Elephant: ହାତୀର ଗଳିତ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ଖୋର୍ଦ୍ଧା ବନଖଣ୍ଡ ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ଶଙ୍ଖଯୋଡ଼ି, ଦେତୁଲୀ, କରଡ଼ାପଲ୍ଲା ଓ ଗୋପାଳପୁର ବନପାଳ ଅଞ୍ଚଳରେ ହାତୀ ଦଳ ଏବେ ଘର କରି ରହୁଛି। ଦୁଇଦିନ ତଳେ ଶଙ୍ଖାଯୋଡ଼ି ବନପାଳ ଅଧୀନ ଖିଲାମୁଣ୍ଡା ଠାକୁରାଣୀ ନିକଟ ଜଙ୍ଗଲରେ ଏକ ମାଈ ହାତୀ ଛୁଆ ଧରି ରାସ୍ତାରେ ବୁଲୁଥିବା ଦେଖି ବନାଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ।
ସୁରକ୍ଷା ପାଇଁ ବନ ବିଭାଗ ଗଜସାଥୀ ନିଯୁକ୍ତି ସହ ହାତୀଙ୍କ ଖାଦ୍ୟ ଓ ପାଣି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏକ ମାସରେ ବନ ରକ୍ଷୀ ଓ ବନପାଳ ଜଙ୍ଗଲରେ ୭୫ କିଲୋମିଟର ଓ ବନାଞ୍ଚଳ ଅଧିକାରୀ ୫୦ କିଲୋମିଟର ଚାଲିବା ପ୍ରାବଧାନ ରହିଛି। କିନ୍ତୁ ପ୍ରାବଧାନକୁ ବେଖାତିର କରି କେବଳ ଦିଆଯାଇଥିବା ମେସିନରେ ଜଙ୍ଗଲ ଭିତରକୁ ନଯାଇ ରାସ୍ତାରେ ଦର୍ଶା ଯାଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ହାତୀ ଭଳି ମୂଲ୍ୟବାନ ବନ୍ୟଜନ୍ତୁ ଜଙ୍ଗଲରେ ମରି ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିକଟରେ ଖବର ରହୁ ନାହିଁ। ଫଳରେ ହାତୀ ମରି ଶବ ଗଳିତ ହେବା ପରେ ଦୁର୍ଗନ୍ଧ ଯୋଗୁଁ ଖବର ମିଳୁଛି।
Elephant Attack: ଗୋଠଛଡ଼ା ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ଗୁରୁତର: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ରଣପୁର ଏକ ବିରାଟ ବନାଞ୍ଚଳ। ଦୀର୍ଘଦିନ ହେଲା ବନାଞ୍ଚଳ ଅଧିକାରୀ ପଦବି ଖାଲି ପଡ଼ିଛି। ପଦୋନ୍ନତି ପାଇଥିବା ଜଣେ ଡେପୁଟି ରେଞ୍ଜର ଦାଇତ୍ୱ ତୁଲାଉଛନ୍ତି। ଗତ ତିନି ତାରିଖରେ ଏକ ହାତୀର ଗଳିତ ଶବ ଶଙ୍ଖଯୋଡି ବନପାଳ କାର୍ଯ୍ୟାଳୟ ନିକଟ ଜଙ୍ଗଲରେ ପଡ଼ିଥିବା ଡେପୁଟି ରେଞ୍ଜର ସିଧୁ ସିଂ ଖବର ପାଇଥିଲେ। ତୁରନ୍ତ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇ ଘଟଣାସ୍ଥଳରେ ପହଂଚିଥିଲେ। ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଘଟଣା ସ୍ଥଳରେ ପହଁଚିବା ସହ ରଣପୁର ବ୍ଲକ ପ୍ରଣିଧାନ ଅଧିକାରୀ ଙ୍କୁ ଡକାଇ ହାତୀର ଗଳିତ ଶବକୁ ପାଞ୍ଚନାମା କରିଥିବା ଜଣାପଡ଼ିଛି।
ହାତୀର ଗଳିତ ଶବ ସହ ଦୁଇଟି ଦାନ୍ତ ଥିବାରୁ ହାତୀ ମୃତ୍ୟୁ ଶିକାରୀ ଜନିତ ନୁହେଁ ବୋଲି ଅନୁମାନ କରାଯାଉଛି। ଏହା ଏକ ରିମୋଟ ଅଞ୍ଚଳ ଯୋଗୁଁ ଖବର ମିଳିବା ବିଳମ୍ବ ସାଙ୍ଗକୁ ବନ ବିଭାଗ ଘଟଣା ପ୍ରକାଶ କରିବାକୁ ଚାହୁଁ ନଥିଲା। ହାତୀ ମୃତ୍ୟୁର ଅସଲ କାରଣ ଜଣା ପଡୁନଥିବା ବେଳେ ଗଳିତ ଶବ ପଞ୍ଚନାମା କରିଥିବା ବ୍ଲକ ପ୍ରାଣୀଧନ ଅଧିକାରୀ ଶକ୍ତିପ୍ରକାଶ ଦ୍ବିବେଦୀ କୁହନ୍ତି ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର କୃଷି ବିଶ୍ୱବିଦ୍ୟାଳୟ ବନ୍ୟଜନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ରିପୋର୍ଟ ଆସିଲା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ।