Free Admissions from KG to PG Announced: ଆଉ ଅଧାରୁ ବନ୍ଦ ହେବନି ପିଲାଙ୍କ ପାଠପଢ଼ା, କେଜିରୁ ପିଜି ଫ୍ରି ଆଡ଼ମିଶନ୍ ନେଇ ସରକାରଙ୍କ ଘୋଷଣା

Jul 02, 2026 - 21:42
Free Admissions from KG to PG Announced: ଆଉ ଅଧାରୁ ବନ୍ଦ ହେବନି ପିଲାଙ୍କ ପାଠପଢ଼ା, କେଜିରୁ ପିଜି ଫ୍ରି ଆଡ଼ମିଶନ୍ ନେଇ ସରକାରଙ୍କ ଘୋଷଣା

କେଜିରୁ ପିଜି, ପାଠପଢା ପାଇଁ ଆଉ ଲାଗିବନି ଆଡ଼ମିଶନ ଫି। ସମ୍ପୂର୍ଣ୍ଣ ମାଗଣା ହେବ ନାମଲେଖା। ଶିକ୍ଷାକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ସବୁଆଡେ ସ୍ବାଗତ। ବିଶେଷ କରି ଅର୍ଥ ଅଭାବରୁ ଯେମିତି କେହି ପାଠପଢିବାରୁ ବଂଚିତ ହେବେନି ସେଥିରେ ଲାଗିବ ବ୍ରେକ୍। ଗରିବ ଓ ଅନୁନ୍ନତ ଶ୍ରେଣୀର ପିଲା ବି ପାଠ ପଢିବେ, ନାଁ କରିବେ। ଟଙ୍କା ପାଇଁ ଆଉ ବହିବସ୍ତାନିରେ ଲାଗିବନି ଡୋରି କି ପାଠପଢା ମଝିରୁ ଆଉ ପାଠ ଛାଡିବେନି। 

 ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଏସମ୍ପର୍କିତ ପ୍ରସ୍ତାବ, ଗତକାଲି କ୍ୟାବିନେଟରେ ଅନୁମୋଦିତ ହୋଇଛି। ଏଥିରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ରେ ନାମଲେଖା ମାଗଣା ହେବ। ସରକାରୀ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖା ଫି’ ଛାଡ଼ କରାଯିବ। ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ବି ଲାଗିବନି ଫି।

ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ତାହା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସରକାରଙ୍କ ନିଷ୍ପତ୍ତିରେ ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ପଛୁଆ ବର୍ଗର ପରିବାର ଗୁଡିକ ଉପରୁ ଆର୍ଥିକ ବୋଝ ହ୍ରାସ କରି ଏହି ନିଷ୍ପତ୍ତି ନାମଲେଖା ବୃଦ୍ଧି କରିବ। ସ୍କୁଲ ଓ କଲେଜର ଉପସ୍ଥାନରେ ସୁଧାର ଆସିବ। 

ସେପଟେ କିଛି ଛାତ୍ରଛାତ୍ରୀଙ୍କ ମତ ହେଉଛି, ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ହେଲେ ବର୍ତ୍ତମାନ ମାଗଣା ନୁହେଁ କ୍ବାଲିଟି ଅଫ ଏଜୁକେସନ ଦରକାର। ପାଠପଢାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଉନ୍ନତମାନର ଶିକ୍ଷାଦାନ। ତେଣୁ ଶିକ୍ଷକ-ଶିକ୍ଷୟନ୍ତ୍ରୀଙ୍କୁ ଭଲ ଟ୍ରେନିଂ ଦେଇ, ଶିକ୍ଷାର ମାନ ବଢାଯାଉ। 

ଚଳିତ ଶିକ୍ଷାବର୍ଷରୁ ଲାଗୁ ହୋଇଛି ସରକାରଙ୍କ ନିଷ୍ପତ୍ତି। ଏବେ ଆଡମିଶନ ଆରମ୍ଭ ହୋଇଯାଇଥିବାରୁ ପିଲା ଫି ଦେଇ ନାମ ଲେଖାଇ ସାରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଫି ଦେଇ ଅଡମିଶନ କରିଥବା ପିଲାଙ୍କୁ ଟଙ୍କା ଫେରସ୍ତ କରାଯିବ। କଲେଜ ମାଧ୍ୟମରେ ହିଁ ଆଡମିଶନ୍ ବାବଦ ଟଙ୍କା ପିଲାଙ୍କୁ ଫେରାଯିବ। 

ସେପଟେ ଏଣିକି ସ୍କୁଲର ସବୁ ପିଲାଙ୍କୁ ମିଳିବ ମିଡ ଡେ ମିଲ୍। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲ୍ ମିଳୁଥିବା ବେଳେ ଏବେ ଏହାକୁ ନବମ ଓ ଦଶମ ଶ୍ରେଣୀ ଯାଏଁ ବୃଦ୍ଧି କରିଛନ୍ତି ସରକାର। ଏହାଦ୍ବାରା ରାଜ୍ୟର ୫୭ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ।...