Financial anxiety: ଚଳନ୍ତିକା: ବଢୁଛି ଭାରତୀୟଙ୍କ ଆର୍ଥିକ ଉତ୍କଣ୍ଠା
"ଆଜିକାଲି ଭାରତୀୟମାନେ କେବଳ ଅର୍ଥ ଉପାର୍ଜନ ଅଥବା ସଞ୍ଚୟ ଉପରେ ପ୍ରାଧାନ୍ୟ ନ ଦେଇ ଉପଯୁକ୍ତ ବିନିଯୋଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
ବୈଶ୍ବିକ ଫିନ୍ଟେକ୍ କମ୍ପାନି ରେଭୋଲ୍ୟୁଟ୍ ଦ୍ବାରା ପ୍ରାୟୋଜିତ ଏବଂ ୟୁଗଭ୍ ଦ୍ବାରା ସମାହିତ ଗବେଷଣାରୁ ଜଣାପଡ଼ିଛି ଯେ ସହରାଞ୍ଚଳରେ ପ୍ରତି ୩ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ବା ୩୧ ପ୍ରତିଶତ ବ୍ୟକ୍ତି ସଦାସର୍ବଦା ଅର୍ଥନୈତିକ ଉତ୍କଣ୍ଠା ଅନୁଭବ କରୁଛନ୍ତି।
ଭାରତୀୟଙ୍କ ପାଇଁ ଆର୍ଥିକ ଅନିଶ୍ଚିତତା ଚିନ୍ତାର କାରଣ ହୋଇଥିବା ବେଳେ ବୁଦ୍ଧି ଖଟାଇ ଅର୍ଥଗତ ନିଷ୍ପତ୍ତି ଗ୍ରହଣ କରିବା, ଅର୍ଥନୀତି କ୍ଷେତ୍ରରେ ସୁସଙ୍ଗଠିତ ରହିବା ଏବଂ ଭବିଷ୍ୟତ ନିମନ୍ତେ ଫଳପ୍ରଦ ଯୋଜନା କରିବା କଥା ବି ସେମାନଙ୍କୁ କ୍ରମଶଃ ଭାରାକ୍ରାନ୍ତ କରିପକାଉଛି।ଗବେଷଣାରେ ବା ସର୍ଭେରେ ଅଂଶଗ୍ରହଣ କରିଥିବା ୩୧ ପ୍ରତିଶତ ବ୍ୟକ୍ତି କହିଛନ୍ତି ଯେ ସାଧାରଣ ଖର୍ଚ୍ଚ ଅଥବା ଦୈନନ୍ଦିନ ଖର୍ଚ୍ଚ ଅପେକ୍ଷା ଅର୍ଥନୈତିକ ଯୋଜନା ଏବଂ ଅର୍ଥର ଉପଯୁକ୍ତ ବିନିଯୋଗ ସେମାନଙ୍କ ଉପରେ ବାରମ୍ବାର ଆର୍ଥିକ ଚାପ ପକାଉଛି।
ଭାରତୀୟଙ୍କ ଅର୍ଥନୈତିକ ମନୋଭାବରେ ପରିବର୍ତ୍ତନ ଘଟୁଛି ବୋଲି ମଧ୍ୟ ଏହି ଗବେଷଣା ଦର୍ଶାଉଛି।
ପାଖରେ କେତେ ଟଙ୍କା ଅଛି- ଖାଲି ଏଇ କଥା ନେଇ ସେମାନେ ଚିନ୍ତିତ ହେଉନାହାନ୍ତି, ବରଂ ଚିନ୍ତିତ ହେଉଛନ୍ତି ସେତିକି ଅର୍ଥକୁ କିଭଳି ସଦ୍ବିନିଯୋଗ କରିବେ।
ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏଭଳି ଉତ୍କଣ୍ଠା ନିମନ୍ତେ ସାଧାରଣତଃ ଆର୍ଥିକ ଓ ରାଜନୈତିକ ଅନିଶ୍ଚିତତା ୨୪ ପ୍ରତିଶତ, ପରିବାର ଆର୍ଥିକ ଦାୟିତ୍ବ ୨୩ ପ୍ରତିଶତ ଏବଂ ସାମାଜିକ ଗଣମାଧ୍ୟମ-ବାହିତ ଅନ୍ୟ ସହ ନିଜକୁ ତୁଳନା କରିବା ସଂସ୍କୃତି ୨୨ ପ୍ରତିଶତ ଦାୟୀ।Advertisment ଭାରତୀୟମାନେ ଏସବୁ ଚାପକୁ ଠିକଣା ଦିଗ ଦେବାକୁ ଉପାୟ ଖୋଜୁଥିବା ବେଳେ ଅନେକ ଏ କ୍ଷେତ୍ରରେ ସହାୟତା ପାଇଁ ପ୍ରଯୁକ୍ତି ଉପରେ ନିର୍ଭର କଲେଣି।
ଗବେଷଣାରୁ ଜଣାପଡ଼ିଛି ଯେ ସର୍ଭେରେ ଅଂଶଗ୍ରହଣ କରିଥିବା ପ୍ରତି ୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆର୍ଥିକ ପରାମର୍ଶ ନିମନ୍ତେ ଏବେ ଏଆଇ ଟୁଲ୍କୁ ପ୍ରାଥମିକ ଉତ୍ସ ଭାବେ ଉପଯୋଗ କରୁଛନ୍ତି।
ଏଥିରୁ ସଙ୍କେତ ମିଳୁଛି ଯେ ଲୋକେ ଡିଜିଟାଲ୍-ଫାଷ୍ଟ୍ ଆର୍ଥିକ ପରାମର୍ଶ ଆଡ଼କୁ ଅଧିକ ଉନ୍ମୁକ୍ତ ହେଉଛନ୍ତି।
ଦେଶରେ ଅର୍ଥନୈତିକ ହାବଭାବକୁ ମଧ୍ୟ ସାମାଜିକ ଗଣମାଧ୍ୟମ ସକ୍ରିୟ ଭାବେ ପ୍ରଭାବିତ କରୁଛି।
ଗବେଷଣା ଦର୍ଶାଏ ଯେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ କହିଛନ୍ତି- ଆର୍ଥିକ ଅଭିବୃଦ୍ଧି ନିମନ୍ତେ ସେମାନଙ୍କୁ ସାମାଜିକ ଗଣମାଧ୍ୟମ ପ୍ରଲୁବ୍ଧ କରୁଛି।
ଆହୁରି ୧୫ ପ୍ରତିଶତ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମ ସେମାନଙ୍କୁ ଅଧିକ ସୂଚନା ଦେବା ସହିତ ଆତ୍ମ-ନିୟନ୍ତ୍ରଣ କରାଉଛି।
ଉପରୋକ୍ତ ଗବେଷଣାରୁ ଆହୁରି କିଛି କୌତୂହଳପ୍ରଦ ତଥ୍ୟାବଳୀ ମଧ୍ୟ ମିଳିଛି।
ଯେମିତି- ଅନ୍ଲାଇନ୍ରେ ଅର୍ଥନୈତିକ କଣ୍ଟେଣ୍ଟ୍ ପାଠକରି ୨୪ ପ୍ରତିଶତ ଅଂଶଗ୍ରହଣକାରୀ ଖର୍ଚ୍ଚ ଟ୍ରାକିଙ୍ଗ୍ କରିଥିଲେ।
ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରୁ ଆବିଷ୍କୃତ ନୂତନ ଅର୍ଥନୈତିକ ଉତ୍ପାଦରେ ୨୩ ପ୍ରତିଶତ ଅର୍ଥ ବିନିଯୋଗ କରିଥିଲେ।
ଅନ୍ଲାଇନ୍/ଏଆଇ ସୁପାରିସ ଭିତ୍ତିରେ ୨୦ ପ୍ରତିଶତ ଅର୍ଥ ନିବେଶ କରିଥିଲେ।
ଗବେଷଣାଲବ୍ଧ ଫଳାଫଳ ସୂଚନା ଦେଉଛି ଯେ ବ୍ୟୟ ଅଡିଟ୍ରେ ସହାୟତା, ଆର୍ଥିକ ସଚେତନତାଗତ ସହାୟତା, ଉଚିତ-ସମୟ ନିଷ୍ପତ୍ତି ଗ୍ରହଣ ନିମନ୍ତେ ଭାରତୀୟମାନେ ସମସ୍ୟାରହିତ ଏବଂ ଡିଜିଟାଲ୍ ସମର୍ଥ ଉପାୟ ଆପଣାଉଛନ୍ତି।
ଫିନ୍ଟେକ୍ କମ୍ପାନି ଗ୍ରୋଥ୍ର ମୁଖ୍ୟ ଗିରୀଶ ସିଂହ କହନ୍ତି- ଅର୍ଥନୈତିକ କାର୍ଯ୍ୟକଳାପ ଉନ୍ନତ ହେଉଥିବାରୁ ଗ୍ରାହକମାନେ ଅଧିକରୁ ଅଧିକ ବେସିକ୍ ପେମେଣ୍ଟ୍ ଓ ବ୍ୟାଙ୍କିଙ୍ଗ୍ ଠାରୁ ଅଧିକ ମୂଲ୍ୟର ଉତ୍ପାଦ ଅନ୍ବେଷଣ କରୁଛନ୍ତି।
ଏହା ସେମାନଙ୍କୁ ଦୈନନ୍ଦିନ ବ୍ୟୟ ପଦ୍ଧତି ବୁଝିବାରେ ଏବଂ ସେମାନଙ୍କ ବ୍ୟୟ ରୀତି ଫଳପ୍ରଦ ହେବାରେ ସହାୟକ ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।