Editorial: ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍: ଅମିୟ ଭୂଷଣ ତ୍ରିପାଠୀଙ୍କ ସମ୍ପାଦକୀୟ କଲମରୁ ନିଃସୃତ...
"ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଅମିୟ ଭୂଷଣ ତ୍ରିପାଠୀ ମଧ୍ୟପ୍ରାଚ୍ୟରେ ୨ ମାସ ହେଲା ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିଛି।
ଏ ଆହ୍ବାନର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଓ ଘରୋଇ କ୍ଷେତ୍ରରେ ଖର୍ଚ୍ଚ ଉପରେ ସଂଯମ ପାଳନ ପାଇଁ ଉପଦେଶ ଦେଇଛନ୍ତି।
ତୈଳ ସଂକଟକୁ ନିୟନ୍ତ୍ରଣ ପାଇଁ ସେ କ୍ଷେତ୍ରରେ ଖର୍ଚ୍ଚକାଟ ଉପରେ ଜୋର ଦେଇଛନ୍ତି।
ଏ ମଧ୍ୟରେ ପେଟ୍ରୋଲ ଦର ୧୦୦ରୁ ବଢ଼ି ୧୦୯ ଟଙ୍କା ପାଖାପାଖି ହେଲାଣି।
ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ଗାଡ଼ି ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି ଓ ଏକ ବ୍ୟକ୍ତିଗତ ଦୃଷ୍ଟାନ୍ତ ଦେଇ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ସରକାରୀ ଗାଡ଼ିଙ୍କ ସଂଖ୍ୟା ୧୨ରୁ ୪କୁ ଖସାଇ ଦେଇଛନ୍ତି।Advertisment ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାର୍କେଡ୍ ଏକ ଆମୋଦଦାୟକ ବିଷୟବସ୍ତୁ।
ମୁଁ ଡି.ଜି.
ଥିଲା ବେଳେ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କ ସୁରକ୍ଷା ପାଇଁ ୨ କିମ୍ବା ୩ଟି ଗାଡ଼ି ବ୍ୟବହୃତ ହେଉଥିଲା।
ପାଇଲଟ ଗାଡ଼ି, ପ୍ରୋଟେକ୍ସନ ଗାଡ଼ି ଓ ଏକ ସ୍ପେୟାର କାର୍।
ଏ ବ୍ୟବସ୍ଥା ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଚାଲିଥିବା ଭଳି ମନେହୁଏ।
ଜାନକୀ ବାବୁ ସମୟ ସମୟରେ ବିନା କାର୍କେଡ୍ରେ ଏକ ପ୍ରୋଟେକ୍ସନ ଅଫିସର ନେଇ ଭ୍ରମଣ କରୁଥିଲେ।
ତାଙ୍କ ଆଗରୁ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ତାଙ୍କ ବିଭିନ୍ନ ନାଟକୀୟ ନିଷ୍ପତ୍ତି ପୁଲିସ ପାଇଁ ଦ୍ବନ୍ଦ୍ବ ସୃଷ୍ଟି କରୁଥିଲା।
ଅଫିସକୁ ରିକ୍ସାରେ ଆସିବା, ଏପରିକି ସାଇକେଲ ଚଳାଇ ଆସିବା ସମ୍ଭବ ହେଉଥିଲା ସେ ମୁଖ୍ୟମନ୍ତ୍ରୀ ଥିଲା ବେଳେ।
ଶତାବ୍ଦୀ ଆରମ୍ଭରେ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ।
ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ଆଗରୁ ସେ କେନ୍ଦ୍ରମନ୍ତ୍ରୀ ଥିଲାବେଳେ ତାଙ୍କ ସଙ୍ଗେ ପରିଚୟ ହୋଇଥିଲା ଏବଂ ବିଭିନ୍ନ ସମୟରେ ଦିଲ୍ଲୀ ଓ ଭୁବନେଶ୍ବରରେ ତାଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ମିଳିଥିଲା।
ସେ ଜଣେ ଅତି ଅମାୟିକ ଓ ସରଳ ପ୍ରକୃତିର ମଣିଷ ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ସଙ୍ଗେ ଭାବ ଆଦାନପ୍ରଦାନର ସୁଯୋଗ ମିଳିଥିଲା।
ତାହା ଅବଶ୍ୟ ଖୁବ୍ ଅଳ୍ପ ସମୟ ପାଇଁ।
ଆହୁରି ପଢ଼ନ୍ତୁ- SBI Recruitement: ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ଘୁଞ୍ଚିଲା ଆବେଦନ ତାରିଖ ସେ ମୁଖ୍ୟମନ୍ତ୍ରୀ ହେଲା ପରେ ମୁଁ ତାଙ୍କୁ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଦେଇଥିଲି।
ସେ କିନ୍ତୁ ମୋ କଥାକୁ ଉଡ଼ାଇ ଦେଇ କହିଲେ "ଆଇ ଡୋଣ୍ଟ ନିଡ୍ ସିକ୍ୟୁରିଟି", ମୋର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ନାହିଁ।
ସେ ମୁଖ୍ୟମନ୍ତ୍ରୀ ହେଲା ପରେ ନିଶ୍ଚିତ ରୂପେ ପୁଲିସ କର୍ମକର୍ତ୍ତାମାନେ ତାଙ୍କ ସଙ୍ଗେ ଯୋଗାଯୋଗ କରିଥିବେ।
କେତେ ଦିନ ପରେ ମୁଁ ଏକ ସକାଳରେ ତାଙ୍କ ବାସଗୃହକୁ ଯାଇଥିଲି।
ସେ ଅଫିସ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ।
ମୋ ସଙ୍ଗେ ଆଲୋଚନା କରି ଘରୁ ବାହାରିଲେ।
ପୋର୍ଟିକୋରେ ଥିଲା ତାଙ୍କ ନିଜ ଗାଡ଼ି, ନା ପାଇଲଟ, ନା ପ୍ରୋଟେକ୍ସନ।
ମୁଁ ତାଙ୍କୁ ତାଙ୍କ ସୁରକ୍ଷା ବନ୍ଦୋବସ୍ତ ବାବଦରେ ପଚାରିଲି।
ସେ ପୁଣି ହସି କହିଲେ, ଏ ସବୁ ମୋର ପ୍ରୟୋଜନ ନାହିଁ।
ମୁଁ ତାଙ୍କୁ କହିଲି, ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପ୍ରୋଟକଲ ମାନିବାକୁ ପଡ଼ିବ।
ଘରକୁ ଆସି ସେତେବେଳେ ଭୁବନେଶ୍ବରରେ ଥିବା ଡି.ଆଇ.ଜି.
ମନମୋହନ ପ୍ରହରାଜଙ୍କୁ ନବୀନ ବାବୁଙ୍କ ସଙ୍ଗେ ତାଙ୍କ ସୁରକ୍ଷା ଉପରେ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ କହିଥିଲି।
ତା"ପରେ ଆସିବା ଦ୍ବିତୀୟ ଦଶକକୁ।
ମୁଁ ଓ ମୋର ସହଧର୍ମିଣୀ ମୋ କାର୍ରେ ଫରେଷ୍ଟ ପାର୍କ ଅଭିମୁଖେ ଗଲାବେଳେ କ୍ୟାପିଟାଲ ହସ୍ପିଟାଲ ଛକ ପାଖେ ଅଟଗି ଗଲୁ।
ନବୀନ ବାବୁ ଅଫିସରୁ ଘରକୁ ଫେରୁଥାନ୍ତି।
କାର୍କେଡ୍ ଆସିଲା ଓ କୌତୂହଳବଶତଃ ମୁଁ ଗାଡ଼ିମାନଙ୍କ ସଂଖ୍ୟା ଗଣିଲି।
ଏହା ନିଶ୍ଚିତ ରୂପେ ୯ କିମ୍ବା ୧୦ ଥିଲା।
ପରିସ୍ଥିତି ବଦଳିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଯେ ୧୦ଟି ଗାଡ଼ି ଗଡ଼ିବ, ଏହା ମୁଁ ଚିନ୍ତା କରି ପାରି ନ ଥିଲି।
ତୃତୀୟ ଦଶକର ଆରମ୍ଭରେ ଏପରି ଗାଡ଼ି ସଂଖ୍ୟା ୧୧ଟି ହେଲା।
ଆଉ ଏବେ ମୋହନ ମାଝୀଙ୍କ କାର୍କେଡ୍ ସଂଖ୍ୟା ୧୨ ବୋଲି ଖବରକାଗଜରୁ ଜାଣିଲି।
ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖର୍ଚ୍ଚକାଟ ଉପରେ ଇଙ୍ଗିତ ଦେବା ପରେ ମୁଖ୍ୟମନ୍ତ୍ରୀ ଏ ନିଷ୍ପତ୍ତି ନେଲେ।
ଭଲକଥା!
ତେବେ, ଗୋଟିଏ ପ୍ରଶ୍ନ ଉଠେ- ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ଓ ସରକାରୀ କାର୍କେଡ୍ରେ ଭ୍ରମଣ ଆରମ୍ଭ କଲେ, ତାଙ୍କ ସୁରକ୍ଷା ପାଇଁ ୧୨ଟି ଗାଡ଼ିର ଆବଶ୍ୟକତା ଉପରେ ଚିନ୍ତା କରିଥିଲେ କି?
ଆଉ ଏକ ପ୍ରଶ୍ନ ହେଲା ଯଦି ବର୍ତ୍ତମାନ ତାଙ୍କ ଗାଡ଼ି ସଂଖ୍ୟା ୪କୁ ହ୍ରାସ ପାଇଛି, ତାହା କେତେଦିନ ରହିପାରିବ?
ଏ ବ୍ୟବସ୍ଥାକୁ ଯଦି ସେ ସ୍ଥାୟୀ ରୂପ ଦେଇପାରିବେ, ତାହା ଏକ ପ୍ରଶଂସନୀୟ ପଦକ୍ଷେପ ହେବ।
ପ୍ରଧାନମନ୍ତ୍ରୀ ଅଳ୍ପ ଦିନ ପରେ ଆସିବେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ଯୋଗ ଦେବା ପାଇଁ।
ସେତେବେଳେ ଏସବୁ ଗଡ଼ବଡ଼ ହୋଇ ଯାଇପାରେ।
ଦେଖାଯାଉ!
ଆହୁରି ପଢ଼ନ୍ତୁ- Loot case ଠିକାଦାରଙ୍କୁ ମାଡ଼ ମାରି କାର୍ ଲୁଟ୍ ମାମଲା: ୩ ନାବାଳକ ସମେତ ୬ ଗିରଫ କାର୍କେଡ୍ ବିଷୟରେ ଆଲୋଚନା କଲାବେଳେ ଆଉ ଏକ ବିଷୟ ଆଖି ଆଗକୁ ଆସେ।
ତାହା ହେଲା ମନ୍ତ୍ରୀମାନଙ୍କ ପାଇଲଟ, ପ୍ରୋଟେକ୍ସନ ନିଶା।
ବର୍ତ୍ତମାନର ଅବସ୍ଥା ମୁଁ କହିପାରିବି ନାହିଁ।
କିନ୍ତୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ଖୁଲମଖୁଲା ଦାବିକୁ ନେଇ ଏକ ସମୟରେ ମୋତେ ଆପେସ ସମାଧାନ କରିବାକୁ ପଡ଼ିଥିଲା।
ଖର୍ଚ୍ଚକାଟ ଉପରେ ସରକାରୀ ସର୍କୁଲାର, ନିର୍ଦ୍ଦେଶନାମା ଆସେ।
କେତେଦିନ ପାଇଁ ଜଣାପଡ଼େ ତା"ର ପ୍ରଭାବ ଓ ତା" ପରେ ପୂର୍ବ ଅବସ୍ଥା ଫେରିଆସେ।
ମୋ ଚାକିରି ଜୀବନରେ ଜଣେ ପ୍ରଧାନମନ୍ତ୍ରୀଙ୍କ ଖର୍ଚ୍ଚକାଟ ପାଇଁ ଦେଶବାସୀଙ୍କୁ ଅପିଲ କାର୍ଯ୍ୟକାରୀ ହୋଇପାରିଥିଲା।
ସେ ଥିଲେ ଲାଲ ବାହଦୁର ଶାସ୍ତ୍ରୀ।
ଭାରତ ପାକିସ୍ତାନ ଯୁଦ୍ଧ ୧୯୬୫ ସମୟରେ ସେ କହିଥିଲେ, ସପ୍ତାହକୁ ଥରେ ନ ଖାଇ ଖାଦ୍ୟ ସଞ୍ଚୟ କରନ୍ତୁ।
ପେଟ୍ରୋଲ ଓ ବିଜୁଳିର ଅପବ୍ୟବହାର କରନ୍ତୁ ନାହିଁ ଓ ଉତ୍ସବ ପାଳନରେ ଆଡ଼ମ୍ବରପୂର୍ଣ୍ଣ ଭୋଜିଭାତ କରନ୍ତୁ ନାହିଁ, କେବଳ ଜଳପାନର ବ୍ୟବସ୍ଥା କରନ୍ତୁ।
ତା" ପରେ ବହୁତ ଦିନ ପର୍ଯ୍ୟନ୍ତ ମୁଁ ଦେଖିଲି ବଡ଼ବଡ଼ିଆଙ୍କ ଉତ୍ସବରେ ଆଡ଼ମ୍ବରପୂର୍ଣ୍ଣ ଭୋଜି ନ ହୋଇ କେବଳ ଜଳଖିଆ ହେଉଥିଲା।
ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟାଙ୍କ ବିବାହ ଉତ୍ସବରେ ଦେଶର ସବୁ କୋଣରୁ ବହୁ ପ୍ରସିଦ୍ଧ ବ୍ୟକ୍ତିମାନେ ଆସିଥିଲେ।
ସେଠି ଯୋଗ ଦେବାର କରିବାର ସୁଯୋଗ ମିଳିଥିଲା।
ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ଏକ ଜଳଖିଆ ପ୍ଲେଟ ସହ।
ସେ ଦିନର ଦେଶଭକ୍ତ ମାନସିକତା କଥା ଭାବିଲେ ମନେହୁଏ ଆମେ କିପରି କୃତ୍ରିମତାର କ୍ରୀଡ଼ନକ ହୋଇ ଗଲୁଣି।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୦୭୬୭୯୪ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।