Editorial: ଏକ ବହି-ଚୋରିର ଅକଥା: ଅସିତ ମହାନ୍ତିଙ୍କ ସମ୍ପାଦକୀୟ ସାହିତ୍ୟିକ ପାଣିପାଗରେ ପଢ଼ନ୍ତୁ ଏଥର...

Jul 31, 2026 - 16:45
Editorial: ଏକ ବହି-ଚୋରିର ଅକଥା: ଅସିତ ମହାନ୍ତିଙ୍କ ସମ୍ପାଦକୀୟ ସାହିତ୍ୟିକ ପାଣିପାଗରେ ପଢ଼ନ୍ତୁ ଏଥର...

"ଏକ ବହି-ଚୋରିର ଅକଥା ଅସିତ ମହାନ୍ତିସାହିତ୍ୟିକ ପାଣିପାଗ ଆମ ଓଡ଼ିଆ ସାହିତ୍ୟ ଜଗତର ଏ ପକ୍ଷର ସବୁଠୁ ଚର୍ଚ୍ଚିତ ଖବର କ"ଣ?

ଏ ପ୍ରଶ୍ନର ଉତ୍ତରରେ ସମ‌ସ୍ତେ କହିବେ- ବହି-ଚୋରି।ବହି-ଚୋରିକୁ ଅନେକେ ଚୋରି ବୋଲି ଗ୍ରହଣ କରନ୍ତି ନାହିଁ।

ସେମାନେ କହନ୍ତି- ଗୋଟିଏ ବହିକୁ ଜଣେ ସେତିକି ଭଲପାଏ ବୋଲି ଚୋରି କରେ।

ଏଥିରେ ପାଠକୀୟ ତୃଷ୍ଣାର ଅପନୋଦନ ବା ଜ୍ଞାନାର୍ଜନର ଅଭୀପ୍‌ସା ନିହିତ ଥାଏ।କିନ୍ତୁ ଆମ ସାହିତ୍ୟର ଏହି ସଦ୍ୟତମ ତଥା ଚର୍ଚ୍ଚିତ ଚୋରିରେ ଏପରି କିଛି କଥା ନାହିଁ।

ଯାହା ଅଛି, ତାହା ହେଉଛି- ବ୍ୟାବସାୟିକ ଲାଭର ଲୋଭ ଓ ନାମ-ଖ୍ୟାତି ଅର୍ଜନର ଲାଳସା।

ଗୋଟିଏ ଶବ୍ଦରେ, ଏହା ଏକ ତଞ୍ଚକତା।କଥାଟି ଏମିତି।Advertisment ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ବାଜ) ଓଡ଼ିଆ ସାହିତ୍ୟର ଏକ ସମ୍ମାନନୀୟ ନାମ।

ସେ ଅଧ୍ୟାପକ, କବି, ସମାଲୋଚକ ଓ ଗବେଷକ ଭାବରେ ସୁପ୍ରସିଦ୍ଧ।

କବି ଭାବରେ ତାଙ୍କର ରହିଛି "ତିର୍ଯକ୍‌", "ଛୋଟବଡ଼" ଓ "ବିଚିତ୍ରବର୍ଣ୍ଣା" ପରି କବିତା ସଂକଳନ।

ସେହିପରି, ସମାଲୋଚକ ଓ ଗବେଷକ ଭାବରେ ସେ ଲେଖିଛନ୍ତି "ନବଯୁଗର କବି ଓ କାବ୍ୟ", "ଓଡ଼ିଆ ସାହିତ୍ୟର ଇତିହାସ", "ଓଡ଼ିଆ ଗୀତିକାବ୍ୟ", "ସୃଷ୍ଟି ଓ ସମୀକ୍ଷା", "ଓଡ଼ିଆ ଛନ୍ଦର ବିକାଶ", "ଓଡ଼ିଆ ଛାନ୍ଦ ପରିଚୟ", "କଳା ଓ କଳାକାର" ଆଦି ପୁସ୍ତକ।

ଆହୁରି ପଢ଼ନ୍ତୁ- Commonwealth Games 2026: ରେସ୍‌ ପୂର୍ବରୁ ପାରା ସାଇକ୍ଲିଷ୍ଟ ଲିସା ଲାଇନ୍‌ଚ୍ୟୁତ ଏହା ବ୍ୟତୀତ, ଅଧ୍ୟାପକ ଓ ସଂଗଠକ ଭାବରେ ମଧ୍ୟ ତାଙ୍କର ରହିଛି ଅନେକ ସୁଖ୍ୟାତି।

୧୯୪୯ରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ, ସେ ବାଲେଶ୍ବରର ଫକୀର‌ମୋହନ କଲେଜରେ ଓଡ଼ିଆ ଭାଷା-ସାହିତ୍ୟର ଅଧ୍ୟାପକ ଭାବରେ କର୍ମ ଜୀବନ ଆରମ୍ଭ କରିଥିଲେ ଏବଂ ବିଭିନ୍ନ ସମୟରେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, କଟକର ରେଭେନ୍‌ସା କଲେଜ ଓ ଭୁବନେଶ୍ବରର ବିଜେବି କଲେଜ ଆଦିରେ ଅଧ୍ୟାପନା କରିବା ସହିତ ବିଭାଗ ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ।

କଟକର ଶତାବ୍ଦୀ ପୁରାତନ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସଂପାଦକ ଓ ସଭାପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ଏବଂ କେନ୍ଦ୍ର ସାହିତ୍ୟ ଅକାଦେମିର ସଦସ୍ୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ହୋଇଛନ୍ତି।

କବି, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ସଂପାଦକଙ୍କର ଆନ୍ତର୍ଜାତିକ ଅନୁଷ୍ଠାନ "ପିଇଏନ୍‌"ରେ ମଧ୍ୟ ଏକଦା ସେ ଓଡ଼ିଆ ଭା‌ଷ‌ା, ସାହିତ୍ୟ ଓ ସଂସ୍କୃତିର ପ୍ରତିନିଧି ସଦସ୍ୟ ରହିଥିଲେ।

ତେବେ ସଦ୍ୟତମ ଏହି ବହି-ଚୋରି ପ୍ରସଙ୍ଗରେ ବିଶେଷ ଗୁରୁତ୍ବପୂର୍ଣ୍ଣ ବିଷୟ ଏହି ଯେ ସେ ଜଣେ ଶିଶୁ ସାହିତ୍ୟିକ ତଥା ଭାରତୀୟ ଲୋକକଥାର ପୁନର୍କଥକ ଭାବରେ ସୁଖ୍ୟାତ।

ତାଙ୍କର "ଛୋଟରୁ ବଡ଼" (୧୯୬୧) ଓ "ପ୍ରଜାପତି" କବିତା ପୁସ୍ତକ ଓଡ଼ିଆ ଶିଶୁକବିତା କ୍ଷେତ୍ରରେ ଅନନ୍ୟ।

ସେହିପରି ଶିଶୁଗଳ୍ପ ‌କ୍ଷେତ୍ରରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ହେଉଛି- "ସେ ଦେଶର ଗଳ୍ପ" (୧୯୫୪), "କାହାଣୀ ସଂଗ୍ରହ" (୧୯୫୮), ଦୁଇ ଭାଗରେ "ଦେଶ ବିଦେଶର କାହାଣୀ" (ପ୍ରଥମ ଭାଗ-୧୯୫୭ ଓ ଦ୍ବିତୀୟ ଭାଗ-୧୯୮୦), "ଭାରତର ଗ୍ରାମ୍ୟ ଗଳ୍ପ" (୧୯୬୧)‌, "ଦରିଆ ପାରିର କାହାଣୀ" (୧୯୭୭), "ଓଡ଼ିଶାର ଗ୍ରାମ୍ୟଗଳ୍ପ" (୧୯୭୭), "ଭାରତର ଗାଉଁଲି ଗଳ୍ପ" (ତିନିଟିଭାଗ, ୧୯୭୮), "ଆମ ଗାଉଁଲି ଗପ" (୧୯୮୦), "ଦୂରଦେଶର କାହାଣୀ" (୧୯୭୯), "ଭାରତର ଲୋକଗଳ୍ପ" (ଦୁଇଟି ଭାଗ, ୧୯୯୧), "ଆମ ଭାରତୀୟ ଲୋକକଥା" (୧୯୯୩), "ଆଲ୍ଲାଦିନ୍‌ର କୁହୁକ ଦୀପ ଓ ଅନ୍ୟାନ୍ୟ କାହାଣୀ" (୧୯୯୮)।

ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ "ଓଡ଼ିଆ ଶିଶୁ ସାହିତ୍ୟର ଇତିହାସ: ଅଭ୍ୟୁଦୟ ଯୁଗର ସ୍ରଷ୍ଟା ଓ ସୃଷ୍ଟି" ଅନୁସାରେ- ଏ ସବୁରେ ୧୭୮ଟି ଶିଶୁ ଉପଯୋଗୀ କାହାଣୀ ସ୍ଥାନ ପାଇଛି।

ସେଥି ମଧ୍ୟରୁ ଓଡ଼ିଶାରୁ ସଂଗୃହୀତ କାହାଣୀ ୨୨ଟି, ଭାରତରୁ ସଂଗୃହୀତ କାହାଣୀ ୬୪ଟି, ବିଦେଶରୁ ସଂଗୃହୀତ କାହାଣୀ ୬୮ଟି ଓ ଆଦିବାସୀ କାହାଣୀ ୨୪ଟି।

ଏହି ସଂଗ୍ରହର ବିବିଧତା ଓ ବ୍ୟାପକତା ତାଙ୍କର ଏହି କାହାଣୀ ପୁସ୍ତକଗୁଡ଼ିକୁ ଓଡ଼ିଶାର ପାଠକ ମହଲରେ ଲୋକପ୍ରିୟ କରିଛି।

ଏଥି ମଧ୍ୟରୁ "ଦରିଆପାରିର କାହାଣୀ" ପୁସ୍ତକ ପାଇଁ ସେ ୧୯୭୫-୭୬ ମସିହାର ଶିଶୁ ସାହିତ୍ୟ ସମିତି ପୁରସ୍କାର ମଧ୍ୟ ଲାଭ କରିଛନ୍ତି।

ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ବାଜ)ଙ୍କ ସଂପର୍କରେ ଏହି ବିବରଣୀ ଏଠି ଦେବାର ଉଦ୍ଦେଶ୍ୟ-  ଏହି ସୁପ୍ରସିଦ୍ଧ ଶିଶୁ ସାହିତ୍ୟିକ ତଥା କାହାଣୀ-କଥକଙ୍କର ଏକ ପୁସ୍ତକର ଚୋରି ହିଁ ଆଜିର ସବୁଠୁ ବଡ଼ ଚର୍ଚ୍ଚିତ ପ୍ରସଙ୍ଗ।

ଆହୁରି ପଢ଼ନ୍ତୁ- VN Sharma passes away: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଭି.

ଏନ୍.

ଶର୍ମାଙ୍କ ୯୬ ବର୍ଷ ବୟସରେ ପରଲୋକ ଚୋରି ପୁସ୍ତକଟି ହେଉଛି- ୧୯୯୩ରେ ପ୍ରକାଶିତ "ଆମ ଭାରତୀୟ ଲୋକକଥା"।

ମୋଟ ୨୭୬ ପୃଷ୍ଠାର ଏହି ପୁସ୍ତକରେ ରହିଛି ଭାରତର ଏବଂ ଭାରତର ବିଭିନ୍ନ ରାଜ୍ୟ ଓ ଅଞ୍ଚଳର ମୋଟ ୫୯ଟି ଲୋକକଥା।

ଛତିଶଗଡ଼-ମଧ୍ୟପ୍ରଦେଶ, ଆସାମ, ବଙ୍ଗଳା, ବିହାର, ଭୋଜପୁର (ବିହାର), ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଦକ୍ଷିଣ ଭାରତ, କେରଳ, ମହାରାଷ୍ଟ୍ର, ମଧ୍ୟଭାରତ, ମାଳବ, ବିନ୍ଧ୍ୟଭୂମି, ଉତ୍ତରପ୍ରଦେଶ, ବ୍ରଜଭୂମି (ଉତ୍ତରପ୍ରଦେଶ), ଅଯୋଧ୍ୟା, ଗୁଜରାଟ, ହିମାଚଳପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଓ କାଶ୍ମୀର ଆଦିର ଲୋକକଥା ତାହାର ଅନ୍ତର୍ଭୁକ୍ତ।

ଏଣୁ ଏପରି ଏକ ପୁସ୍ତକର ପ୍ରସ୍ତୁତି ନିମନ୍ତେ, ଲୋକକଥାଗୁଡ଼ିକର ସଂଗ୍ରହ ଓ ଚୟନ କେତେ ବ୍ୟାପକ ଓ ବିଚାରବୁଦ୍ଧି ସଂପନ୍ନ ହୋଇଥିବ, ଏହା ଅନୁମାନ ସାପେକ୍ଷ।

ଏସବୁର ପୁନର୍କଥନ ମଧ୍ୟ କେତେ ସର୍ଜନଶୀଳ ହୋଇଥିବ ତାହା ଅନୁମେୟ।

ସେଦିନ (୧୯୯୩ରେ) ଏହି ପୁସ୍ତକର ପ୍ରକାଶକ ଥିଲେ ତଳମାଳି ସାହି, ପୁରୀର "ପ୍ରଜ୍ଞାଲୋକ"।

ସେ ବର୍ଷ ସରସ୍ବତୀ ପୂଜା ଅବସରରେ ପୁସ୍ତକଟି ପ୍ରକାଶ ପାଇଥିଲା।

ଏହି ଅନୁଷ୍ଠାନ, ପରିଚିତ ଲେଖକ ଶ୍ରୀ ବିବୁଧରଂଜନଙ୍କର ବୋଲି ଜଣାଶୁଣା।

କିନ୍ତୁ ପରବର୍ତ୍ତୀ କାଳରେ ପୁସ୍ତକଟିକୁ ବଜାରରୁ ଅନୁପଲବ୍‌ଧ କରିଦିଆଗଲା।

ଜାଣିଜାଣି ତାହାକୁ ଦୀର୍ଘକାଳ ଅନୁପଲବ୍‌ଧ କରି ରଖି, ସେହି ସୁଯୋଗରେ ସେହି "ପ୍ରଜ୍ଞାଲୋକ" ହିଁ ତାହାର ଏକ ନୂତନ ସଂସ୍କରଣ ପ୍ରକାଶ କଲେ।

ତାହାର ପ୍ରକାଶକାଳ ୨୦୧୬ ଏବଂ ତାହା ‌‌ସେ ବର୍ଷର ରାଜଧାନୀ ପୁସ୍ତକମେଳା ଅବସରରେ ପ୍ରକାଶ ପାଇଲା।

କୌଣସି ଏକ ପ୍ରକାଶନ ସଂସ୍ଥା ବା ତାହାର ପ୍ରକାଶକ ନିଜ ଅନୁଷ୍ଠାନରୁ ପ୍ରକାଶ ପାଇଥିବା କୌଣସି ଏକ ପୁସ୍ତକର ପୁନର୍ମୁଦ୍ରଣ ବା ନୂତନ ସଂସ୍କରଣ ପ୍ରକାଶ କରିବା କିଛି ନୂଆ କଥା ନୁହେଁ।

ବରଂ ଅନୁପଲବ୍‌ଧ ଥିବା କୌଣସି ଏକ ପୁସ୍ତକକୁ ନୂଆ ରୂପରେ ପ୍ରକାଶ କରିବା ଅନୁଷ୍ଠାନ ପକ୍ଷେ ଏକ ଅଭିନନ୍ଦନୀୟ ବିଷୟ।

ମାତ୍ର ଏହି ନୂତନ ସଂସ୍କରଣ‌ର ଏକ ଅପକର୍ମ ହେଉଛି- ସେହି ପ୍ରକାଶନ ସମୟ‌ରେ ପୁସ୍ତକର ମୂଳ ନାମଟିକୁ ପରିବର୍ତ୍ତନ କରି ଦିଆଗଲା। "ଆମ ଭାରତୀୟ ଲୋକକଥା" ପରିବର୍ତ୍ତେ ତାହାର ନାମ ରଖାଗଲା "ଆମ ଲୋକକଥା"।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ପୁସ୍ତକର ମୂଳ ଲେଖକ ବା କଥକ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ବାଜ)ଙ୍କର ୧୯୯୨ ଡିସେମ୍ବରରୁ ପରଲୋକ ହୋଇସାରିଛି।

ଏଣୁ ତାଙ୍କର ଅବର୍ତ୍ତମାନରେ, ତାଙ୍କର ଏହି ପୁସ୍ତକର ମୂଳନାମରେ ପରିବର୍ତ୍ତନ, ପ୍ରକାଶକଙ୍କର ସ୍ବେଚ୍ଛାଧିକାରଭୁକ୍ତ ନୁହେଁ।

ମାତ୍ର ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଅପକର୍ମଟି ହେଉଛି- ପ୍ରକାଶକ ଶ୍ରୀ ବିବୁଧରଂଜନ କେବଳ ସେହି ପୁସ୍ତକର ନାଆଁକୁ ପରିବର୍ତ୍ତନ କରିଦେଲେ ନାହିଁ; ତାହାର ଲେଖକ ଭାବରେ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ବାଜ)ଙ୍କ ନାମ ସ୍ଥାନରେ ନିଜ ନାଆଁଟିକୁ ବି ରଖି ଦେଲେ।

ଅଥଚ ଆମୂଳାନ୍ତ ପୁସ୍ତକର ମୂଳପାଠ ସଂପୂର୍ଣ୍ଣ ଅପରିବର୍ତ୍ତିତ ରହିଲା।

ଆହୁରି ପଢ଼ନ୍ତୁ- RI Bribe Case ୩୦ହଜାର ଟଙ୍କା ଲାଞ୍ଚ ନେଇ ଆର୍‌ଆଇ ଓ ସହ‌ଯୋଗୀ ଗିରଫ ଏହା ଭାରତୀୟ ସ୍ବତ୍ବଲିପି ଆଇନ (କପିରାଇଟ୍‌ ଆକ୍ଟ)ର ଏକ ଗୁରୁତର ଉଲ୍ଲଙ୍ଘନ ଏବଂ ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ।

ଏହି ବହି-ଚୋରି ପ୍ରସଙ୍ଗ ପ୍ରଥମ କରି ଲେଖକ ଓ କବି ଅମିୟ ପାଣ୍ଡବ ଲୋକଲୋଚନକୁ ଆଣିବା ପରେ, ଏହା ଏବେ ସମଗ୍ର ରାଜ୍ୟର ସାହିତ୍ୟିକ ମହଲରେ ସବୁଠୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଏ ସଂପର୍କରେ ଏହି ସ୍ତମ୍ଭକାର ଶ୍ରୀ ବିବୁଧରଂଜନଙ୍କର ମତାମତ ନେବାକୁ ଚାହିଁଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ତେବେ ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଶ୍ରୀ ବିବୁଧରଂଜନ ଏକଦା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ "ମିଛ ମହାତ୍ମା" ନାମକ ଏକ ପୁସ୍ତକ ଲେଖି।

ସେଥିରେ ସେ ମହାତ୍ମା ଗାନ୍ଧୀଙ୍କର ଚରିତ୍ର ସଂହାର କରିଥିଲେ।

ସେ କହିଥିଲେ-  ମହାତ୍ମା ଭାବରେ ପରିଚିତ ଏହି ବ୍ୟକ୍ତିଙ୍କର ଉଚ୍ଚାରଣ ଯେତିକି ସତ୍ୟ ପରି ମନେହୁଏ- ପ୍ରକୃତରେ ତାହା ସେତିକି ସତ୍ୟ ନୁହେଁ; ବରଂ ମିଛ।

ଏଣୁ ସେ "ମିଛ ମହାତ୍ମା"।

ଶ୍ରୀ ବିବୁଧରଂଜନ ପୂର୍ବରୁ ଆଉଥରେ ଚର୍ଚ୍ଚିତ ହୋଇଥିଲେ, ଆଉ ଜଣେ ଲେଖକଙ୍କର ଏକ ବହି କିପରି ଅନ୍ୟ ଏକ ଇଂରେଜୀ ପୁସ୍ତକରୁ ଚୋରି, ସେ ସତ୍ୟର ଉଦ୍‌ଘାଟନ କରି।

ଅଥଚ ତାଙ୍କ ନିଜର ଆଚରଣ ଓ ଉଚ୍ଚାରଣ ଯେ ଭିନ୍ନ ଓ ଅସତ୍ୟ, ସଦ୍ୟତମ ଏହି ବହି-ଚୋରି ଘଟଣା ତାହାର ଏକ ପ୍ରମାଣ।

ଭାରତୀୟ କପିରାଇଟ୍‌ ଆକ୍‌ଟ ଅନୁସାରେ, ସ୍ବର୍ଗତ ଜାନକୀ ବଲ୍ଲଭ ମହାନ୍ତିଙ୍କର ମୃତ୍ୟୁକୁ ୬୦ ବର୍ଷ ହୋଇ ନାହିଁ।

ଆଜି ବି ତାଙ୍କର ଉତ୍ତରାଧିକାରୀ ତାଙ୍କ ବୌଦ୍ଧିକ ସଂପଦର ଉତ୍ତରାଧିକାରୀ।

ଏଣୁ ସେମାନେ ଏହି ବହି-ଚୋରଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ମାତ୍ର ତା" ପୂର୍ବରୁ ଏହି ବହି-ଚୋର ଯେ ଓଡ଼ିଶାର ସମୂହ ସାହିତ୍ୟିକଙ୍କ ଆଗରେ ଅପରାଧୀ ସାବ୍ୟସ୍ତ ହୋଇ ସାରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୦ ୩୪୮୦୪ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।