Forest Fire Triggers Mass Evacuations: ୧୨ ଜଣଙ୍କୁ ଗିଳିଦେଲା ଜଙ୍ଗଲ ନିଆଁ, ୨୦ ରୁ ଅଧିକ ଲୋକ ନିଖୋଜ
ସ୍ପେନରେ ଜଙ୍ଗଲ ନିଆଁ ଭୟାବହ ରୂପ ନେଇଛି। ଏହି ଦ୍ରୁତଗତିରେ ବ୍ୟାପୁଥିବା ନିଆଁରେ ଏପର୍ଯ୍ୟନ୍ତ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ନିଖୋଜ ହୋଇଯାଇଛନ୍ତି। ସ୍ପେନରେ ଘଟିଥିବା ଜଙ୍ଗଲ ନିଆଁ ମଧ୍ୟରୁ ଏହା ସବୁଠୁ ଭୟଙ୍କର ବୋଲି କୁହାଯାଉଛି। ନିଖୋଜ ଲୋକଙ୍କ ସନ୍ଧାନ ଜାରି ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।
ଏହି ଅଗ୍ନିକାଣ୍ଡ ସ୍ପେନର ଆଲମେରିଆ ପ୍ରଦେଶର ଲସ୍ ଗାଲାର୍ଡସ୍ ଓ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପିଥିଲା। ପ୍ରବଳ ପବନ, ଅତ୍ୟଧିକ ଉତ୍ତାପ ଏବଂ ଶୁଖିଲା ଜଙ୍ଗଲ ଯୋଗୁଁ ନିଆଁ କିଛି ଘଣ୍ଟା ମଧ୍ୟରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା। ଅନେକ ଲୋକ ନିଜ ଗାଡ଼ିରେ ପଳାଇବାକୁ ଚେଷ୍ଟା କରୁଥିବାବେଳେ ନିଆଁରେ ଫସିଯାଇଥିଲେ। କେହି କେହି ଗାଡ଼ି ଛାଡ଼ି ପାଦରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁରୁ ରକ୍ଷା ପାଇପାରିନଥିଲେ।
ସ୍ଥାନୀୟ ପ୍ରଶାସନଙ୍କ କହିବା ଅନୁସାରେ, ମୃତକଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ଥିବାର ଆଶଙ୍କା ରହିଛି। ଏପର୍ଯ୍ୟନ୍ତ ସମସ୍ତଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାବେଳେ ଡିଏନଏ ପରୀକ୍ଷା ଦ୍ୱାରା ପରିଚୟ ଚିହ୍ନଟ କରାଯାଉଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।
ଅଗ୍ନିକାଣ୍ଡ ପରେ ଶହ ଶହ ଅଗ୍ନିଶମ କର୍ମଚାରୀ, ସେନା ସଦସ୍ୟ ଏବଂ ଉଦ୍ଧାରକାରୀ ଟିମ୍କୁ ମୁତୟନ କରାଯାଇଛି। ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ହେଲିକପ୍ଟର, ବିମାନ ବି ନିୟୋଜିତ କରାଯାଇଛି। ଉଦ୍ଧାରକାରୀ ଟିମ୍ ଦିନରାତି କାମ କରୁଛନ୍ତି।
ପ୍ରାଥମିକ ତଦନ୍ତରେ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି, ଯଦିଓ ଏହାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି। ଏହି ଘଟଣା ପରେ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜଙ୍ଗଲ ନିଆଁ ଭଳି ବିପର୍ଯ୍ୟୟକୁ ମୁକାବିଲା ପାଇଁ ଅଧିକ ପ୍ରସ୍ତୁତି ଓ ପଦକ୍ଷେପର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।