Editorial: ହରିୟାଣୀ ରହସ୍ୟ

Jun 26, 2026 - 03:13
Editorial: ହରିୟାଣୀ ରହସ୍ୟ

"କନ୍ୟା ଭ୍ରୂଣ ହତ୍ୟାରେ ବିଲୀନ ଏକ ରାଜ୍ୟରେ ପୋଷ୍ୟ ସନ୍ତାନ ଭାବେ କନ୍ୟମାନେ କାହିଁକି ଅଧିକ ସ୍ବୀକୃତ ହେବେ?

ଏହା ଏକ ବିତର୍କିତ ପ୍ରଶ୍ନ।

ଏହି ରହସ୍ୟର ଏକ ସ୍ପଷ୍ଟ ଉତ୍ତର ମିଳିବ, ଯଦି ଶିଶୁ ଜନ୍ମ ଲିଙ୍ଗୀୟ ଅନୁପାତରେ ଝିଅମାନଙ୍କ ସଂଖ୍ୟା କ୍ରମାନ୍ବୟେ ବୃଦ୍ଧି ପାଇ ଚାଲିବ।Advertisment Lord Jagannath: ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ନିକଟରେ "ସେଣ୍ଟ୍ରାଲ ଆଡପ୍‌ସନ ରିସୋର୍ସ ଅଥରିଟି" ବା "ସି.ଏ.ଆର.ଏ." ଦ୍ବାରା ପ୍ରକାଶିତ ପରିସଂଖ୍ୟାନ ବିଶେଷ ଦୃଷ୍ଟି ଆକର୍ଷଣକାରୀ ହୋଇଥାଏ, କାରଣ ତା" ଅନୁସାରେ ସର୍ବନିମ୍ନ ଲିଙ୍ଗୀୟ ଅସମାନୁପାତର ରାଜ୍ୟ ଭାବେ ଅପଖ୍ୟାତ ହରିୟାଣା ହେଉଛି କନ୍ୟାମାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରାଯିବାର ଶତାଂଶ ଦୃଷ୍ଟିରୁ ଦେଶର ସର୍ବୋଚ୍ଚଙ୍କ ମଧ୍ୟରେ ଅନ୍ୟତମ।

ଏହି ରାଜ୍ୟରେ ପରିବାର ଲାଭ କରିବାର ସୌଭାଗ୍ୟ ପାଉଥିବା ଅନାଥ ଶିଶୁମାନଙ୍କ ମଧ୍ୟରୁ ୬୩% ହେଉଛନ୍ତି ଝିଅ।

କେରଳରେ ଏହି ହାର ହେଉଛି ମାତ୍ର ୪୮%; ଅଥଚ ସେଠାରେ "ଚାଇଲ୍‌ଡ ବାର୍ଥ ସେକ୍‌ସ ରେସିଓ" ବା ବା "ସି.ଏସ.ଆର." (ଶିଶୁ ଜନ୍ମ ଲିଙ୍ଗୀୟ ଅନୁପାତ) ହେଉଛି ପ୍ରତି ୧୦୦୦ ଜଣ ପୁଅ ପିଛା ୯୭୦ ଜଣ ଝିଅ, ଯାହା ଦେଶରେ ଶୀର୍ଷତମ।

କହିବା ଅନାବଶ୍ୟକ ଯେ ପୁତ୍ର ସନ୍ତାନ ସକାଶେ ଅତ୍ୟନ୍ତ ବ୍ୟାକୁଳ ହରିୟାଣାରେ ଅସଂଖ୍ୟ କନ୍ୟା ଭ୍ରୂଣାବସ୍ଥାରେ ନିଶ୍ଚିହ୍ନ ହୋଇଯାଆନ୍ତି; ଏବଂ ତଦ୍ଦ୍ବାରା ସୃଷ୍ଟ ସାମାଜିକ ଭାରସାମ୍ୟହୀନତା ଦ୍ବାରା ଉଦ୍‌ବିଗ୍ନ କେନ୍ଦ୍ର ସରକାର ୨୦୧୫ ମସିହାରେ ସେହି ରାଜ୍ୟରୁ ହିଁ କନ୍ୟା ସୁରକ୍ଷା ସକାଶେ ସଚେତନତାମୂଳକ ମହତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ "ବେଟୀ ବଚାଓ, ବେଟୀ ପଢ଼ାଓ" ପ୍ରାରମ୍ଭ କରିଥିଲେ।

ତେଣୁ ପ୍ରଶ୍ନ ଉଠିଥାଏ ଯେ "ସି.ଏ.ଆର.ଏ."ର ଏଭଳି ଆଶ୍ବାସନାମୂଳକ ତଥ୍ୟ ପଛରେ ନିହିତ ଗୂଢ଼ କାରଣ ଓ ବାସ୍ତବତା କ"ଣ?

ଏଥି ଲାଗି ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ସଂପ୍ରତି ଆମ ଦେଶରେ ପୋଷ୍ୟ ସନ୍ତାନ ସକାଶେ ଅପେକ୍ଷା କରିଥିବା ଆବେଦନକାରୀ ପରିବାରଙ୍କ ସଂଖ୍ୟା ପ୍ରାୟ ୩୦ ହଜାର ("ସି.ଏ.ଆର.ଏ."ର ୨୦୨୨ ତଥ୍ୟ ଅନୁସାରେ), ଯେତେବେଳେ କି ୨୦୨୪-୨୫ ମସିହାରେ ପୋଷ୍ୟ ସନ୍ତାନ ଲାଭ କରିଥିବା ପରିବାରର ସଂଖ୍ୟା ଥିଲା ମାତ୍ର ୪୧୫୫।

ଅଥଚ, ତାହା ଥିଲା "ସି.ଏ.ଆର.ଏ."ର ସମଗ୍ର ୧୨ ବର୍ଷର ରେକର୍ଡ ଅନୁସାରେ ସର୍ବାଧିକ ଏବଂ ପୂର୍ବ ବର୍ଷ ତୁଳନାରେ ୨୪% ଅଧିକ।

କହିବାର ତାତ୍ପର୍ଯ୍ୟ ହେଲା ଆମ ଦେଶରେ ଆଇନ ସମ୍ମତ ଭାବେ ପୋଷ୍ୟ ସନ୍ତାନ ଲାଭ କରିବାର ପ୍ରକ୍ରିୟା ଖୁବ୍‌ ମନ୍ଥର, ଯହିଁରେ ଚାରି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।

ଏଭଳି ସ୍ଥିତିରେ ଅନେକ ପରିବାର ସକାଶେ, ସାମାନ୍ୟ ବଡ଼ ହୋଇଯାଇଥିବା ପିଲାମାନଙ୍କ ମଧ୍ୟରୁ ପୁଅମାନଙ୍କ ତୁଳନାରେ ଝିଅମାନେ ଅଧିକ ପସନ୍ଦର ପାତ୍ର ହୋଇଥାଆନ୍ତି।

ଏହା ସୁବିଦିତ ଯେ ହରିୟାଣାର କଠୋର ପୁରୁଷତାନ୍ତ୍ରିକ ସମାଜରେ, ଜାତି ଓ ଗୋତ୍ର ବିଚାର ଆଧରରେ, ବଂଶ ପ୍ରତିଷ୍ଠାର ପ୍ରକରଣରେ, ନିର୍ଭେଜାଲ ଗୁଣସୂତ୍ରର ସ୍ରୋତ କେବଳ ପୁରୁଷମାନଙ୍କ ମାଧ୍ୟମରେ ଆନୁବଂଶିକ ଭାବେ ପ୍ରବାହିତ ହୋଇଥାଏ ବୋଲି ବଦ୍ଧମୂଳ ଧାରଣା ରହିଛି।

ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଏଭଳି ସ୍ଥିତିରେ ଅଜ୍ଞାତ କୁଳର କୌଣସି ଅନାଥ ଶିଶୁକୁ ପୁତ୍ରର ମାନ୍ୟତା ଦେବା ଅସଂଖ୍ୟ ରୁଢ଼ିବାଦୀ ହରିୟାଣୀ ପରିବାର ଲାଗି ଆଦୌ ସ୍ବୀକର୍ଯ୍ୟ ହୋଇ ନ ଥାଏ।

ସୁତରାଂ, ପରିବାର ଲାଗି ସନ୍ତାନର ଆବଶ୍ୟକତା ତୀବ୍ର ବୋଧ ହେଲେ ଅନେକ ପରିବାର ଝିଅମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି ବୋଲି ସେମାନଙ୍କ ମତ।

ତେଣୁ ଏଭଳି ପରିସଂଖ୍ୟାନରୁ ବିଶେଷ ଆଶାବାଦୀ ହେବାର ହେତୁ ସେମାନେ ପାଆନ୍ତି ନାହିଁ।

ତେବେ, ହରିୟାଣାର "ଶିଶୁ ଜନ୍ମ ଲିଙ୍ଗୀୟ ଅନୁପାତ" ବା "ସି.ଏସ.ଆର." ଉପରେ ଦୃଷ୍ଟି ରଖିଥିବା ଗୋଟିଏ ଗୋଷ୍ଠୀର ପର୍ଯ୍ୟବେକ୍ଷକ "ସି.ଏ.ଅାର.ଏ."ର ପରିସଂଖ୍ୟାନରୁ ଆଶାର କ୍ଷୀଣ କିରଣ ଦେଖନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ ହରିୟାଣାର "ଶିଶୁ ଜନ୍ମ ଲିଙ୍ଗୀୟ ଅନୁପାତ" ବା "ସି.ଏସ.ଆର." ଥିଲା ପ୍ରତି ୧୦୦୦ ପୁଅ ପିଛା ୯୨୩, ଯାହା ମଧ୍ୟ ଥିଲା ସର୍ବାଧିକ ସ୍ତରୀୟ ଏବଂ ଯାହାର ସୁଖଦ ପୁନରାବୃତ୍ତି ଘଟିଥିଲା ଗଲା ବର୍ଷ ଅର୍ଥାତ୍‌ ୨୦୨୫ ମସିହାରେ।

ଏହାର ମଧ୍ୟବର୍ତ୍ତୀ ସମୟରେ ପ୍ରତି ବର୍ଷର ରେକର୍ଡ ଅନୁସାରେ ଏହି ସଂଖ୍ୟା ଥିଲା ଯଥାକ୍ରମେ ୯୨୨, ୯୧୪, ୯୧୭, ୯୧୬ ଓ ୯୧୦।

ତେବେ ଯାହା ଆଶ୍ବସ୍ତିର ବିଷୟ, ତାହା ହେଲା, ୨୦୧୯ ଓ ୨୦୨୫ ମସିହାରେ କନ୍ୟା ଜନ୍ମ ସଂଖ୍ୟା ସମାନ ହୋଇଥିଲେ ହେଁ ପୂର୍ବ ବର୍ଷ ତୁଳନାରେ ବୃଦ୍ଧିର ହାର ହିସାବ କଲେ ୨୦୨୫ ମସିହାରେ ତାହା ଅଧିକ ବୋଲି ଜଣାପଡ଼େ, କାରଣ ୨୦୧୮ ମସିହାରେ କନ୍ୟା ଜନ୍ମ ଅନୁପାତ ୯୧୮ ଥିବା ବେଳେ ୨୦୨୪ ମସିହାରେ ଏହା ଥିଲା ୯୧୦।

ତେଣୁ ଏହି ଆଶାବାଦୀ ପର୍ଯ୍ୟବେକ୍ଷକମାନେ ହରିୟାଣୀ ସମାଜରେ ଝିଅମାନଙ୍କ ପ୍ରତି ମନୋଭାବରେ ମନ୍ଥର ଅଥଚ ସ୍ଥିର ପରିବର୍ତ୍ତନ ଘଟୁଥିବା ବିଷୟ ଲକ୍ଷ୍ୟ କରିଥାନ୍ତି।

ଏହାର କାରଣ ହୋଇପାରେ ମହିଳା ଶିକ୍ଷା ହାରରେ ବୃଦ୍ଧି (୨୦୦୧ ତୁଳନାରେ ୧୦%ରୁ ଅଧିକ), ଯେଉଁ ସ୍ତର ଗୁଡ଼ଗାଓଁ, ଅମ୍ବାଲା ଓ ପଞ୍ଚକୁଲା ଭଳି ସହରାଞ୍ଚଳରେ ଅତି ଉଚ୍ଚରେ ପହଞ୍ଚିଛି।

ସଂପ୍ରତି ହରିୟାଣା ଉପରେ ସହରୀକରଣର ପ୍ରଭାବ ଗଭୀର ହେବାରେ ଲାଗିଛି, ଯେଉଁଠି ଗୁଡ଼ଗାଓଁ ଭଳି ଅତ୍ୟା‌ଧୁନିକ ବିଶ୍ବ ସ୍ତରୀୟ ସହର ଏକ ଦୃଷ୍ଟାନ୍ତ ରୂପେ ବିଦ୍ୟମାନ, ଯେଉଁ କାରଣରୁ ଶିକ୍ଷିତ ଓ ସ୍ବାବଲମ୍ବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି ଯେଉଁମାନେ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଉଛନ୍ତି।

ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ "ସିଙ୍ଗଲ ମଦର" ବା "ଏକାକୀ ମା" ହେବାକୁ ବାହାରିଥିବା ମହିଳାମାନେ ଝିଅମାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି।

ଏଭଳି ଏକ ପରିବର୍ତ୍ତନ ହେତୁ ସଂଖ୍ୟାରେ ନଗଣ୍ୟ ହୋଇଥିଲେ ସୁଦ୍ଧା ସଂପ୍ରତି ହରିୟାଣାରେ କନ୍ୟା ଜନ୍ମ ସମୟରେ ମଧ୍ୟ ଉତ୍ସବ ପାଳନ କରାଯାଉଛି, ଯାହା ହୁଏତ କିଛି ବର୍ଷ ପୂର୍ବରୁ ପ୍ରାୟ ଅଚିନ୍ତନୀୟ ଥିଲା।

ସୁତରାଂ, ସେମାନଙ୍କ ମତରେ ଝିଅମାନଙ୍କୁ ଅଧିକ ପସନ୍ଦ କରାଯିବା ପଛରେ ବାଧ୍ୟବାଧକତା ଏକ ମାତ୍ର କାରଣ ହୋଇ ନ ପାରେ; ଏଥିରୁ ଆଶ୍ବାସନା ଲାଭ କରିବାର ସୁଯୋଗ ମଧ୍ୟ ଦିଶିଥାଏ।

Good News: ଗାଁର ଭଙ୍ଗା ଆଡ଼ିବନ୍ଧ ସଜାଡ଼ିଲେ ଆଦିବାସୀ ତେବେ, ଭିନ୍ନ ଭିନ୍ନ ପକ୍ଷର ବିଚାର ଓ ତର୍ଜମା ଆଦି ଯାହା ହୋଇଥାଉ ନା କାହିଁକି, ହରିୟାଣା ଯେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଦେଇଛି, ତହିଁରେ ଦ୍ବିରୁକ୍ତି ନାହିଁ।

କନ୍ୟା ଭ୍ରୂଣ ହତ୍ୟାରେ ବିଲୀନ ଏକ ରାଜ୍ୟରେ ପୋଷ୍ୟ ସନ୍ତାନ ଭାବେ କନ୍ୟମାନେ କାହିଁକି ଅଧିକ ସ୍ବୀକୃତ ହେବେ?

ଏହା ଏକ ବିତର୍କିତ ପ୍ରଶ୍ନ।

ଏହି ରହସ୍ୟର ଏକ ସ୍ପଷ୍ଟ ଉତ୍ତର ମିଳିବ, ଯଦି ଶିଶୁ ଜନ୍ମ ଲିଙ୍ଗୀୟ ଅନୁପାତରେ ଝିଅମାନଙ୍କ ସଂଖ୍ୟା କ୍ରମାନ୍ବୟେ ବୃଦ୍ଧି ପାଇ ଚାଲିବ।

ଚଳିତ ବର୍ଷ ଅର୍ଥାତ୍‌ ୨୦୨୬ ମସିହାର ପ୍ରଥମ ଚାରି ମାସରେ ଏହି ଅନୁପାତ ହୋଇଛି ପ୍ରତି ହଜାରେ ପୁଅ ପିଛା ୮୯୫ଟି ଝିଅ।

ଏଭଳି ସ୍ଥଳେ ଅବଶିଷ୍ଟ ଆଠ ମାସରେ ଝିଅଙ୍କ ସଂଖ୍ୟାନୁପାତ ପୂର୍ବ ବର୍ଷର ୯୨୩ ଠାରୁ ଅଧିକ ହେବ ତ?

ଯଦି ନ ହୁଏ, ତେବେ ଦ୍ବନ୍ଦ୍ବ ଅଧିକ ପ୍ରଗାଢ଼ ହେବ।

ଗଲା ଜାନୁଆରି ମାସରେ, ଭାରତୀୟ ଗଣମାଧ୍ୟମଗୁଡ଼ିକ, ଯେତେବେଳେ ପୂର୍ବ ବର୍ଷ (୨୦୨୫) ହରିୟାଣାରେ ଘଟିଥିବା ଝିଅମାନଙ୍କ ସଂଖ୍ୟାନୁପାତରେ ବୃଦ୍ଧି ନେଇ ଆନନ୍ଦ ବ୍ୟକ୍ତ କରୁଥିଲେ, ସେତିକି ବେଳେ ୱିଅନ ନ୍ୟୁଜ ପକ୍ଷରୁ ଏକ ଖବର ପ୍ରସାରିତ ହୋଇଥିଲା ଯେ ଜଣେ ହରିୟାଣୀ ପୁରୁଷପୁଙ୍ଗବଙ୍କ ପତ୍ନୀଙ୍କ ଗର୍ଭରୁ ଦଶ କନ୍ୟା ଭୂମିଷ୍ଠ ହୋଇ ସାରିବା ପରେ ଏକାଦଶମଟି ପୁତ୍ର ଭା‌େବ ଆବିର୍ଭୂତ ହୋଇଛି, ଯହିଁରେ ପରିବାରଟି ଉତ୍ସବମୁଖର ହୋଇ ଉଠିଛି।

କଥା ହେଲା, ଯଦି ୨୦୨୫ ମସିହାର କନ୍ୟା ସଂଖ୍ୟାନୁପାତ ବୃଦ୍ଧି ପଛରେ ଏଭଳି କାରଣମାନ ରହିଥାଏ, ତେବେ ଆଶାବାଦୀ ହେବାର କୌଣସି ହେତୁ ଦିଶି ନ ଥାଏ।"