Egg Price Surge Hits Mid-Day Meal: ଅଣ୍ଡା ଦର ଆକାଶଛୁଆଁ, ପିଲାଙ୍କୁ ଯୋଗାଇବା ଚ୍ୟାଲେଞ୍ଜ

Jul 20, 2026 - 19:40
Egg Price Surge Hits Mid-Day Meal: ଅଣ୍ଡା ଦର ଆକାଶଛୁଆଁ, ପିଲାଙ୍କୁ ଯୋଗାଇବା ଚ୍ୟାଲେଞ୍ଜ

ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବେ ବଡ଼ ଚ୍ୟାଲେଞ୍ଜ। ସରକାର ଅଣ୍ଡା ପିଛା ଦର୍ ୭ଟଙ୍କା ନିର୍ଦ୍ଧାରଣ କରିଛନ୍ତି, କିନ୍ତୁ ବଜାର ଦର ୯-୧୦ ଟଙ୍କା ହେଲାଣି। ପ୍ରାଥମିକ ସ୍କୁଲ ଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାବଦକୁ ୧୧ ଟଙ୍କା ୧୫ ପଇସା ଏବଂ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୧୪ ଟଙ୍କା ୭୪ ପଇସା ଦେଉଛନ୍ତି। କିନ୍ତୁ ଅଣ୍ଡାର ଅହେତୁକ ଦର ବୃଦ୍ଧି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବାଧକ ସାଜିଛି। ଏତେ କମ୍ ମୂଲ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା କଷ୍ଟକର ହେଉଥିବା ବିଭିନ୍ନ ଜିଲ୍ଲାର SHG ଗୁଡ଼ିକ କହିଛନ୍ତି। ଅଙ୍ଗନବାଡି ସେଣ୍ଟରରେ ବି ପିଲାଙ୍କୁ ଅଣ୍ଡା କିଣି ଦେବାରେ ସମସ୍ୟା ଭୋଗୁଛନ୍ତି ଅଙ୍ଗନବାଡି କର୍ମୀ। ସେପଟେ ନବରଙ୍ଗପୁର, ଗଜପତି, ଜଗତସିଂହପୁର, ବାଲେଶ୍ୱର ସହ ବିଭିନ୍ନ ଜିଲ୍ଲାରେ ବିଲ୍ ପେମେଣ୍ଟ ବିଳମ୍ବ ହେଉଥିବାରୁ ଦୋକାନୀ ରାସନ ସାମଗ୍ରୀ ଦେବାକୁ ମନା କରୁଥିବା ଅଭିଯୋଗ ଆସିଛି। ଜଗତସିଂହପୁର ଓ ଜଳେଶ୍ୱରରେ ଶିକ୍ଷକ ଓ ରୋଷେୟାମାନେ ନିଜେ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ଅଣ୍ଡା ଯୋଗାଉଥିବା କହିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସମସ୍ୟା ଗମ୍ଭୀର ହେଲେ ଜିଲ୍ଲା ପ୍ରଶାସନ ପାଣ୍ଠିରୁ ସହାୟତା ମିଳିବ।

ସେପଟେ ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଧାନ ଶିକ୍ଷକଙ୍କ ଦାବି, ବଜାର ଦର ଅନୁଯାୟୀ ମିଲ୍ ପିଛା ରେଟ୍ ତୁରନ୍ତ ପୁନଃନିର୍ଦ୍ଧାରଣ କରାଯାଉ। ପିଲାଙ୍କ ପୁଷ୍ଟିକର ଖାଦ୍ୟ ସହ କୌଣସି ସାଲିସ କରାନଯାଉ। ମାର୍କେଟରେ ଅଣ୍ଡା ଦର ବଢ଼ିବା ନେଇ ଗତକାଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ କହିଥିଲେ, ରାଜ୍ୟ ଓ ରାଜ୍ୟ ବାହାରେ ଅଣ୍ଡାର ଚାହିଦା ବଢ଼ିବା, ବିଦେଶକୁ ରପ୍ତାନି ବୃଦ୍ଧି ଏବଂ ଗ୍ରୀଷ୍ମଋତୁରେ କୁକୁଡ଼ା ମଡ଼କ ଯୋଗୁଁ ଅଣ୍ଡା ଦର ବଢ଼ିଛି। ଚାହିଦା ମେଣ୍ଟାଇବାକୁ ଆଗାମୀ ଦିନରେ ରାଜ୍ୟ ସରକାର ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି।

ମଧ୍ୟାହ୍ନ ଭୋଜନ କେବଳ ସରକାରୀ ଯୋଜନା ନୁହେଁ, ଲକ୍ଷାଧିକ ଶିଶୁଙ୍କ ପୁଷ୍ଟିର ଭରସା। କିନ୍ତୁ ବଜାର ଦର ଓ ସରକାରୀ ରେଟ୍ ମଧ୍ୟରେ ତଫାତ୍ ଯୋଗୁଁ ବ୍ୟବସ୍ଥା ଉପରେ ଚାପ ବଢ଼ିବାରେ ଲାଗିଛି। ଏବେ ନଜର ସରକାର କେବେ ଦର ପୁନଃ ନିର୍ଦ୍ଧାରଣ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।