ବିଜେଡି ନେତାଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ,୪ ଗିରଫ
ନନ୍ଦିଘୋଷ ବ୍ୟୁରୋ: ବିଜେଡି ନେତାଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ବିନିକା ପୋଲିସ। ଗତ ୧୯ ତାରିଖ ରାତିରେ ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦ ତଥା ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତି ଦେଖା ନନ୍ଦଙ୍କ ଘର ଉପରକୁ ହୋଇଥିବା ଗୁଳିକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାର ୫ ଦିନ ପରେ ଆଜି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ କରିଛି। ସେଗୁଡ଼ିକ ହେଲା, ୨ଟି ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ୨ଟି ଖଣ୍ଡା ଓ ୧ଟି ଛୁରୀ, ଏବଂ ଘଟଣାରେ ବ୍ୟବହୃତ ଗୋଟିଏ କାର୍
ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟଣ ନାଏକ ସୂଚନା ଦେଇଛନ୍ତି ଯେ, ଏହି ଗୁଳିକାଣ୍ଡ ପଛରେ ବ୍ୟବସାୟୀକ ଶତ୍ରୁତା ରହିଛି। ଏହି ଘଟଣାରେ ଆହୁରି ୩ ରୁ ୪ ଜଣ ସାମିଲ ଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ବିଜେଡି ନେତାଙ୍କ ଘର ଉପରକୁ ପ୍ରାୟ ୨୫ ରୁ ୩୦ ରାଉଣ୍ଡ ଗୁଳିମାଡ଼ କରି ଆତଙ୍କ ଖେଳାଇବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବିନିକା ପୋଲିସ ତତ୍ପରତା ଦେଖାଇ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।