ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’

Jul 07, 2026 - 09:54
ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’

ନନ୍ଦିଘୋଷ ବ୍ୟୁରୋ : ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି । ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ୧୦ ତାରିଖରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଜଗନ୍ନାଥ ସଂସ୍କୃତିକୁ ନେଇ ରହିଛି କାଳ୍ପନିକ ଚିତ୍ରଣ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ,ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଦ୍ୱାନ ପଣ୍ଡିତ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ପ୍ରଯୋଜକ ମହାପ୍ରଭୁ ଜଗନ୍ନାଥ ଫିଲ୍ମ ସମ୍ପୂର୍ଣ୍ଣ କାଳ୍ପନିକ ସ୍ୱୀକାର କରିଥିବା ବେଳେ ରିଲିଜ୍ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ତେବେ  ଏହାଦ୍ୱାରା ପ୍ରଚାର ନୁହେଁ ବରଂ ଜଗନ୍ନାଥ ସଂସ୍କୃତିର ଅପମାନ ହେଉଛି ବୋଲି ମତ ରଖିଥିଲେ ପ୍ରଚାର ପ୍ରସାର ଉପସମିତି ସଦସ୍ୟଙ୍କ ସମେତ ସମସ୍ତ ବିଦ୍ୱାନ ଗଣ ।ମହାପ୍ରଭୁଙ୍କ ମହିମା ପ୍ରଚାର ପ୍ରସାର ହୋଇପାରିବ କିନ୍ତୁ ସନାତନ ଶାସ୍ତ୍ର ଆଧାର କିମ୍ବା ପ୍ରତିଷ୍ଠିତ ଲୋକମାନ୍ୟ କିମ୍ବଦନ୍ତୀ ଆଧାରରେ ହୋଇ ପାରିବ କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।ଯୁବ ଉଦ୍ୟୋଗୀ ମାନେ ମହାପ୍ରଭୁଙ୍କ ମହିମା ନେଇ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହା ଧର୍ମ ଶାସ୍ତ୍ର ଆଧାରରେ ହେବା ଉଚିତ୍ ବୋଲି ମତ ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ସେପଟେ ଇସ୍କନ ର ଅଦିନିଆ ବା ଅତିଥି ରଥଯାତ୍ରା ଉପରେ ପୁଣି ବର୍ଷିଛନ୍ତି ଗଜପତି । ଏ ବାବଦରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଗଜପତି ଦିବ୍ୟସିଂହ ଦେବ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଗତ ସ୍ନାନ ପୂର୍ଣ୍ଣିମାରେ ଇସ୍କନ ଯୁକ୍ତି ଦର୍ଶାଇଥିଲା ଯେ ୨୮ ଜୁନ୍ ରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ରହିଛି ।କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଦୟ ପର୍ବ ଅର୍ଥାତ୍ ସୂର୍ଯ୍ୟୋଦୟକୁ ତିଥି ନଥିଲେ ତାହା ବିଚାରକୁ ନିଆଯାଏ ନାହିଁ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ପଷ୍ଟ କରିଛନ୍ତି ।ଠିକ୍ ସେଇ ଆଧାରରେ  ଆଗାମୀ ଜୁଲାଇ ୧୫ ତାରିଖ ମଧ୍ୟାହ୍ନରୁ ଦ୍ୱିତୀୟା ତିଥି ଆସୁଥିବା ବେଳେ ଉଦୟ ପର୍ବ ଅନୁଯାୟୀ କେବଳ ୧୬ ତାରିଖରେ ହିଁ ଦ୍ୱିତୀୟା ପାଳନ ହୋଇ ପାରିବ ବୋଲି ଆଗୁଆ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।