Editorial: ‘ସେଟା’ ଶୁଭାରମ୍ଭ
"ଉଲ୍ଲେଖନୀୟ ଭାବରେ "ସେଟା" ସହିତ କାର୍ଯ୍ୟକାରୀ ହୋଇଥିବା "ଇଣ୍ଡିଆ-ୟୁକେ ଡବଲ୍ କଣ୍ଟ୍ରିବ୍ୟୁସନ୍ କନ୍ଭେନ୍ସନ୍" ("ଡିସିସି") ଦ୍ବାରା ମଧ୍ୟ ଅସ୍ଥାୟୀ ଭାବରେ ବ୍ରିଟେନରେ କାର୍ଯ୍ୟ କରୁଥିବା ପେସାଦାର ଭାରତୀୟମାନେ ଉପକୃତ ହେବେ ଯେଉଁମାନଙ୍କୁ ଆଉ ଦୋହରା ସୋସିଆଲ୍ ସିକ୍ୟୁରିଟି ଦେୟ ପଇଠ କରିବାକୁ ପଡ଼ିବ ନାହିଁ।
ଦୁଇଟି ପରିପକ୍ବ ଗଣତନ୍ତ୍ର କିପରି ପରସ୍ପରର ସର୍ବାଧିକ ସମ୍ଭବ ଲାଭ ନିଶ୍ଚିତ କରିବା ପାଇଁ ଏକ ସୁଚିନ୍ତିତ ତଥା ସଦିଚ୍ଛାମୂଳକ ଚୁକ୍ତିର ରୂପାୟନ କରିପାରନ୍ତି, "ସେଟା" ହେଉଛି ତାହାର ଏକ ଶକ୍ତିଶାଳୀ ପ୍ରଦର୍ଶନ।Advertisment Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...
ଆମେରିକା ଓ ଭାରତ ମଧ୍ୟରେ ଏକ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଏ ପର୍ଯ୍ୟନ୍ତ ଏକ ମରୀଚିକା ହୋଇ ରହିଥିବା ବେଳେ ଗତ ସପ୍ତାହରେ ଠିକ୍ ବର୍ଷକ ପୂର୍ବେ ବ୍ରିଟେନ ଓ ଭାରତ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏକ ବାଣିଜ୍ୟ ଚୁକ୍ତି ବଳବତ୍ତର ହୋଇ କାର୍ଯ୍ୟ କରିବା ଆରମ୍ଭ କରିଛି, ଯାହା ଉଭୟ ଦେଶ ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ।
ସ୍ମରଣଯୋଗ୍ୟ ଯେ ବହୁ ବାଧାବିଘ୍ନ ଅତିକ୍ରମ କରି ୧୪ ରାଉଣ୍ଡ୍ବ୍ୟାପୀ କଥାବାର୍ତ୍ତାରେ ଉଭୟ ପକ୍ଷ ମଧ୍ୟେର ଟଣାଓଟରା ପରେ ଯାଇ ଜୁଲାଇ ୨୦୨୫ରେ "ଦି ଇଣ୍ଡିଆ-ୟୁକେ କମ୍ପ୍ରିହେନ୍ସିଭ୍ ଇକୋନୋମିକ୍ ଆଣ୍ଡ୍ ଟ୍ରେଡ୍ ଆଗ୍ରିମେଣ୍ଟ୍" ("ସେଟା") ନାମ ବହନ କରୁଥିବା ଏଇ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ ହୋଇଥିଲା।ବାଣିଜ୍ୟ ବିଶେଷଜ୍ଞମାନଙ୍କର ଆକଳନ ଅନୁସାରେ ଏଇ ଚୁକ୍ତିନାମା ପ୍ରଭାବରେ ୨୦୪୦ ସୁଦ୍ଧା ଉଭୟ ଦେଶ ମଧ୍ୟରେ ବାର୍ଷିକ ବାଣିଜ୍ୟ କାରବାରରେ ଅନ୍ତତଃ ୨୫.୫ ବିଲିଅନ୍ ପାଉଣ୍ଡ ଷ୍ଟର୍ଲିଙ୍ଗ ବୃଦ୍ଧି ଘଟିବାକୁ ଯାଉଛି।
ଏଇ ଚୁକ୍ତିନାମା ଅନୁସାରେ ଭାରତର ୯୯ ଶତାଂଶ ରପ୍ତାନି ପ୍ରତି ବ୍ରିଟେନ ଆଦୌ କୌଣସି ଶୁଳ୍କ ଲାଗୁ କରିବ ନାହିଁ।
ସେଇଭଳି ଭାରତ ମଧ୍ୟ ଏଠାକୁ ବ୍ରିଟେନର ୮୯.୫ ଶତାଂଶ ରପ୍ତାନି ପ୍ରତି କୌଣସି ଶୁଳ୍କ ଲାଗୁ କରିବ ନାହିଁ।
ଏଠାରେ ଯାହା ହେଉଛି ବିଶେଷ ପ୍ରଣିଧାନଯୋଗ୍ୟ, ତାହା ହେଲା, ଅବାଧ ବାଣିଜ୍ୟର ସର୍ବପ୍ରଥମ ପ୍ରବକ୍ତା ଇଂରେଜ ଅର୍ଥନୀତିଜ୍ଞ ଡେଭିଡ୍ ରିକାର୍ଡୋଙ୍କର ଉପଦେଶକୁ ଅନୁସରଣ କଲାଭଳି ଯେଉଁ କ୍ଷେତ୍ରେର ଏଇ ଦେଶ ଦ୍ବୟ ଉନ୍ନତତର ରପ୍ତାନି କ୍ଷମତାର ଅଧିକାରୀ ହୋଇଥାନ୍ତି, "ସେଟା" ସେଇ କ୍ଷେତ୍ରମାନଙ୍କରେ ଆମଦାନି ଶୁଳ୍କ ରୂପକ ପାରସ୍ପରିକ କୃତ୍ରିମ ପ୍ରତିବନ୍ଧକମାନଙ୍କୁ ହଟାଇ ଦେଇଛି।ଉଦାହରଣ ସ୍ବରୂପ ବର୍ତ୍ତମାନ କାର୍ଯ୍ୟକାର ହୋଇଥିବା ଶୂନ୍ୟ-ଶୁଳ୍କ ବ୍ୟବସ୍ଥା ଯୋଗୁଁ ଭାରତ ବ୍ରିଟେନକୁ ରପ୍ତାନି କରୁଥିବା ଏକ ମୁଖ୍ୟ ଦ୍ରବ୍ୟ ବସ୍ତ୍ର କ୍ଷେତ୍ରରେ ପ୍ରତି ୧ ନିୟୁତ ପାଉଣ୍ଡ ଷ୍ଟର୍ଲିଙ୍ଗ ମୂଲ୍ୟର ରପ୍ତାନି ଉପରେ ପ୍ରାୟ ୧,୨୦,୦୦୦ ପାଉଣ୍ଡ ଷ୍ଟର୍ଲିଙ୍ଗ ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ଯାଉଛି।
ଏହା ଭିଏତ୍ନାମ ଓ ବାଂଲାଦେଶ ପରି ପ୍ରମୁଖ ବସ୍ତ୍ର ରପ୍ତାନିକାରୀ ଦେଶମାନଙ୍କ ସହିତ ସଫଳ ଭାବରେ ପ୍ରତିଯୋଗିତା କରିବାରେ ଭାରତ ପାଇଁ ବେଶ୍ ସହାୟକ ହେବ।
ଉଭୟ ରପ୍ତାନି ଆୟ ଓ ନିଯୁକ୍ତି ଦୃଷ୍ଟିକୋଣରୁ ବସ୍ତ୍ରଶିଳ୍ପ ଭାରତ ପାଇଁ କିଭଳି ଗୁରୁତ୍ବ ବହନ କରିଥାଏ, ତାହା ସୁବିଦିତ।
ସେହିପରି ଚୁକ୍ତି ଅନୁସାରେ ବ୍ରିଟେନ ଭାରତକୁ ରପ୍ତାନି କରୁଥିବା ଖାଦ୍ୟ ଓ ପାନୀୟ ଉପରେ ବର୍ତ୍ତମାନ ଲାଗୁ ହେଉଥିବା ଶୁଳ୍କରେ ସମୟ କ୍ରମେ େଯଉଁ ହ୍ରାସ ଘଟିବାକୁ ଯାଉଛି, ସେଥିଯୋଗୁଁ ଚୁକ୍ତି କାର୍ଯ୍ୟ କରିବାକୁ ଆରମ୍ଭ ହେବା ମାତ୍ରେ ବ୍ରିଟିଶ ରପ୍ତାନିକାରୀମାନଙ୍କୁ ବର୍ତ୍ତମାନ ବହନ କରିବାକୁ ପଡୁଥିବା ଶୁଳ୍କ ବୋଝରେ ପ୍ରାୟ ୨୦୦ ନିୟୁତ ପାଉଣ୍ଡ ଷ୍ଟର୍ଲିଙ୍ଗ ହ୍ରାସ ଘଟିବ ବୋଲି ଅନୁମାନ କରାଯାଉଛି।ଏହା "ସେଟା" ଦ୍ବାରା ବ୍ରିଟେନ ଓ ଭାରତର ଆମଦାନି-ରପ୍ତାନି ବାଣିଜ୍ୟ ଉପରେ ଶୁଳ୍କ ବୋଝର ହ୍ରାସ ପ୍ରତି ଇଙ୍ଗିତ କରୁଥିଲେ େହଁ "ସେଟା"ର ପରିକଳ୍ପନା ପଛରେ ନିହିତ ଥିବା ଲକ୍ଷ୍ୟ କେବଳ ମାତ୍ର ଏଥିରେ ସୀମିତ ନୁହେଁ।
ଏହି ଦ୍ବିପାକ୍ଷିକ ଚୁକ୍ତି ସମ୍ମୁଖରେ ଯେଉଁ ବୃହତ୍ତର ଲକ୍ଷ୍ୟ ସ୍ଥାପନ କରାଯାଇଛି, ସେଥିରେ ଅନ୍ତର୍ଭୁକ୍ତ- ଶିଳ୍ପ କ୍ଷେତ୍ରରେ ସହଯୋଗ, ଯୋଗାଣ ଶୃଙ୍ଖଳମାନଙ୍କର ଏକତ୍ରୀକରଣ, ଦୀର୍ଘକାଳୀନ ସହଭାଗିତା ନିମିତ୍ତ ଏକ ଆନୁଷ୍ଠାନିକ ଢାଞ୍ଚାର ସଂରଚନା ଆଦି।
ଏହାର ଏକ ଅଂଶ ସ୍ବରୂପ ଏଠାରେ ଯେଉଁ ଏକ ଉଦାହରଣ ଉପସ୍ଥାପନ କରାଯାଇପାରେ, ତାହା ଅନୁସାରେ କେତେକ ଅନ୍ତିମ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ କୌଣସି ଉପାଦାନ ଗୋଟିଏ ଦେଶରୁ ସଂଗୃହୀତ ହୋଇଥିଲେ ହେଁ ତାହା ଅନ୍ୟ ଦେଶଟିର ବୋଲି ମଧ୍ୟ ବିବେଚିତ ହେବ।
ଏହି ବ୍ୟବସ୍ଥା ଉଭୟ ଦେଶର ଉତ୍ପାଦନକାରୀମାନଙ୍କୁ କେବଳ ଅନ୍ତିମ ଦ୍ରବ୍ୟ କ୍ରୟ ବିକ୍ରୟରେ ନିଜକୁ ସୀମିତ ନ ରଖି ପାରସ୍ପରିକ ସହଯୋଗରେ ଏକତ୍ରୀକୃତ ମୂଲ୍ୟଶୃଙ୍ଖଳ ସୃଷ୍ଟି କରିବାକୁ ଉତ୍ସାହିତ କରିବ।େତବେ "ସେଟା" ଦ୍ବାରା ଉପଲବ୍ଧ ହେବାକୁ ଯାଉଥିବା ଶୁଳ୍କ ହ୍ରାସଜନିତ ଲାଭ ସମ୍ବନ୍ଧରେ ଏକ ବାସ୍ତବ ଚିତ୍ର ପାଇବାକୁ ହେଲେ ଆମକୁ ମନେ ରଖିବାକୁ ହେବ ଯେ ଏହାର ସମଗ୍ର ଲାଭ ରାତାରାତି ଉପଲବ୍ଧ ହେବାକୁ ଯାଉନାହିଁ; ଏହା ଥାକ ପରେ ଥାକ ଦେଇ କ୍ରମଶଃ ଉପଲବ୍ଧ ହେବ।
ବିଭିନ୍ନ ଶ୍ରେଣୀର ଦ୍ରବ୍ୟମାନଙ୍କ ପାଇଁ ବିଭିନ୍ନ ହାର ଓ ସମୟକାଳ ଦେଇ ଶୁଳ୍କ କୋହଳ କରାଯିବା ପାଇଁ ଚୁକ୍ତିରେ ବ୍ୟବସ୍ଥା କରାଯାଇଛି।
ଉଦାହରଣ ସ୍ବରୂପ ପୂର୍ବରୁ କୁହାଯାଇଥିବା ଭଳି ଭାରତୀୟ ବସ୍ତ୍ର ରପ୍ତାନିକାରୀମାନଙ୍କ ପାଇଁ ତତ୍କ୍ଷଣାତ୍ ଆମଦାନି ଶୁଳ୍କ ଉଚ୍ଛେଦ କରିଦିଆଯିବ।
ଅପର ପକ୍ଷେ ବ୍ରିଟେନ ଭାରତକୁ ରପ୍ତାନି କରୁଥିବା ସ୍କଚ୍, ହ୍ବିସ୍କି ଉପରେ ଭାରତ ବର୍ତ୍ତମାନ ଲାଗୁ କରୁଥିବା ୧୫୦ ଶତାଂଶ ହାରରେ ଆମଦାନି ଶୁଳ୍କ ତତ୍କ୍ଷଣାତ୍ ଅଧା ହୋଇ ୭୫ ଶତାଂଶକୁ ହ୍ରାସ ପାଇବ ଏବଂ ଆସନ୍ତା ଦଶ ବର୍ଷ ମଧ୍ୟରେ ତାହା କ୍ରମେ ୪୦ ଶତାଂଶକୁ ହ୍ରାସ ପାଇବ।
ସେହିପରି ଭାରତ ବ୍ରିଟେନରୁ ଆମଦାନି କରୁଥିବା ବିଭିନ୍ନ ଏରୋସ୍ପେସ୍ ଯନ୍ତ୍ରାଂଶ ଉପରୁ ତତ୍କ୍ଷଣାତ୍ ଆମଦାନି ଶୁଳ୍କ ସଂପୂର୍ଣ୍ଣ ଉଠାଇ ଦେବ।
କିନ୍ତୁ ଏରୋପ୍ଲେନ ଇଞ୍ଜିନ ଉପରୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମଦାନି ଶୁଳ୍କ କ୍ରମଶଃ ଉଚ୍ଛେଦ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ଭାରତ ରପ୍ତାନି କରୁଥିବା ଔଷଧପତ୍ର ଉପରେ ଶୁଳ୍କ ହାରକୁ ବ୍ରିଟେନ ତତ୍କ୍ଷଣାତ୍ ଶୂନ୍ୟ କରିଦେଇଥିବା ବେଳେ ଭାରତ ଦଶ ବର୍ଷ ମଧ୍ୟରେ କ୍ରମଶଃ ବ୍ରିଟେନରେ ଉତ୍ପାଦିତ ପ୍ରସାଧନ ସାମଗ୍ରୀମାନଙ୍କୁ ଏଠାରେ ପ୍ରବେଶ କରିବାକୁ ଦେବ।
ଉଭୟ ଦେଶକୁ ଅବଶ୍ୟ ପରସ୍ପର ଦ୍ବାରା ଅନୁସୃତ ଗୁଣାତ୍ମକ ମାନ ଅନୁପାଳନ କରିବାକୁ ହେବ।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ ଚୁକ୍ତିରେ ଅବଲମ୍ବନ କରାଯାଇଥିବା ଏହା ବଳବତ୍ତର ହେବା ପାଇଁ ଏକ କ୍ରମଶଃ ଆଭିମୁଖ୍ୟ ଉଭୟ ଦେଶର ଶିଳ୍ପମାନଙ୍କୁ ନୂତନ ପ୍ରତିଯୋଗିତା-ଧକ୍କା ସହିତ ଖାପ ଖାଇବା ପାଇଁ ଯଥେଷ୍ଟ ସମୟ ପ୍ରଦାନ କରିବ।
ତେବେ ସେମାନଙ୍କ ପାଇଁ ଯାହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ, ତାହା ହେଲା, ଏଇ ପରିବର୍ତ୍ତନମାନଙ୍କର ନିଶ୍ଚିତତା- ସେମାନଙ୍କୁ ଅନିଶ୍ଚିତତା ଅନ୍ଧାରରେ ଉଣ୍ଡାଳି ହେବାକୁ ପଡ଼ିବ ନାହିଁ।
ଯେଉଁସବୁ ଦ୍ରବ୍ୟମାନଙ୍କ ଉପରେ ଆମଦାନି ଶୁଳ୍କକୁ ଶୂନ୍ୟ କରାଯାଇ ନାହିଁ, ସେଥିରେ ମଧ୍ୟ ଭବିଷ୍ୟତେର ସ୍ଥିରୀକୃତ ଶୁଳ୍କ ହାରରେ ହ୍ରାସ ବୃଦ୍ଧି ଘଟିବ ନାହିଁ; ଫଳରେ ଶିଳ୍ପୋଦ୍ୟୋଗୀ ଓ ନିବେଶକମାନଙ୍କୁ ସେ ବାବଦରେ ଏକ ଅନିଶ୍ଚିତ ପରିସ୍ଥିତି ସହିତ ମୁକାବିଲା କରିବାକୁ ପଡ଼ିବ ନାହିଁ।
ସେମାନେ ତେଣୁ ଅଧିକ ଅାତ୍ମବିଶ୍ବାସର ସହିତ ଦୀର୍ଘକାଳୀନ ଚୁକ୍ତିମାନଙ୍କରେ ପ୍ରବେଶ କରିପାରିବେ।ଉଭୟ ଦେଶର ସରକାର ଯେଉଁଭଳି ସକାରାତ୍ମକ ଆଭିମୁଖ୍ୟ ଅବଲମ୍ବନ କରି ଏହି ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ସଂପାଦନ କରିବାରେ ସଫଳ ହୋଇଛନ୍ତି, ତାହା ଉଭୟ ଦେଶ ଅନୁସରଣ କରୁଥିବା ସର୍ଜନାତ୍ମକ, ସମାଧାନ-କୈନ୍ଦ୍ରିକ କୂଟନୀତିର ସ୍ବାକ୍ଷର ବହନ କରିଥାଏ।
ଉଭୟ ଦେଶର ସରକାର ପରସ୍ପର ଉପରେ ବିଶ୍ବାସକୁ ଅତୁଟ ରଖି ଅନେକ ଜଟିଳ ସମସ୍ୟାର ତୁରନ୍ତ ସମାଧାନ ବାହାର କରିବାରେ ସଫଳ ହୋଇପାରିଛନ୍ତି।
ଉଲ୍ଲେଖନୀୟ ଭାବରେ "ସେଟା" ସହିତ କାର୍ଯ୍ୟକାରୀ ହୋଇଥିବା "ଇଣ୍ଡିଆ-ୟୁକେ ଡବଲ୍ କଣ୍ଟ୍ରିବ୍ୟୁସନ୍ କନ୍ଭେନ୍ସନ୍" ("ଡିସିସି") ଦ୍ବାରା ମଧ୍ୟ ଅସ୍ଥାୟୀ ଭାବରେ ବ୍ରିଟେନରେ କାର୍ଯ୍ୟ କରୁଥିବା ପେସାଦାର ଭାରତୀୟମାନେ ଉପକୃତ ହେବେ ଯେଉଁମାନଙ୍କୁ ଆଉ ଦୋହରା ସୋସିଆଲ୍ ସିକ୍ୟୁରିଟି ଦେୟ ପଇଠ କରିବାକୁ ପଡ଼ିବ ନାହିଁ।
ଦୁଇଟି ପରିପକ୍ବ ଗଣତନ୍ତ୍ର କିପରି ପରସ୍ପରର ସର୍ବାଧିକ ସମ୍ଭବ ଲାଭ ନିଶ୍ଚିତ କରିବା ପାଇଁ ଏକ ସୁଚିନ୍ତିତ ତଥା ସଦିଚ୍ଛାମୂଳକ ଚୁକ୍ତିର ରୂପାୟନ କରିପାରନ୍ତି, "ସେଟା" ହେଉଛି ତାହାର ଏକ ଶକ୍ତିଶାଳୀ ପ୍ରଦର୍ଶନ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।