editorial: ହଲୋକଷ୍ଟ ୨.୦

Jul 03, 2026 - 03:01
editorial: ହଲୋକଷ୍ଟ ୨.୦

"ଏଥିରେ ନିହିତ ଅଛି ଦୁଇଟି ବିଡ଼ମ୍ବନା: ପ୍ରଥମଟି ହେଲା ହିଟଲର ଦ୍ବାରା ରଚିତ "ହଲୋକଷ୍ଟ"ର ଶିକାର ଇହୁଦୀ ପରିବାରର ଜଣେ ବଂଶଜ ହେଉଛନ୍ତି ଗାଜାରେ ଘଟୁଥିବା "ହଲୋକଷ୍ଟ ୨.୦"ର ସଂରଚକ ଏବଂ ଦ୍ବିତୀୟଟି ହେଲା ଗୋପନରେ ଘଟିଥିବା "ପ୍ରଥମ ହଲୋକଷ୍ଟ" ବିଷୟ ଉନ୍ମୋଚିତ ହେବା ପରେ ସ୍ତବ୍‌ଧ ପୃଥିବୀ ସମାନୁଭୂତିଶୀଳ, ଅନୁତପ୍ତ ଓ ପ୍ରତିବାଦମୁଖର ହୋଇ ଉଠିଥିବା ବେଳେ ସଂପ୍ରତି ସମସ୍ତଙ୍କ ସମକ୍ଷରେ ସଂଘଟିତ "ହଲୋକଷ୍ଟ ୨.୦" ନେଇ ପୃଥିବୀ ପ୍ରାୟତଃ ନିରବ, ଉଦାସୀନ ଏପରିକି ଆନମନା ମଧ୍ୟ!Advertisment Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ ଜାତିସଂଘ ଦ୍ବାରା ପ୍ରାୟୋଜିତ, ଓଡ଼ିଶାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.

ମୂରଲୀଧରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ "ଇଣ୍ଟରନେସନାଲ କମିସନ ଅଫ ଇନକ୍ବାରି" ବା "ଅନ୍ତର୍ଜାତୀୟ ଅନୁସନ୍ଧାନ କମିସନ" ଦ୍ବାରା ପ୍ରସ୍ତୁତ, ଗାଜା ନରସଂହାର ସମ୍ବନ୍ଧିତ ଏକ ରିପୋର୍ଟ ସମଗ୍ର ପୃଥିବୀର ବିବେକକୁ ଦୋହଲାଇ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୨୩, ଅକ୍‌ଟୋବର ୭ ତାରିଖରୁ ୨୦୨୫, ଅକ୍‌ଟୋବର ୭ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷର କାଳ ଖଣ୍ଡ ମଧ୍ୟରେ, ଗାଜା ପଟିରେ ରହୁଥିବା ଶିଶୁ ଓ ନାବାଳକ ବା ନାବାଳିକାମାନେ ଇସ୍ରାଏଲୀ ସେନାବାହିନୀ ହାତରେ କିଭଳି ହୃଦୟ ବିଦାରକ ଦଶା ଭୋଗିଛନ୍ତି, ତାହାର ଏକ ବିଶଦ ଓ ଅତ୍ୟନ୍ତ କରୁଣ ଦସ୍ତାବେଜ ହେଉଛି ଏହି ରିପୋର୍ଟ।

କହିବା ଅନାବଶ୍ୟକ ଯେ ଜଷ୍ଟିସ ମୂରଲୀଧର ତାଙ୍କ ସୂକ୍ଷ୍ମ ବିଚାର, ଗଭୀର ତର୍ଜମା, ନିଷ୍ପକ୍ଷ ମତ ଓ ଅବିଭାଜ୍ୟ ସାଧୁତା ସକାଶେ ଖ୍ୟାତ; ଯେଉଁ ସମସ୍ତ ବିଭାବ ଏହି ଶହେ ପୃଷ୍ଠା ସଂବଳିତ ରିପୋର୍ଟରେ ପ୍ରତିଫଳିତ।

କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ରାତ୍ରିର ସୁଖ ନିଦ୍ରା ଅପହରଣ କରି ନେବାକୁ ସମର୍ଥ ଏହି ବିଚଳିତକର ରିପୋର୍ଟ ଦର୍ଶାଇଛି କିଭଳି ଏକବିଂଶ ଶତାବ୍ଦୀରେ ମଧ୍ୟ ମନୁଷ୍ୟର ଧାରଣା, ଚିନ୍ତନ ଓ କାର୍ଯ୍ୟ ବର୍ବରତାର ସମସ୍ତ ସୀମା ଲଂଘନ କରି ଯାଇପାରେ ଏବଂ ଚିନ୍ତାର ବିଷୟ ହେଲା ଏହି ପରିପ୍ରେକ୍ଷୀରେ ଉଦାରବାଦ ଓ ଗଣତନ୍ତ୍ରର ତଥାକଥିତ ପୃଷ୍ଠପୋଷକମାନେ ଅନ୍ୟ ଦିଗକୁ ଚାହିଁ ରହି ପ୍ରକାରାନ୍ତରେ ସେଭଳି ଘଟିବାକୁ ହିଁ ଦିଅନ୍ତି!

ପ୍ରକାଶ ଥାଉ କି ୨୦୨୩ରୁ ୨୦୨୫ ମସିହା ମଧ୍ୟରେ ଇସ୍ରାଏଲୀ ସେନା ଦ୍ବାରା ଗାଜା ଅଞ୍ଚଳରେ ଯେଉଁ ନର ମେଧ ଏବଂ ଲିଙ୍ଗ ଭିତ୍ତିକ ନିର୍ଯାତନା ସଂଘଟିତ ହୋଇଛି, ସେ ନେଇ ଦୁଇଟି ରିପୋର୍ଟ ଜାତିସଂଘ ଆନୁକୂଲ୍ୟରେ ପ୍ରକାଶିତ ହୋଇ ସାରିଛି।

ସେହି କ୍ରମରେ ଜାମ୍ବିଆର ପ୍ରସିଦ୍ଧ ଆଇନବିତ୍‌ ଫ୍ଲୋରେନ୍‌ସ ମୁମ୍ବା ଏବଂ ଅଷ୍ଟ୍ରେଲିଆର ପୂର୍ବତନ ମାନବିକ ଅଧିକାର କମିସନର କ୍ରିସ ସିଡୋଟିଙ୍କ ସାହଚର୍ଯ୍ୟରେ ଜଷ୍ଟିସ ମୂରଲୀଧରଙ୍କ ଏହି ରିପୋର୍ଟ, ସେଠାକାର ଶିଶୁମାନେ ଭୋଗିଥିବା ଅକଳ୍ପନୀୟ କଷଣର ଏକ ସୁବିସ୍ତୃତ ରୂପରେଖ, ଯାହାର ଶୀର୍ଷକର ଓଡ଼ିଆ ସାରାଂଶ ହେଉଛି "ବିଧ୍ବସ୍ତ ଶୈଶବ"।

ଏହି ରିପୋର୍ଟ କହିଥାଏ ଯେ ଶଂସିତ ସମୟ ଖଣ୍ଡ ମଧ୍ୟରେ ଗାଜା ଅଞ୍ଚଳକୁ ସୁବ୍ୟବସ୍ଥିତ ଭାବେ ଚୂର୍ଣ୍ଣୀଭୂତ କରାଯାଉଥିବା ବେଳେ "ମୂଳୁ ମାଇଲେ ଯିବ ସରି" ଭଳି ଯୁକ୍ତି ଦ୍ବାରା ପରିଚାଳିତ ଇସ୍ରାଏଲୀ ସେନା ପ୍ରାୟ ୨୦ ହଜାର ଶିଶୁଙ୍କୁ ହତ୍ୟା କରିଛନ୍ତି ଏବଂ ପ୍ରାୟ ୪୪ ହଜାର ଶିଶୁ ଏଥିରେ ଆହତ ଓ ବିକଳାଙ୍ଗ ହୋଇଛନ୍ତି।

ରିପୋର୍ଟ ଅନୁସାରେ ଗାଜା ଅଞ୍ଚଳର ୯୭% ସ୍କୁଲ, ସମସ୍ତ ଛଅଟି ଯାକ ଶିଶୁ ଚିକିତ୍ସାଳୟ ଓ ସଦ୍ୟ ଜାତ ଶିଶୁଙ୍କ ଯତ୍ନ ସକାଶେ ଉଦ୍ଦିଷ୍ଟ କେନ୍ଦ୍ର ସଂପୂର୍ଣ୍ଣ ବିଧ୍ବସ୍ତ ହୋଇଛି।

କେବଳ ସେତିକି ନୁହେଁ, ଗାଜା ଅଞ୍ଚଳକୁ ଖାଦ୍ୟ, ଜଳ ଓ ଔଷଧ ପରିବହନକୁ ସଂପୂର୍ଣ୍ଣ ଅବରୋଧ କରାଯିବା ଫଳରେ ୧୫୦ ଜଣ ଶିଶୁ ଅନାହାରରେ ମୃତ୍ୟୁ ବରଣ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ସହର, ବଜାର ଓ ବସତି ଉପରେ ଅବିଚାରିତ ବୋମା ମାଡ଼ର ମୂଳ ଉଦ୍ଦେଶ୍ୟ ଥିଲା ଯେତେ ଅଧିକ ସମ୍ଭବ ଶିଶୁ ଓ କିଶୋରଙ୍କ ସଂହାର, ଯେଉଁ କାରଣରୁ ଗାଜା ମୃତକଙ୍କ ମଧ୍ୟରୁ ୩୦%ରୁ ଅଧିକ ଏହି ବୟସ ବର୍ଗର।

ତେବେ, ଏହି ରିପୋର୍ଟର ହୃଦୟ ଦହନକାରୀ ଅଂଶରେ ବର୍ଣ୍ଣିତ ହୋଇଛି କିଭଳି ଥର୍ମାଲ ଇମେଜିଂ କ୍ୟାମେରା, କ୍ବାଡ୍ରା-କପ୍‌ଟର ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ବଳରେ ଶିଶୁମାନଙ୍କୁ ଠାବ କରି "ସ୍ନାଇପର ଫାୟାରିଂ" ଦ୍ବାରା ହତ୍ୟା କରିବା ଭଳି କାର୍ଯ୍ୟକୁ ଇସ୍ରାଏଲୀ ସେନା "ଟାର୍ଗେଟ ସୁଟିଂ" ବା "ଲକ୍ଷ୍ୟ ଭେଦ"ର ଅଭ୍ୟାସ ଭଳି ଏକ ମଉଜିଆ ଖେଳରେ ପରିଣତ କରିଥିଲେ।

ଏହି ରିପୋର୍ଟରେ ଏଭଳି ଅନେକ ଉଦାହରଣ ମଧ୍ୟରେ ରହିଛି ମା" ଠାରୁ ସ୍ତନ୍ୟପାନ କରୁଥିବା ଦଶଦିନିଆ ଶିଶୁର ମୁଣ୍ଡରେ ସହସା ଗୋଟିଏ ବୁଲେଟ୍‌ ବିଦ୍ଧ ହୋଇଯାଏ; ସ୍ତବ୍‌ଧ ମା" କିନ୍ତୁ ରହିଥାଏ ସଂପୂର୍ଣ୍ଣ ଅକ୍ଷତ କିମ୍ବା ବାପାଙ୍କ ଅଭୟ ହାତକୁ ଧରି ପଦାକୁ ବାହାରିଥିବା ବାଳକର ଗୁଳିବିଦ୍ଧ ଅସାଡ଼ ଶରୀର ଅଚାନକ ତଳେ ଲୋଟି ପଡ଼େ , ଅଥଚ ବାପା ଥାଆନ୍ତି ଅନାହତ!

ସୁନିର୍ବାଚିତ ଢଙ୍ଗରେ ଶିଶୁମାନଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ଓ ଉଦ୍ୟମ ବ୍ୟତିରେକ ଏଥିରେ ଆଉ କ"ଣ ଅବା ଦିଶିଥାଏ?

ସ୍ବାଭାବିକ ଭାବେ ଇସ୍ରାଏଲ ପକ୍ଷରୁ ଏହି ରିପୋର୍ଟକୁ ଅଗ୍ରାହ୍ୟ କରାଯାଇ ଏକ ୧୮ ପୃଷ୍ଠା ସଂବଳିତ ପ୍ରତିବାଦ ପ୍ରଦାନ କରାଯାଇଛି।

କିନ୍ତୁ ଜଷ୍ଟିସ ମୂରଲୀଧର କହିଥାଆନ୍ତି ଯେ ରିପୋର୍ଟରେ ପ୍ରକାଶିତ ତଥ୍ୟକୁ ଖାରଜ କଲା ଭଳି କୌଣସି ଉଦାହରଣ ବା ତର୍କ ସେହି ପ୍ରତିବାଦ ପତ୍ରରେ ନାହିଁ।

ସେ କହିଥାଆନ୍ତି ଯେ ରିପୋର୍ଟରେ ପ୍ରକାଶିତ ଅନେକ ତଥ୍ୟର ମୂଳ ସ୍ରୋତ ହେଉଛି ଏଭଳି କାର୍ଯ୍ୟରେ ଗର୍ବିତ ସୈନିକମାନଙ୍କ ଦର୍ପିତ ବକ୍ତବ୍ୟର ଅନେକ ଭିଡିଓ, ଯାହା ସେମାନେ ସାମାଜିକ ଗଣମାଧ୍ୟମ‌େର ଅପଲୋଡ କରିଛନ୍ତି।

ଜଷ୍ଟିସ ମୂରଲୀଧର କହିଥାନ୍ତି ଯେ ରିପୋର୍ଟ ପ୍ରସ୍ତୁତି କାଳରେ ଉପଲବ୍‌ଧ ତଥ୍ୟଗୁଡ଼ିକୁ ଜାତିସଂଘର ସ୍ଥାୟୀ ଇସ୍ରାଏଲୀ ମିସନଙ୍କୁ ପ୍ରଦାନ କରି ପ୍ରତ୍ୟୁତ୍ତର ଓ ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ହେଁ ସେ ପଟରୁ କେବଳ ଅସହଯୋଗ ଓ ନିରବତା ହିଁ ମିଳିଥିଲା।

ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲର ଜ‌ନୈକ ଉଗ୍ର ଦକ୍ଷିଣପନ୍ଥୀ ନେତା ମୋସେ ଫ୍ରାଗଲିନଙ୍କ ବକ୍ତବ୍ୟକୁ ମଧ୍ୟ ରିପୋର୍ଟରେ ସ୍ଥାନିତ କରାଯାଇଛି, ଯାହାକୁ ସେ ୨୦୨୫ ମସିହା, ମେ ମାସରେ ଏକ ଇସ୍ରାଏଲୀ ଟିଭି ଚ୍ୟାନେଲ (ଚ୍ୟାନେଲ ୧୪)କୁ ଦେବା ଅବସରରେ କହିଥିଲେ: “ଗାଜାର ପ୍ରତ୍ୟେକ ଶିଶୁ ଆମର ଶତ୍ରୁ।

ଆମେ ଗାଜାକୁ ଅଧିକାର କରିବୁ ଏବଂ ସେଠାରେ ଜଣେ ହେଲେ ପାଲେଷ୍ଟିନୀୟ ଶିଶୁକୁ ଜୀବିତ ଛାଡ଼ିବୁ ନାହିଁ।"" କହିବା ବାହୁଲ୍ୟ, ଇସ୍ରାଏଲର ଯୁଦ୍ଧଖୋର ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁଙ୍କ ସମେତ ଅନେକ ରାଜନେତାଙ୍କ ଠାରେ ଏଭଳି ଆଭିମୁଖ୍ୟ ସୁସ୍ପଷ୍ଟ, ଯେଉଁଠୁ ପ୍ରୋତ୍ସାହନ ପାଇ ଇସ୍ରାଏଲୀ ସୈନ୍ୟମାନେ ନିର୍ବିଚାର ଓ ବିନା କୌଣସି ମର୍ମଦାହରେ ଶିଶୁମାନଙ୍କୁ ବଧ କରିପାରନ୍ତି ଏବଂ ସେଥି ଲାଗି କମାଣ୍ଡରମାନଙ୍କ ଠାରୁ ଅଜସ୍ର ପ୍ରଶଂସା ପାଆନ୍ତି ମଧ୍ୟ!

ବାଇବଲରେ ବର୍ଣ୍ଣିତ ଅଛି କିଭଳି ନିଷ୍ଠୁର ଇହୁଦୀ ରାଜା ହେରୋଡ ନିଜକୁ ନିଷ୍କଣ୍ଟକ ରଖିବା ଉଦ୍ଦେଶ୍ୟରେ ବେଥେଲହାମ ଓ ତା"ର ଆଖପାଖ ଅଞ୍ଚଳର ସମସ୍ତ ଶିଶୁଙ୍କୁ ନିପାତ କରିବାର ବନ୍ଦୋବସ୍ତ କରିଥିଲେ।

ତାହା ଥିଲା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଲାଭର କାଳ।

ଏବେ, ତା"ର ୨୦୨୫ ବର୍ଷ ପରେ, ଗାଜାରେ ସେଭଳି ଦୃଶ୍ୟର ଏକ ପୁନରାଭିନୟ ଦିଶି ନଥାଏ କି?

ସତେ ଯେମିତି କେବଳ ହମାସ ନୁହେଁ, ପାଲେଷ୍ଟାଇନର ଶିଶୁମାନଙ୍କୁ ନିଶ୍ଚିହ୍ନ କଲେ ଯାଇ ଇସ୍ରାଏଲ କଣ୍ଟକ ଶୂନ୍ୟ ହେବ!

ବିଦେଶୀ ଭାଷା ଶିଖିବାର ଜାଣନ୍ତୁ ୭ଟି ବଡ଼ ଫାଇଦା ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ପରେ, ହିଟଲର ଦ୍ବାରା ଆୟୋଜିତ ଇହୁଦୀ ଗଣମେଧ ଯଜ୍ଞ ବିଷୟ ଉନ୍ମୋଚିତ ହୋଇ ସମଗ୍ର ପୃଥିବୀକୁ ଅଶ୍ରୁ ବିଗଳିତ କରି ଦେଇଥିଲା। "ହଲୋକଷ୍ଟ" ଭାବେ ପରିଚିତ ଅଚିନ୍ତନୀୟ ମାନବ ନିର୍ମମତାର ଏହି କରୁଣ ଅଧ୍ୟାୟର ପୁନର୍ଲିଖନ ଯେ ପୁଣି ଶୀଘ୍ର କେବେ ହୋଇପାରେ ବୋଲି ଘୁଣାକ୍ଷରରେ କଳ୍ପନା ସୁଦ୍ଧା କରାଯାଇ ନ ଥିଲା।

ଏବେ କିନ୍ତୁ ମନେହେଉଛି ଯେ "ହଲୋକଷ୍ଟ"ର ନୂତନ ଅଧ୍ୟାୟଟିଏ ଲେଖା ଯାଇସାରିଲାଣି।

କେବଳ ଜାତିସଂଘର ଏକାଧିକ ରିପୋର୍ଟ ମାଧ୍ୟମରେ ନୁହେଁ, ବିଭିନ୍ନ ସମ୍ବାଦପତ୍ର, ଟେଲିଭିଜନ ଚ୍ୟାନେଲ ଓ ମାନବିକ ଅଧିକାର ସଂଗଠନ ଦ୍ବାରା ପ୍ରସ୍ତୁତ ଅନେକ ରିପୋର୍ଟ, ଫଟୋଚିତ୍ର ଓ ଭିଡିଓ ଆଦି ଦ୍ବାରା ଏହା ପ୍ରମାଣିତ।

ତେବେ, ଏଥିରେ ନିହିତ ଅଛି ଦୁଇଟି ବିଡ଼ମ୍ବନା: ପ୍ରଥମଟି ହେଲା ହିଟଲର ଦ୍ବାରା ରଚିତ "ହଲୋକଷ୍ଟ"ର ଶିକାର ଇହୁଦୀ ପରିବାରର ଜଣେ ବଂଶଜ ହେଉଛନ୍ତି ଗାଜାରେ ଘଟୁଥିବା "ହଲୋକଷ୍ଟ ୨.୦"ର ସଂରଚକ ଏବଂ ଦ୍ବିତୀୟଟି ହେଲା ଗୋପନରେ ଘଟିଥିବା "ପ୍ରଥମ ହଲୋକଷ୍ଟ" ବିଷୟ ଉନ୍ମୋଚିତ ହେବା ପରେ ସ୍ତବ୍‌ଧ ପୃଥିବୀ ସମାନୁଭୂତିଶୀଳ, ଅନୁତପ୍ତ ଓ ପ୍ରତିବାଦମୁଖର ହୋଇ ଉଠିଥିବା ବେଳେ ସଂପ୍ରତି ସମସ୍ତଙ୍କ ସମକ୍ଷରେ ସଂଘଟିତ "ହଲୋକଷ୍ଟ ୨.୦" ନେଇ ପୃଥିବୀ ପ୍ରାୟତଃ ନିରବ, ଉଦାସୀନ ଏପରିକି ଆନମନା ମଧ୍ୟ!"