EPFO ର ବଡ଼ ଅପଡେଟ୍: ଏବେ ପୋର୍ଟାଲ୍‌ରୁ ହେବନି UAN ଆକ୍ଟିଭେସନ, ବଦଳିଗଲା ସମସ୍ତ ନିୟମ

Jul 04, 2026 - 17:58

ନନ୍ଦିଘୋଷ ବ୍ୟୁରୋ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି EPFO ର ଅଫିସିଆଲ୍ ୟୁନିଫାଇଡ୍ ମେମ୍ବର ପୋର୍ଟାଲ୍ ମାଧ୍ୟମରେ ୟୁଜର୍ସ ସେମାନଙ୍କର UAN (यूनिवर्सल अकाउंट नंबर) ଆକ୍ଟିଭେଟ୍ କରିପାରିବେ ନାହିଁ। ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ସଫ୍ଟୱେର୍ ଅପଗ୍ରେଡ୍ ପରେ ପୋର୍ଟାଲ୍‌କୁ ପୁଣି ଥରେ ଆରମ୍ଭ କରାଯାଇଛି, ହେଲେ ଏହାର ଇଣ୍ଟରଫେସ୍ ଏବଂ ଅନଲାଇନ୍ ସେବା ବ୍ୟବହାର କରିବାର ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ୱେବସାଇଟ୍‌ରୁ ଡିରେକ୍ଟ UAN ଆକ୍ଟିଭେସନ ଏବଂ ନୂଆ UAN ଜେନେରେଟ୍ କରିବା ସୁବିଧାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି।

ଏହି ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ସେବାକୁ ଏବେ ସରକାରଙ୍କ ‘UMANG’ ଆପ୍‌କୁ ସ୍ଥାନାନ୍ତର କରାଯାଇଛି। ଏଣିକି ନୂଆ କର୍ମଚାରୀ କିମ୍ବା PF ଆକାଉଣ୍ଟଧାରୀମାନେ କେବଳ ଉମଙ୍ଗ ଆପ୍ ବ୍ୟବହାର କରି ନିଜର UAN ପାଇପାରିବେ ଏବଂ ଏହାକୁ ସକ୍ରିୟ ମଧ୍ୟ କରିପାରିବେ। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଏବେ ଆଧାର ଭିତ୍ତିକ ଫେସ୍ ଅଥେଣ୍ଟିକେସନ୍ (Face Authentication) କୁ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍, ବିନା ଫେସ୍ ଅଥେଣ୍ଟିକେସନ୍‌ରେ ଏହି ସେବାଗୁଡ଼ିକର ଲାଭ ଉଠାଇବା ସମ୍ଭବ ହେବନାହିଁ। ଯଦି କୌଣସି କର୍ମଚାରୀଙ୍କର PF ଆକାଉଣ୍ଟ ଅଛି କିନ୍ତୁ UAN ମିଳିନାହିଁ, ତେବେ ସେମାନେ ଉମଙ୍ଗ ଆପ୍‌ରେ ‘UAN Allotment and Activation’ ବିକଳ୍ପକୁ ଯାଇ, ଆବଶ୍ୟକୀୟ ବିବରଣୀ ଓ ମୋବାଇଲ୍ ନମ୍ବର ଭେରିଫାଇ କରି ନିଜର UAN ଜେନେରେଟ୍ କରିପାରିବେ।

ଅନ୍ୟପଟେ, ଯେଉଁମାନେ ନିଜର UAN ଭୁଲିଯାଇଛନ୍ତି, ସେମାନଙ୍କ ପାଇଁ ଅପଗ୍ରେଡେଡ୍ ପୋର୍ଟାଲ୍‌ରେ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ କରାଯାଇଛି। ଏଥିପାଇଁ ୟୁଜର୍ସଙ୍କୁ କେବଳ ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେବାକୁ ହେବ, ଚିହ୍ନଟ ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡ଼ିବ ଏବଂ OTP ଭେରିଫିକେସନ୍ ପରେ ସେମାନେ ନିଜର UAN ଫେରିପାଇବେ। EPFO ସୂଚନା ଅନୁଯାୟୀ, UAN ସହ ଜଡ଼ିତ ମୁଖ୍ୟ ସେବାଗୁଡ଼ିକ ଆପ୍‌କୁ ସିଫ୍ଟ ହୋଇଥିଲେ ମଧ୍ୟ ୱେବସାଇଟ୍‌ରେ ଡେଥ୍ କ୍ଲେମ୍ (Death Claim) ଫାଇଲ୍ କରିବା ଭଳି ସୁବିଧା ଏବେ ବି ଜାରି ରହିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏକ ବଡ଼ ଡେଟାବେସ୍ କନସୋଲିଡେସନ୍ ଏବଂ ସଫ୍ଟୱେର୍ ଆଧୁନିକୀକରଣ ଯୋଗୁଁ ଏହି ବଦଳ କରାଯାଇଛି, ଯାହାଦ୍ୱାରା ଆଗାମୀ ଦିନରେ ସମସ୍ତ ଅନଲାଇନ୍ ସେବା ଅଧିକ ଦ୍ରୁତ, ସୁରକ୍ଷିତ ଏବଂ ଭରସାଯୋଗ୍ୟ ହୋଇପାରିବ।

The post EPFO ର ବଡ଼ ଅପଡେଟ୍: ଏବେ ପୋର୍ଟାଲ୍‌ରୁ ହେବନି UAN ଆକ୍ଟିଭେସନ, ବଦଳିଗଲା ସମସ୍ତ ନିୟମ appeared first on .