France Heatwave Crisis: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ପ୍ୟାରିସ୍ରେ ଗଲାଣି ୪୦ରୁ ଅଧିକ ଜୀବନ
ପ୍ୟାରିସ୍: ସମଗ୍ର ୟୁରୋପ ମହାଦେଶକୁ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କବଳିତ କରି ରଖିଥିବା ବେଳେ ଏଥିରେ ସବୁଠାରୁ ଅଧିକ ସଂକଟଜନକ ସ୍ଥିତି ଉପୁଜିଛି ଫ୍ରାନ୍ସରେ। ଦେଶରେ ଜାରି ରହିଥିବା ଏହି ଅଭୂତପୂର୍ବ ପାଣିପାଗ ବିପର୍ଯ୍ୟୟ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଗରମରୁ ରକ୍ଷା ପାଇବା ପାଇଁ ଅଣ-ସୁରକ୍ଷିତ ନଦୀ, ହ୍ରଦ ଓ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ନେଇ ମଧ୍ୟ ଡଜନରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହି ପ୍ରାଣଘାତୀ ସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ପାଣିପାଗ ସଂସ୍ଥା ''ମେଟିଓ-ଫ୍ରାନ୍ସ'' ପକ୍ଷରୁ ଦେଶର ଅର୍ଦ୍ଧେକରୁ ଅଧିକ ଭାଗରେ ସର୍ବୋଚ୍ଚ ସ୍ତରର ''ରେଡ୍ ଆଲର୍ଟ'' ଜାରି କରାଯାଇଛି ଏବଂ ବିଶେଷ କରି ଶିଶୁ, ବୃଦ୍ଧ ଓ ଅସୁସ୍ଥ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ଆହୁରି ପଢ଼ନ୍ତୁ: ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ
ରାଜଧାନୀ ପ୍ୟାରିସ୍ ସମେତ ସମଗ୍ର ଫ୍ରାନ୍ସରେ ତାପମାତ୍ରା ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଦେଇଛି। ଚଳିତ ସପ୍ତାହରେ ପ୍ୟାରିସରେ ଯେତିକି ଦିନ ପାରଦ ୪୦ ଡିଗ୍ରୀ ସେଲସିୟସରୁ ଉପରେ ରହିଛି, ତାହା ଗତ ୧୪୭ ବର୍ଷର ଇତିହାସରେ କେବେ ଦେଖାଯାଇନଥିଲା। ଦେଶର ଜାତୀୟ ହାରାହାରି ତାପମାତ୍ରା ୨୯.୮ ଡିଗ୍ରୀ ସେଲସିୟସରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଥିବା ବେଳେ ଦକ୍ଷିଣ-ପଶ୍ଚିମାଞ୍ଚଳର ପିସୋସ୍ ଠାରେ ଚଳିତ ଋତୁର ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପାରମ୍ପରିକ ଭାବେ ୟୁରୋପରେ ଶୀତଳ ପାଣିପାଗ ରହୁଥିବାରୁ ଏଠାକାର ଅଧିକାଂଶ ଘରଗୁଡ଼ିକରେ ଏୟାର କଣ୍ଡିସନର (ଏସି) ର ବ୍ୟବସ୍ଥା ନାହିଁ, ଯାହାଫଳରେ ଗ୍ରୀଷ୍ମର ପ୍ରକୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି।
କେବଳ ଫ୍ରାନ୍ସ ନୁହେଁ, ବ୍ରିଟେନରେ ମଧ୍ୟ ଇତିହାସର ସବୁଠାରୁ ଗରମ ଜୁନ୍ ମାସ ଅନୁଭୂତ ହୋଇଥିବା ବେଳେ ସ୍ପେନ୍ ଓ ଇଟାଲୀରେ ମଧ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ୨୦୦୩ ମସିହାରେ ହୋଇଥିବା ସେହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସ୍ମୃତିକୁ ତାଜା କରିଦେଇଛି, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଜୁନ୍ ମାସ ଅର୍ଥାତ୍ ଗ୍ରୀଷ୍ମ ଋତୁର ଆରମ୍ଭରୁ ହିଁ ଏଭଳି ଚରମ ପାଣିପାଗ ପରିସ୍ଥିତି ସୃଷ୍ଟି ହେବା ମାନବ-କୃତ ଜଳବାୟୁ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଏବଂ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ଦୀର୍ଘସ୍ଥାୟୀ ଓ ଭୟଙ୍କର ରୂପ ଧାରଣ କରିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପନ ହୋଇପାରେ ସମାନ ନାଗରିକ ସଂହିତା ବିଲ୍