Flood Warning: ଦୌଡ଼… ପାଣି ଆସୁଛି!’ ୨୦ ମିନିଟ୍ର ଚେତାବନୀରେ ନେପାଳରେ ଭୟଙ୍କର ଆତଙ୍କ
"ନୂଆଦିଲ୍ଲୀ: ନେପାଳରେ ଏବେ ବି ଶୁଖିନି ଲୁହ।
ବନ୍ୟାର ବିଭୀଷିକାରୁ ଲୋକେ ମୁକୁଳି ନଥିବା ବେଳେ ପୁଣି ଘନେଇଲା ଆଉ ଏକ ବଡ଼ ବିପଦ।
ହଠାତ୍ ଆସିଲା ଚେତାବନୀ “ଆଉ ମାତ୍ର ୨୦ରୁ ୨୫ ମିନିଟ୍ ମଧ୍ୟରେ ପାଣି ପହଞ୍ଚିଯିବ।” ଏହି ଗୋଟିଏ ଚେତାବନୀ ପରେ ନୁୱାକୋଟର ଧୁଣ୍ଡେ ବଜାରରେ ଖେଳିଗଲା ଆତଙ୍କ।
ଯିଏ ଯାହା ପାରୁଛି, ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଛି।
କେହି ଘର ଛାଡ଼ିଲେ, କେହି ଦୋକାନ ବନ୍ଦ କଲେ।
ଛୋଟ ପିଲାଙ୍କୁ କୋଳରେ ଧରି ଦୌଡ଼ୁଛନ୍ତି ପରିବାର।
ବୃଦ୍ଧଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ସମ୍ପର୍କୀୟ।
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଣି କ"ଣ ସବୁକିଛି ଭାସିଯିବ?Advertisment Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା ନୁୱାକୋଟର ଧୁଣ୍ଡେ ବଜାର ଏବଂ ନଦୀକୂଳ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।
ଡାକବାଜି ଯନ୍ତ୍ର ମାଧ୍ୟମରେ ବାରମ୍ବାର ସତର୍କ କରୁଛି ପୋଲିସ।
କାରଣ ଉପରମୁଣ୍ଡରୁ ଆସୁଥିବା ପାଣି ଯୋଗୁଁ ନଦୀର ଜଳସ୍ତର ହଠାତ୍ ବଢ଼ିବାର ଆଶଙ୍କା ରହିଛି।ଏହି ଅଞ୍ଚଳ ଏବେ ବି ପୂର୍ବ ବନ୍ୟାର କ୍ଷତଚିହ୍ନ ବୋହି ଚାଲିଛି।
ରାସ୍ତା ଭାଙ୍ଗିଛି, ପୋଲ ଭାସିଛି, ଅନେକ ଘର ଓ ଦୋକାନ ଧ୍ୱଂସ ହୋଇଛି।
ଲୋକଙ୍କ ଜୀବନ ସ୍ୱାଭାବିକ ହେବା ଆଗରୁ ପୁଣି ଏକ ବଡ଼ ବିପଦର ଆଶଙ୍କା ଏବେ ଚିନ୍ତା ବଢ଼ାଇଛି।
ସବୁଠାରୁ ବଡ଼ ଭୟ ହେଉଛି ଉପରମୁଣ୍ଡରେ ଥିବା ପ୍ରତିବନ୍ଧକ ହ୍ରଦ।
ହ୍ରଦର ପାଣି କୂଳ ଲଙ୍ଘିବା ଆରମ୍ଭ କରିଥିବାରୁ ତଳିଆ ଅଞ୍ଚଳ ପ୍ରତି ବିପଦ ବଢ଼ିଛି।
ପାଣିର ପ୍ରବାହ ଆହୁରି ବଢ଼ିଲେ ପରିସ୍ଥିତି ଭୟଙ୍କର ହୋଇପାରେ।
ଏହି କାରଣରୁ ନେପାଳ ସେନା ଓ ଉଦ୍ଧାରକାରୀ ଦଳକୁ ମଧ୍ୟ ଅତ୍ୟନ୍ତ ସତର୍କତାର ସହ କାମ କରିବାକୁ ପଡ଼ୁଛି।
ଲୋକଙ୍କୁ ବଞ୍ଚାଇବାକୁ ଯାଇ ଉଦ୍ଧାରକାରୀମାନେ ନିଜେ ଯେପରି ବିପଦରେ ନପଡ଼ନ୍ତି, ସେଥିପାଇଁ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ମଧ୍ୟ ରଖାଯାଇଛି।
ପ୍ରକୃତିର ଏହି ରୂଦ୍ରରୂପ ନେପାଳବାସୀଙ୍କ ଜୀବନକୁ ଯେମିତି ଦୋହଲାଇ ଦେଇଛି।
ଆଜି ନେପାଳର ରାସ୍ତାରେ ଭୟ, ଆଖିରେ ଲୁହ ଏବଂ ମନରେ ଅନିଶ୍ଚିତତା।
୨୦ ମିନିଟ୍ର ଚେତାବନୀ ହଜାର ହଜାର ଲୋକଙ୍କ ପାଇଁ ଜୀବନ ବଞ୍ଚାଇବାର ଦୌଡ଼ ପାଲଟିଛି।
ପୂର୍ବ ବନ୍ୟାର କ୍ଷତ ଭରିନଥିବା ବେଳେ ପୁଣି ଆସିଛି ବିପଦର ଭୟ।
ଏବେ ସମସ୍ତଙ୍କ ନଜର ହ୍ରଦର ପାଣି କେତେ ବଢ଼ିବ, ନଦୀର ସ୍ରୋତ କେତେ ଭୟଙ୍କର ହେବ ଏବଂ ନେପାଳ କେବେ ଏହି ପ୍ରକୃତିର କରାଳ ରୂପରୁ ମୁକ୍ତି ପାଇବ?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
