Gas leak incident: ଗ୍ୟାସ୍ ଲିକ୍ ଘଟଣା: ଦଲାଲ ବିରୋଧରେ ଏତଲା, ତାମିଲନାଡ଼ୁ ଯିବ ପୁଲିସ
"କେନ୍ଦୁଝର: ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଘଟଣାରେ ହରିଚନ୍ଦନପୁର ବ୍ଲକ୍ ଖରବା ଗ୍ରାମର ଭୀମ ଜୁଆଙ୍ଗଙ୍କ ଝିଅ ଅଞ୍ଜଳି ଜୁଆଙ୍ଗ (୨୧)ଙ୍କର ମୃତ୍ୟୁ ଘଟିଛି।
କେନ୍ଦୁଝରରୁ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।
ଏହାବ୍ୟତୀତ ଅନୁଗୁଳ ଖମାରର ଜଣକର ମୃତ୍ୟୁ ହୋଇଥିବାରୁ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪ ଛୁଇଁଛି।
ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସାଂଘାତିକ ଅଭିଯୋଗ ସାମନାକୁ ଆସିଛି।
ଜୁଆଙ୍ଗ ନାବାଳିକାଙ୍କୁ କାରଖାନାରେ କାମ କରାଇବା ପାଇଁ ସେମାନଙ୍କ ଆଧାରକାର୍ଡ ସମେତ ବିଭିନ୍ନ ପରିଚୟପତ୍ରକୁ ଜାଲିଆତି କରାଯାଇଛି।
ଏ ସଂପର୍କରେ ତେଲକୋଇ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ ତେଲକୋଇ ଥାନାରେ ଏତଲା ଦିଆଯାଇଛି।
Advertisment Alligation: ବନ ବିଭାଗର ସଚେତନତା ଅଭାବ ଅଭିଯୋଗ, ଲୋକେ ଭୟଭୀତ ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧିକାରଖାନା ବନ୍ଦ ପାଇଁ ତଦନ୍ତ କମିଟିର ସୁପାରିସ ଏହାଛଡ଼ା ବେଆଇନ ଶ୍ରମିକ ନିଯୁକ୍ତି, ମାନବ ଚାଲାଣ ଓ ଜାଲିଆତି ଅଭିଯୋଗର ଅଧିକ ତଦନ୍ତ ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଖୁବ୍ଶୀଘ୍ର ତାମିଲନାଡ଼ୁ ଯିବ।
ହରିଚନ୍ଦନପୁର ଓ ନୟାକୋଟ ଥାନାରେ ମଧ୍ୟ ସମାନଧରଣର ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।
ତେଲକୋଇ ସହକାରୀ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଥାନା ଅଧିକାରୀଙ୍କୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଶ୍ରୀକାନ୍ତ ଜୁଆଙ୍ଗ ଉଚ୍ଚ ବେତନ ଓ ଭଲ ଚାକିରିର ପ୍ରଲୋଭନ ଦେଖାଇ ୨୦୨୫ ଅକ୍ଟୋବରରେ ଅନେକ ଶ୍ରମିକଙ୍କୁ ତାମିଲନାଡ଼ୁ ପଠାଇଥିଲା।
ସେମାନଙ୍କ ମଧ୍ୟରେ କିଛି ନାବାଳିକା ରହିଛନ୍ତି।
ବୟସ୍କ ମହିଳାଙ୍କ ଆଧାରକାର୍ଡ ବ୍ୟବହାର କରି ସେମାନଙ୍କୁ ସାବାଳିକା ଦର୍ଶାଯାଇ କାରଖାନାରେ ନିଯୁକ୍ତି ଦିଆଯାଇଥିଲା।
ରଙ୍ଗମାଟିଆ ଗ୍ରାମର ନାବାଳିକା ଯାମିନୀ ଜୁଆଙ୍ଗଙ୍କୁ ବଲାଣିପଶି ଗ୍ରାମର ମହିଳା ପାର୍ବତୀ ଜୁଆଙ୍ଗ ବୋଲି ଦର୍ଶାଯାଇଥିଲା।
ବିଷାକ୍ତ ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସି ଯାମିନୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅବୈଧ ପ୍ରବାସୀ ଶ୍ରମିକ ନିଯୁକ୍ତି, ନାବାଳିକାଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜନ, ଜାଲ୍ ଦସ୍ତାବିଜ ପ୍ରସ୍ତୁତି, ପ୍ରତାରଣା ଏବଂ ମାନବ ଚାଲାଣ ଅଭିଯୋଗର ସମ୍ପୂର୍ଣ୍ଣ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ତେଲକୋଇ ଥାନାକୁ ଅନୁରୋଧ କରାଯାଇଛି।
Neglect: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ଉନ୍ନତୀକରଣରେ ବିଳମ୍ୱ ଅନ୍ୟପକ୍ଷରେ ତାମିଲନାଡ଼ୁ ସରକାର ଗଠନ କରିଥିବା ତିନିଜଣିଆ ତଦନ୍ତକାରୀ ଦଳ କାରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।
ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ଡିସେମ୍ବରରେ କାରଖାନା ଯାଞ୍ଚ ବେଳେ ଏକାଧିକ ତ୍ରୁଟି ଚିହ୍ନଟ ହୋଇଥିଲା।
ସେଗୁଡ଼ିକର ସଂଶୋଧନ କରାଯାଇନଥିଲା।
କମ୍ପାନି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଭୟାବହ ଦୁର୍ଘଟଣା ଘଟିଥିବା ଦର୍ଶାଯାଇଛି।
ଉକ୍ତ କାରଖାନାକୁ ବନ୍ଦ ପାଇଁ ତଦନ୍ତକାରୀ ଦଳ ତାମିଲନାଡ଼ୁ ସରକାରଙ୍କୁ ସୁପାରିସ କରିଛନ୍ତି।
ସେହିପରି ତାମିଲନାଡ଼ୁ ମହିଳା କମିସନ ଅଧ୍ୟକ୍ଷା ଏ.ଏସ୍.
କୁମାରୀ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି।
ତିରୁଭଲୁର ଜିଲ୍ଲାପାଳଙ୍କୁ ଚାରି ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।"