FMGE 2026 Result: ବିଦେଶରୁ MBBS କରିଥିବା ଛାତ୍ରଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ବିଦେଶରୁ MBBS ସମ୍ପୂର୍ଣ୍ଣ କରି ଭାରତରେ ଡାକ୍ତରୀ ପେଶାରେ ଯୋଗଦେବାକୁ ଚାହୁଁଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ FMGE (Foreign Medical Graduate Examination) ୨୦୨୬ର ଫଳାଫଳ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (NBEMS) ପ୍ରକାଶ କରିଥିବା ଜୁନ୍ ୨୦୨୬ ଫଳାଫଳ ଅନୁଯାୟୀ, କେବଳ ୧୨.୩୮ ପ୍ରତିଶତ ପ୍ରାର୍ଥୀ ସଫଳ ହୋଇଥିବା ବେଳେ ପ୍ରାୟ ୮୮ ପ୍ରତିଶତ ପ୍ରାର୍ଥୀ ବିଫଳ ହୋଇଛନ୍ତି।
୩୭,୪୪୮ ଜଣ ପ୍ରାର୍ଥୀରୁ, ୩୧,୬୪୫ ଜଣ ବିଫଳ
ଚଳିତ ବର୍ଷ ମୋଟ ୩୭,୪୪୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୬୩୫ ଜଣ ପାସ୍ କରିଥିବା ବେଳେ ୩୧,୬୪୫ ଜଣ ବିଫଳ ହୋଇଛନ୍ତି। ଏହାବ୍ୟତୀତ ୧,୧୪୮ ଜଣ ପ୍ରାର୍ଥୀ ଅନୁପସ୍ଥିତ ଥିଲେ ଏବଂ ୨୦ ଜଣଙ୍କ ଫଳାଫଳ ସ୍ଥଗିତ ରଖାଯାଇଛି। ଗତ ୧୩ଟି ଅଧିବେଶନର ହାରାହାରି ପାସ୍ ହାର ୨୧.୪୭ ପ୍ରତିଶତ ଥିବାବେଳେ ଏଥର ଏହା ୧୨.୩୮ ପ୍ରତିଶତକୁ ଖସି ଆସିଛି। FMGE ହେଉଛି ବିଦେଶରୁ MBBS ପଢ଼ିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ପରୀକ୍ଷା। ଏହି ପରୀକ୍ଷାରେ ସଫଳ ହେବା ପରେ ହିଁ ସେମାନେ ଭାରତରେ ମେଡିକାଲ୍ ପଞ୍ଜିକରଣ କରି ଡାକ୍ତରୀ ଅଭ୍ୟାସ କରିପାରିବେ। ମୋଟ ୩୦୦ ନମ୍ବରର ଏହି ପରୀକ୍ଷାରେ ପାସ୍ କରିବା ପାଇଁ ଅତି କମରେ ୧୫୦ ନମ୍ବର ଅର୍ଥାତ୍ ୫୦ ପ୍ରତିଶତ ମାର୍କ ହାସଲ କରିବା ଆବଶ୍ୟକ।
ଫଳାଫଳ ପ୍ରକାଶ ପରେ ଛାତ୍ର ସଂଗଠନଗୁଡ଼ିକ ପରୀକ୍ଷାର କଠିନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷର ପ୍ରଶ୍ନପତ୍ର ଅତ୍ୟନ୍ତ କଠିନ ଥିଲା ଏବଂ କିଛି ପ୍ରଶ୍ନରେ କୋଡିଂ ଓ ବିକଳ୍ପ ସମ୍ବନ୍ଧୀୟ ତ୍ରୁଟି ମଧ୍ୟ ରହିଥିଲା। ସଂଗଠନର ଦାବି, ପ୍ରଶ୍ନପତ୍ରର କଠିନତା NEET-PG ଓ INI-CET ପରୀକ୍ଷାଠାରୁ ମଧ୍ୟ ଅଧିକ ଥିଲା।
Assistant Professor: ୩,୬୮୭ ସହକାରୀ ଶିକ୍ଷକ ପଦବି ପାଇଁ ନିଯୁକ୍ତି
ତେବେ NBEMS ସ୍ପଷ୍ଟ କରିଛି ଯେ ପରୀକ୍ଷା ପରେ ସମସ୍ତ ପ୍ରଶ୍ନ ଓ ଉତ୍ତରକୁ ବିଷୟ ବିଶେଷଜ୍ଞମାନେ ଯାଞ୍ଚ କରିଥିଲେ। ଯେଉଁ ପ୍ରଶ୍ନରେ ବୈଷୟିକ ତ୍ରୁଟି ଥିଲା, ସେଥିପାଇଁ ସମସ୍ତ ପ୍ରାର୍ଥୀଙ୍କୁ ନମ୍ବର ପ୍ରଦାନ କରାଯାଇଛି। ଯଦି କୌଣସି ପ୍ରଶ୍ନର ଦୁଇଟି ଉତ୍ତର ସଠିକ୍ ଥିଲା, ତେବେ ଉଭୟ ସଠିକ୍ ବିକଳ୍ପ ବାଛିଥିବା ପ୍ରାର୍ଥୀଙ୍କୁ ମାର୍କ ଦିଆଯାଇଛି। NBEMS ଅନୁଯାୟୀ, FMGE ଜୁନ୍ ୨୦୨୬ର ବ୍ୟକ୍ତିଗତ ସ୍କୋରକାର୍ଡ ୧୬ ଜୁଲାଇରୁ ଡାଉନଲୋଡ୍ କରାଯାଇପାରିବ। ତେବେ କେବଳ ସ୍କୋରକାର୍ଡ ମିଳିଲେ ଡାକ୍ତରୀ ପଞ୍ଜିକରଣ ସମ୍ଭବ ନୁହେଁ। ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଓ ପରିଚୟ ଯାଞ୍ଚ ପରେ FMGE ପାସ୍ ସାର୍ଟିଫିକେଟ୍ ଦିଆଯିବ, ଯାହା ମେଡିକାଲ୍ ପଞ୍ଜିକରଣ ପାଇଁ ବାଧ୍ୟତାମୂଳକ। ଛାତ୍ର ସଂଗଠନର କହିବା ଅନୁସାରେ, ବିଦେଶରୁ MBBS ସମ୍ପୂର୍ଣ୍ଣ କରିବା ପରେ ମଧ୍ୟ ଭାରତରେ ଡାକ୍ତରୀ ପେଶାରେ ପ୍ରବେଶ କରିବା ପାଇଁ ସ୍କ୍ରିନିଂ ଟେଷ୍ଟ, ଇଣ୍ଟର୍ନସିପ୍ ଓ ପଞ୍ଜିକରଣ ଭଳି ଅନେକ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡ଼ୁଛି। ଏହାଦ୍ୱାରା ବିଦେଶରୁ ଫେରୁଥିବା ମେଡିକାଲ୍ ସ୍ନାତକଙ୍କ ପାଇଁ ଭାରତରେ ଡାକ୍ତର ହେବାର ପଥ ଦିନକୁ ଦିନ ଅଧିକ କଠିନ ହେଉଥିବା ନେଇ ଆଲୋଚନା ଜୋର ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।