Editorial: ମୁଁ କେମିତି ପାଗଳ ହେଲି: ସୁଭାଷ ପଟ୍ଟନାୟକଙ୍କ ସମ୍ପାଦକୀୟ ସରସ ରସରେ ପଢ଼ନ୍ତୁ ଏଥର...

Aug 21, 2026 - 21:38
Editorial: ମୁଁ କେମିତି ପାଗଳ ହେଲି: ସୁଭାଷ ପଟ୍ଟନାୟକଙ୍କ ସମ୍ପାଦକୀୟ ସରସ ରସରେ ପଢ଼ନ୍ତୁ ଏଥର...

"ମୁଁ କେମିତି ପାଗଳ ହେଲି ସୁଭାଷ ପଟ୍ଟନାୟକସରସ ରସ ଦିନେ ସ୍ବପ୍ନରେ ବିଚରଣ କରୁ କରୁ ମୋର ଦେଖା ହୋଇଗଲା ଲେବାନନ ଜନ୍ମିତ ବିଶିଷ୍ଟ ଆମେରିକୀୟ ଲେଖକ ସ୍ବର୍ଗତ ଖଲିଲ୍ ଜିବ୍ରାନଙ୍କ ସହିତ।

ତାଙ୍କୁ ଚିହ୍ନିପାରି ମୁଁ ଖୁସିରେ ଆତ୍ମହରା ହୋଇ କହିଲି, ଏମିତି ଜଣେ ବିଖ୍ୟାତ ଲେଖକଙ୍କୁ ଭେଟି କେମିତି ଯେ ଅଭିବାଦନ କରିବି, ତା"ର ଭାଷା ପାଉନାହିଁ।

ଜିବ୍ରାନ ମତେ ପାଖରେ ବସିବାକୁ ଦେଇ କହିଲେ, ଜଣେ ପାଗଳ ଆଉ ଜଣେ ପାଗଳକୁ ଯେମିତି ଅଭିବାଦନ କରିବା କଥା ଠିକ୍ ସେମିତି।

ଆପଣଙ୍କର ଗଦ୍ୟ-କବିତା "ହାଓ ଆଇ ବିକମ୍ ଏ ମ୍ୟାଡ ମ୍ୟାନ୍" ମୁଁ ପଢ଼ିଛି ଆଜ୍ଞା, କହିଲି ମୁଁ।

ହଁ, ସେ କବିତାରେ ମୁଁ ମୋ ପାଗଳ ହେବାର ବିବରଣୀ ଦେଇଛି।

ଘଟଣାଟି ଏହିପରି: ଭିନ୍ନ ଭିନ୍ନ ପରିଚୟ ଦେବା ନିମନ୍ତେ ମୋର ସାତଟି ପୃଥକ୍‌ ମୁଖା ଥିଲା।

ଯେତେବେଳେ ଯେଉଁ ପରିଚୟର ଆବଶ୍ୟକ, ସେଇ ମୁଖାଟି ପିନ୍ଧି ଦେଉଥିଲି।

ଦିନେ ସେ ମୁଖା ସବୁ ଚୋରି ହୋଇଗଲା।

ମୁଁ ମୁଖା ବିହୀନ ହୋଇ ବିବସ୍ତ୍ର ଅବସ୍ଥାରେ "ଚୋର..

ଚୋର" କହି ରାସ୍ତାରେ ଦୌଡ଼ିବାରେ ଲାଗିଲି।

ମୁଖା ନଥିବା ହେତୁ ଲୋକମାନେ ମୋର ଅସଲି ପରିଚୟକୁ ସନ୍ଦେହ କରି ମତେ ଅଚିହ୍ନା ପାଗଳଟିଏ ଭାବିବା ଆରମ୍ଭ କରି ଦେଲେ।

ସେହି ଦିନଠାରୁ ମୁଁ ପାଗଳ ହୋଇ ଯାଇଛି।

ଏବେ କୁହ ତୁମେ କେମିତି ପାଗଳ ହେଲ?

ପଚାରିଲେ ଜିବ୍ରାନ୍।Advertisment ଆହୁରି ପଢ଼ନ୍ତୁ- Jantar Mantar protest: ଯନ୍ତର-ମନ୍ତର ଆନ୍ଦୋଳନ ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି: ଆର୍‌ଏସ୍‌ଏସ୍‌ ମତେ ଲୋକମାନେ ପାଗଳ କରି ନାହାନ୍ତି, କହିଲି ମୁଁ।

ଉପାୟ ଶୂନ୍ୟ ହୋଇ ମୁଁ ପାଗଳ ହୋଇ ଯାଇଛି।

ମୋ କଥାଟି ଏହିପରି: ଦିନେ ଆମ ସରକାର ଆଦେଶ ଦେଲେ, ଦେଶର ନାଗରିକ ବୋଲି ସମସ୍ତେ ନିଜ ନିଜର ପ୍ରମାଣ ଦାଖଲ କରିବାକୁ ହେବ।

ମୁଁ ନାଗରିକତାର ପ୍ରମାଣ ଦେବାକୁ ଦିନେ ଯାଇ ଦପ୍ତରରେ ପହଞ୍ଚିଲି।

ଆପଣଙ୍କ ପରି ମୋ ପାଖରେ ମଧ୍ୟ ସରକାରଙ୍କ ପ୍ରଦତ୍ତ ପରିଚୟର ସାତଟି ମୁଖା ଥିଲା।

ପ୍ରଥମ ମୁଖା, ମୋ ଭୋଟର ପରିଚୟ ପତ୍ରଟି ଦେଖାଇଲି।

ସରକାରୀ ସାହେବ କହିଲେ, ଏଇଟି ଭୋଟ ଦେବାର ଅଧିକାର ପତ୍ର, ନାଗରିକତାର ପ୍ରମାଣ ନୁହେଁ।

ତା" ପରେ ଦେଖାଇଲି ମୋ ଆଧାର କାର୍ଡ।

ସାହେବ କହିଲେ, ଏଇଟା ବ୍ୟକ୍ତିଗତ ପରିଚୟ, ନାଗରିକତାର ନୁହେଁ।

କ୍ରମାନ୍ବୟରେ ତା"ପରେ ମୁଁ ଦେଖାଇ ଚାଲିଲି ମୋ ରାସନ କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍‌ସ ଓ ଜନ୍ମ ପ୍ରମାଣ ପତ୍ର।

ଚିଡ଼ିଉଠି ସାହେବ କହିଲେ, ରାସନ କାର୍ଡ ରାସନ ପାଇବା ପାଇଁ, ପ୍ୟାନ୍ କାର୍ଡ ଟ୍ୟାକ୍ସ ଦେବାପାଇଁ, ଡିଏଲ୍ ଗାଡ଼ି ଚଳାଇବା ପାଇଁ ଓ ଜନ୍ମ ପ୍ରମାଣ ପତ୍ର ଜନ୍ମ ତାରିଖ ଜାଣିବା ପାଇଁ।

ଭାରତୀୟ ବୋଲି ଏ ସବୁ ସିଦ୍ଧ କରେନି ତୁମକୁ।

ଶେଷରେ ମୁଁ ବାହାର କଲି ବ୍ରହ୍ମାସ୍ତ୍ର, ମୋର ପାସପୋର୍ଟ ନାମକ ମୁଖା।

ସାହେବ ବିରକ୍ତ ହୋଇ କହିଲେ, ଆରେ!

ଏଇଟା ତୁମର ବିଦେଶ ଭ୍ରମଣ କରିବାର ଅନୁମତି ପତ୍ର।

ନାଗରିକତାର ପ୍ରମାଣ ନୁହେଁ।

ମୁଁ ଉତ୍ତର ଦେଲି, ଆଜ୍ଞା!

ମୋ ପାଖରେ ବିଦେଶୀ ପାସପୋର୍ଟ ରହିଲେ ଆପଣ ମୋ ନାଗରିକତା ଯଦି ପ୍ରତ୍ୟାହାର କରି ନେଉଛନ୍ତି, ଭାରତର ପାସପୋର୍ଟ ଥାଇ ମୁଁ ଭାରତୀୟ ନୁହେଁ କେମିତି?

ଭାରତୀୟ ସାବ୍ୟସ୍ତ ହେବାକୁ ତା"ହେଲେ ଆଉ କେଉଁ ପ୍ରମାଣ ଦେଖାଇବି?

ମୁଁ ସାହେବଙ୍କୁ ବୁଝାଇଲି, ନାଗରିକତାର ଅଧିକାର ଦେଶ ମଧ୍ୟରେ ରହି ସକଳ ଅଧିକାର ପାଇବାର ଅଧିକାର।

ତାହା ଯଦି ଏ ପ୍ରମାଣ ପତ୍ର ଗୁଡ଼ିକରେ ନାହିଁ, ତା"ହେଲେ ଅଛି କେଉଁଠି?

ଆହୁରି ପଢ଼ନ୍ତୁ- Attack: ମ୍ୟାମାରର ବୌଦ୍ଧ ମଠରେ ବିମାନ ଆକ୍ରମଣ: ଧ୍ୟାନ ଶିବିରରେ ଥିବା ୧୪ ଜଣଙ୍କ ମୃତ୍ୟୁ ବିରକ୍ତିରେ ପାଖରେ ଥିବା ଲେମ୍ବୁ ଗଛରୁ କଣ୍ଟାଟିଏ ଆଣି ମୁଁ ଆଙ୍ଗୁଠିରୁ ଟୋପାଏ ରକ୍ତ ବାହାର କରି ସାହେବଙ୍କ କାଚ ଟେବୁଲରେ ପକାଇ କହିଲି, ଏହାର ଡିଏନଏ ଟେଷ୍ଟ କଲେ ମୋର ଭାରତୀୟତାର ପ୍ରମାଣ ଆପଣ ପାଇଯିବେ।

ଚିଡ଼ିଉଠି ସାହେବ କହିଲେ, ମତେ ତୁମେ ବୋକା ଭାବିଛ?

ଆରେ!

ଭାରତ, ପାକିସ୍ତାନ, ନେପାଳ, ବାଂଲାଦେଶ, ଏ ସବୁ ଦେଶ ଲୋକଙ୍କର ଡିଏନଏ ଭାରତୀୟ।

ତୁମେ ଖାଣ୍ଟି ଭାରତୀୟ ହୋଇଥିବାର ଲିପିପତ୍ର ପ୍ରମାଣ ମୋର ଦରକାର।

ଚିନ୍ତା କଲି, ପକ୍କା ଭାରତୀୟର ପ୍ରମାଣ ମୁଁ ଏବେ ପାଇବି କେଉଁଠୁ?

ତା"ହେଲେ କ"ଣ ନାଗରିକତ୍ବ ମୋର ଅଧିକାର ନୁହେଁ?

ସରକାରଙ୍କର ମର୍ଜି ଓ ବଦାନ୍ୟତା ଉପରେ ନିର୍ଭର କରୁଥିବା ଗୋଟିଏ ଅନିଶ୍ଚିତ ସୁବିଧା?

ଏଇ କଥାଟି ଭାବି ଭାବି ମୁଁ ପାଗଳ ହୋଇଗଲି।

ପାଗଳର ନା ନାଗରିକତା ଥାଏ ନା ଆବଶ୍ୟକ ହୁଏ!

ମୋର ନାଗରିକତାର ପରିଚୟ ନାହିଁ ଭଲ ହୋଇଛି।

ଯିଏ ବି ଜାଣିଥାନ୍ତା ମୁଁ ଏ ଦେଶର ନାଗରିକ ସିଏ ମତେ ନିୟନ୍ତ୍ରଣ କରିବାର ମୌକା ପାଇଥାନ୍ତା।

ପରିଚୟ ଯିଏ ଯେତେ ଅଧିକ ଜାଣିଯିବ ତୁମେ ସେମାନଙ୍କର ମାଲିକାନାର ସେତେ ଅଧିକ ମାତ୍ରାରେ ଦାସ ହୋଇଯିବ।

ତୁମର ପରିଚୟ ଜାଣିବା ଲୋକ ହିଁ ତୁମକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ପାରିବ।

ମୁଁ ଏବେ ଭାରତୀୟ ନାଗରିକ ହେବାର କୌଣସି ପ୍ରାମାଣିକ ବନ୍ଧନରେ ବାନ୍ଧି ନହେବା ଫଳରେ ଜଣେ ରହସ୍ୟମୟ ଅନ୍ତର୍ଜାତୀୟ ବ୍ୟକ୍ତି ହୋଇ ଯାଇଛି।

ଗମ୍ଭୀର ହୋଇ କବି ଜିବ୍ରାନ କହିଲେ, ତୁମେ ଭାଗ୍ୟବାନ ଯେ ଯେଉଁ ଦେଶରେ ସମସ୍ତେ ପାଗଳ ତୁମେ ସେହିପରି ଏକ ଦେଶରେ ବାସ କରୁଛ।

ନାଗରିକତାର ପ୍ରମାଣ ଦେବା ତୁମପାଇଁ ଅନାବଶ୍ୟକ।

ଉଭୟ ଏଥର ଉଠିଲୁ।

ରାସ୍ତା କଡ଼ରେ ପଡ଼ିରହିଲା ପରିଚୟ ସୂଚକ ମୋର ସାତଟିଯାକ ମୁଖା। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୩୩୭୬୪୮୬୩୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)