Why Odisha's Solatium Fund Fails: ‘ହିଟ୍ ଆଣ୍ଡ ରନ୍’ରେ ମୃତାହତଙ୍କୁ କ୍ଷତିପୂରଣରେ ବିଳମ୍ବ କାହିଁକି ?

Jul 29, 2026 - 20:18
Why Odisha's Solatium Fund Fails: ‘ହିଟ୍ ଆଣ୍ଡ ରନ୍’ରେ ମୃତାହତଙ୍କୁ କ୍ଷତିପୂରଣରେ ବିଳମ୍ବ କାହିଁକି ?

 ହିଟ୍ ଆଣ୍ଡ ରନ୍ କେସ୍ କ୍ଷେତ୍ରରେ ମୃତାହତଙ୍କ ପରିବାର ପାଇଁ ଥିବା ସୋଲାସିୟମ୍ ଫଣ୍ଡ୍ ରାଜ୍ୟରେ ଠିକ୍ ଭାବରେ ହୋଇପାରୁନି କାର୍ଯ୍ୟକାରୀ। ଫଳରେ ପୀଡ଼ିତଙ୍କ ପରିବାରଙ୍କୁ ମିଳିପାରୁନି କ୍ଷତିପୂରଣ। ଏଥିପାଇଁ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବକୁ ଦାୟୀ କରିଛନ୍ତି। କିନ୍ତୁ ଅସଲ କଥା ହେଉଛି, ପୂର୍ବରୁ ପୋଲିସ୍ ଏସବୁ ଘଟଣାର ତଦନ୍ତ ରିପୋର୍ଟ ଦେଉଥିବା ବେଳେ ଏବେ ଉପଜିଲ୍ଲାପାଳମାନେ ଏହି ଦାୟିତ୍ବରେ ଅଛନ୍ତି। ତେବେ କାମରେ ଚାପ ଯୋଗୁଁ ସେମାନେ ଠିକ୍ ସମୟରେ ରିପୋର୍ଟ ଦେଇପାରୁନାହାଁନ୍ତି, ଫଳରେ ପୀଡ଼ିତ କ୍ଷତିପୂରଣ ପାଇବାରେ ବିଳମ୍ବ ହେଉଛି।

ମାଲକାନଗିରିର ଲଚୁ ମୁଚିକା। ଦେଢବର୍ଷ ତଳେ ଏକ ଗାଡ଼ି ଧକ୍କାରେ ନିଜ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ କ୍ଷତିପୂରଣ ପାଇଁ ସରକାରଙ୍କୁ ଆବେଦନ କରାଯାଇଛି। କିନ୍ତୁ ଏଯାଏଁ ମିଳିନି ସହାୟତା ରାଶି। ତଦନ୍ତ ପ୍ରକ୍ରିୟା ସରିନଥିବାରୁ ଏବେ ବି ତାଙ୍କ ଆବେଦନ ବିଚାରାଧିନ ଅଛି।... ସେମିତି ଆଉ ଜଣେ ହେଲେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍  ସାନଡାଇଭଟା ଗାଁର ସବାସେନ ଭତରା। ଗତବର୍ଷ ଅଗଷ୍ଟ ମାସରେ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା। ତାଙ୍କ ସାନଭାଇ ସୋଲାସିୟମ ଫଣ୍ଡ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ପୋଲିସ୍, RTO ଓ ହସ୍ପିଟାଲ ମଧ୍ୟରେ ସମନ୍ବୟ ଅଭାବରୁ ସେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି। 

ହିଟ୍  ଆଣ୍ଡ ରନ୍ କେସ୍ ରେ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ସୋଲାସିୟମ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତ ହୋଇଥିଲେ ୫୦ ହଜାର ଟଙ୍କା ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଅନେକ ପରିବାର ଏହି ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ୨୦୧୮ ମସିହାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ସୋଲାସିୟମ ଫଣ୍ଡ୍ ଗଠନ ହୋଇଥିଲା।.. ୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ୧୧୮ ଜଣଙ୍କ ପରିବାର ଏହି ଫଣ୍ଡରୁ ସହାୟତା ପାଇଥିଲେ। ୨୦୨୩ରେ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ନିୟମରେ ପରିବର୍ତ୍ତନ ବି ଆଣିଥିଲେ। ଅନ୍ୟପକ୍ଷରେ ପୂର୍ବରୁ ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ୍ ତଦନ୍ତ ରିପୋର୍ଟ ଦେଉଥିଲା। ମାତ୍ର ନିୟମ ବଦଳିବା ପରେ ଏବେ ଉପଜିଲ୍ଲାପାଳ ହେଉଛନ୍ତି ତଦନ୍ତ ଅଧିକାରୀ। ସେ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ରିପୋର୍ଟ ଦେବାପରେ ଜିଲ୍ଲାପାଳ ଏହି ରାଶିକୁ ଅନୁମୋଦନ କରୁଛନ୍ତି। କିନ୍ତୁ ସମନ୍ବୟର ଅଭାବ ଯୋଗୁଁ ଏହି ପ୍ରକ୍ରିୟା ଅଧିକ ବିଳମ୍ବ ହେଉଥିବା କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।

ଭୁବନେଶ୍ବର ଶାସ୍ତ୍ରୀ ନଗର ସଡ଼କ ଦୁର୍ଘଟଣା  ମାମଲା ହେଉ କି ପାତ୍ରପଡ଼ା ନିକଟରେ ହୋଇଥିବା କାର୍ ଦୁର୍ଘଟଣା, ଦିନକୁ ଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଯେତେ ସଂଖ୍ୟକ ସଡ଼କ ଦୁର୍ଘଟଣା ଘଟୁଛି, ତା ଭିତରୁ ୨୦ ପ୍ରତିଶତ ହେଉଛି ହିଟ୍ ଆଣ୍ଡ ରନ୍ କେସ୍। ତେବେ ପୀଡ଼ିତଙ୍କ ପରିବାରକୁ ସୋଲିସିୟମ୍ ଫଣ୍ଡ ମିଳିବାରେ ବିଳମ୍ବକୁ ନେଇ ରାଜସ୍ବ ମନ୍ତ୍ରୀ କହିଛନ୍ତି ପୂର୍ବରୁ ପୋଲିସ ହାତରେ କ୍ଷମତା ଥିବା ବେଳେ ଏବେ ଉପଜିଲ୍ଲାପାଳଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କାମରେ ଚାପ ରହୁଥିଲେ ବି ଉପଜିଲ୍ଲାପାଳମାନେ ଏଣିକି ଏଥିପାଇଁ ଅଧିକ ଦୁଇ ଘଣ୍ଟା କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।