FIFA World Cup 2026: ଫିଫା ଉପରେ ହେଲା ଟଙ୍କା ବର୍ଷା, ଜାଣନ୍ତୁ ୧୫ ବିଲିୟନ୍ ଡଲାରର ବ୍ୟବସାୟିକ ମଡେଲ୍
ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍ରେ ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ପରାସ୍ତ କରି ସ୍ପେନ୍ ବିଶ୍ୱବିଜେତା ହୋଇଛି। କିନ୍ତୁ ପିଚ୍ ବାହାରେ ସବୁଠାରୁ ବଡ଼ ବିଜେତା ପାଲଟିଛି ସ୍ୱୟଂ ଫିଫା। ଏହି ଟୁର୍ନାମେଣ୍ଟ ମାଧ୍ୟମରେ ଫିଫା ନିଜର ୨୦୨୩-୨୦୨୬ ବ୍ୟବସାୟିକ ଚକ୍ରରେ ୧୫ ବିଲିୟନ୍ ଡଲାରରୁ ଅଧିକ ରାଜସ୍ୱ ହାସଲ କରିବାକୁ ଯାଉଛି, ଯାହା ଫୁଟବଲ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ।
ବିଜେତା ସ୍ପେନ୍ ସମେତ ୪୮ଟି ଭାଗନେଇଥିବା ଦଳଙ୍କ ମଧ୍ୟରେ ଫିଫା ପ୍ରାୟ ୧ ବିଲିୟନ୍ ଡଲାରର ପୁରସ୍କାର ରାଶି ବାଣ୍ଟିଛି। କିନ୍ତୁ ବିଜ୍ଞାପନ, ଟିକେଟ୍ ଏବଂ ପ୍ରସାରଣ ଅଧିକାରରୁ ଫିଫା ନିଜେ ୧୫ ବିଲିୟନ୍ ଡଲାରରୁ ଅଧିକ ଆଦାୟ କରିଛି।
ଟୁର୍ନାମେଣ୍ଟକୁ ୩୨ରୁ ୪୮ଟି ଟିମ୍କୁ ବୃଦ୍ଧି କରାଯିବା ଫଳରେ ମ୍ୟାଚ୍ ସଂଖ୍ୟା ୬୪ରୁ ୧୦୪କୁ ବୃଦ୍ଧି ପାଇଥିଲା। ଏହା ଫିଫାକୁ ଅଧିକ ଟେଲିଭିଜନ୍ ସ୍ଲଟ୍, ସ୍ପନ୍ସରସିପ୍ ଏବଂ ଟିକେଟ୍ ବିକ୍ରି କରିବାର ସୁଯୋଗ ଦେଇଛି।
ଗ୍ରୁପ୍ ଷ୍ଟେଜ୍ ଟିକେଟ୍ ମୂଲ୍ୟ ୫୭୫ଡଲାର ପର୍ଯ୍ୟନ୍ତ ରହିଥିବା ବେଳେ ଡାଏନାମିକ୍ ପ୍ରାଇସିଂ ଯୋଗୁଁ କେତେକ ଟିକେଟ୍ ୧,୦୦୦ ଡଲାରରୁ ଅଧିକରେ ବିକ୍ରି ହୋଇଥିଲା। ଫାଇନାଲ୍ ମ୍ୟାଚ୍ର ହାରାହାରି ରିସେଲ୍ ମୂଲ୍ୟ ୧୨,୭୫୧ ଡଲାର ରହିଥିଲା।
ସେହିପରି ଖେଳାଳିଙ୍କ ୱାଟର ବ୍ରେକ୍ ସମୟକୁ ବିଜ୍ଞାପନ ପାଇଁ ବିକ୍ରି କରାଯାଇଥିଲା। ଏହା ସହିତ ଟିକେଟ୍ ରିସେଲ୍ ପ୍ଲାଟଫର୍ମରୁ ମଧ୍ୟ ଫିଫା ୧୫% କମିଶନ୍ ଆଦାୟ କରିଛି। ନାଇକି ଓ ଆଡିଡାସ୍ ଭଳି ବ୍ରାଣ୍ଡଗୁଡ଼ିକର ଜର୍ସି ବିକ୍ରି ୨୦୨୨ ବିଶ୍ୱକପ୍ ତୁଳନାରେ ଦ୍ୱିଗୁଣିତ ହୋଇଛି।
ଫିଫା ରେକର୍ଡ ପରିମାଣର ଆୟ କରିଥିଲେ ହେଁ, ବିଶେଷଜ୍ଞଙ୍କ ମତରେ ଆୟୋଜକ ସହରଗୁଡ଼ିକୁ ଦୀର୍ଘମିଆଦୀ ଭିତ୍ତିଭୂମିଗତ ଲାଭ ମିଳିନାହିଁ। କେତେକ ହୋଟେଲ୍ ଏବଂ ସ୍ଥାନୀୟ ବ୍ୟବସାୟ ଆଶା ମୁତାବକ ଆୟ କରିବାରେ ଅସମର୍ଥ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।