Editorial: ଓଡ଼ିଶା ବନ୍ୟା: ଏ ପ୍ରଶ୍ନର ଉତ୍ତର କାହିଁ?: ଭବାନୀ ଶଙ୍କର ତ୍ରିପାଠୀଙ୍କ ସମ୍ପାଦକୀୟ ମଞ୍ଜ କଥାରେ ପଢ଼ନ୍ତୁ ଏଥର...
"ଓଡ଼ିଶା ବନ୍ୟା: ଏ ପ୍ରଶ୍ନର ଉତ୍ତର କାହିଁ?
ଭବାନୀ ଶଙ୍କର ତ୍ରିପାଠୀମଞ୍ଜ କଥା ଜୁଲାଇ ଶେଷ ଭାଗରେ ରାଜ୍ୟରେ ଦେଖାଦେଇଥିବା ବନ୍ୟାର ପ୍ରକୋପ କମିଛି।
ଗଣମାଧ୍ୟମ ରିପୋର୍ଟରୁ ଏହା ହଜିବା ଆରମ୍ଭ କଲାଣି।
ଇତିମଧ୍ୟରେ ସରକାର ପ୍ରାରମ୍ଭିକ କ୍ଷୟକ୍ଷତି ସହାୟତା ଘୋଷଣା କରିଛନ୍ତି।
ଚୂଡ଼ାନ୍ତ ରିପୋର୍ଟ ପରେ ଏ ପ୍ରସଙ୍ଗଟି ସରକାରଙ୍କ ପ୍ରାଥମିକତାରୁ ହଟିବ।
ଏଥିସହିତ ଏଥରର ବନ୍ୟା ଯନ୍ତ୍ରଣା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଇତିହାସରେ ଆଉ ଗୋଟିଏ ପୃଷ୍ଠା ମଣ୍ଡନ କରିବ ଓ ରାଜ୍ୟବାସୀଙ୍କ ସ୍ମୃତିପଟରୁ ଧୀରେ ଧୀରେ ହଜିଯିବ, ଠିକ୍ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟଜନିତ ଘଟଣା ଭଳି।
Advertisment ହେଲେ ଯେଉଁ ପ୍ରସଙ୍ଗଟି ଆନ୍ଦୋଳିତ କରୁଛି, ଆମ ବ୍ୟବସ୍ଥାକୁ ପ୍ରଶ୍ନଘେରରେ ଛିଡ଼ା କରାଇଛି, ତାହା ହେଲା- ଏ ବନ୍ୟାକୁ ଏଡ଼ାଇ ଦିଆଯାଇପାରିଥାନ୍ତା କି?
ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖଙ୍କ ଭୂମିକା ତର୍ଜମାର ଅବକାଶ ରଖେ ନା ନାହିଁ?
ଆଉ କେତେ ବିପର୍ଯ୍ୟୟ ସାମନା କଲେ ଓଡ଼ିଶା ସରକାର ଶିଖିବେ?
ଏମିତି କିଛି ପ୍ରଶ୍ନ ରଖିବା ବେଳେ ଆମେ ସ୍ପଷ୍ଟ ଭାବେ କହିବାକୁ ଚାହୁଁ ଯେ ମହାବାତ୍ୟା ପରଠାରୁ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଦିଗରେ କିଛି ବାଟ ଆସିଛି ନିଶ୍ଚୟ।
ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାଠାରୁ ସାବାସୀ ଓ ପୁରସ୍କାର ଗୋଟାଇଛନ୍ତି।
ମାତ୍ର ଏ ଜଟିଳ ପରିସ୍ଥିତିର ଠିକ୍ ମୁକାବିଲା ଲାଗି ନିରନ୍ତର ଯୋଜନା, କାର୍ଯ୍ୟାନ୍ବୟନ, ନୀତି ନିର୍ଧାରଣରେ କେଉଁଠି ନା କେଉଁଠି ସରକାର ପଛରେ ପଡ଼ିଯାଇଛନ୍ତି।
ସରକାରୀ ଆନ୍ତରିକତା କାଗଜପତ୍ରରେ ଅଧିକ ପ୍ରକଟିତ ହେଉଛି।
ଆହୁରି ପଢ଼ନ୍ତୁ- Murder Suspected ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ଏତେ ବଡ଼ ଅଭିଯୋଗ ଲଦିବା ବେଳେ ଆମେ ଦାୟିତ୍ବର ସହିତ କହିବାକୁ ଚାହୁଁ ଯେ ସରକାରଙ୍କ ରିଲିଫ୍ ଓ କ୍ଷୟକ୍ଷତି ମଲମ ଜଳଯନ୍ତ୍ରଣାକୁ ସାମୟିକ ଭାବେ କମାଇପାରେ।
ଏ କ୍ଷତ ଶୁଖିବାରେ ଆଦୌ ସାହାଯ୍ୟ କରିବ ନାହିଁ।
ବରଂ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର କିଛି ଲୋକଙ୍କ ପାଇଁ ଏଦିନ ଅଭୁଲା ହୋଇରହିବ।
କାହିଁକି ନା, ଜୁଲାଇ ମାସର ଭୀଷଣ ବର୍ଷା ଓଡ଼ିଶାର ଜୀବନ, ଜୀବିକା ଓ ସ୍ୱପ୍ନକୁ ନଷ୍ଟଭ୍ରଷ୍ଟ କରିଦେଇଛି।
ମହାନଦୀ, ବ୍ରାହ୍ମଣୀ, ବୈତରଣୀ ସମେତ ଅନେକ ନଦୀ ପୁଣିଥରେ ଓଡ଼ିଶାର ଅନେକ ଗାଁ, ସ୍କୁଲ, ଖେତକୁ ଗିଳି ଦେଇଛନ୍ତି।
ଅନାୟାସରେ କୁହାଯାଇପାରେ, ଏ ବନ୍ୟାର ପ୍ରଭାବ ରାଜ୍ୟ ଅର୍ଥନୀତିକୁ ଆକ୍ତାମାକ୍ତା କରିବାର ସାମର୍ଥ୍ୟ ରଖିଛି।
ଚଳିତ ବର୍ଷ ଫସଲ କ୍ଷୟକ୍ଷତି କାରଣରୁ ରାଜ୍ୟର ଅଭିବୃଦ୍ଧି ହାର ପ୍ରଭାବିତ ହୋଇପାରେ।
ରାଜ୍ୟର ଆଉ କିଛି ପରିବାର ସମସ୍ତଙ୍କ ନଜର ଆଢୁଆଳରେ ଦାରିଦ୍ର୍ୟ ସୀମାରେଖା ପଛକୁ ଚାଲିଗଲେ।
ଯେଉଁମାନେ ସେମାନଙ୍କର ପ୍ରିୟଜନକୁ ହରାଇଦେଲେ, ଯେଉଁମାନଙ୍କର ସ୍ବପ୍ନ ବନ୍ୟା ପାଣିରେ ବଙ୍ଗୋପସାଗର ପର୍ଯ୍ୟନ୍ତ ଭାସିଗଲା, ସେମାନଙ୍କୁ ଏସବୁ ଆଉ ଫେରାଇ ଦିଆଯାଇପାରିବ ନାହିଁ।
ଅତଏବ ପ୍ରାକୃତିକ ବିପର୍ଯ୍ୟୟରେ ଶୂନ ମୃତାହତ ଘୋଷଣା ଗୋଟିଏ ବଡ଼ ସଂକଳ୍ପ, ଯାହା କାନକୁ ଭଲ ଶୁଭୁଛି।
ହେଲେ ଏହାର କାର୍ଯ୍ୟାନ୍ବୟନ ଭାଷଣରେ ସୀମିତ ରଖିଲେ, ଏହା ଏବେ କି କେବେ ଫଳପ୍ରସୂ ହୋଇପାରିବ ନାହିଁ।
ସେଥିପାଇଁ ଶାସନ, ଶାସକର ମାନସିକତା, ଭାଷା, ଆଚରଣରେ ପରିବର୍ତ୍ତନ ଦରକାର।
ହଁ, ବନ୍ୟାକୁ "ପ୍ରକୃତିର କ୍ରୋଧ" ବୋଲି କହି ଆମେ ଦାୟିତ୍ବ ସାରିପାରିବା ନାହିଁ।
ଆମକୁ ସ୍ବୀକାର କରିବାକୁ ହେବ ଯେ ଏହା ହେଉଛି ଅନିୟମିତ ବର୍ଷା ପାଇଁ ପୂର୍ବ ପ୍ରସ୍ତୁତି ଓ ଯୋଜନାର ଅଭାବ, ନଦୀରେ ପଟୁମାଟି ଜମିବା, ଅବ୍ୟବସ୍ଥିତ ନଗରୀକରଣର ପରିଣାମ।
ଏହା ଜଳସଂପଦ ବିଭାଗର ଦାୟିତ୍ବହୀନତା, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗର ଦୂରଦୃଷ୍ଟି ଅଭାବର ପ୍ରତିଫଳନ।
ମହାବାତ୍ୟା ପରବର୍ତ୍ତୀ ସମୟରେ ରାଜ୍ୟରେ ଲକ୍ଷଲକ୍ଷ ଆବାସ ନିର୍ମାଣ ସରିଛି।
ଏଥିରୁ କୌଣସି ଗୋଟିଏ ବି ଘର ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କରାଯାଇନାହିଁ।
ଆମେ ଜାଣୁ ଯେ ଓଡ଼ିଶାର ପ୍ରାୟ ୧୧.୮୭% ବସତି ଅତି ବନ୍ୟା ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ।
ସର୍ବାଧିକ ସମ୍ବେଦନଶୀଳ ଜିଲ୍ଲା ହେଉଛନ୍ତି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ବାଲେଶ୍ୱର, ଭଦ୍ରକ ଓ କଟକ; ଏକଥା ସମସ୍ତଙ୍କୁ ଜଣା।
ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଓ କୋଲାବ ଅବବାହିକା ଅତ୍ୟନ୍ତ ବନ୍ୟାପ୍ରବଣ।
ସବୁଠି ନ ହେଲେ ବି ଅତି କମ୍ରେ ଏସବୁ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ ଠାରୁ ଆରମ୍ଭ କରି ରାସ୍ତା ଆଦି ବିପର୍ଯ୍ୟୟ ନିରୋଧୀ ନିର୍ମାଣ କରାଯାଇପାରିଥାନ୍ତା।
ଏସବୁ ଅଞ୍ଚଳର ଲୋକେ ବନ୍ୟା ପ୍ରଭାବରୁ ମୁକ୍ତ ହେବା ଲାଗି ଆମେ ଗତ ୩୦ ବର୍ଷ ଭିତରେ କିଛି ଯୋଜନା କରିଛନ୍ତି କି?
ଏସବୁ ଗାଁରେ ସୁରକ୍ଷିତ ଆଶ୍ରୟସ୍ଥଳୀ, ରନ୍ଧାଘର, ଔଷଧ ବିତରଣ କେନ୍ଦ୍ର, ସଂଯୋଗ ବ୍ୟବସ୍ଥାକୁ ଆମେ ନିଶ୍ଚିତ କରିପାରିଲେ କି?
ବନ୍ୟାପ୍ରବଣ ଅଞ୍ଚଳରେ ଅନିୟନ୍ତ୍ରିତ ନଗରୀକରଣକୁ ବନ୍ଦ କରିବା ଲାଗି କି ପଦକ୍ଷେପ ନିଆଯାଇଛି?
ଆହୁରି ପଢ଼ନ୍ତୁ- Flood in Bhadrak: ସାଳନ୍ଦୀ ଓ ବୈତରଣୀରେ ହେବ ସୁଦୃଢ଼ ନଦୀବନ୍ଧ ଯୋଜନା ସତ ହେଉଛି, ନଈ ପେଟରେ ଘର ନିର୍ମାଣ ହେଲାଣି, ଏକଥା କୁଆଖାଇ, ଗଙ୍ଗୁଆ ନଦୀ ବୟାନ କରୁଛି।
ସେ ଅଞ୍ଚଳରେ ବେଆଇନ ନିର୍ମାଣ ଅନୁମତି ଦେଇଥିବା ବାବୁମାନଙ୍କୁ ସରକାର ଦଣ୍ଡିତ କରିବା ତ ଦୂରର କଥା, ଏଯାଏଁ ଚିହ୍ନଟ କରିବାକୁ ଆଗ୍ରହ ଦେଖାଇନାହାନ୍ତି।
ଖୋଦ୍ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଉତ୍ପନ୍ନ କରିଥିବା ବ୍ୟକ୍ତିଙ୍କ ନିର୍ମାଣ ଉପରେ ବୁଲ୍ଡୋଜର ଚାଲିପାରିନି।
ଅଳ୍ପ କିଛି ଲୋକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆଇନର ଡଙ୍କ ମୋଡ଼ିଥିବା ବାବୁମାନେ ଅନେକ ବ୍ୟକ୍ତିଙ୍କ ସ୍ବପ୍ନ, ଜୀବନ, ଜୀବିକାକୁ ଦୁର୍ବିଷହ କରିଦେଇଛନ୍ତି; ରାଜ୍ୟର ଅର୍ଥନୀତି ତା" ଭିତରେ ରୁନ୍ଧି ହୋଇଯାଇଛି।
ଶାସନ ଚୌକିରେ ଯିଏ ବସିଲେ, ତାଙ୍କ ଭିତରେ ଗୋଟିଏ ଧାରଣା ତିଆରି ହୋଇଛି ଯେ କୌଣସି ପ୍ରସଙ୍ଗରେ ନୀତି ବଦଳାଇଦେଲେ ବା ପୁଳାଏ ନିୟମ କରିଦେଲେ ସମସ୍ୟାର ସମାଧାନ ହୋଇଯିବ।
ଏହା ସବୁବେଳେ ସବୁ କ୍ଷେତ୍ରରେ ଠିକ୍ ନୁହେଁ।
ଯେ ପର୍ଯ୍ୟନ୍ତ ଏହି ନୀତି ପ୍ରସ୍ତୁତ କରୁଥିବା ବିଧାୟକ ବା ସାଂସଦ ନିଜେ ଏହାର ଗୁରୁତ୍ବ ନ ବୁଝନ୍ତି ଏବଂ କାର୍ଯ୍ୟାନ୍ବୟନ ଦାୟିତ୍ବରେ ଥିବା ପ୍ରଶାସକ ସମ୍ବେଦନହୀନ ହୋଇପଡ଼ନ୍ତି, ସେବେ ସବୁ ନିୟମକାନୁନ ବାଟ ହୁଡ଼େ।
ଉଦ୍ବେଗର ସହିତ କହିବାକୁ ପଡ଼ୁଛି, ଆଜି ବି ଓଡ଼ିଶାର ସିଂହଭାଗ ଲୋକ ପ୍ରତିନିଧି ନିଜ ଵାର୍ଡ, ପଞ୍ଚାୟତ, ବ୍ଲକ୍, ବିଧାନସଭା ନିର୍ବାଚନମଣ୍ଡଳୀ କିମ୍ବା ସଂସଦୀୟ କ୍ଷେତ୍ରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂକ୍ରାନ୍ତ ଗୋଟିଏ ନକ୍ସା ପ୍ରସ୍ତୁତ କରି ତା"ର ନିଦାନ ପାଇଁ ପଞ୍ଚାୟତ, ବ୍ଲକ୍, ଜିଲ୍ଲା ଯୋଜନା ବୈଠକ, ବିଧାନସଭା ବା ସଂସଦର ପଟଳ ଉପରେ ରଖିନାହାନ୍ତି।
ସେମାନଙ୍କ ଅଞ୍ଚଳର କେତେ ଲୋକ ଫି ବର୍ଷ ବନ୍ୟାରେ ପ୍ରଭାବିତ ହେଉଛନ୍ତି, ସେ ସଂକ୍ରାନ୍ତ ଠୋସ୍ ପରିସଂଖ୍ୟାନ ନା ସରପଞ୍ଚଙ୍କ ପାଖେ ଅଛି ନା ବିଧାୟକ ଅଥବା ସାଂସଦ ରଖିଛନ୍ତି।
ଅଥଚ କୌଣସି ବି ନିର୍ବାଚନ ବେଳେ ସଂପୃକ୍ତ ଅଞ୍ଚଳ ପାଇଁ ଗୋଲାପି ନକ୍ସା ଆଙ୍କିବାକୁ ସେମାନେ ଭୁଲନ୍ତି ନାହିଁ।
ରାଜ୍ୟ ଶାସନର ସ୍ଥିତି ତଦ୍ରୂପ।
ସରକାରରେ କାହାର ପ୍ରଭାବ କେତେ, ତାହା ପ୍ରଦର୍ଶନ ଲାଗି କେହି ସୁଯୋଗ ହାତଛଡ଼ା କରୁନାହାନ୍ତି।
ଯଦିଓ କ୍ଷମତା ବିକେନ୍ଦ୍ରୀକରଣ ଦ୍ବାରା ଶାସନ ମଜବୁତ୍ ହୁଏ, ଏକଥା ଢେର୍ ଆଗରୁ ଆମ ସମ୍ବିଧାନ ସଙ୍କେତ ଦେଇଛି।
ସରକାର ବି ଏକଥା କେବେ କେବେ ଭୁଲିଯାଉଛନ୍ତି।
ବ୍ଲକ୍କୁ ୟୁନିଟ୍ ଭାବେ ନେଇ ପ୍ରାକୃତିକ ବିପର୍ଯ୍ୟୟର କ୍ରୂର ଆଚରଣରେ ଆମେ କେତେ ସଂପଦ ହରାଉଛେ, ସମ୍ଭାବ୍ୟ ବିପଦ, ସମାଧାନର ସୂତ୍ର ନିର୍ଣ୍ଣୟ ଲାଗି ତାଙ୍କର ଆଗ୍ରହ ନାହିଁ।
ଏ ଭିତରେ ଯେଉଁ ମୌଳିକ ପ୍ରଶ୍ନର ଉତ୍ତର ଅପେକ୍ଷା ରହୁଛି, ତାହା ହେଲା- ଗୋଟିଏ ବିକଶିତ ରାଜ୍ୟ ଗଠନ ପ୍ରକ୍ରିୟାରେ ଉନ୍ନତ ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ଶିଳ୍ପାୟନ ନିଶ୍ଚୟ ଗୁରୁତ୍ବପୂର୍ଣ୍ଣ।
ହେଲେ ଯେଉଁ ପରିବେଶରେ ଏ ସମାଜର ପରପିଢ଼ି ବଞ୍ଚିବେ, ତାହା ସୁରକ୍ଷିତ ରହିବା ଆବଶ୍ୟକ- ଏକଥା କେହି ଭୁଲିବା ଉଚିତ ନୁହେଁ।
ଜଳବାୟୁ ପରିବର୍ତ୍ତନ ସହିତ ଅନିୟମିତ ମୌସୁମୀ ଆମ ଆଗରେ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି।
କିଛି ବର୍ଷ ତଳର ବାଦଲଫଟା ବର୍ଷା କାରଣରୁ ବଲାଙ୍ଗୀର ଓ ବାରିପଦା ସହରରେ କିଭଳି ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହେଲା, ତାହା ଆଜି ବି ମାନସପଟରେ ଉଜ୍ଜୀବିତ ରହିଛି।
ଦଶନ୍ଧି ତଳର ଏ ଘଟଣାର ଯେ ଆଉ ପୁନରାବୃତ୍ତି ହେବ ନାହିଁ, ଏ ଗ୍ୟାରେଣ୍ଟି ସରକାର ଦେଇପାରିବେ କି?
ଆହୁରି ପଢ଼ନ୍ତୁ- Supreme Court: ବିରୋଧ ପ୍ରଦର୍ଶନ ସମୟରେ ପୁଲିସ ସଂଯମତା ଅବଲମ୍ବନ କରୁ: ସୁପ୍ରିମକୋର୍ଟ ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ, ଫି ବର୍ଷ ଏପ୍ରିଲ ମାସରୁ ଜଳସଂପଦ ବିଭାଗ ବନ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ କରିବ।
ବିଭାଗର କନିଷ୍ଠ ଯନ୍ତ୍ରୀ ପାଦରେ ଚାଲିଚାଲି ନଦୀ ବନ୍ଧ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ।
ପରେ ଏସଡିଓ, ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀ କିଛି କିଛି ଅଞ୍ଚଳ ଯାଞ୍ଚ କରି ବନ୍ଧ ସୁରକ୍ଷା ପାଇଁ ପଦକ୍ଷେପ ନେବେ।
ଯଦି ଏଥର ଏମିତି ହୋଇଥିଲା, ତେବେ ନଦୀରେ ଘାଇ କେମିତି ହେଲା?କୁଆଡ଼େ ଗଲା ସୁବର୍ଣ୍ଣରେଖା ସଂସ୍କାର ଯୋଜନା?
ସେ ଫାଇଲ୍ ଏବେ କାହାପାଖରେ?
କଟକ କାଠଯୋଡ଼ି ପେଟରେ ବେଧଡ଼କ ନିର୍ମାଣ ଚାଲିଛି।
ହାଇକୋର୍ଟଙ୍କ କଡ଼ରେ ଚାଲିଥିବା ଏହି ନିର୍ମାଣ କାହା ଆଖିରେ ପଡ଼ୁନି।
ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ ଏହି ପ୍ରକଳ୍ପକୁ ଅନୁମତି ଦେଇଛନ୍ତି କି?
ନଦୀରେ ନିଧଡ଼କ ବାଲି ଖନନ ଚାଲିଛି।
କେଉଁଠୁ ବାଲି ଉଠିବ, ସେ ସ୍ଥାନଟି କିଏ କେମିତି ନିରୂପଣ କଲେ?
ବୈଷୟିକ ରିପୋର୍ଟ କେଉଁ ସଂସ୍ଥା ପ୍ରସ୍ତୁତ କରିଛନ୍ତି?
ଏଥିପାଇଁ ରାଜସ୍ବ ମନ୍ତ୍ରୀ କାହାକୁ ଦାୟୀ କରିବେ?
ବୈତରଣୀ ନଦୀ ଉପରେ ପ୍ରସ୍ତାବିତ ଉଦୟପୁର ପ୍ରକଳ୍ପର ପ୍ରାରମ୍ଭିକ ସର୍ଭେ ଶେଷ ପରେ ସରକାର ଚୁପ୍ ବସିଗଲେ କାହିଁକି?
ବନ୍ୟା ମୁକାବିଲା ଦିଗରେ ସରକାରୀ ଉଦାସୀନତାର ଏ ତାଲିକା ଏମିତି ଲମ୍ବିଥିବ।
ଏସବୁ ଉପରେ ଠୋସ୍ ପଦକ୍ଷେପ ନିଆ ନଯିବା ପର୍ଯ୍ୟନ୍ତ ବନ୍ୟା ଯନ୍ତ୍ରଣାରୁ ନିସ୍ତାର ନାହିଁ।
ସରକାର ହେଜନ୍ତୁ ଯେ ଜଳ ଓ ବାୟୁର ଭବିଷ୍ୟତ ଓ ଅସ୍ତିତ୍ବଯେବେ ବିପଦରେ, ସେବେ ନୂଆ ଓଡ଼ିଶା ଗଠନର ସ୍ବପ୍ନ କେବଳ ଗୋଟିଏ ପ୍ରବଞ୍ଚନା ହୋଇପାରେ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୭୪୭୪୨୭୪ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।