Fatal Home Delivery: YouTube ଦେଖି ଘରେ କରାଇଲେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

Jun 30, 2026 - 19:43
Fatal Home Delivery: YouTube ଦେଖି ଘରେ କରାଇଲେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

ତାମିଲନାଡୁର ତିରୁପ୍ପୁରରୁ ଏକ ଅତ୍ୟନ୍ତ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। YouTube ଦେଖି ଘରେ ପ୍ରସବ କରିବାକୁ ଚେଷ୍ଟା କରିବା ଜଣେ ମହିଳାଙ୍କ ମୃତ୍ୟୁର କାରଣ ହୋଇଛି।  ଗୋଟିଏ ଗାଁର ୩୨ ବର୍ଷୀୟା ମହିଳା କେ. ଶଶିକଳାଙ୍କର ୨୪ ଜୁନ୍ ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ତାଙ୍କ ସ୍ୱାମୀ କୋଲନ୍ଦଚାମି ଏବଂ ଶାଶୁ ନିଜ ଘରେ ହିଁ ପ୍ରସବ କରାଇବାରେ ସହଯୋଗ କରିଥିଲେ। ଏଥିପାଇଁ ସେମାନେ YouTubeରେ ନାଚୁରାଲ  ଚାଇଲ୍ଡବର୍ଥ ସମ୍ପର୍କିତ ଭିଡିଓ ଦେଖିଥିବା କୁହାଯାଉଛି। ଶଶିକଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ପୋଲିସର ସୂଚନା ଅନୁସାରେ, କେ. ଶଶିକଳାଙ୍କର ପ୍ରସବ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ମହିଳାଙ୍କ ମୃତ୍ୟୁ କାହିଁକି ହେଲା?

ଶିଶୁ ଜନ୍ମ ପରେ ପ୍ଲେସେଣ୍ଟା ବାହାରକୁ ଆସିପାରିନଥିଲା। ଫଳରେ ଶଶିକଳାଙ୍କର ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ପ୍ରଥମେ ତାଙ୍କୁ ସରକାରୀ ଇରୋଡ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ପରେ ୨୫ ଜୁନ୍‌ରେ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା ଏବଂ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା।

କାହିଁକି ନେଇଥିଲେ ଏପରି ନିଷ୍ପତ୍ତି?

ସୂଚନା ଅନୁସାରେ, ଏହି ଦମ୍ପତିଙ୍କର ପୂର୍ବରୁ ୬ ବର୍ଷର ଏକ ଝିଅ ରହିଛି। ୨୦୨୦ ମସିହାରେ ପ୍ରଥମ ସନ୍ତାନ ଜନ୍ମ ସମୟରେ ଶଶିକଳାଙ୍କର ସିଜରିଆନ୍ କରାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା ଏବଂ ସୁସ୍ଥ ହେବାକୁ ଦୀର୍ଘ ସମୟ ଲାଗିଥିଲା। ଏହି ଅନୁଭୂତି ପରେ ଶଶିକଳା ଏବଂ ତାଙ୍କ ସ୍ୱାମୀ ପରବର୍ତ୍ତୀ ସନ୍ତାନର ପ୍ରସବ ପ୍ରାକୃତିକ ଉପାୟରେ କରିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ସବୁଠାରୁ ବଡ଼ ଭୁଲ ହେଲା, ସେମାନେ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥିଲେ ଏବଂ କେବଳ YouTube ଭିଡିଓ ଦେଖି ଘରେ ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ। ଯଦିଓ ଶିଶୁଟି ସୁରକ୍ଷିତ ଭାବେ ଜନ୍ମ ନେଇଥିଲା, ପ୍ରସବ ପରବର୍ତ୍ତୀ ଜଟିଳତା ଏବଂ ଏହି ଅବହେଳା ଯୋଗୁଁ ଶଶିକଳାଙ୍କ ଜୀବନ ଚାଲିଯାଇଥିଲା।