WEDNESDAY
08 JULY 2026

Welcome!

Unlock your personalized experience.
Sign Up

El Nino: ଏଲ୍ ନିନୋ: ୨୬୨ଟି ସ‌ମ୍ବେଦନଶୀଳ ଜିଲ୍ଲା ପାଇଁ ଜରୁରିକାଳୀନ ଯୋଜନା

Jul 08, 2026 - 01:45
El Nino: ଏଲ୍ ନିନୋ: ୨୬୨ଟି ସ‌ମ୍ବେଦନଶୀଳ ଜିଲ୍ଲା ପାଇଁ ଜରୁରିକାଳୀନ ଯୋଜନା

ନୂଆଦିଲ୍ଲୀ: ଦେଶର ବିଭିନ୍ନ କ୍ଷେତ୍ର ଉପରେ ପ୍ରଶାନ୍ତ ମହାସାଗରୀୟ ଜଳବାୟୁ ସ୍ଥିତି ‘ଏଲ୍ ନିନୋ’ର ସମ୍ଭାବ୍ୟ ପ୍ରଭାବ ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ରଙ୍କ ଅଧ୍ୟକ୍ଷତାରେ ‘ସେବା ତୀର୍ଥ’ଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ୧୫ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୌସୁମୀର ସ୍ଥିତି ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକ ଉପରେ ଏହାର ପ୍ରଭାବକୁ ନିରନ୍ତର ନଜର ରଖିବା ସହ ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। 

El Nino effect: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଜଳସଂକଟ: ଏଲ୍ ନିନୋ ପ୍ରଭାବରେ ବୃଦ୍ଧି ହେବାର ଆଶଙ୍କା - ମୁଡିଜ୍ ଚେତାବନୀ

ପ୍ରମୁଖ ସଚିବ କହିଛନ୍ତି ଯେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ଏହି ଜିଲ୍ଲାଗୁଡ଼ିକରେ ଥିବା ଜଳାଶୟ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିୟମିତ ନଜର ରଖାଯାଉଛି। ଉପଲବ୍ଧ ଜଳର ସଦୁପଯୋଗ ଏବଂ ସୀମିତ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ସହିତ ଗୋରୁଗାଈଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଗୋଖାଦ୍ୟ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ସମସ୍ତ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯାଇଛି। 

ପିଏମ୍‌ଓର ସମୀକ୍ଷା ବୈଠକ

ପାନୀୟଜଳ ଓ ଫସଲ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା
ପର୍ଯ୍ୟାପ୍ତ ଗୋଖାଦ୍ୟ ଉପଲବ୍ଧି ସୁନିଶ୍ଚିତ କରାଯିବ
ଖାଦ୍ୟଶସ୍ୟର ମୂଲ୍ୟ ନିୟନ୍ତ୍ରଣ ଉପରେ ଗୁରୁତ୍ବ
ବିପଦ ପରିଚାଳନା ନିମନ୍ତେ ଏସ୍‌ଓପି ଜାରି

ବୈଠକରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ଉପରେ ଏକ ବିବରଣୀ ଉପସ୍ଥାପନ କରାଯାଇଥିଲା। ଜୁଲାଇ ଏବଂ ଅଗଷ୍ଟ ମାସରେ ଦୁର୍ବଳରୁ ମଧ୍ୟମ ଧରଣର ଏଲ୍ ନିନୋ ସକ୍ରିୟ ହେବା  ସମ୍ଭାବନା ରହିଛି। ଜୁଲାଇ ମାସରେ ସମଗ୍ର ମୌସୁମୀ ଋତୁର ପ୍ରାୟ ୩୦ ପ୍ରତିଶତରୁ ଅଧିକ ବର୍ଷା ହେଉଥିବାରୁ ଏହି ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ତେବେ ଏଲ୍ ନିନୋ ସ୍ଥିତି ସତ୍ତ୍ବେ ମଧ୍ୟ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର କୌଣସି ବାଧ୍ୟବାଧକତା ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। 

El Nino effect: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଜଳସଂକଟ: ଏଲ୍ ନିନୋ ପ୍ରଭାବରେ ବୃଦ୍ଧି ହେବାର ଆଶଙ୍କା - ମୁଡିଜ୍ ଚେତାବନୀ

କୃଷି ସଚିବ ଖରିଫ ଋତୁ ଉପରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବର୍ଷା, ଜଳଭଣ୍ଡାର ସ୍ଥିତି, ଫସଲବୁଣା, ବିହନ-ସାର ଉପଲବ୍ଧତା ଏବଂ କୀଟନାଶକ ସ୍ଥିତିର ସମୀକ୍ଷା ପାଇଁ ପ୍ରତି ସପ୍ତାହରେ ବୈଠକ ବସୁଛି। ଦେଶର ୨୬୨ଟି ସମ୍ବେଦନଶୀଳ ଜିଲ୍ଲା ପାଇଁ ଜିଲ୍ଲା କୃଷି ଜରୁରିକାଳୀନ ଯୋଜନାକୁ ଅପଡେଟ୍ କରାଯାଇଛି। ଏହା ସହ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌) ପକ୍ଷରୁ ଏଲ୍ ନିନୋ ବିପଦ ପରିଚାଳନା ନିମନ୍ତେ ମାନକ ପ୍ରକ୍ରିୟା (ଏସ୍‌ଓପି) ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଏବଂ କିଷାନ କ୍ରେଡିଟ୍ କାର୍ଡ (କେସିସି)ର ସୁବିଧା ଅଧିକରୁ ଅଧିକ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ କୃଷି ଓ ଆର୍ଥିକ ସେବା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ପ୍ରବାହ, ଅତ୍ୟଧିକ ଆଦ୍ରତା ଏବଂ ଡେଙ୍ଗୁର ମୁକାବିଲା ପାଇଁ ମଧ୍ୟ ପରାମର୍ଶବଳୀ ଜାରି କରାଯାଇଛି। ବଜାରରେ ଚାଉଳ, ଗହମ ଓ ଡାଲି ଜାତୀୟ ଶସ୍ୟର ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଷ୍ଟକ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।