Freedom fighter's memorial site: ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠ: ‘ଭାରତ ମାତା ମନ୍ଦିର’କୁ ଅଣଦେଖା
ବୌଦ୍ଧ (ଜ୍ଞାନେନ୍ଦ୍ର ନାରାୟଣ ରଥ): ଇଂରେଜଙ୍କ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରା ସାରା ଦେଶରେ ଗୁଞ୍ଜରିତ ହୋଇଥିଲା। ତତ୍କାଳୀନ ବୌଦ୍ଧ ଗଡ଼ଜାତ ଅଞ୍ଚଳ ସେଥିରୁ ବାଦ୍ ଯିବ କେମିତି? ଏହାର ବଣପାହାଡ଼ ଘେରା ଏକ ଦୁର୍ଗମ ଅଞ୍ଚଳ ବନପାଲି ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ସୁରକ୍ଷାକବଚ ପାଲଟିଥିଲା। ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ ପାଇଁ ଲୋକେ ଏଠାରେ ଏକ କୁଡ଼ିଆ ଘରେ ଭାରତ ମାତାଙ୍କ ପ୍ରତୀକାତ୍ମକ ପୂଜା, ସଂକୀର୍ତ୍ତନ କରିବା ଆରମ୍ଭ କରିଥିଲେ। ଏହା ଭାରତ ମାତା ମନ୍ଦିର ଭାବେ ପରିଗଣିତ ହେବା ସହ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରଭାବିତ କରିଥିଲା। ଲୋକେ ସ୍ବାଧୀନତା ସଂଗ୍ରାମରେ ଝାସ ଦେବାକୁ ଆଗଭର ହୋଇ ଯଥାସମ୍ଭବ ସହାୟତା ଯୋଗାଇ ଦେଉଥିଲେ। ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ସେମାନଙ୍କ ମଧ୍ୟରେ ଜାତୀୟତାଭାବ ଉଦ୍ରେକ କରିବାରେ ଏହି ମନ୍ଦିର ସହାୟକ ହୋଇଥିଲା ବୋଲି ଗବେଷକମାନେ ମତ ଦିଅନ୍ତି। ସ୍ବାଧୀନତା ସଂଗ୍ରାମୀଙ୍କ ଏହି ସ୍ମୃତିପୀଠଟି ଏବେ ବି ରହିଛି। କୁଡ଼ିଆଟି ଛାତଘରରେ ପରିଣତ ହୋଇଛି। ହେଲେ ବର୍ତ୍ତମାନର ସ୍ଥିତି ଦେଖିଲେ ଏହା ଅବହେଳିତ ଅବସ୍ଥାରେ ଥିବା ଭଳି ଅନୁମେୟ ହେଉଛି।
Education: ନିସ୍ ଇନଷ୍ଟିଚ୍ୟୁଟ୍ର ସ୍ବାଗତ ଉତ୍ସବ
ବୌଦ୍ଧ ଜିଲ୍ଲାର ଗୋଚ୍ଛାପଡ଼ା ପଞ୍ଚାୟତ ଅଧୀନରେ ରହିଛି ବନପାଲି ଗ୍ରାମ। ଗବେଷକ ରମେଶ ମେହେରଙ୍କ କହିବା ଅନୁଯାୟୀ, ୧୯୪୨ ମସିହାରେ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ଗାଁ ମଝିରେ ଏହି ଭାରତ ମାତା ମନ୍ଦିର ସ୍ଥାପନ ହୋଇଥିଲା। ଏକ ଛୋଟ କୁଡ଼ିଆ କରି ତା’ ଶୀର୍ଷରେ ଏକ ବାନା ବନ୍ଧା ଯାଇଥିଲା। ଏହାକୁ ଭାରତାମାତା ମନ୍ଦିର ଦର୍ଶାଇ ସ୍ବାଧୀନତା ସଂଗ୍ରାମୀମାନେ ପୂଜାପାଠ, ସଂକୀର୍ତ୍ତନ ପୂର୍ବକ ମନ୍ଦିର ପରିକ୍ରମା, ରାମଧୂନ ଗାନ କରୁଥିଲେ। ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଗ୍ରାମର ଆରାଧ୍ୟ ପାଲଟିଛନ୍ତି ଭାରତ ମାତା। ପର୍ବପର୍ବାଣି, ବିବାହ ଆଦି ଶୁଭ କାର୍ଯ୍ୟ ପାଇଁ ପ୍ରଥମେ ଭାରତା ମାତାଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି। ପୂଜକ ଭାବେ ମେହେର ସମ୍ପ୍ରଦାୟର ଏକ ପରିବାର ପୁରୁଷାନୁକ୍ରମେ ପୂଜାର୍ଚ୍ଚନା କରୁଛନ୍ତି। କିଛି ବର୍ଷ ତଳେ କୁଡ଼ିଆର ସ୍ଥାନ ନେଇଛି କୋଠାଘର। ତା’ ମଧ୍ୟରେ ଭାରତ ମାତାଙ୍କ ପ୍ରାୟ ୬ଫୁଟ ଉଚ୍ଚତା ବିଶିଷ୍ଟ ପରିକଳ୍ପିତ ମୂର୍ତ୍ତି ମଧ୍ୟ ପ୍ରତିଷ୍ଠା ହୋଇଛି। କିନ୍ତୁ ମନ୍ଦିରଟି ଅସମ୍ପୂର୍ଣ୍ଣ ରହିଛି। ସ୍ବାଧୀନତା ସଂଗ୍ରାମର ସ୍ବାକ୍ଷର ବହନ କରୁଥିବା ଏହି ଐତିହ୍ୟ ସମ୍ପନ୍ନ ମନ୍ଦିରର ଯେଭଳି ବିକାଶ ହେବା କଥା, ତାହା ହୋଇପାରିନି। ସାରା ଦେଶରେ ହାତଗଣତି କିଛି ଭାରତ ମାତା ମନ୍ଦିର ରହିଛି। ଉତ୍ତରପ୍ରଦେଶର ବାରାଣସୀ, ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ଭାରତ ମାତା ମନ୍ଦିର ଏହାର ଉଦାହରଣ। ସେହି ମନ୍ଦିରଗୁଡ଼ିକର ଭବ୍ୟତା ଯେକୌଣସି ବ୍ୟକ୍ତିଙ୍କୁ ଆକୃଷ୍ଟ କରୁଛି। ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ବହନ କରୁଥିବା ବନପାଲିର ଏହି ଭାରତ ମାତା ମନ୍ଦିରର ରକ୍ଷଣାବେକ୍ଷଣ ସହ ରୂପାନ୍ତରଣ କରାଗଲେ, ଏହା ସାରା ଦେଶରେ ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇପାରନ୍ତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

