Gajapati Letter To ISKCON: ଇସ୍କନକୁ ଗଜପତି ମହାରାଜାଙ୍କ କଡ଼ା ଚିଠି, 'ଅଦିନିଆ ଆୟୋଜନରୁ ନିବୃତ୍ତ ରୁହ'

Jul 05, 2026 - 21:08
Gajapati Letter To ISKCON: ଇସ୍କନକୁ ଗଜପତି ମହାରାଜାଙ୍କ କଡ଼ା ଚିଠି, 'ଅଦିନିଆ ଆୟୋଜନରୁ ନିବୃତ୍ତ ରୁହ'

ବାରମ୍ବାର ଅନୁରୋଧ ଓ ତାଗିଦ ସତ୍ତ୍ବେ ଉଭୟ ଦେଶ ଓ ବିଦେଶରେ ତିଥି ବାହାରେ ରଥଯାତ୍ରା ଓ ସ୍ନାନଯାତ୍ରା କରି ଜଗନ୍ନାଥ ସଂସ୍କୃତିର ଅବମାନନା କରି ଆସୁଥିବା ଇସ୍କନକୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କଡ଼ା ଚିଠି। ପଶ୍ଚିମବଙ୍ଗର ମାୟାପୁରସ୍ଥିତ ଭାରତରେ ଥିବା ଇସ୍କନ ମୁଖ୍ୟାଳୟ ତଥା ଏହାର ଅଧ୍ୟକ୍ଷ ଶ୍ରୀ ମଧୁସେବିତ ଦାସ ପ୍ରଭୁଙ୍କୁ ଗଜପତି ପୁଣି ଚିଠି ଲେଖିଛନ୍ତି। ଏଥିରେ ଗଜପତି ଲେଖିଛନ୍ତି ଯେ, ୨୦୨୫ ଅକ୍ଟୋବର ୧୯ରେ ଜିବିସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚିଠି ଲେଖି ବିଶ୍ବବ୍ୟାପୀ କେବଳ ଜ୍ୟେଷ୍ଠ ପୁର୍ଣ୍ଣିମାରେ ହିଁ ସ୍ନାନ ଯାତ୍ରା ପାଳନ କରାଯିବ ବୋଲି ଦର୍ଶାଇଥିଲେ। ଆଉ ଦେଶ ଭିତରେ ରଥଯାତ୍ରା ମଧ୍ୟ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟାରୁ ଆରମ୍ଭ ହୋଇ ୯ ଦିନ ଭିତରେ ପାଳନ କରାଯିବ। ବିଦେଶରେ ମଧ୍ୟ ୨୪୭ଟି ସ୍ଥାନରେ ସେହି ନିର୍ଦ୍ଧାରିତ ୯ ଦିନ ଭିତରେ ହିଁ ରଥାଯାତ୍ରା ଆୟୋଜନ କରୁଛି ଇସ୍କନ। ଏହା ସତ୍ବେ ବି ୨୦୨୫ରେ ଇସ୍କନ ଦେଶ ବାହାରେ ଜ୍ୟେଷ୍ଠ ପୂର୍ଣ୍ଣିମା ବ୍ୟତୀତ ଅନ୍ୟ ତିଥିରେ ସ୍ନାନ ଯାତ୍ରାର ଆୟୋଜନ କରିଛି। ହେଲେ ଏଣିକି ମହାପ୍ରଭୁଙ୍କ ଜନ୍ମ ତିଥି ଜ୍ୟେଷ୍ଠ ପୂର୍ଣ୍ଣିମାରେ ହିଁ ସ୍ନାନ ଯାତ୍ରାର ଆୟୋଜନ କରିବାକୁ ନିବେଦନ କରିଛନ୍ତି ଗଜପତି ମହାରାଜା।

ସେହିଭଳି ଉଜ୍ଜୟିନୀ ଇସ୍କନ ମନ୍ଦିର ପକ୍ଷରୁ ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ଏ ବର୍ଷ ରଥଯାତ୍ରା ଆୟୋଜନ କରାଯାଉଛି। ଯାହା ଜୁଲାଇ ୧୬ରୁ ୨୫ ଭିତରେ ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ ଅଛି। କିନ୍ତୁ ପୁରୀ ମୂଳ ପୀଠରେ ନବଦିନାତ୍ମକ ଯାତ୍ରା ଅବଧି ଜୁଲାଇ ୧୬ରୁ ଜୁଲାଇ ୨୪ ଭିତରେ ଶେଷ ହେଉଥିବାରୁ ଜୁଲାଇ ୨୫ରେ ରଥଯାତ୍ରା ଆୟୋଜନ ନବଦିନାତ୍ମକ ଯାତ୍ରା ବାହାରେ ରହୁଛି। ତେଣୁ ଦେଶର କୌଣସି ବି ସ୍ଥାନରେ ନବଦିନାତ୍ମକ ଯାତ୍ରା ବାହାରେ ରଥଯାତ୍ରା  ଆୟୋଜନରୁ ଇସ୍କନ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି ଗଜପତି।

ଗଜପତି ଚିଠିରେ ଏକଥା ବି ଲେଖିଛନ୍ତି ଯେ, ପବିତ୍ର ସ୍କନ୍ଦ ପୁରାଣରେ ମହର୍ଷି ବେଦବ୍ୟାସଙ୍କ ଲେଖା ଅନୁସାରେ ମହାପ୍ରଭୁ ଜଗନ୍ନାଥ ସ୍ବୟଂ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ଯାତ୍ରା ଏବଂ ଆଷାଢ ଶୁକ୍ଲ  ଦ୍ବିତୀୟା ତିଥିରେ ରଥଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବହୁ ଗ୍ରନ୍ଥଶାସ୍ତ୍ରରେ ମଧ୍ୟ ମହାପ୍ରୁଭ ସ୍ବୟଂ ଏହି ଇଚ୍ଛାକୁ ପ୍ରକଟ କରିଥିବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପଣ୍ଡିତମଣ୍ଡଳୀ ଇସ୍କନକୁ ଅବଗତ କରାଇଛନ୍ତି। କିନ୍ତୁ ଇସ୍କନ୍ ଗୋଟିଏ ପଟେ ଭାରତ ଭିତରେ ଓ ବାହାରେ ମହର୍ଷି ବେଦବ୍ୟାସଙ୍କ ଧର୍ମଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶାବଳିକୁ ମାନୁଛି। ଅନ୍ୟପଟେ ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ସେ ବିଶ୍ବାସକକୁ ଉଲ୍ଲଂଘନ କରୁଛି। ଯାହା ବିଶ୍ବର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଉଛି ବୋଲି ଲେଖିଛନ୍ତି ଗଜପତି।

ଗଜପତି ମହାରାଜା ତାଙ୍କ ଚିଠିଲେ ଏକଥା ଉଲ୍ଲେଖ କରିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ଭାରତ ବାହାରେ ବହୁ ସହରରେ ଇସ୍କନ ପକ୍ଷରୁ ଅଦିନରେ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ପାଳନ କରାଯାଇଛି। ଆଗକୁ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନରେ ପାଳନ ପାଇଁ ଯୋଜନା ହୋଇଛି। କିନ୍ତୁ ମହାପ୍ରଭୁଙ୍କ ଗୌରବକୁ ବିଶ୍ବବ୍ୟାପୀ ଅକ୍ଷୁର୍ଣ୍ଣ ରଖିବାକୁ ଇସ୍କନ ଶାସ୍ତ୍ର ଓ ପରମ୍ପରାକୁ ସମ୍ମାନ ଦେବା ଲାଗି ସୁବିଚାର କରିବାକୁ ସେ ନିବେଦନ କରିଛନ୍ତି।