GARIMA Conclave 'ଗରିମା' ଯୋଜନା: ସଂଘର୍ଷପୂର୍ଣ୍ଣ ଅତୀତରୁ ସମ୍ମାନଜନକ ଜୀବିକା

Jul 03, 2026 - 19:05
GARIMA Conclave 'ଗରିମା' ଯୋଜନା: ସଂଘର୍ଷପୂର୍ଣ୍ଣ ଅତୀତରୁ ସମ୍ମାନଜନକ ଜୀବିକା

ଭୁବନେଶ୍ୱର:  ଦଶନ୍ଧି ଦଶନ୍ଧି ଧରି ସାମାଜିକ ଅବହେଳା ଓ ବିପଦପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରୁଥିବା ପ୍ରମୁଖ ପରିମଳ କର୍ମଚାରୀ ଆଜି ଜଣେ ଜଣେ ଦକ୍ଷ ପରିମଳ ପ୍ରଫେସନାଲ ଭାବେ ଗର୍ବର ସହ କାର୍ଯ୍ୟ କରିପାରୁଛନ୍ତି। ଏହି ଧାରାକୁ ଆଗକୁ ବଢ଼ାଇବା ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଗଷ୍ଟ ୨୨ ଏବଂ ୨୩ରେ ଭୁବନେଶ୍ୱରଠାରେ 'ଦ୍ୱିତୀୟ ଜାତୀୟ ଗରିମା ସମ୍ମିଳନୀ' ଆୟୋଜନ କରାଯିବ। 

OSWAS In ULBs ‘ଓସ୍‌ୱାସ୍‌’ରେ ଯୋଡ଼ି ହେଲା ସମସ୍ତ ୧୧୫ ପୌର ପରିଷଦ ଓ ଏନ୍‌ଏସି

ଏହି ଦୁଇ ଦିନିଆ ଉଚ୍ଚସ୍ତରୀୟ ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ନୀତି ନିର୍ଦ୍ଧାରକ, ପୌରସଂସ୍ଥା, ବିଶ୍ୱସ୍ତରୀୟ ପରିମଳ ବିଶେଷଜ୍ଞ ଏବଂ ପ୍ରମୁଖ ପରିମଳ କର୍ମଚାରୀମାନେ ଏକତ୍ରିତ ହେବେ। ଏହି ସମ୍ମିଳନୀରେ ସମ୍ପୂର୍ଣ୍ଣ ଯାନ୍ତ୍ରିକୀକରଣ, ଅତ୍ୟାଧୁନିକ ସୁରକ୍ଷା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ସାମାଜିକ ସୁରକ୍ଷା ମଡେଲକୁ ବ୍ୟାପକ କରିବା ଉପରେ ଗଭୀର ଆଲୋଚନା କରାଯିବ।  ସାରା ଦେଶରେ ମାନୁଆଲ୍ ସ୍କାଭେଞ୍ଜିଂ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଏବଂ ପ୍ରତ୍ୟେକ ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମୃଦ୍ଧି ଓ ସମ୍ମାନର ଜୀବନ ପ୍ରଦାନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

BMC's vehicle: ବିଏମ୍‌ସିର ଗରିମା ଗାଡ଼ି: ରେଜିଷ୍ଟ୍ରେସନ୍‌ ପୂର୍ବରୁ ଖତ ‌ହେବାକୁ ବସିଲାଣି

ଆଜି (ଶୁକ୍ରବାର) ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ସୂଚନା ପ୍ରକାଶ କରାଯାଇଛି। ଏଥିରେ ଦର୍ଶାଯାଇଛି, କର୍ମଚାରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ 'ଗରିମା' ଯୋଜନାରେ ଆନୁଷ୍ଠାନିକ ସଂସ୍କାର ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ କରାଯାଇଛି। କ୍ଷେତ୍ରସ୍ତରରେ ସମ୍ପୂର୍ଣ୍ଣ ନିରାପତ୍ତା ପାଇଁ କର୍ମଚାରୀମାନଙ୍କୁ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ (PPE) କିଟ୍‌—ଯେପରିକି ହେଲମେଟ, ସୁରକ୍ଷା ଚଷମା, ମାସ୍କ, ଗ୍ଲୋଭସ ଏବଂ ଗୁଣାତ୍ମକ ବୁଟ୍ ଜୋତା ପ୍ରଦାନ କରାଯାଉଛି। ଏହାସହ ମାନୁଆଲ ସ୍ୱରେଜ ପ୍ରବେଶକୁ ବନ୍ଦ କରିବାକୁ ଆଧୁନିକ ଯାନ୍ତ୍ରିକ ଉପକରଣ ଯୋଗାଇ ଦିଆଯାଉଛି। ଶାରୀରିକ ସୁରକ୍ଷା ବ୍ୟତୀତ ସରକାର ଏକ ଦୃଢ଼ ସାମାଜିକ ସୁରକ୍ଷା ନେଟୱର୍କ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ୧୫% ବିପଦ ଭତ୍ତା (Hazard Allowance), ଜୀବନ ଓ ଦୁର୍ଘଟଣା ବୀମା, ରାସନ କାର୍ଡ, ସରକାରୀ ପରିଚୟ ପତ୍ର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY-U) ମାଧ୍ୟମରେ ଗୃହ ନିର୍ମାଣ ସହାୟତା ସାମିଲ ରହିଛି। ଏଥିସହିତ ସହରାଞ୍ଚଳରେ ସମ୍ମାନଜନକ ବିଶ୍ରାମ ପାଇଁ ଆଧୁନିକ ସୁବିଧା ଓ ସ୍ୱଚ୍ଛ ଶୌଚାଳୟ ବିଶିଷ୍ଟ ଏୟାର୍-କଣ୍ଡିସନର୍ "ଗରିମା ହଲ୍" ନିର୍ମାଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ପୌରସଂସ୍ଥା (ULBs) ରେ ପ୍ରାୟ ୯,୩୬୪ ଜଣ ପରିମଳ କର୍ମଚାରୀଙ୍କୁ ଏହି ସୁରକ୍ଷିତ ଜୀବିକା ନେଟୱର୍କ ସହ ଯୋଡ଼ାଯାଇ ସାରିଛି।