Fertilizer Crisis Deepens Across Odisha: ସାର ସଙ୍କଟର ସାଂଘାତିକ ଚିତ୍ର, କୃଷି ବିଭାଗର ନିର୍ଦ୍ଦେଶକୁ ନେଇ ତେଜିଲା ରାଜନୀତି

Jul 20, 2026 - 19:40
Fertilizer Crisis Deepens Across Odisha: ସାର ସଙ୍କଟର ସାଂଘାତିକ ଚିତ୍ର, କୃଷି ବିଭାଗର ନିର୍ଦ୍ଦେଶକୁ ନେଇ ତେଜିଲା ରାଜନୀତି

ଖରିଫ୍ ଚାଷ ଆରମ୍ଭରୁ ରାଜ୍ୟରେ ସାର ସଙ୍କଟ। ରାତି ଅନିଦ୍ରା ହୋଇ ୟୁରିଆ ସାର ପାଇଁ ଅପେକ୍ଷା କରୁଛନ୍ତି ଚାଷୀ। ସୁନ୍ଦରଗଡ଼ରେ ଆଧାର କାର୍ଡ ରଖି ଚାଷୀ ଲମ୍ବା ଲାଇନ୍ ଦେଇଥିବା ଦେଖିବାକୁ ମିଳିଛି। ୟୁରିଆ ସାର ଲାଗି ଦିନକ ଆଗରୁ ପଞ୍ଜୀକୃତ କରିଥିବା ଚାଷି ଆଧାର କାର୍ଡ ଉପରେ ଏଭଳି ପଥର ଖଣ୍ଡେ ଖଣ୍ଡେ ରଖି ଦେଇଛନ୍ତି ଲମ୍ବା ଲାଇନ। ଖରିଫ୍ ଚାଷ ଆରମ୍ଭରୁ ସୁନ୍ଦରଗଡ଼ ଜିଲ୍ଲାରେ ସାରର ଘୋର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। RCMSକୁ ସାର ଆସିଥିବା ଖବର ପ୍ରଚାର ହେବା ମାତ୍ରେ ରୁଣ୍ଡ ହୋଇଯାଇଥିଲେ ଶହ ଶହ ଚାଷୀ।

ଗୋଟିଏ ପଟେ ଆବଶ୍ୟକ ପରିମାଣରେ ୟୁରିଆ ମିଳୁନାହିଁ, ଅନ୍ୟପଟେ ସାରର କଳାବଜାରୀ ଯୋଗୁଁ ଡବଲ ଦାମରେ କିଣୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଲ୍ୟାଂପସ୍ ଓ ପ୍ୟାକ୍ସରେ ଚାହିଦା ମୁତାବକ ସାର ନଥିବାରୁ ଚାଷୀ କେମିତି ଚାଷ କାମ ଆରମ୍ଭ କରିବ ତାକୁ ନେଇ ଚିନ୍ତାରେ। ସମାନ ଚିତ୍ର ବରଗଡ଼ ଜିଲ୍ଲାରେ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଚଳିତବର୍ଷ ୮୯. ୯୫ ହଜାର ମେଟ୍ରିକ ଟନ ସାରର ଆବଶ୍ୟକ ଥିବା ବେଳେ ଏଯାଏ ପହଁଚିଛି ମାତ୍ର ୬୮ ମେଟ୍ରିକ ଟନ୍। ଅନ୍ୟପକ୍ଷରେ ୟୁରିଆ ବସ୍ତା ୨୬୬ ଟଙ୍କା ବଦଳରେ ୪୫୦ରୁ ୫ଶହ ଟଙ୍କାରେ ଡିଲର୍ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। 

ସୁନ୍ଦରଗଡ଼ରୁ କୋରାପୁଟ୍.. ବରଗଡ଼ରୁ ବାଲେଶ୍ବର.. ସବୁଠି ସାରର ଘୋର ସଙ୍କଟ। ଏହା ଭିତରେ କୃଷି ବିଭାଗ ସଚିବ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଆମୋନିୟମ ସଲଫେଟ୍ ଯୋଗାଇଦେଇବେ। ଏହା ମୃତ୍ତିକାର ସଲଫର ଅଭାବ ଦୂର କରିବାରେ ସହାୟକ ହୋଇପାରିବ। DAP ଯୋଗାଣ ପ୍ରଭାବିତ ହୋଇଥିବାରୁ କଂପ୍ଳେକ୍ସ ଫର୍ଟିଲାଇଜରକୁ ଗୁରୁତ୍ବ ଦେବା ପାଇଁ କୁହାଯାଇଛି। ସେପଟେ ଖରିଫ୍ ଋତୁ ଆରମ୍ଭରୁ ୟୁରିଆ ଓ DAP ଯୋଗାଣ ପ୍ରଭାବିତ ହୋଇଥିବାରୁ ଏହାକୁ ନେଇ ତେଜିଛି ରାଜନୀତି।

ଯବାବରେ ସମବାୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ପ୍ରତ୍ୟେକ ପାକ୍ସରେ ମହଜୁଦ୍ ଅଛି। ଏବେ ସୁଦ୍ଧା ୧ ଲକ୍ଷ ୮୧ ହଜାର ୮୧୦ ମେଟ୍ରିକ୍ ଟନ୍ ସାର ପାଇଛୁ। ଚାଷୀମାନେ ବ୍ୟାକୁଳ ହେଉଥିବାରୁ ଭିଡ଼ ଜମୁଛି। ସେପଟେ କୃଷିମନ୍ତ୍ରୀ କହିଛନ୍ତି ସାର କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏବେ ଦେଖିବା କଥା ଠିକରେ ସାର ଯୋଗାଣ ଓ ଏହାର କଳାବଜାରୀ ଦୂର କରିବାପାଇଁ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।