Girl Narrowly Escapes Abduction Attempt: ମାଆକୁ ଅପହରଣ କରିବାକୁ ଆସିଥିଲେ, କବାଟ ଭାଙ୍ଗି ଝିଅକୁ ଘୋଷାଡି ଘୋଷାଡି ନେଲେ..
ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ। ମାଆକୁ ଖୋଜିବାକୁ ଆସିଥିଲେ ମାଆ ଲୁଚି ଯିବାରୁ ନାବାଳିକା ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଛନ୍ତି କିଛି ଯୁବକ। ଝିଅକୁ ଘୋଷାଡି ଘୋଷାଡି କାର ଭିତରକୁ ନେବାକୁ ଚେଷ୍ଟା କରିଥିଲେ ଦୁଇ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଂଚଳରେ।
ଗତକାଲି ଦିନ ଦ୍ବିପ୍ରହରରେ ୪ ଜଣ ଯୁବକ ଏକ କାରରେ ଆସିଥିଲେ। ଦୁଇଜଣ କାରରେ ବସିଥିବା ବେଳେ ଅନ୍ୟ ଦୁଇଜଣ ଛୁରୀ ଧରି ଜଣେ ମହିଳାକୁ ଖୋଜିଥିଲେ। ମହିଳା ଜଣକ ଲୁଚି ଥିବାରୁ ଘରର କବାଟ ଭାଙ୍ଗି ଘର ଭିତରୁ ତାଙ୍କ ନାବାଳିକା ଝିଅକୁ ବାହାରକୁ ଘୋଷାଡି ଘୋଷାଡି ଆଣିଥିଲେ। ନାବାଳିକା ଜଣକ ପ୍ରତିରୋଧ କରିବାରୁ ତାଙ୍କ ହାତ ଓ ବେକରେ ଛୁରା ମାଡ କରିଥିଲେ।
ନାବାଳିକାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ, ରାସ୍ତାରେ ନାବାଳିକାକୁ ଛାଡି ଫେରାର ମାରିଥିଲେ ଦୃବୁର୍ତ୍ତ। ଏନେଇ ମାଆ ଝିଅ ବେଲପଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତ ମୁରିବାହାଲ ଥାନା ଅନ୍ତର୍ଲା ଗାଁର ମୁନା ବେହେରା ବୋଲି ଜଣାପଡିଛି। ତେବେ କଣ ପାଇଁ ମୁନା ବେହେରା ଏପରି କାଣ୍ଡ କରୁଥିଲା ସେନେଇ ତଦନ୍ତ କରୁଛି ପୋଲିସ।