Farmers: ଜୈବିକ ଚାଷ ବଦଳାଇଛି ୮ଟି ଗ୍ରାମର ପରିଚୟ
"ଭୁବନେଶ୍ବର: ସବୁଜିମାର ସଫଳତାକୁ ଅନୁଶୀଳନ କରିବା ବେଳେ ମହିଳାଙ୍କ ପ୍ରାଥମିକତା ବେଶ୍ ସହଜରେ ବାରି ହୋଇପଡ଼େ।
ଜନନୀ, ଜାୟା ଆଉ ଭଗିନୀର ସେ ପ୍ରବନ୍ଧ ଭିତରେ ଅନେକ ସମୟରେ ଚାଷ ଆଉ ଚାଷୀର ନିଖୁଣତା ମଧ୍ୟ ମହିଳାଙ୍କ ପାଖେ ଥାଏ।
ସେହି ମହିଳା କେବଳ ପରିବାରର ପରିଧି ନୁହେଁ ବରଂ ପରିବେଶର ପରିସୀମାକୁ ସମୃଦ୍ଧ କରିପାରେ।
ଚାଷ ଜମିରୁ ସଫଳ ଫର୍ଦ୍ଦ ସୃଷ୍ଟି କରିପାରେ।
ବିହନରୁ ବିପଣନ ଯାଏଁ ବିକାଶର ଧାରା ସାଜିପରେ।
ସେମିତି ଜଣେ ସାଧାରଣ ମହିଳା ମାଟିର କଥାକୁ ମହାନତାର ରୂପ ଦେଇଛନ୍ତି।
ଦେବଗଡର ଦେଶୀ ଚାଷକୁ ନୂଆ ପରିଚୟ ଦେଇଛନ୍ତି।
ଜୈବିକ ଆଉ ପ୍ରାକୃତିକ ଚାଷର ନୂଆ ସଂଜ୍ଞା ସୃଷ୍ଟି କରୁଛନ୍ତି।
ଗାଁ ଗାଁ ରେ ମହିଳାଙ୍କୁ ନେଇ ମିସନ ସୃଷ୍ଟି କରିବା ସହ ନିଜ ପଞ୍ଚାୟତର ଆଠଟି ଗ୍ରାମକୁ ଜୈବିକ ଚାଷ ଓ ରାସାୟନିକ ସାରମୁକ୍ତ ଗ୍ରାମରେ ପରିଣତ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।Advertisment ତିଳୋତ୍ତମା ଅଡାବର୍।
ବୟସ ୩୭।
ଘରର ଆର୍ଥିକ ସ୍ଥିତି ତିଳୋତ୍ତମାଙ୍କ ଶିକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା।
ମାତ୍ର ୧୯ ବର୍ଷ ବୟସରେ ସେ ବିବାହ କରି ମରଡଙ୍ଗ ଗ୍ରାମରେ ପାଦ ଦେଇଥିଲେ।
ଛୋଟବେଳୁ କୃଷିକୁ ନିଜ ସାଥି ଏବଂ ଜୀବନର ଏକ ଅଂଶ ଭାବେ ବାଛିନେଇଥିବା ତିଳୋତ୍ତମା ବିବାହ ପରେ ମଧ୍ୟ ଚାଷ କାର୍ଯ୍ୟ ଜାରି କରିବା ପାଇଁ ମନସ୍ତ କରିଥିଲେ।
କିନ୍ତୁ, ବିବାହ କରି ଆସିବା ପରେ ଗ୍ରାମର ଅବ୍ୟବସ୍ଥା ତାଙ୍କୁ ଗଭୀର ଭାବେ ବିଚଳିତ କରିଥିଲା।
ତାହାକୁ ଦୃଷ୍ଟିରେ ରଖି ସେ ଗ୍ରାମର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଲେ।
ସମସ୍ତ ସମସ୍ୟାକୁ ନିଜ ଭାଗ୍ୟ ବୋଲି ମାନିନେବା ପରିବର୍ତ୍ତେ ସେ ନିଜକୁ ଗ୍ରାମର ବିକାଶ ଦିଗରେ ସମର୍ପି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।
କୃଷି, ମହିଳା ସଶକ୍ତୀକରଣ, ବାଲ୍ୟ ବିବାହ, ଶିକ୍ଷା, ଗ୍ରାମୀଣ ଭିତ୍ତିଭୂମିର ବିକାଶ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଆଦି ଭଳି ମୌଳିକ ସମସ୍ୟା ଉପରେ ଦୃଷ୍ଟି ଦେଇ ସେ "ନିଲମ୍ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ” ଗଠନ କଲେ।
ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରି ଗ୍ରାମର ବିକାଶ ପାଇଁ ସ୍ୱର ଉତ୍ତୋଳନ କରିଥିଲେ।
ତାଙ୍କ ପ୍ରୟାସ ଫଳରେ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ, ରାସ୍ତା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ସମ୍ଭବ ହୋଇଥିଲା, ଯାହା ଗ୍ରାମବାସୀଙ୍କ ଜୀବନଯାପନର ମାନକୁ ଉନ୍ନତ କରିଥିଲା।
ଗ୍ରାମ ଅର୍ଥନୀତିର ମେରୁଦଣ୍ଡ ହେଉଛି କୃଷି।
ଏହି ବିଶ୍ୱାସକୁ ଆଧାର କରି ତିଳୋତ୍ତମା କୃଷି ମାଧ୍ୟମରେ ଗ୍ରାମର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ଅଭିଯାନ ଆରମ୍ଭ କରିଥିଲେ।
ପ୍ରଥମେ ସେ ନିଜସ୍ଵ ଉଦ୍ୟମରେ ଘର ଘର ବୁଲି ଜୈବିକ ଚାଷ ଏବଂ ଜୈବିକ ଖତର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କଲେ।
ଛୋଟବେଳୁ ବାପା ମା"ଙ୍କ ଠାରୁ ଶିଖିଥିବା ଜୈବିକ ଚାଷ ପଦ୍ଧତିକୁ ଆଧାର କରି ସେ ଗ୍ରାମର ଚାଷୀମାନଙ୍କୁ ତାଲିମ୍ ଦେବା ସହ ଜୈବିକ କୃଷି ଓ ଜୈବିକ ଖତ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିଥିଲେ।
୨୦୧୫ ମସିହାରେ ତିଳୋତ୍ତମା ଓଡ଼ିଶା ଜୀବିକା ମିସନରେ ଯୋଗଦେଇ ଢୋଲପଡ଼ା ପଞ୍ଚାୟତର ଏମବିକେ ଭାବରେ ଦାୟିତ୍ଵ ଗ୍ରହଣ କଲେ, ଯାହା ତାଙ୍କୁ ଗ୍ରାମାଞ୍ଚଳର ବିକାଶ ଏବଂ କୃଷିର କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ ଆଉ ଏକ ପାଦ ନିକଟତର କରିଥିଲା।
ଗ୍ରାମାଞ୍ଚଳମାନଙ୍କରେ ହାଇବ୍ରୀଡ଼୍ ବିହନ ଏବଂ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ଦେଖି ତିଳୋତ୍ତମା ନିଜ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ମିଶି ଘର ଘର ବୁଲି ସଚେତନତା ସୃଷ୍ଟି କରିବା ଆରମ୍ଭ କଲେ।
ଜୈବିକ ଚାଷ ଓ ଜୈବିକ ଖତ ବ୍ୟବହାର ମାଧ୍ୟମରେ କିପରି ଅଧିକ ଅମଳ ସହ ସୁସ୍ଥ ପରିବେଶ ଗଠନ କରାଯାଇ ପାରିବ ସେନେଇ ବ୍ୟାପକ ପ୍ରଚାର ପ୍ରସାର କଲେ।
ଅନ୍ୟମାନଙ୍କୁ ଅବଗତ କରାଇବା ପୂର୍ବରୁ ସେ ସେ ନିଜେ ଜୈବିକ ସାମଗ୍ରୀରୁ ହାଣ୍ଡିଖତ, ବୀଜାମୃତ, ବ୍ରହ୍ମାସ୍ତ୍ର ଆଦି ପ୍ରସ୍ତୁତ କରି ନିଜ ଚାଷ ଜମିରେ ପ୍ରୟୋଗ କରିଥିଲେ।
ଫଳ ସ୍ୱରୂପ ଫସଲ ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିଲା।
ଏହି ସଫଳତା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା।
ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଗ୍ରାମରେ ପ୍ରଶିକ୍ଷଣ ଶିବିର ଆୟୋଜନ କରି ଜୈବିକ ଖତ ପ୍ରସ୍ତୁତି ଏବଂ ଏହାର ବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ। women: "ବର୍ତ୍ତମାନ ମହିଳା ସଶକ୍ତୀକରଣର ସୁନାମି ଆସିଛି" ଏନେଇ ତିଳୋତ୍ତମା କୁହନ୍ତି, “ପ୍ରଥମେ ଆମେ ମହିଳାମାନେ ଏକଜୁଟ ହୋଇ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲୁ।
ଆମେ ମହିଳାମାନେ ଘରୁ ବାହାରି କିଛି କରି ଦେଖାଇବାର ଇଛା ନେଇ ଆଗକୁ ବଢୁଥିବା ବେଳେ ଅନେକ ଲୋକଙ୍କ ଟାହି ଟପରା ଶୁଣିବାକୁ ପଡିଥିଲା।
କିନ୍ତୁ ଆମେ ହାର ମାନିନଥିଲୁ।
ବାରମ୍ବାର ପ୍ରଶିକ୍ଷଣ ଓ ସଚେତନତା ପରେ ଗ୍ରାମବାସୀମାନେ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେ।
ପ୍ରଶିକ୍ଷଣ ପାଇବା ପରେ ସେମାନେ ଗୋବର ଓ ଗୋମୂତ୍ରରୁ ପ୍ରସ୍ତୁତ ଜୈବିକ ଖତ ବ୍ୟବହାର କରି ବିହନ ବିଶୋଧନ ଏବଂ ଚାଷ କାର୍ଯ୍ୟ ଆରମ୍ଭ କଲେ।
ଚାଷୀମାନଙ୍କ ମୁହଁରେ ହସ ଦେଖିବା ଆମ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା।
ନିଜ ଗ୍ରାମରୁ ଆରମ୍ଭ କରି ଆଜି ୮ଟି ଗ୍ରାମକୁ ରାସାୟନିକ ମୁକ୍ତ ଗ୍ରାମରେ ପରିଣତ କରିବାରେ ତିଳୋତ୍ତମା ଓ ଗୋଷ୍ଠୀର ମହିଳାମାନଙ୍କ ପ୍ରୟାସ ତାଙ୍କୁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି।
ନିରନ୍ତର ପ୍ରଶିକ୍ଷଣ, ଘରେ ଘରେ ସଚେତନତା ଅଭିଯାନ ଏବଂ ନିରନ୍ତର ପ୍ରୋତ୍ସାହନ ଯୋଗୁଁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି।
ମହିଳାମାନଙ୍କ ମିଳିତ ପ୍ରୟାସରେ ଆଜି ପଞ୍ଚାୟତର ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ବ ମହିଳା ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ ହୋଇପାରିଛନ୍ତି।
ଏହାସହ ଗତବର୍ଷ ମହିଳାମାନେ ଜୈବିକ ପଦ୍ଧତି ଅବଲମ୍ବନ କରି ଚାଷ କରିଥିବା ପନିପରିବା, ଧାନ, ମୁଗ, ବିରି, ବାଦାମ, ସୋରିଷ, କୋଳଥ ଆଦିକୁ ବଜାରରେ ବିକ୍ରି କରି ବାର୍ଷିକ ୩.୪୫ ଲକ୍ଷ ଟଙ୍କା ଲାଭ ପାଇପାରିଛନ୍ତି।
କେବଳ ଜୈବିକ ଚାଷ ନୁହେଁ, ବରଂ ବିହନ ବିଶୋଧନ, ଛତୁ, ବାଦାମ, ଶାଗ, ପୁଷ୍ଟି ବଗିଚା ଓ ଅନ୍ୟାନ୍ୟ ଜୀବିକାଭିତ୍ତିକ କୃଷି କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ସେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି।
ଯାହା ଫଳରେ ଅନେକ ମହିଳା ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି।
ଏନେଇ ଓଡ଼ିଶା ଜୀବିକା ମିସନର ବ୍ଲକ ଅଧିକାରୀ ଗୋମତୀ ଜେନା କୁହନ୍ତି, ୨୦୧୧ ମସିହାରୁ ଓଡ଼ିଶା ଜୀବିକା ମିସନ ଗ୍ରାମାଞ୍ଚଳର ଜୀବନ ଓ ଜୀବିକାର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି।
ଏହି ମିଶନ ମାଧ୍ୟମରେ ମହିଳାମାନଙ୍କ ସଶକ୍ତିକରଣ ଏବଂ ଆର୍ଥିକ ସ୍ୱାବଲମ୍ବନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ତିଳୋତ୍ତମାଙ୍କ ଏବଂ ତାଙ୍କ ଗୋଷ୍ଠୀର ସଦସ୍ୟାମାନଙ୍କ ଭଳି ମହିଳାମାନେ ନିଷ୍ଠା ଓ ପରିଶ୍ରମ ଯୋଗୁଁ ଆଜି ଅନେକ ଗ୍ରାମରେ ଜୈବିକ କୃଷିର କଳ୍ପନା ବାସ୍ତବତାର ରୂପ ନେଇଛି।
କେବଳ କୃଷି ନୁହେଁ ବରଂ ଗ୍ରାମମାନଙ୍କରେ ତିଳୋତ୍ତମା କୃଷି କ୍ଷେତ୍ର ପାଇଁ ଆବଶ୍ୟକୀୟ ବିହନ, ଏହାର ବିଶୋଧନ, ଉପଚାର ଓ ପଦ୍ଧତି ସମ୍ପର୍କିତ ତାଲିମ୍ ମଧ୍ୟ ପ୍ରଦାନ କରି ରାସାୟନିକ ସାରର ବ୍ୟବହାରକୁ ହ୍ରାସ କରିବାରେ ଚାଷୀମାନଙ୍କୁ ସାହାଯ୍ୟ କରିଛନ୍ତି।
ବିହନ ବିଶୋଧନ: ଉପଚାର ଓ ପଦ୍ଧତି ବିହନ ବୁଣିବା ପୂର୍ବରୁ ବିଜାମୃତ ଦ୍ୱାରା ବିହନ ବିଶୋଧନ କରିବା ପ୍ରାକୃତିକ ଚାଷର ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି।
ଏହା ବିହନକୁ ରୋଗପୋକ ଦାଉରୁ ରକ୍ଷା କରିଥାଏ ।
ବିଜାମୃତ ପ୍ରସ୍ତୁତ କରିବା ପାଇଁ ୨୦ ଲିଟର ପାଣିରେ ୫ କିଲୋଗ୍ରାମ ଦେଶୀ ଗାଈର ଗୋବର, ୫ ଲିଟର ଦେଶୀ ଗାଈର ଗୋମୂତ୍ର, ୫୦ ଗ୍ରାମ ଚୂନ ଏବଂ ଏକ ମୁଠା ମାଟି ମିଶାଯାଏ ।
ସମସ୍ତ ସାମଗ୍ରୀକୁ ଭଲଭାବେ ଗୋଳାଇ ୧୨ ରୁ ୨୪ ଘଣ୍ଟା ଛାଇ ସ୍ଥାନରେ ଶୁଖାଇ ଦିଆଯାଏ ।
ପରେ ଶୁଖିଯାଇଥିବା ବିହନ ବୁଣିବାରେ ବ୍ୟବହାର କରାଯାଇଥାଏ ।
ସେହିପରି ବିହନ ଉପଚାରର ଅନ୍ୟ ଏକ ସରଳ ପଦ୍ଧତି ହେଉଛି "ଲୁଣପାଣି ପରୀକ୍ଷା"।
ଏଥିପାଇଁ ଏକ ପାତ୍ରରେ ପାଣି ନେଇ ସେଥିରେ ଲୁଣ ମିଶାଯାଏ।
ପରେ ବିହନକୁ ସେହି ଲୁଣପାଣିରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖାଯାଏ।
ଉତ୍ତମ ବିହନ ତଳେ ବସିଯାଏ, ଯେତେବେଳେ କି ହାଲୁକା କିମ୍ବା କ୍ଷତିଗ୍ରସ୍ତ ବିହନ ଉପରକୁ ଭାସିଯାଏ।
ତଳେ ବସିଥିବା ବିହନକୁ ସଂଗ୍ରହ କରି ବୀଜାମୃତରେ ଉପଚାର କରାଯାଏ।
ପରେ ଛାଇରେ ଶୁଖାଇ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଏ।
ଲୁଣପାଣିର ସଠିକ୍ ଘନତା ନିର୍ଣ୍ଣୟ ପାଇଁ ଅନେକ ଚାଷୀ ଅଣ୍ଡା ପରୀକ୍ଷା ପଦ୍ଧତି ମଧ୍ୟ ଅବଲମ୍ବନ କରିଥାନ୍ତି।
ଏକ ପାତ୍ରରେ ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଏକ ଅଣ୍ଡା ପକାଯାଏ।
ଅଣ୍ଡାଟି ପାଣିରେ ଭାସିବା ଆରମ୍ଭ କଲେ ଲୁଣପାଣିର ଘନତା ବିହନ ବିଶୋଧନ ପାଇଁ ଉପଯୁକ୍ତ ହୋଇଛି ବୋଲି ଜଣାଯାଏ ।
ତାପରେ ସେହି ପାଣିରେ ବିହନ ମିଶାଯାଏ।
ତଳେ ବସିଥିବା ଉତ୍ତମ ବିହନକୁ ଛାଣି ଛାଇରେ ଶୁଖାଇ ବୁଣିବା ପାଇଁ ବ୍ୟବହାର କରାଯାଏ।
ପୁଷ୍ଟି ବଗିଚା: ଜୈବିକ କୃଷି କ୍ଷେତ୍ରରେ ତିଳୋତ୍ତମାଙ୍କ ନେତୃତ୍ୱ ଓ ଅବଦାନ ପାଇଁ ସେ ଭୁବନେଶ୍ଵର ସ୍ଥିତ ଏକ ଏଗ୍ରି-ଷ୍ଟାର୍ଟଅପ୍ ଶ୍ୟାମଳା ସୁବର୍ଣ୍ଣ ଆଗ୍ରୋର ବ୍ରାଣ୍ଡ ଆମ୍ବାସାଡର ଭାବେ ସମ୍ମାନିତ ହୋଇପାରିଛନ୍ତି।
୨୦୨୩ ମସିହାରେ ସେ ଏହି ସଂସ୍ଥା ସହ ଯୋଗଦେଇ ନିଜ କାର୍ଯ୍ୟର ପରିଧିକୁ ଆହୁରି ବିସ୍ତାର କରିପାରିଛନ୍ତି।
ଏହି ଷ୍ଟାର୍ଟଅପର ଅଧିକାରୀଙ୍କ ଠାରୁ ତାଲିମ୍ ପାଇ ତିଳୋତ୍ତମା ଏବଂ ଗୋଷ୍ଠୀର ସଦସ୍ୟାମାନେ ଏକ ପୁଷ୍ଟି ବଗିଚା ବା ମୋ ଉପକାରୀ ବଗିଚାର ଆରମ୍ଭ କରିଛନ୍ତି, ଯାହାମଧ୍ୟରେ ଗୋଲେଇ, ବସ୍ତା ଏବଂ ପଟାଳି ପଦ୍ଧତି ମାଧ୍ୟମରେ ଘର ବାହାରେ କିମ୍ବା ଛାତ ଉପରେ ଗଛ ଲଗାଇବା ପାଇଁ ଅନ୍ୟ ମହିଳାଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି।
ଗୋଲେଇ ପଦ୍ଧତିରେ ୧୪ ପ୍ରକାର ଗଛ ଲଗାଯାଇ ପାରୁଥିବା ବେଳେ ବସ୍ତା ମଧ୍ୟରେ ୨୦ ରୁ ୨୫ ପ୍ରକାରର ଗଛ ଲଗାଯାଇଥାଏ।
ସେହିପରି ବର୍ଷା ଦିନରେ ହୁଡା କରି ପଟାଳି କରାଯାଏ।
ଏନେଇ ଢୋଲପଡ଼ା ପଞ୍ଚାୟତର କୃଷି ମିତ୍ର ଶକୁନ୍ତଳା କୁହନ୍ତି, ପୁଷ୍ଟି ବଗିଚା ସମ୍ପର୍କିତ ତାଲିମ୍ ପାଇ ଆମେ ନିଜ ବାଡିରେ କରିବା ଆରମ୍ଭ କରିଥିଲୁ।
ପରେ ଗ୍ରାମର ମହିଳାମାନଙ୍କୁ ତାଲିମ୍ ଦେବା ପରେ ଆଜି ୮ଟି ଗ୍ରାମର ମହିଳାମାନେ ଏହାକୁ ଆପଣେଇଛନ୍ତି।
ଯାହାଦ୍ଵାରା ଦିନକୁ ଦିନ ବୃଦ୍ଧି ପାଉଥିବା ପନିପରିବାର ମୂଲ୍ୟ ଠାରୁ ବଞ୍ଚିତ ହେବା ସହ ଲୋକମାନେ ନିଜ ହାତ ପାହାନ୍ତାରେ ଜୈବିକ ପନିପରିବା ପାଇପାରୁଛନ୍ତି।
ଛତୁ ଓ କୁନ୍ଦୁରୀ ଚାଷ: ପଞ୍ଚାୟତରେ ତିଳୋତ୍ତମା ତିନୋଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୩ ଜଣ ମହିଳାଙ୍କୁ ଏକଜୁଟ କରି ଛତୁ ଚାଷ ଦ୍ଵାରା ରୋଜଗାରକ୍ଷମ କରାଇପାରିଛନ୍ତି।
ପୂର୍ବରୁ ମହିଳାମାନେ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହୁଥିବା ବେଳେ ସେ ମହିଳାମାନଙ୍କୁ ଗୋଟିଏ ସ୍ଥାନ ଲିଜ୍ ରେ ଦେଇ ଛତୁ ଚାଷ କରୁଛନ୍ତି ।
ଛତୁକୁ ଗ୍ରାମରେ ଏବଂ ବଜାରରେ ବିକ୍ରି କରି ମହିଳାମାନେ ଉଚିତ୍ ପାରିଶ୍ରମିକ ପାଇପାରୁଛନ୍ତି।
ସେହିପରି ୧୦ ଜଣ ମହିଳା ମିଳିତ ଭାବେ ୧ ଏକର ଜମିରେ କୁନ୍ଦୁରୀ ଚାଷ କରି ମାସିକ ୭୨,୦୦୦ ଟଙ୍କା ଲାଭ ପାଇପାରୁଛନ୍ତି।
ଏହାସହ ମହିଳାମାନେ ନିକଟସ୍ଥ ଛାତ୍ରାବାସରେ ମଧ୍ୟ କୁନ୍ଦୁରୀ, ଛତୁ ଏବଂ ଅନ୍ୟାନ୍ୟ ପନିପରିବା ଯୋଗାଇଦେଇ ଉଚିତ୍ ଟଙ୍କା ରୋଜଗାର କରିପାରୁଛନ୍ତି।
କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସ୍ଵବଲମ୍ବୀ କରିବା ସହିତ ତିଳୋତ୍ତମା ଓ ଗୋଷ୍ଠୀର ସଦସ୍ୟା ବିଦ୍ୟାଳୟମାନଙ୍କରେ ମଧ୍ୟ ଜୈବିକ ଚାଷ ସମ୍ପର୍କିତ ସଚେତନତା ସୃଷ୍ଟି କରୁଛନ୍ତି। "ସ୍କୁଲ ମେଁ ଖେତି" କାର୍ଯ୍ୟକ୍ରମ ଅଧୀନରେ ସେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ପରିବେଶ ସମ୍ପର୍କରେ ସଚେତନ କରାଉଛନ୍ତି।
ଏନେଇ ଶ୍ୟାମଳା ସୁବର୍ଣ୍ଣ ଆଗ୍ରୋର ପ୍ରତିଷ୍ଠତା ଶୁଭମ୍ କୁହନ୍ତି, “ମହିଳାମାନଙ୍କୁ ଜୈବିକ ଓ ପ୍ରାକୃତିକ ଚାଷ ଦିଗରେ ସଶକ୍ତ ଏବଂ ସ୍ବାବଲମ୍ବୀ କରିବା ଆମର ପ୍ରମୁଖ ଲକ୍ଷ୍ୟ।
ଦେବଗଡ ଜିଲ୍ଲା ତିଲେଇବଣୀଠାରେ ଆମେ ଜୈବ ଗାଁ ଗଠନର ପ୍ରୟାସ ଆରମ୍ଭ କରିଥିଲୁ ।
ଏହାର ପ୍ରମୁଖ ଭୂମିକା ତିଳୋତ୍ତମା ଏବଂ ଗୋଷ୍ଠୀର ମହିଳାମାନେ ନେଇଥିଲେ, ଯାହା ବେଶ୍ ପ୍ରଶଂସାଯୋଗ୍ୟ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।