Finance Ministry Warns: ତେଲ ଦର ଦେଲା ସରକାରଙ୍କୁ ଟେନସନ୍! ଅର୍ଥ ମନ୍ତ୍ରଣାଳୟର ବଡ଼ ସତର୍କବାଣୀ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଭାରତର ଅର୍ଥନୀତି ପାଇଁ ଚିନ୍ତା ବଢ଼ାଇଛି। ଦୀର୍ଘ ସମୟ ଧରି ତେଲ ଦର ଉଚ୍ଚ ସ୍ତରରେ ରହିଲେ ଦେଶର ରାଜକୋଷୀୟ ଘାଟତି ଓ ଚଳିତ ଖାତା ଘାଟତି ଉପରେ ଚାପ ବଢ଼ିପାରେ ବୋଲି ସତର୍କ କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ।
ଜୁଲାଇ ମାସର ଅର୍ଥନୈତିକ ସମୀକ୍ଷାରେ ମନ୍ତ୍ରଣାଳୟ କହିଛି, ଗଲ୍ଫ ଅଞ୍ଚଳରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ବିଶ୍ୱ ବଜାରରେ ତୈଳ ଯୋଗାଣକୁ ପ୍ରଭାବିତ କରିପାରେ। ଏହାର ପ୍ରଭାବରେ ଅଶୋଧିତ ତୈଳ ଦର ବଢ଼ିବା ସହ ଅନ୍ୟାନ୍ୟ ପଣ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ।
ଭାରତ ନିଜର ଅଧିକାଂଶ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ତୈଳ ଦର ବଢ଼ିଲେ ଆମଦାନୀ ବିଲ୍ ବଢ଼ିବ। ଏହା ମୁଦ୍ରାସ୍ଫୀତିକୁ ବଢ଼ାଇବା ସହ ରାଜକୋଷୀୟ ଓ ଚଳିତ ଖାତା ଘାଟତିକୁ ଆହୁରି ବଢ଼ାଇପାରେ। ଅର୍ଥ ମନ୍ତ୍ରଣାଳୟ ଏଲ୍-ନିନୋ ପରିସ୍ଥିତିକୁ ମଧ୍ୟ ଏକ ବଡ଼ ବିପଦ ଭାବେ ଚିହ୍ନଟ କରିଛି। ପ୍ରତିକୂଳ ପାଗ ଯୋଗୁଁ କୃଷି ଉତ୍ପାଦନ କମିପାରେ, ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିପାରେ ଏବଂ ଗ୍ରାମାଞ୍ଚଳର ଚାହିଦା ପ୍ରଭାବିତ ହୋଇପାରେ।
ତେବେ ଆଶ୍ୱସ୍ତିର କଥା ହେଉଛି, ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ, ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ଓ ସରକାରଙ୍କ ପ୍ରସ୍ତୁତି ଏହି ବିପଦକୁ କିଛି ପର୍ଯ୍ୟନ୍ତ ମୁକାବିଲା କରିପାରିବ ବୋଲି ମନ୍ତ୍ରଣାଳୟ କହିଛି।
ଏହାସହ ସେମିକଣ୍ଡକ୍ଟର, ଜାହାଜ ନିର୍ମାଣ, କୋଇଲା ଗ୍ୟାସିଫିକେସନ୍ ଓ ଅନ୍ୟାନ୍ୟ କୌଶଳଗତ ଶିଳ୍ପରେ ସରକାରଙ୍କ ବିନିଯୋଗ ଆଗାମୀ ଦିନରେ ଦେଶର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରି ଅର୍ଥନୀତିର ବିକାଶକୁ ଗତି ଦେବ ବୋଲି ଅର୍ଥ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।