Welcome!

Unlock your personalized experience.
Sign Up

Editorial: ପାହାଡ଼ରେ ନିଆଁ

Oct 14, 2026 - 06:33
Editorial: ପାହାଡ଼ରେ ନିଆଁ

ହାଲ୍‌ଜେନ୍‌ଙ୍କର ଅଦମ୍ୟ ଉଦ୍ୟମ ଓ ବିଚକ୍ଷଣ ଅନ୍ତର୍ଦୃଷ୍ଟିର ଫଳସ୍ବରୂପ ଆଜି ‘ଆଇସ୍ କ୍ୟୁବ୍ ଅବଜର୍ଭେଟରି’ଠାରେ ୧୪ଟି ଦେଶରୁ ଚାରି ଶହରୁ ଅଧିକ ସଂଖ୍ୟକ ବୈଜ୍ଞାନିକ ଏକତ୍ରିତ ହୋଇ ସଂସାର ସମ୍ବନ୍ଧରେ ଆମର ଧାରଣାର ପରିସୀମାକୁ ସଂପ୍ରସାରିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି: ଅଦୃଶ୍ୟ ଧୂମହୀନ ନିଆଁ ଭଳି ଅଦୃଶ୍ୟ ବସ୍ତୁତ୍ବହୀନ ‘ନିଉଟ୍ରିନୋ’ କଣିକାମାନଙ୍କର ଉତ୍ପତ୍ତିସ୍ଥଳ ସନ୍ଧାନରେ ବ୍ୟାପୃତ ରହି ବିଜ୍ଞାନର ମୌଳିକ ଚରିତ୍ରକୁ ବଜାୟ ରଖିଛନ୍ତି।

Neglect: ‘ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର’

‘‘ଯାହା ନ ଦେଖିବ ଦୁଇ ନୟନେ, ପରତେ ନ ଯିବ ଗୁରୁ ବଚନେ।’’ ଭାରତୀୟ ଦର୍ଶନ ଯେଉଁ ଛ’ଟି ପ୍ରମାଣକୁ ‌ଜ୍ଞାନର ବୈଧ ଭିତ୍ତି ରୂପେ ସ୍ବୀକୃତି ପ୍ରଦାନ କରିଛି, ଏଇ ସୁପରିଚିତ ଉପଦେଶଟି ହେଉଛି ସେଥିମଧ୍ୟରୁ ‘ପ୍ରତ୍ୟକ୍ଷ’ ଶ୍ରେଣୀଭୁକ୍ତ (ଅନ୍ୟ ପାଞ୍ଚଟି ହେଲେ ‘ଅନୁମାନ’, ‘ଉପମାନ’, ‘ଅର୍ଥାପତ୍ତି’, ‘ଅନୁପଲବ୍‌ଧି’ ଓ ‘ଶବ୍ଦ’)। କିନ୍ତୁ କୌଣସି ସତ୍ତାକୁ ନିଜର ଦୁଇ ନୟନରେ ନ ଦେଖିଲେ ମଧ୍ୟ ‘ଅନୁମାନ’, ‘ଉପମାନ’, ‘ଅର୍ଥାପତ୍ତି’ ଆଦି ବ୍ୟବହାର କରି ତାହାର ଅସ୍ତିତ୍ବ ସମ୍ବନ୍ଧରେ ଯେ ଅବଗତି ହାସଲ କରାଯାଇ ପାରିବ, ଅକ୍ଷପାଦ ଗୌତମଙ୍କ ଦ୍ବାରା ପ୍ରଣୀତ ‘ନ୍ୟାୟସୂତ୍ର’ରେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ତାହାର ଅବତାରଣା ଦେଖିବାକୁ ମିଳିଥାଏ। ଏହାର ଏକ ପ୍ରସିଦ୍ଧ ଉଦାହରଣ ହେଉଛି ପାହାଡ଼ରେ ନିଅଁା ଲାଗିଛି ବୋଲି ପ୍ରମାଣିତ କରିବା ପାଇଁ ସେଥିରେ ପ୍ରଦାନ କରାଯାଇଥିବା ଯୁକ୍ତି, ଯାହା ହେଉଛି ନିମ୍ନୋକ୍ତ ଭଳି।
‘ପ୍ରତିଜ୍ଞା’: ପାହାଡ଼ରେ ନିଅଁା ଲାଗିଛି; ‘ହେତୁ’: କାରଣ ପାହାଡ଼ରେ ଧୂଅଁା ଦେଖାଯାଉଛି; ‘ଉଦାହରଣ’: ଯେଉଁଠି ଧୂଅଁା ଥାଏ, ସେଠ‌ାରେ ନିଆଁ ଥାଏ- ଯେମିତି ଏକ ଚୁଲିରେ ଦେଖାଯାଉଥିବା ଭଳି ଏବଂ ଏକ ହ୍ରଦରେ ଦେଖାଯାଉ ନ ଥିବା ଭଳି; ‘ଉପନୟ’: ସେଇଭଳି ଏ ପାହାଡ଼ଟି ଧୂମାଚ୍ଛାଦିତ ଦିଶୁଛି; ତେଣୁ ‘ନିଗମନ’: ପାହାଡ଼ରେ ନିଅଁା ଲାଗିଛି।
କିନ୍ତୁ ଏକ ନିଆଁର କଳ୍ପନା କରାଯାଉ ଯାହା ଅଦୃଶ୍ୟ ହୋଇଥା‌ଏ ଓ ଧୂମହୀନ ହୋଇଥାଏ। ଏହାର ଉପସ୍ଥିତି ସମ୍ବନ୍ଧରେ ଆମେ କିପରି ଅବଗତ ହେବା? ସେମିତି, କଳ୍ପନା କରାଯାଉ ଏକ ଅଦୃଶ୍ୟ କଣିକାମାନଙ୍କର ବର୍ଷା ପ୍ରତି ମୁହୂର୍ତ୍ତରେ ଆମ ଶରୀରକୁ ଭେଦ କରି ଧାବମାନ ହେଉଛି, ନଦନଦୀ, ସମୁଦ୍ର, ପାହାଡ଼ପର୍ବତ ଆଦିକୁ ଭେଦ କରି, ଏପରିକି ସମଗ୍ର ପୃଥିବୀକୁ ଭେଦ କରି ତୀବ୍ର ବେଗରେ ଧାଇଁବାରେ ଲାଗିଛି ସତେ ଯେମିତି ଏ ସମସ୍ତ ପାର୍ଥିବ ପ୍ରତିବନ୍ଧକମାନଙ୍କର କୌଣସି ଅସ୍ତିତ୍ବ ନାହିଁ। ଆମେ ତାହାକୁ ଦେଖି ପାରନ୍ତି ନାହିଁ, ଶୁଣି ପାରନ୍ତି ନାହିଁ କିମ୍ବା ସ୍ପର୍ଶ କରିପାରନ୍ତି ନାହିଁ। ଏଇ କଣିକାମାନ କିନ୍ତୁ ସୁଦୂର ଅତୀତରେ ବ୍ରହ୍ମାଣ୍ଡରେ ଘଟିଥିବା ସର୍ବାଧିକ ପ୍ରଳୟଙ୍କରୀ ଘଟଣାମାନ ସମ୍ବନ୍ଧରେ ସନ୍ଦେଶ ବହନ କରିଥା’ନ୍ତି। ଏକ ଅଦୃଶ୍ୟ ଧୂମହୀନ ନିଆଁ ଭଳି ଏଇ କଣିକାମାନଙ୍କ ଉପସ୍ଥିତି ସମ୍ବନ୍ଧରେ ଆମେ ଅବଗତ ହେବାର ଉପାୟ କ’ଣ?

Politics: କଂଗ୍ରେସ ଓ ସିଜେପିର ଲକ୍ଷ୍ୟ ଏକ, ମଞ୍ଚ ଅଲଗା; ଚର୍ଚ୍ଚାରେ ରାହୁଲଙ୍କ ରଣନୀତି

ଏଇ ଉପାୟର ଆବିଷ୍କାର ଦିଗରେ ତାଙ୍କର ଅବଦାନ ହେଉଛି ୨୦୨୬‌ର ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ଲାଭ ପାଇଁ ୮୨ ବର୍ଷୀୟ ବେଲ୍‌ଜିଆନ୍‌-ଆମେରିକାନ୍ କଣିକା ପଦାର୍ଥବିଜ୍ଞାନୀ (ପାର୍ଟିକ୍ଲ ଫିଜିସିଷ୍ଟ) ଫ୍ରାନ୍‌ସିସ୍ ହାଲ୍‌ଜେନ୍ ଯୋଗ୍ୟ ବିବେଚିତ ହେବାର କାରଣ। ଅଦୃଶ୍ୟ ଧୂମହୀନ ନିଅଁା ସଦୃଶ ଏଇ କଣିକାମାନ ହେଉଛନ୍ତି ‘ନିଉଟ୍ରିନୋଜ’, ଏବଂ ଅଦୃଶ୍ୟ ଧୂମହୀନ ନିଆଁର ଉପସ୍ଥିତି ଠାବ କରିବା ପାଇଁ ‘ନ୍ୟାୟସୂତ୍ର’ରେ କୌଣସି ଉପାୟ ଉପଲବ୍‌ଧ ନ ଥିବା ଭଳି, ‘ନିଉଟ୍ରିନୋ’କୁ ଠାବ କରିବା ପାଇଁ ପଦାର୍ଥବିଜ୍ଞାନରେ କୌଣସି ଉପାୟ ଉପଲବ୍‌ଧ ନ ଥିଲା- ହାଲ୍‌ଜେନ୍‌ଙ୍କର ନେତୃତ୍ବରେ ଦୀର୍ଘ ସାତ ବର୍ଷ ଧରି ଏକ ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ନିର୍ମାଣ କାର୍ଯ୍ୟ ଚାଲିବା ପରେ ଚିର ବରଫାବୃତ ଦକ୍ଷିଣ ମେରୁ ଅଞ୍ଚଳରେ ଦୁଇ କିଲୋମିଟର ଗଭୀରତାରେ ୨୦୧୧ରେ ‘ଆଇସ୍ କ୍ୟୁବ୍ ଅବଜର୍ଭେଟରି’ ନିର୍ମିତ ହୋଇ ସେଠାରେ ୫,୦୦୦ରୁ ଅଧିକ ସଂଖ୍ୟକ ଅତ୍ୟନ୍ତ ସମ୍ବେଦନଶୀଳ ‘ଲାଇଟ୍ ସେନ୍‌ସର’ ସ୍ଥାପିତ ହେବା ପର୍ଯ୍ୟନ୍ତ।
ତାରକା ବିସ୍ଫୋରଣ (ସୁପରନୋଭା) କିମ୍ବା ଅତିକାୟ ‘ବ୍ଲାକ୍‌ହୋଲ୍’ର ଆବିର୍ଭାବ ଭଳି ପ୍ରଳୟଙ୍କରୀ ମହାଜାଗତିକ ଘଟଣାମାନଙ୍କ ଦ୍ବାରା ସୃଷ୍ଟ ଉପ-ପାରମାଣବିକ କଣିକା (ସବ୍‌-ଆଟମିକ୍ ପାର୍ଟିକ୍ଲ) ‘ନିଉଟ୍ରିନୋ’କୁ ‘ଭୌତିକ କଣିକା’ (‘ଘୋଷ୍ଟ ପାର୍ଟିକ୍ଲ’) ରୂପେ ଅଭିହିତ କରାଯାଇଥାଏ, କାରଣ ଏହାର ପ୍ରାୟ ଆଦୌ କୌଣସି ‘ବସ୍ତୁତ୍ବ’ (‘ମାସ୍’) ନ ଥାଏ ଏବଂ ‘ଇଲେକ୍ଟ୍ରିକ ଚାର୍ଜ’ ନ ଥାଏ। ଏଇ କାରଣରୁ ଏଇ ଭୌତିକ କଣିକାମାନଙ୍କର କୌଣସି ସାଧାରଣ ବସ୍ତୁ ବା ପଦାର୍ଥ ସହିତ କୌଣସି କ୍ରିୟା-ପ୍ରତିକ୍ରିୟା ଘଟି ନ ଥାଏ। ସେଇଥିପାଇଁ ପ୍ରତି ମୁହୂର୍ତ୍ତରେ ଶହଶହ କୋଟି ସଂଖ୍ୟକ ‘ନିଉଟ୍ରିନୋ’ ଆମ ଶରୀର ତଥା ସମଗ୍ର ପୃଥିବୀକୁ ଭେଦ କରି ବିଚ୍ଛୁରିତ ହେବାରେ ଲାଗିଥିଲେ ହେଁ, ସେମାନେ ପ୍ରାୟ କୌଣସି ସାମାନ୍ୟତମ ଚିହ୍ନ ଛାଡ଼ି ଯାଇ ନଥାନ୍ତି। ଏଣୁ ନା ଆମର ଇନ୍ଦ୍ରିୟମାନେ, ନା ବୈଜ୍ଞାନିକମାନେ ନିର୍ମାଣ କରିଥିବା କୌଣସି ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଯନ୍ତ୍ର ଏହି ଭୌତିକ ସତ୍ତାମାନଙ୍କୁ ପର୍ଯ୍ୟବେକ୍ଷଣ କରିବାକୁ ସମର୍ଥ ହେଉଥିଲେ।
ଅତୀତରେ ପ୍ରସିଦ୍ଧ ଜର୍ମାନ୍ ଦାର୍ଶନିକ ସୋପେନ୍‌ହାଉଅର୍ ସଂସାରର ଯେଉଁ ପରିଚୟ ପ୍ରଦାନ କରି ପ୍ରସିଦ୍ଧି ଲାଭ କରିଥିଲେ, ତାହା ହେଲା: ‘‘ସଂସାର ହେଉଛି ମୋର ଧାରଣା’’ (‘‘ଦି ୱର୍ଲଡ ଇଜ ମାଇଁ ଆଇଡିଆ’’)। ଅର୍ଥାତ୍ ଆମେ ଯାହାକୁ ସଂସାର ବୋଲି ଜାଣୁ, ତାହା ହେଉଛି କେବଳ ଆମେ ଆମର ଇନ୍ଦ୍ରିୟ, ମସ୍ତିଷ୍କ ଓ ଉପରୋକ୍ତ ପର୍ଯ୍ୟବେକ୍ଷଣ ଯନ୍ତ୍ରମାନଙ୍କ ସହାୟତାରେ ଧାରଣା କରିପାରୁଥିବା ସଂସାର ମାତ୍ର, ଯାହା ବାଦ୍ ରହିଥିବା ସଂସାର ସମ୍ବନ୍ଧରେ ଆମେ ହେଉଛୁ ସଂପୂର୍ଣ୍ଣ ଅଜ୍ଞ। ବିଜ୍ଞାନର ଅସଲ ଦାୟିତ୍ବ ହେଉଛି ଏଇ ଅଜ୍ଞତାକୁ ଧୀରେ ଧୀରେ ଭେଦ କରି ସଂସାରର ପ୍ରକୃତ ପରିଚୟ ସଂପର୍କରେ ଆମର ଧାରଣାର ପରିସୀମାକୁ ସଂପ୍ରସାରିତ କରିବା। ‘ନିଉଟ୍ରିନୋ’ର ଅନୁଧାବନ ହେଉଛି ସେଇ ମୌଳିକ ଉଦ୍ୟମର ଏକ ତତ୍ପର୍ଯ୍ୟପୂର୍ଣ୍ଣ ଅଂଶ। ଏବଂ ସେଥିରେ ହାଲ୍‌ଜେନ୍‌ଙ୍କର ନେତୃସ୍ଥାନୀୟ ଅବଦାନ ଏଥର ନୋବେଲ ପୁରସ୍କାର ଚୟନ କମିଟିର ଦୃଷ୍ଟି ଆକର୍ଷଣ କରିଛି।
ପ୍ରଳୟଙ୍କର ପରିସ୍ଥିତିରୁ ଉଦ୍ଭବ ହେବା ପରେ ‘ନିଉଟ୍ରିନୋ’ମାନେ ଅସୀମ ଦୂରତା ଅତିକ୍ରମ କରି ଗତି କରିବାବେଳେ ପୂର୍ବେ କୁହାଯାଇଥିବା ଭଳି କୌଣସି ବାଧାବିଘ୍ନ ଦ୍ବାରା ପଥଚ୍ୟୁତ ହୋଇ ନଥାନ୍ତି; ସେମାନେ ଚୁମ୍ବକୀୟ କ୍ଷେତ୍ର ଦ୍ବାରା ପ୍ରଭାବିତ ହୋଇ ନଥାନ୍ତି କିମ୍ବା କୌଣସି ପଦାର୍ଥ ଦ୍ବାରା ଶୋଷିତ ହୋଇ ନଥାନ୍ତି। ଏଇ କାରଣରୁ ସେମାନଙ୍କ ଯାତ୍ରାପଥ ସେମାନଙ୍କର ଆବିର୍ଭାବସ୍ଥଳୀ ସମ୍ବନ୍ଧରେ ନିର୍ଭୁଲ୍‌ ସୂଚନା ସାଇତି ରଖିଥାଏ। କିନ୍ତୁ ସମସ୍ୟା ହେଲା ଅନବରତ ଅସଂଖ୍ୟ ‘ନିଉଟ୍ରିନୋ’, ସେମାନଙ୍କର ଯାତ୍ରାପଥରେ ଅଗ୍ରସର ହେବାରେ ଲାଗିଥିଲେ ମଧ୍ୟ ସେମାନେ ଯେହେତୁ ପ୍ରାୟ କୌଣସି ପଦାର୍ଥ ସହିତ ପାରସ୍ପରିକ କ୍ରିୟା-ପ୍ରତିକ୍ରିୟାରେ ସଂପୃକ୍ତ ହୋଇ ନଥାନ୍ତି, ସେମାନେ କେଉଁଠି ହେଲେ ନିଅଁାର ଧୂଅଁା ଭଳି ନିଜର ପଦଚିହ୍ନ ଛାଡ଼ି ଯାଇ ନଥାନ୍ତି।
ଯେଉଁ ଅତ୍ୟନ୍ତ ବିରଳ ଘଟଣାରେ ଏପରି କ୍ରିୟା-ପ୍ରତିକ୍ରିୟା ଘଟିଥାଏ, ତାହାକୁ ଚିହ୍ନଟ କରିବାକୁ ହେଲେ ଏକ ବିଶାଳ ଚିହ୍ନଟକାରୀ ବ୍ୟବସ୍ଥା (ଡିଟେକ୍ଟର)ର ଆବଶ୍ୟକତା ରହିଛି ବୋଲି ହାଲ୍‌ଜେନ୍ ଅନୁଭବ କରି ତାହା ସାକାର କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଦେଲେ, ତାହା ଚମକପ୍ରଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦକ୍ଷିଣମେରୁ ତଳେ ରହିଥିବା ଅତୁଳନୀୟ ଭାବରେ ସ୍ବଚ୍ଛ ବରଫର ଆସ୍ତରଣ ଏଇ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ସ୍ଥାପନ ପାଇଁ ପ୍ରକୃଷ୍ଟ ହେବ ବୋଲି ଅନୁଭବ କରି ତାହାକୁ ବାସ୍ତବ ରୂପ ଦେବା ପାଇଁ ୧୯୮୮ ଠାରୁ ହାଲ୍‌ଜେନ୍ ଯେଉଁ ଅବିରାମ ଅଭିଯାନ ଆରମ୍ଭ କରିଥିଲେ, ଏହା ସଂପୂର୍ଣ୍ଣ ହୋଇ ‘ଆଇସ୍ କ୍ୟୁବ୍ ଅବଜର୍ଭେଟରି’ ରୂପ ପରିଗ୍ରହଣ କଲାବେଳକୁ ‘ନିଉଟ୍ରିନୋ’ମାନଙ୍କୁ ଧରିବା ପାଇଁ ଯେଉଁ ପ୍ରାୟ ଏକ ଘନ କିଲୋମିଟରବ୍ୟାପୀ କୁମେରୁ ବରଫରେ ପାଞ୍ଚ ହଜାରରୁ ଅଧିକ ସଂଖ୍ୟକ ‘ଲାଇଟ୍ ସେନ୍‌ସର’ ଖଞ୍ଜି ଦିଆଯାଇଥିଲା। ଯେତେବେଳେ କଁା ଭଁା କେମିତି ଏକ ‘ନିଉଟ୍ରିନୋ’ ଏକ ଆଣବିକ ‘ନିଉକ୍ଲିଅସ’ ସହିତ ଧକ୍‌କା ଖାଇଥାଏ, ସେତେବେଳେ ସେଥିରୁ ଉତ୍ପନ୍ନ କ୍ଷୀଣ ଆଲୋକର ଛଟାକୁ ଏଇ ସେନ୍‌ସର ମାଧ୍ୟମରେ ଅନୁଶୀଳନ କରି ଗବେଷକମାନେ ସେଇ କଣିକାର ଉତ୍ପତ୍ତି ସ୍ଥଳ ଆବିଷ୍କାର କରିବାରେ ସକ୍ଷମ ହୋଇଥା’ନ୍ତି।
ହାଲ୍‌ଜେନ୍‌ଙ୍କର ଏଇ ମାନସ ସନ୍ତାନ ଭୂମିଷ୍ଠ ହେବା କିନ୍ତୁ ସହଜ ନ ଥିଲା- ସେଥିପାଇଁ ଆବଶ୍ୟକ ସମ୍ବଳ ସଂଗ୍ରହ କରିବା ଓ ଆନ୍ତର୍ଜାତିକ ସହଯୋଗ ନିଶ୍ଚିତ କରିବା ଘୋର କାଠିକର ପାଠ ଥିଲା ଓ ସମୟସାପେକ୍ଷ ଥିଲା। ଯେହେତୁ ଅନ୍ୟାନ୍ୟ ଗବେଷଣା ପରି ଏଭଳି ମୌଳିକ ଗବେଷଣାରୁ ତତ୍‌କ୍ଷଣାତ୍ କୌଣସି ବିକ୍ରିଯୋଗ୍ୟ ଲାଭପ୍ରଦ ଫଳ ଉପୁଜି ନ ଥାଏ, ଏଭଳି ଉଦ୍ୟମ ପାଇଁ ପୃଷ୍ଠପୋଷକ ମିଳିବା ସହଜ ହୋଇ ନ ଥାଏ। କିନ୍ତୁ ତଥାପି ହାଲ୍‌ଜେନ୍‌ଙ୍କର ଅଦମ୍ୟ ଉଦ୍ୟମ ଓ ବିଚକ୍ଷଣ ଅନ୍ତର୍ଦୃଷ୍ଟିର ଫଳସ୍ବରୂପ ଆଜି ‘ଆଇସ୍ କ୍ୟୁବ୍ ଅବଜର୍ଭେଟରି’ଠାରେ ୧୪ଟି ଦେଶରୁ ଚାରି ଶହରୁ ଅଧିକ ସଂଖ୍ୟକ ବୈଜ୍ଞାନିକ ଏକତ୍ରିତ ହୋଇ ସଂସାର ସମ୍ବନ୍ଧରେ ଆମର ଧାରଣାର ପରିସୀମାକୁ ସଂପ୍ରସାରିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି: ଅଦୃଶ୍ୟ ଧୂମହୀନ ନିଆଁ ଭଳି ଅଦୃଶ୍ୟ ବସ୍ତୁତ୍ବହୀନ ‘ନିଉଟ୍ରିନୋ’ କଣିକାମାନଙ୍କର ଉତ୍ପତ୍ତିସ୍ଥଳ ସନ୍ଧାନରେ ବ୍ୟାପୃତ ରହି ବିଜ୍ଞାନର ମୌଳିକ ଚରିତ୍ରକୁ ବଜାୟ ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)