦ୍ୱନ୍ଦ୍ୱୀ ମହାଶକ୍ତି ଭାବେ ଉଭା ହୋଇଛି। ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୨୮ ପ୍ରତିଶତ ଉତ୍ପାଦନ କେବଳ ଚୀନ୍ରୁ ହେଉଛି। ଅର୍ଥାତ୍, ଆଜି ବିଶ୍ୱରେ ପ୍ରସ୍ତୁତ ହେଉଥିବା ପ୍ରତି ଚାରୋଟି ସାମଗ୍ରୀରୁ ଗୋଟିଏରୁ ଅଧିକ ସାମଗ୍ରୀ କେବଳ ଚୀନର କାରଖାନାରୁ ତିଆରି ହେଉଛି। ଇଲେକ୍ଟ୍ରୋନିକ୍ସଠାରୁ ଆରମ୍ଭ କରି ବୈଦ୍ୟୁତିକ ଯାନ (EV) ଏବଂ ଶିଳ୍ପ ମେସିନାରୀ ପର୍ଯ୍ୟନ୍ତ ସବୁଥି୍ରେ ଚୀନର ଏକଚତ୍ରବାଦୀ ପ୍ରଭାବ ରହିଛି।
ଅନ୍ୟପକ୍ଷରେ, ଏହି ରିପୋର୍ଟ ସ୍ପଷ୍ଟ କରିଛି ଯେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ପରିଚିତ ଭାରତକୁ ଏବେ ବି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ବହୁ ପଥ ଅତିକ୍ରମ କରିବାକୁ ପଡ଼ିବ। 'ମେକ୍ ଇନ୍ ଇଣ୍ଡିଆ' ଏବଂ ପିଏଲ୍ଆଇ (PLI) ପରି ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ, ବିଶ୍ୱ ଉତ୍ପାଦନରେ ଭାରତର ଅଂଶଧନ ମାତ୍ର ୩% ରହିଛି।
ଚୀନର ଅବିଶ୍ୱସନୀୟ ଅଭିବୃଦ୍ଧି
୨୦୦୪ ମସିହାରେ ବିଶ୍ୱ ଉତ୍ପାଦନରେ ଚୀନର ଭାଗ ମାତ୍ର ୧୦%ରୁ କମ୍ ଥିଲା ଏବଂ ସେତେବେଳେ ଏହାର ମୂଲ୍ୟ ପ୍ରାୟ ୬୨୫ ବିଲିୟନ ଡଲାର ଥିଲା। କିନ୍ତୁ ଗତ ଦୁଇ ଦଶନ୍ଧି ଭିତରେ ଏହା ତିନିଗୁଣରୁ ଅଧିକ ବୃଦ୍ଧି ପାଇ ପ୍ରାୟ ୪.୬୬ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଆଜି ଚୀନର ଏହି ଉତ୍ପାଦନ ପରିମାଣ ଆମେରିକା, ଜାପାନ ଏବଂ ଜର୍ମାନୀର ମିଳିତ ଉତ୍ପାଦନଠାରୁ ମଧ୍ୟ ଅଧିକ। ତୁଳନାତ୍ମକ ଭାବେ ଆମେରିକାର ଅଂଶଧନ ୧୭% ଏବଂ ଜାପାନର ଅଂଶଧନ ପ୍ରାୟ ୫% ରହିଛି।
ଭାରତର ସ୍ଥିତି
ଭାରତର ୩ ପ୍ରତିଶତ ଅଂଶଧନ ଚୀନ୍ ତୁଳନାରେ ବହୁତ କମ୍ ଥିଲେ ହେଁ, ଦେଶର ଶିଳ୍ପ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ବିଦେଶୀ ତଥା ଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଉଛି।
ଚୀନ୍ କାହିଁକି ଏତେ ଆଗରେ ?
ଦୀର୍ଘ ଦଶନ୍ଧି ଧରି ବୃହତ୍ ଶିଳ୍ପାୟନ, ଉନ୍ନତ ଭିତ୍ତିଭୂମି, ସୁଦୃଢ଼ ସପ୍ଲାଏ ଚେନ୍ ଏବଂ ବହୁ ପରିମାଣରେ ଉତ୍ପାଦନ କରିବାର କ୍ଷମତା ଚୀନ୍କୁ ଏହି ସ୍ଥାନରେ ପହଞ୍ଚାଇଛି। କମ୍ ମୂଲ୍ୟର ଉତ୍ପାଦନରୁ ବାହାରି ଚୀନ୍ ଏବେ ଉଚ୍ଚ ପ୍ରଯୁକ୍ତି ଭିତ୍ତିକ ଶିଳ୍ପରେ ମଧ୍ୟ ବିଶ୍ୱ ନେତୃତ୍ୱ ନେଉଛି।
ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଉତ୍ପାଦନ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବା ସହ ରପ୍ତାନି ବଢ଼ାଇଥାଏ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇଥାଏ। ବିଶ୍ୱର ବଡ଼ କମ୍ପାନୀଗୁଡ଼ିକ ଚୀନ୍ ବାହାରେ ବିକଳ୍ପ ଉତ୍ପାଦନ କେନ୍ଦ୍ର ଖୋଜୁଥିବାରୁ ଭାରତ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।