Farewell Glasgow: ବିଦାୟ ଗ୍ଲାସ୍ଗୋ: ଆର ଥରକୁ ଅହମଦାବାଦ
"ନୂଆଦିଲ୍ଲୀ: ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରବିବାର ଉଦ୍ଯାପିତ ହୋଇଛି।
ଭାରତୀୟ ସମୟ ରାତି ସାଢ଼େ ଗୋଟାଏରେ ହୋଇଥିବା ରଙ୍ଗାରଙ୍ଗ ଉଦ୍ଯାପନୀ ଉତ୍ସବ କ୍ରୀଡ଼ାପ୍ରେମୀଙ୍କ ମନ ମୋହିଛି।
ଆର ଥର ୨୦୩୦ରେ ଅହମଦାବାଦରେ ଦେଖାହେବାର ପ୍ରତିଶ୍ରୁତି ନେଇ ଖେଳାଳି, ଖେଳପ୍ରେମୀ, ଅଧିକାରୀ ଓ କ୍ରୀଡ଼ା ସଂଗଠକମାନେ ଭାବବିହ୍ବଳ ପରିବେଶରେ ଗ୍ଲାସ୍ଗୋରୁ ମେଲାଣୀ ନେଇଛନ୍ତି।
ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ା ମହୋତ୍ସବର ପରବର୍ତ୍ତୀ ସଂସ୍କରଣ ଭାରତର ଅହମଦାବାଦରେ ଆୟୋଜିତ ହେବାକୁ ଥିବାରୁ ଉଦ୍ଯାପନୀ ଉତ୍ସବର ଅନ୍ୟତମ ଆକର୍ଷଣ ସାଜିଛି ବାଟନ ହସ୍ତାନ୍ତର।
ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆକାର ସଂକ୍ଷିପ୍ତ ରହିଥିଲା ବେଳେ ଅହମଦାବାଦରେ ଏହାର ପରିବର୍ଦ୍ଧିତ ରୂପ ଦେଖିବାର ଆଶା କ୍ରୀଡ଼ାପ୍ରେମୀଙ୍କୁ ଅଧିକ ଉଲ୍ଲସିତ କରିଛି।
ସେହିଭଳି ୧୬ବର୍ଷ ପରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେରୁଥିବାରୁ ଏହାକୁ ତୁଳନାତ୍ମକ ଭାବେ ଅଧିକ ଭବ୍ୟ, ସ୍ମରଣୀୟ ଓ ସମୃଦ୍ଧ କରିବାର ଆହ୍ବାନକୁ ଏହି ଅବସରରେ ଭାରତୀୟ ପ୍ରତିନିଧିମାନେ ଗ୍ରହଣ କରିଛନ୍ତି।
Advertisment ରବିବାର ରାତିର ଉଦ୍ଯାପନୀ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ବ୍ରିଟେନ୍ ଓ ଭାରତର ସୁପ୍ରସିଦ୍ଧ କଳାକାରଗଣ।
ଭାରତର ପତାକା ଧରିଥିଲେ ମହିଳା ମୁଷ୍ଟିଯୋଦ୍ଧା ଜସ୍ମିନ ଲାମ୍ବୋରିଆ।
ଗ୍ଲାସ୍ଗୋର ହାଇଡ୍ରୋ ଷ୍ଟାଡିୟମ୍ରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ପରବର୍ତ୍ତୀ ଆୟୋଜକ ଭାରତର ସମୃଦ୍ଧ ସଂସ୍କୃତି ଏବଂ ରାଜ୍ୟଗୋଷ୍ଠୀ ପରିବାର ସହ ସାଧାରଣ ମୂଲ୍ୟବୋଧକୁ ନିଖୁଣ ଭାବେ ପ୍ରଦର୍ଶନ କରାଯାଇଥିଲା।
ବାଟନ ହସ୍ତାନ୍ତର ପ୍ରକ୍ରିୟା ତିନିଟି ପର୍ଯ୍ୟାୟରେ ପ୍ରସ୍ତୁତ ହୋଇଥିଲା।
ଭାରତ ଏବଂ ରାଜ୍ୟଗୋଷ୍ଠୀ ପରିବାର ମଧ୍ୟର ଥିବା ସାଧାରଣ ମୂଲ୍ୟବୋଧ ସହ ସେମାନଙ୍କ ମହନୀୟ ସଂସ୍କୃତି ଓ ସମ୍ପର୍କକୁ ମଧ୍ୟ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶିତ କରାଯାଇଥିଲା।
ସଂସ୍କୃତିକୁ ସହ ସଙ୍ଗୀତର ମହନୀୟ ସମିଶ୍ରଣ ବି ଦେଖିବାକୁ ମିଳିଥିଲା।
ପ୍ରସିଦ୍ଧ ଭାରତୀୟ ସିତାର ବାଦକ ଋଷଭ ରିଖିରାମ ଶର୍ମାଙ୍କ ସହ ସ୍କଟଲାଣ୍ଡର ଖ୍ୟାତନାମା ପାଇପର୍ ରସ୍ ଏଇନ୍ସଲି ମଞ୍ଚ ସେୟାର କରିଥିଲେ।
ବର୍ତ୍ତମାନର ଆୟୋଜକ ଓ ଭବିଷ୍ୟତର ଆୟୋଜକ ଦେଶ ମଧ୍ୟରେ ଥିବା ସୁଦୃଢ଼ ଓ ସୁସମ୍ପର୍କର ପ୍ରତୀକ ହୋଇଥିଲା ସଙ୍ଗୀତଭିତ୍ତିକ ଯୁଗଳବନ୍ଦୀ।
ପାରମ୍ପରିକ କଳାର ସମୃଦ୍ଧି ସହ ଆଧୁନିକତାର ଛାପକୁ ଏକାଠି କରି ଏହି ସାଂସ୍କୃତିକ ପ୍ରଦର୍ଶନ ପ୍ରସ୍ତୁତ ହୋଇଥିଲା।
ଭାରତୀୟ ଅଭିନେତ୍ରୀ ମାନୁଷୀ ଛିଲାରଙ୍କ ନେତୃତ୍ୱରେ ଏକ ଦଳ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।
ତା" ସହିତ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ସିଆମକ ଦାଭରଙ୍କ ନୃତ୍ୟଦଳ ମଧ୍ୟ ଅପୂର୍ବ ଶକ୍ତି, ଉନ୍ମାଦ ଓ ଆଧୁନିକ ଶୈଳୀର କୋରିଓଗ୍ରାଫି ଜରିଆରେ ମଞ୍ଚକୁ ରଙ୍ଗିନ କରିଥିଲା।
ଯାହା ଆଧୁନିକ ଭାରତର ଉତ୍ସାହ, ଗତିଶୀଳତା ଓ ନୂଆ ରୂପର ନିଦର୍ଶନ ପାଲଟିଥିଲା।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲେ ପ୍ରସିଦ୍ଧ ସଙ୍ଗୀତଶିଳ୍ପୀ ଶଙ୍କର ମହାଦେବନ।
ସେ ତାଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ଶିବମ ମହାଦେବନଙ୍କ ସହ ମଞ୍ଚରେ ସଂଗୀତ ପରିବେଷଣ କରିଥିଲେ।
ତାଙ୍କର ଉତ୍ସାହଭରା ସଙ୍ଗୀତ ପ୍ରଦର୍ଶନ ସହ ଅନ୍ୟ ପ୍ରମୁଖ ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ପୂରା ଷ୍ଟାଡିୟମକୁ ଉତ୍ସାହରେ ଭରିଦେଇଥିଲା।
ଶେଷରେ, ଭାରତର ବିବିଧତା ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ନେଇ ଏକ ଚିତ୍ରମୟ ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।
ଯେଉଁଥିରେ ଦେଶର ବିଭିନ୍ନ ଅଞ୍ଚଳର ଭୌଗୋଳିକ ଓ ସାଂସ୍କୃତିକ ବିବିଧତା ସହ ବିଶେଷ ଭାବେ ଗୁଜରାଟର ସମୃଦ୍ଧ କଳା, ପରମ୍ପରା ଓ ସଂସ୍କୃତିକୁ ପ୍ରମୁଖତା ଦିଆଯାଇଥିଲା।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି କାଣ୍ଟଛାଣ୍ଟ ସଂସ୍କରଣରେ ଭାରତ ସୀମିତ ସୁଯୋଗ ପାଇଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି।
୧୩ ସ୍ବର୍ଣ୍ଣ, ୧୭ ରୌପ୍ୟ, ୯ କାଂସ୍ୟ ସହ ୩୯ ପଦକ ଜିତିଥିଲା।
୪ ବର୍ଷ ତଳେ ଭାରତ ବର୍ମିଂହାମରେ ୬୧ ପଦକ ଜିତିଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଥିଲା।
ଏଥର ଅଷ୍ଟ୍ରେଲିଆ, ଇଂଲଣ୍ଡ, କାନାଡ଼ା ପ୍ରଥମ ୩ ସ୍ଥାନ ଦଖଲ କରି ନେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।