Editorial: ନୂଆ ଦିଗନ୍ତ ସନ୍ଧାନୀ
"ଆମେରିକାରେ, ନୂତନ ଦିଗନ୍ତ ସନ୍ଧାନୀ ଉଚ୍ଚାଭିଳାଷୀ ବୈଜ୍ଞାନିକଙ୍କୁ ରୋକିବା ଲାଗି "ନାସା" ତା"ର ଦ୍ବାର କିଳି ଦେଇ ନାହିଁ; ବରଂ ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତାର ସଂପ୍ରସାରଣକୁ ସୁଯୋଗ ଦେଇ ଏକ ସଂକରଧର୍ମୀ କର୍ମ ସଂସ୍କୃତି ସୃଷ୍ଟି କରିଛି, ଯହିଁରେ ସେମାନେ ଏକାଧିକ ସ୍ଥାନରେ କାର୍ଯ୍ୟରତ, ଠିକ୍ "କନସଲଟାଣ୍ଟ"ମାନଙ୍କ ଭଳି; ଯେମିତି ସିଗଲଙ୍କ ମଧ୍ୟରେ ଜନାଥନ ଲିଭିଂଷ୍ଟୋନ!
ଭାରତ ସକାଶେ ମଧ୍ୟ ସମସ୍ୟା ସମାଧାନର ସୂତ୍ରଟିଏ ଏଥିରେ ରହିଛି।Advertisment Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ ମହାକାଶ ବିଜ୍ଞାନ ଗବେଷଣା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଦ୍ୟମାନ ସରକାରୀ ତଥା ଶୀର୍ଷତମ ଓ ସର୍ବାଧିକ ମର୍ଯ୍ୟାଦାବନ୍ତ ଅନୁଷ୍ଠାନ "ଇସ୍ରୋ" (ଇଣ୍ଡିଆନ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ)ରୁ ଗୋଟିଏ ବର୍ଷରେ ୧୨୦ ଜଣ ସର୍ବୋଚ୍ଚ ସ୍ତରୀୟ ("ଏ" କାଟାଗରି) ବୈଜ୍ଞାନିକଙ୍କ ଅନ୍ୟତ୍ର ପଳାୟନ କେବଳ ଚାଞ୍ଚଲ୍ୟ ସୃଷ୍ଟି କରିନାହିଁ, ଭାରତୀୟ ମହାକାଶ ଗବେଷଣାର ଭବିଷ୍ୟତ ନେଇ ମଧ୍ୟ ଚିନ୍ତାର କାରଣ ହେଲାଣି।
ଯଦିଓ, ଏ ପରିପ୍ରେକ୍ଷୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ କହିଥାଏ ଯେ ଏଭଳି "ଯିବା ଆସିବା" ଏକ ସାଧାରଣ ବ୍ୟାପାର, ସରକାରଙ୍କ ବିବ୍ରତବୋଧର ସଂକେତ ହେଲା ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶନାମା, ଯହିଁରେ କୁହାଯାଇଛି ଯେ "ଏ" କାଟାଗରିର ବୈଜ୍ଞାନିକମାନଙ୍କ ଇସ୍ତଫା ପ୍ରଦାନ ବା ସ୍ବେଚ୍ଛାକୃତ ଅବସର ସମ୍ବନ୍ଧୀୟ ଆବେଦନର ବିଚାର ସଂପୃକ୍ତ ପ୍ରାତିଷ୍ଠାନିକ ସ୍ତରରେ ନ ହୋଇ ଏଣିକି କେନ୍ଦ୍ର ମନ୍ତ୍ରାଳୟରେ ହେବ।
ଏଭଳି ସ୍ଥଳେ, କ୍ୟାରିଅର ବା ଜୀବନ ଧାରାରେ ପରିବର୍ତ୍ତନ ଚାହୁଁଥିବା ବୈଜ୍ଞାନିକମାନଙ୍କ ଗତିପଥ ଏହି ଆଦେଶ ଦ୍ବାରା ଅବରୁଦ୍ଧ ହୋଇଯିବ ବୋଲି ଧାରଣା ସୃଷ୍ଟି ହୋଇଥିବା ବେଳେ ଏହାକୁ ଭ୍ରାନ୍ତ ବୋଲି ଦର୍ଶାଇ ସରକାର କହିଛନ୍ତି ଯେ ସଂବେଦନଶୀଳ ପ୍ରସଙ୍ଗରେ ଠିକଣା ନିଷ୍ପତ୍ତି ନେବା ସକାଶେ ଏଭଳି ପଦକ୍ଷେପ ଆବଶ୍ୟକ ହୋଇଥାଏ।
ପ୍ରଶ୍ନ ଉଠିଥାଏ ଯେ ବିଚକ୍ଷଣ ବୈଜ୍ଞାନିକମାନେ କେଉଁଠାକୁ ଯାଉଛନ୍ତି?
ଉତ୍ତର ହେଲା, ୨୦୨୦ ମସିହାରେ, ମହାକାଶ ବିଜ୍ଞାନ ଆଇନରେ ଏକ ଯୁଗାନ୍ତକାରୀ ସଂସ୍କାର ଅଣାଯିବା ପରେ, ମହାକାଶ ଗବେଷଣା ଓ ପ୍ରଯୁକ୍ତି କ୍ଷେତ୍ର ଘରୋଇ ଉଦ୍ୟୋଗ ସକାଶେ ଉନ୍ମୁକ୍ତ ହୋଇଥିବାରୁ, ବୈଜ୍ଞାନିକମାନେ ସେଠାକୁ ଯାଉଛନ୍ତି।
ପ୍ରକାଶ ଥାଉ କି ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସଂପ୍ରତି ପ୍ରାୟ ୪୦୦ ସରିକି "ଷ୍ଟାର୍ଟଅପ୍" କଂପାନି ସେମାନଙ୍କ ପରାକାଷ୍ଠା ପ୍ରଦର୍ଶନ ଲାଗି ଉଦ୍ଗ୍ରୀବ, ଯେଉଁଗୁଡ଼ିକ ୫୦୦ ନିୟୁତ ଡଲାର ପରିମିତ ବିନିବେଶ ଲାଭ କରି ସାରିଲେଣି ଏବଂ ଯାହା ଏହି ବୈଜ୍ଞାନିକମାନଙ୍କ ସକାଶେ ନୂତନ ବିକଳ୍ପ ଓ ଦିଗନ୍ତର ସମ୍ଭାବନା ସୃଷ୍ଟି କରିଛି।
ଏଭଳି ସ୍ଥିତିରେ ଘରୋଇ ଅନୁଷ୍ଠାନଗୁଡ଼ିକରେ ମିଳୁଥିବା କେଇ ଗୁଣ ଅଧିକ ବେତନ ବା ଉତ୍କର୍ଷକୁ ମହତ୍ତ୍ବ ଓ ନୂତନ ଚିନ୍ତନକୁ ରୂପ ଦେବାରେ ପ୍ରଚୁର ସ୍ବାଧୀନତା କିମ୍ବା ଅନ୍ତରୀଣ ରାଜନୀତିରୁ ମୁକ୍ତ ଅନୁକୂଳ କାର୍ଯ୍ୟ ପରିବେଶ ଇତ୍ୟାଦି ଆକର୍ଷଣର କେନ୍ଦ୍ର ପାଲଟିଛି।
ପୂର୍ବରୁ ଏହା ପ୍ରମାଣିତ ଯେ ବ୍ୟାଙ୍କିଙ୍ଗ ହେଉ ବା ଚିକିତ୍ସା ସେବା ବା ଉଚ୍ଚ ଶିକ୍ଷା କ୍ଷେତ୍ର, ଯେଉଁ କ୍ଷେତ୍ରରୁ ସରକାରୀ ଏକଚାଟିଆର ଅବଲୁପ୍ତି ହୋଇ ଘରୋଇ ଉଦ୍ୟୋଗର ପ୍ରବେଶ ଘଟିଛି, ତହିଁରେ ଅଭିଜ୍ଞ ଓ ବିଚକ୍ଷଣମାନଙ୍କ ସୀମାନ୍ତ ଅତିକ୍ରମ ମଧ୍ୟ ପରିଦୃଷ୍ଟ ହୋଇଛି।
ନିକଟରେ, ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା କିଭଳି ୨୦୨୩ରୁ ୨୦୨୫ ମଧ୍ୟରେ ଭାରତର ସର୍ବାଧିକ ସମ୍ମାନାସ୍ପଦ ଡାକ୍ତରଖାନା, ଦିଲ୍ଲୀସ୍ଥିତ "ଏମ୍ସ"ରୁ ୧୫ ଜଣ ଶୀର୍ଷ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତ ଚିକିତ୍ସା ବିଶେଷଜ୍ଞ ବିଭିନ୍ନ ଘରୋଇ ହାସପାତାଲକୁ ଚାଲି ଯାଇଛନ୍ତି।
ଏଭଳି ସ୍ଥଳେ ସାଧାରଣ ଜ୍ଞାନ କହିଥାଏ ଯେ ନୂତନ ଚାରଣ ଭୂମି ଲାଗି ଅର୍ଗଳି ଖୋଲିବା ପୂର୍ବରୁ ନିଜ ପଟକୁ ଅଧିକ ସବୁଜ କରି ରଖିବାର ପ୍ରାକ୍ ପ୍ରସ୍ତୁତି ଆବଶ୍ୟକ; ବସ୍ତୁତଃ ଯାହା ହୋଇପାରିନାହିଁ।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ବୈଜ୍ଞାନିକମାନଙ୍କ ଈର୍ଷଣୀୟ ବିଚକ୍ଷଣତା ଓ ଦକ୍ଷତା ହେତୁ ମହାକାଶ ଗବେଷଣା ଓ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚାଙ୍ଗ ଉପଲବ୍ଧି ହାସଲ କରିଥିବା ପାଞ୍ଚ ସଦସ୍ୟ (ଆମେରିକା, ଚୀନ, ରୁଷିଆ, ଜାପାନ ଓ ୟୁରୋପୀୟ ଦେଶ) ସଂବଳିତ "ବିଶିଷ୍ଟଙ୍କ କ୍ଲବ୍"ରେ ଷଷ୍ଠ ସଦସ୍ୟ ଭାବେ ଭାରତ ଉପସ୍ଥିତ ହୋଇଛି।
ତେବେ, ଏହି ପରିପ୍ରେକ୍ଷୀରେ ଯାହା ସର୍ବାଧିକ କୌତୂହଳ ଓ ଚର୍ଚ୍ଚାର ବିଷୟ ହୋଇଛି, ତାହା ହେଲା ଅତ୍ୟନ୍ତ ସଂକୁଚିତ ବଜେଟ୍ରେ "ଇସ୍ରୋ" ଲାଭ କରିଥିବା ଅତୁଳନୀୟ ସଫଳତା।
ଉଦାହରଣ ସ୍ବରୂପ, ୨୦୧୩ ମସିହାରେ ଆରମ୍ଭ ହୋଇଥିବା ମଙ୍ଗଳ ଅଭିଯାନ କ୍ରମରେ, ପ୍ରଥମ ଉଦ୍ୟମରେ ମଙ୍ଗଳ ଗ୍ରହର କକ୍ଷ ପଥରେ "ଅର୍ବିଟର"କୁ ସଫଳ ଭାବେ ସ୍ଥାପନ କରିବାରେ ବ୍ୟୟ ହୋଇଥିଲା ୭୪ ନିୟୁତ ଡଲାର, ଯାହା ହଲିଉଡ୍ର ବିଜ୍ଞାନଧର୍ମୀ ଚଳଚ୍ଚିତ୍ର "ଗ୍ରାଭିଟି" ବା "ଇଣ୍ଟରଷ୍ଟେଲାର" ଠାରୁ ମଧ୍ୟ କମ୍ ଏବଂ ଚନ୍ଦ୍ରଯାନଗୁଡ଼ିକ ଠାରୁ ଆରମ୍ଭ କରି ବିଭିନ୍ନ ଉପଗ୍ରହ ପର୍ଯ୍ୟନ୍ତ ସବୁଥିରେ ଏଭଳି ବିସ୍ମୟକର ବିଚକ୍ଷଣତା ଦୃଷ୍ଟିଗୋଚର ହୋଇଥାଏ।
ତେବେ, ପ୍ରଶ୍ନ ଉଠିଥାଏ ଯେ ମହାକାଶ ବିଜ୍ଞାନ ଓ ଗଗେଷଣାରେ ଉଚ୍ଚାଭିଳାଷୀ ଲକ୍ଷ୍ୟ ସତ୍ତ୍ବେ ଏକ ସଂକୁଚିତ ବଜେଟ ପ୍ରାବଧାନ ହେତୁ ବୈଜ୍ଞାନିକମାନଙ୍କ ଲାଗି ଏହା ଏକ ବାଧ୍ୟବାଧକତା ହୋଇଯାଏ ନାହିଁ ତ?
ପ୍ରକାଶ ଥାଉ କି ମହାକାଶ କ୍ଷେତ୍ରରେ ଭାରତୀୟ ବଜେଟ ପ୍ରାବଧାନ ହେଉଛି ଜି.ଡି.ପି.ର ମାତ୍ର ୦.୦୪% (ପ୍ରାୟ ୧.୬ ବିଲିଅନ ଡଲାର), ଯେତେବେଳେ କି ଚୀନ ବ୍ୟୟ କରିଥାଏ ତା" ଜି.ଡି.ପି.ର ୦.୧% (୨୦ ବିଲିଅନ ଡଲାର)।
ଏଣେ, ଭାରତୀୟ ଜି.ଡି.ପି.ର ପ୍ରାୟ ପାଞ୍ଚ ଗୁଣ ହେଉଛି ଚୀନର ଜି.ଡି.ପି.।
କହିବାର ତାତ୍ପର୍ଯ୍ୟ ହେଲା, ଅତ୍ୟନ୍ତ ଆକର୍ଷଣୀୟ ସୁଯୋଗ ଦ୍ବାରଦେଶରେ କରାଘାତ କଲେ ବିରଳ ଶ୍ରେଣୀୟ ଭାରତୀୟ ବିଚକ୍ଷଣତାକୁ ବାନ୍ଧି ରଖିବା କଷ୍ଟକର ହେବ ନାହିଁ କି?୨୦୦୨ ମସିହାରେ, ଏଲନ ମସ୍କଙ୍କ ଦ୍ବାରା "ସ୍ପେସ ଏକ୍ସ" ସ୍ଥାପିତ ହେବା ପରେ ତା" ଦ୍ବାରା ଆକର୍ଷିତ ହୋଇ ଅନେକ ତୁଙ୍ଗ ମହାକାଶ ବିଜ୍ଞାନୀ ଓ ଇଂଜିନିଅର "ନାସା" ଭଳି ପୃଥିବୀ ପ୍ରସିଦ୍ଧ ଓ ଅତୁଲ୍ୟ ଯଶସ୍ବୀ ଅନୁଷ୍ଠାନକୁ ପରିତ୍ୟାଗ କରି ସର୍ବତ୍ର ଆଲୋଡ଼ନ ସୃଷ୍ଟି କରିଥିଲେ।
କିନ୍ତୁ, ଉଦାର ଅର୍ଥନୀତି ଓ ବଜାର ପରିଚାଳିତ ବ୍ୟବସ୍ଥାକୁ ବୁଝିଥିବା ଲୋକେ ଜାଣିଥିଲେ ଯେ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ମୁକାବିଲା ହେଲେ ଏଭଳି ଦୃଶ୍ୟ ପରିଦୃଷ୍ଟ ହେବା ସ୍ବାଭାବିକ, ଯାହା ଭାରତରେ ମଧ୍ୟ ଘଟୁଛି।
ତେବେ, ଏଥିରେ ଚିତ୍ତାକର୍ଷକ ଦିଗଟି ହେଲା, ଅନେକ ବିଚକ୍ଷଣ ବୈଜ୍ଞାନିକ, କେବଳ ଚାକିରି ସକାଶେ ନୁହେଁ, ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଔଦ୍ୟୋଗିକ ପଦଚିହ୍ନ ରଖିଯିବା ଲାଗି ଏଭଳି ପଦକ୍ଷେପ େନଇଛନ୍ତି।
ସଂପ୍ରତି ଭାରତୀୟ ମହାକାଶ କ୍ଷେତ୍ରରେ ଅଗ୍ରଗଣ୍ୟ ଘରୋଇ ଉଦ୍ୟୋଗ ମଧ୍ୟରେ ଅନ୍ୟତମ "ସ୍କାଏ ରୁଟ୍ସ"ର ପ୍ରତିଷ୍ଠାତା, ମାଡ୍ରାସ ଆଇ.ଆଇ.ଟି.
ସ୍ନାତକ, ପବନ ଚନ୍ଦାନା ମଧ୍ୟ "ଇସ୍ରୋ"ରେ କାର୍ଯ୍ୟ କରିଛନ୍ତି ଏବଂ ସେହି ଅଭିଜ୍ଞତାକୁ ଔଦ୍ୟୋଗିକ ସାମର୍ଥ୍ୟରେ ପରିଣତ କରିବାକୁ ଉଦ୍ୟମଶୀଳ।
ଅତଏବ, ସାମର୍ଥ୍ୟ ପ୍ରତିପାଦନର ଦିଗନ୍ତ ଲୋଭନୀୟ ଭାବେ ବିସ୍ତୃତ ହୋଇଛି, ଯାହା ମଧ୍ୟ ଏକ ସୁସମ୍ବାଦ।
Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର ରିଚାର୍ଡ ବାକଙ୍କ ସୁପ୍ରସିଦ୍ଧ କ୍ଷୁଦ୍ର ଉପନ୍ୟାସ "ଜନାଥନ ଲିଭିଂଷ୍ଟୋନ ସିଗଲ୍"ରେ ବର୍ଣ୍ଣିତ ଅଛି, କିଭଳି ଏହି ନାମଧାରୀ ସିଗଲ୍ ପକ୍ଷୀଟି ନିଜ ସାମର୍ଥ୍ୟର ଚୌହଦି, ସ୍ବାଧୀନତାର ସୀମା ଓ ଅସ୍ତିତ୍ବର ନୂତନ ଦିଗନ୍ତ ଆବିଷ୍କାର କରିବାକୁ ଯାଇ, ସବୁ ପକ୍ଷୀଙ୍କ ଭଳି ଇତର ଜୀବନ ନ ଜିଇ, ନିଜର ଉଡ଼ିବାର କଳାକୁ ଶାଣିତ କରିବାରେ ବ୍ୟାପୃତ ରହିଛି।
ତା"ର ଏଭଳି ଉଚ୍ଚାଭିଳାଷରେ କ୍ଷୁବ୍ଧ ଆପଣା ପକ୍ଷୀଯୂଥ ତାକୁ ଦଳରୁ ତ୍ୟାଜ୍ୟ କରି ଦେଇଛନ୍ତି।
କିନ୍ତୁ, ଏକନିଷ୍ଠ ଜନାଥନ ପରିଶେଷରେ ଅପୂର୍ବ ଉଡ଼ାଣ କଳାର ଅଧିକାରୀ ହୋଇଛି ଏବଂ ତା"ର ଅନୁଭୂତି ଓ ଅଭିଜ୍ଞତା ଆଧାରରେ ଅନ୍ୟ ସିଗଲ୍ ପକ୍ଷୀଙ୍କଠାରେ ନୂତନ ସମ୍ଭାବନା ସୃଷ୍ଟି କରିବାରେ ଲାଗିଛି।
ଏହି ଗଳ୍ପରେ, ଏଠାରେ ଆଲୋଚ୍ୟ ବିଷୟବସ୍ତୁ ସହିତ କିଛି ସାମଞ୍ଜସ୍ୟ ଦିଶିଥାଏ କି?
ସମସ୍ୟା ସମାଧାନର କୌଣସି ସୂତ୍ର ମିଳିଥାଏ କି?
ଆମେରିକାରେ, ନୂତନ ଦିଗନ୍ତ ସନ୍ଧାନୀ ଉଚ୍ଚାଭିଳାଷୀ ବୈଜ୍ଞାନିକଙ୍କୁ ରୋକିବା ଲାଗି "ନାସା" ତା"ର ଦ୍ବାର କିଳି ଦେଇ ନାହିଁ; ବରଂ ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତାର ସଂପ୍ରସାରଣକୁ ସୁଯୋଗ ଦେଇ ଏକ ସଂକରଧର୍ମୀ କର୍ମ ସଂସ୍କୃତି ସୃଷ୍ଟି କରିଛି, ଯହିଁରେ ସେମାନେ ଏକାଧିକ ସ୍ଥାନରେ କାର୍ଯ୍ୟରତ, ଠିକ୍ "କନସଲଟାଣ୍ଟ"ମାନଙ୍କ ଭଳି; ଯେମିତି ସିଗଲଙ୍କ ମଧ୍ୟରେ ଜନାଥନ ଲିଭିଂଷ୍ଟୋନ!
ଭାରତ ସକାଶେ ମଧ୍ୟ ସମସ୍ୟା ସମାଧାନର ସୂତ୍ରଟିଏ ଏଥିରେ ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।