Editorial: ଛୁ ମନ୍ତର

Oct 17, 2026 - 04:12
Editorial: ଛୁ ମନ୍ତର

"ପୃଥିବୀର ମହତ୍ତ୍ବପୂର୍ଣ୍ଣ ଗଣତନ୍ତ୍ରମାନଙ୍କରେ ପ୍ରତିବାଦ ସ୍ଥଳଗୁଡ଼ିକ କ୍ଷମତା କେନ୍ଦ୍ରର ନାକ ତଳେ ରହିଥାଆନ୍ତି, ଯେମିତି କି ଲଣ୍ଡନରେ "ପାର୍ଲାମେଣ୍ଟ ସ୍କୋୟାର" ବା ଆମେରିକାର "ଲୈଫେତେ ସ୍କୋୟାର" ବା ଜର୍ମାନିରେ "ପ୍ଲାଜ୍‌ ଡେର ରିପବ୍ଲିକ" ଇତ୍ୟାଦି।

ସେହି ଦୃଷ୍ଟିରୁ ଭାରତ ଏକ ବ୍ୟତିକ୍ରମ ଭଳି ଦିଶୁ ନାହିଁ କି?

ଅବଶ୍ୟ, ଏଥି ଲାଗି କେବଳ ସାଂପ୍ରତିକ ସରକାର ନୁହନ୍ତି, ପୂର୍ବର ସରକାରଗୁଡ଼ିକ ଦ୍ବାରା ପ୍ରଦର୍ଶିତ ପ୍ରତିବାଦ-ଅସହିଷ୍ଣୁ ଆଭିମୁଖ୍ୟ ମଧ୍ୟ ଦାୟୀ।Advertisment ଗଲା ୧୨ ତାରିଖରେ ଦିଲ୍ଲୀର ସୁପରିଚିତ "ଯନ୍ତରମନ୍ତର"ଠାରୁ "ଅଧିସୂଚିତ ପ୍ରତିବାଦ ସ୍ଥଳ"ର ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି।

ଅକ୍‌ଟୋବର ୬ ତାରିଖରୁ ଦିଲ୍ଲୀରେ ଦେଖା ଦେଇଥିବା ଅଭୂତପୂର୍ବ ସରକାର ବିରୋଧୀ ଆନ୍ଦୋଳନର ପୃଷ୍ଠଭୂମିରେ ଏଭଳି ପଦକ୍ଷେପ ତତ୍‌କ୍ଷଣାତ୍‌ ବିବାଦୀୟ ହୋଇ ଉଠିବା ସ୍ବାଭାବିକ।

ଏ ସଂଦର୍ଭରେ ସରକାରଙ୍କ ଯୁକ୍ତିି ହେଲା ସଂସଦ ଓ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଦପ୍ତରଗୁଡ଼ିକଠାରୁ ମାତ୍ର ଅଧ କିଲୋମିଟର ଦୂରବର୍ତ୍ତୀ "ଯନ୍ତରମନ୍ତର"ରେ ଆୟୋଜିତ ହେଉଥିବା ଜନ ବିକ୍ଷୋଭ ହେତୁ ସ୍ଥାନୀୟ ଜନସାଧାରଣଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଭୀଷଣ ଅସୁବିଧା ସୃଷ୍ଟି ହୋଇଥାଏ।

ଦ୍ବିତୀୟରେ, ବିଶାଳ ଜନ ସମାବେଶ ନିମନ୍ତେ ସେହି ସ୍ଥାନ ପର୍ଯ୍ୟାପ୍ତ ନୁହେଁ।

ଅଥଚ, ବିରୋଧୀ ପକ୍ଷର ଦୃଢ଼ ବିଶ୍ବାସ ଯେ ପ୍ରତିବାଦର ସ୍ବର ସରକାରଙ୍କ କର୍ଣ୍ଣଗୋଚର ହୋଇ ଅସ୍ବସ୍ତି ଓ ବିରକ୍ତି ସୃଷ୍ଟି କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି, ଯାହା ଉଭୟ ଅଗଣତାନ୍ତ୍ରିକ ଓ ଅସାଂବିଧାନିକ!

କାରଣ ସଂବିଧାନର ଧାରା ୧୯ ଅନୁସାରେ କୌଣସି ଭାରତୀୟ ନାଗରିକ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଧିକାର ଲାଭ କରିଥାଆନ୍ତି।

ଏକ ଚମକପ୍ରଦ ସାମଞ୍ଜସ୍ୟ ଭଳି ଦିଶିଥାଏ ଯେ ୧୯୯୩ ମସିହା, ଫେବ୍ରୁଆରି ମାସରେ, ତତ୍‌କାଳୀନ ବିରୋଧୀ ଦଳ ବିଜେପିକୁ, ବାବ୍ରି ମସଜିଦ ପତନର ବର୍ଷ ପୂର୍ତ୍ତି ପାଳନ ସକାଶେ "ବୋଟ-କ୍ଲବ୍‌" ଲନରେ ଏକ ଜନ ସମାବେଶ କରିବାର ଅନୁମତି ଦିଆ ନ ଯାଇ କ୍ଷମତାସୀନ କଂଗ୍ରେସ ସରକାର ପକ୍ଷରୁ ସେମାନଙ୍କୁ ଆଉ ଟିକିଏ ଦୂରସ୍ଥ "ଯନ୍ତରମନ୍ତର"କୁ ଠେଲି ଦିଆଯାଇଥିଲା, ଯେଉଁ ଦୃଶ୍ୟପଟର ପୁନଃ ମଞ୍ଚାୟନ କ୍ରମରେ, କଂଗ୍ରେସ ଦଳ ସାମିଲ ଥିବା ସରକାର ବିରୋଧୀ ସମାବେଶକୁ ରାମଲୀଳା ମୈଦାନ (ପ୍ରାୟ ୩ କି.ମି.

ଦୂର) ବା ବୁରାରି ପଡ଼ିଆ ଅଥବା ସି.ବି.ଡି.

ଗ୍ରାଉଣ୍ଡ (୧୫ରୁ ୨୦ କି.ମି.

ଦୂର)କୁ ତଡ଼ି ଦିଆଯାଇଛି।

ଅତୀତର ଅବଲୋକନରେ ଦିଶିଥାଏ ଯେ ସପ୍ତମ ଦଶକରେ ପ୍ରଧାନମନ୍ତ୍ରୀଙ୍କ ଆବାସ ତିନିମୂର୍ତ୍ତି ଭବନ ସମ୍ମୁଖରେ ଜନ ପ୍ରତିବାଦର ସୁଯୋଗ କ୍ରମ ବିତାଡ଼ନ ସୂତ୍ରରେ କ୍ଷମତା କେନ୍ଦ୍ରଠାରୁ ଦୂରକୁ ଦୂରକୁ ଠେଲି ହୋଇ ଦିଲ୍ଲୀର ସୀମାନ୍ତବର୍ତ୍ତୀ ସ୍ଥାନରେ ପହଞ୍ଚିଲାଣି, ଯେଉଁଠାରୁ ପ୍ରତିବାଦ ଦୃଷ୍ଟିଗୋଚର ବା ଶ୍ରୁତିଗୋଚର ହେବା ଅସମ୍ଭବ।

ବିରୋଧୀ ପକ୍ଷଙ୍କ ଅଭିଯୋଗ ହେଲା ଏଭଳି ଉପାୟରେ, ଚତୁଃପାର୍ଶ୍ବକୁ ବିଶୋଧନ କରି, ସରକାର ତାଙ୍କ ହାତୀଦାନ୍ତରେ ଗଢ଼ା ହର୍ମ୍ୟରୁ ନିର୍ବିଘ୍ନରେ ନିରଙ୍କୁଶ କ୍ଷମତା ପ୍ରୟୋଗ କରିବାକୁ ଚାହିଥାନ୍ତି।

ସରକାରଙ୍କ ପକ୍ଷବାଦୀମା‌େନ କହିଥାଆନ୍ତି ଯେ ରାମଲୀଳା ମୈଦାନ ମଧ୍ୟ କ୍ଷମତା କେନ୍ଦ୍ରଠାରୁ ବେଶୀ ଦୂରରେ ନୁହେଁ ଏବଂ ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଆନ୍ଦୋଳନ ଏହିଠାରେ ହିଁ ସଫଳ ହୋଇଥିଲା!

କିନ୍ତୁ ଏବର ବାସ୍ତବ ସମସ୍ୟାଟି ହେଲା, ଡିସେମ୍ବର ମାସର ମାତ୍ର ତିନି ଦିନ ବ୍ୟତୀତ, ବିଭିନ୍ନ କାର୍ଯ୍ୟକ୍ରମ ସକାଶେ ଏ ବର୍ଷର ଶେଷ ପର୍ଯ୍ୟନ୍ତ ଏହି ମୈଦାନର ଅଗ୍ରୀମ ବୁକିଂ ସରିଛି ଏବଂ ଏହି ମୈଦାନର ବ୍ୟବହାର ଦେୟଯୁକ୍ତ ହୋଇଥାଏ, ଯାହା ହେଲା ଦୈନିକ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା।

ଅବଶ୍ୟ, ଏକ ଅଧୁସୂଚିତ ପ୍ରତିବାଦ ସ୍ଥଳରେ ପରିଣତ ହେବା ପରେ ରାମଲୀଳା ମୈଦାନର ବ୍ୟବହାର ନେଇ ନୂତନ ନିୟମ ଆସିପାରେ; କିନ୍ତୁ ସେ ପର୍ଯ୍ୟନ୍ତ ପ୍ରତିବାଦକାରୀମାନେ ଯେ ବିଭିନ୍ନ ବିକଳ୍ପ ଖୋଜି ପ୍ରତିବାଦର ସ୍ଫୂରଣ ଘଟାଇ ଚାଲିବେ, ସେଥିରେ ସନ୍ଦେହ ନାହିଁ।

୨୦୧୪ ମସିହାରେ ବିଜେପି ସରକାର କ୍ଷମତାରୂଢ଼ ହେବା ପରେ ଦିଲ୍ଲୀରେ ଅନେକ ପ୍ରତିବାଦ ଆନ୍ଦୋଳନ ହୋଇଛି; ଯେମିତି କି ସି.ଏ.ଏ.

ବିରୋଧୀ ସମାବେଶଠାରୁ ଘେନି କୃଷକ ଆନ୍ଦୋଳନ ଦେଇ ମହିଳା କୁସ୍ତିବାଜମାନଙ୍କ ପ୍ରଦର୍ଶନ ପର୍ଯ୍ୟନ୍ତ; ଯହିଁରେ "ଯନ୍ତରମନ୍ତର" ଭଳି କ୍ଷମତା-କେନ୍ଦ୍ରର ନିକଟବର୍ତ୍ତୀ ସ୍ଥାନ ସହିତ ଦୂରସ୍ଥ ସହିନବାଗ ଓ ସିଲାମପୁର ଏପରିକି ଦିଲ୍ଲୀ-ହରିୟାଣା ସୀମାବର୍ତ୍ତୀ ସିଂଘୁ ଓ ଟିକ୍ରି ଇତ୍ୟାଦି ବ୍ୟବହୃତ ହୋଇଛି।

୨୦୨୧ ମସିହାର କୃଷକ ଆନ୍ଦୋଳନ ଦିଲ୍ଲୀ-ହରିୟାଣା ସୀମାରେ, ଦୃଢ଼ମନସ୍କତା ଓ ତ୍ୟାଗ (୭୦୦ରୁ ଅଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିଲା)ର ଦୃଷ୍ଟାନ୍ତ ରଖି ପ୍ରାୟ ବର୍ଷଟିଏ କାଳ ଅବ୍ୟାହତ ରହି ସଫଳ ହୋଇଥିଲା।

ଏହା ଦର୍ଶାଇଥାଏ ଯେ ଦୂରତା ସତ୍ତ୍ବେ, ପ୍ରତିବାଦର ଗୁଞ୍ଜରଣ କ୍ଷମତା କେନ୍ଦ୍ରରେ କଂପନ ସୃଷ୍ଟି କରିପାରେ!

ଅନେକ ସମାଲୋଚକଙ୍କ ଦୃଷ୍ଟିରେ "ଯନ୍ତରମନ୍ତର"କୁ ଆନ୍ଦୋଳନକାରୀମାନଙ୍କଠାରୁ ଦୂରେଇ ନିଆଯିବାର କାରଣ ରୂପେ ଜନସାଧାରଣଙ୍କ ଅସୁବିଧାକୁ ଦର୍ଶାଇବା ହେଉଛି ଏକ ଦୁର୍ବଳ ଯୁକ୍ତି; କାରଣ ଯେଉଁଠାରେ ନୂତନ ପ୍ରତିବାଦ ସ୍ଥଳମାନ ନିର୍ଦ୍ଧାରିତ ହୋଇଛି, ସେଠାରେ ମଧ୍ୟ ସମାନ ସମସ୍ୟା ଉପୁଜିବ!

ଏହାର ଅର୍ଥ କ"ଣ ଏମାନେ "ଲ୍ୟୁଟେନ୍‌ସ ଦିଲ୍ଲୀ"ର ଅଧିବାସୀମାନଙ୍କଠାରୁ କମ୍‌ ଦର୍ଜାର ନାଗରିକ?

ପୁଣି, ରାଜନୈତିକ ରାଲିଠାରୁ ନେଇ ବିଭିନ୍ନ ଶୋଭାଯାତ୍ରା, ପର୍ବପର୍ବାଣି ଏପରିକି ଭି.ଆଇ.ପି.ମାନଙ୍କ ଯାତାୟାତ କାଳରେ ଜନସାଧାରଣ ପ୍ରାୟ ନିୟମିତ ଭୋଗୁଥିବା ଅସୁବିଧା କ"ଣ କମ୍‌ ବେଦନାଦାୟକ?

ପୃଥିବୀର ମହତ୍ତ୍ବପୂର୍ଣ୍ଣ ଗଣତନ୍ତ୍ରମାନଙ୍କରେ ପ୍ରତିବାଦ ସ୍ଥଳଗୁଡ଼ିକ କ୍ଷମତା କେନ୍ଦ୍ରର ନାକ ତଳେ ରହିଥାଆନ୍ତି, ଯେମିତି କି ଲଣ୍ଡନରେ "ପାର୍ଲାମେଣ୍ଟ ସ୍କୋୟାର" ବା ଆମେରିକାର "ଲୈଫେତେ ସ୍କୋୟାର" ବା ଜର୍ମାନିରେ "ପ୍ଲାଜ୍‌ ଡେର ରିପବ୍ଲିକ" ଇତ୍ୟାଦି।

ସେହି ଦୃଷ୍ଟିରୁ ଭାରତ ଏକ ବ୍ୟତିକ୍ରମ ଭଳି ଦିଶୁ ନାହିଁ କି?

ଅବଶ୍ୟ, ଏଥି ଲାଗି କେବଳ ସାଂପ୍ରତିକ ସରକାର ନୁହନ୍ତି, ପୂର୍ବର ସରକାରଗୁଡ଼ିକ ଦ୍ବାରା ପ୍ରଦର୍ଶିତ ପ୍ରତିବାଦ-ଅସହିଷ୍ଣୁ ଆଭିମୁଖ୍ୟ ମଧ୍ୟ ଦାୟୀ।

ତେବେ ଏହା ଦ୍ବାରା ଯେ ପ୍ରତିବାଦର ଅନ୍ତ ଘଟିବ; ତାହା ଭାବିନେବା ଅବିମୃଶ୍ୟକାରିତା।

ଖବର ମିଳୁଛି ଯେ ପ୍ରତିବାଦକାରୀମାନେ ଦିଲ୍ଲୀର କନ୍ନଟ ପ୍ଲେସରେ ରୁଣ୍ଡ ହେଲେଣି।

ଏଣେ, ସାମାଜିକ ଗଣମାଧ୍ୟମର ଉନ୍ମୁକ୍ତ ପ୍ରାନ୍ତରରେ ବିଚରଣ କରୁଥିବା "ଜେନ-ଜି" ବର୍ଗର ଏକ ବିଶାଳ ଅଂଶ ସକାଶେ ଇନଷ୍ଟାଗ୍ରାମ ମଧ୍ୟ ଏକ ପ୍ରକୃଷ୍ଟ ପ୍ରତିବାଦ ସ୍ଥଳ!

ସେମାନେ ଏବେ ନେହା ବୋରାଙ୍କୁ ନେଇ ନୂଆ "ଭିଡିଓ ଗେମ" ଖେଳିବାରେ ଲାଗିଛନ୍ତି; ଯହିଁରେ ଭିଡିଓ ଗେମ ଖେଳାଳିମାନଙ୍କ ଲକ୍ଷ୍ୟ ହେଲା ଏହି ଆନ୍ଦୋଳନର ସର୍ବାଧିକ ପରିଚିତ ଚେହେରା ନେହା ବୋରାଙ୍କୁ ବ୍ୟାରିକେଡ ପରେ ବ୍ୟାରିକେଡ ଅତିକ୍ରମ କରାଇ ପ୍ରତିବାଦ ସ୍ଥଳରେ ପହଞ୍ଚାଇବା; ଅର୍ଥାତ୍‌ ପ୍ରତୀୟମାନ ବାସ୍ତବତାରେ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି।

ପିଲା ଦିନେ ପଢ଼ିଥିବା ଏକ ଚମତ୍କାର ଯୁଗୋସ୍ଲୋଭୀୟ ଲୋକକଥା ଏହି ପରିପ୍ରେକ୍ଷୀରେ ସ୍ମରଣକୁ ଆସୁଛି।

ପ୍ରଜାଙ୍କ ଆପତ୍ତି-ଅଭିଯୋଗକୁ ଆଦୌ କର୍ଣ୍ଣପାତ କରୁ ନ ଥିବା ଜଣେ ଉଦ୍ଧତ ରାଜାଙ୍କ କର୍ଣ୍ଣର ଆକାର ବଢ଼ି ଚାଲେ ଓ ଛୋଟ କୁଲା ଭଳି ହୋଇଯାଏ।

ତାହାକୁ ଲୁଚାଇବାକୁ ଯାଇ ରାଜା ସର୍ବଦା ଟୋପିଟିଏ ପିନ୍ଧନ୍ତି।

ଏ କଥା ଜାଣିଥାଏ କେବଳ ରାଜାଙ୍କ ନାପିତ, ଯିଏ ମୃତ୍ୟୁଦଣ୍ଡ ଭୟରେ ଏ କଥା କାହାକୁ କହି ପାରୁ ନଥାଏ।

ଦିନେ ଅସହ୍ୟ ହେବାରୁ ନାପିତ ଜଣକ ଭୂଇଁରେ ମୁହଁ ଲଗାଇ କଥାଟି ଫୁସଫୁସ କରି କହିଦିଏ।

ତତ୍‌କ୍ଷଣାତ୍‌, ସେଠାରେ ଏକ ବାଉଁଶ ବୁଦା ବଢ଼ି ଉଠେ, ଯାହାକୁ ନେଇ କାରିଗରମାନେ ସୁନ୍ଦର ବଂଶୀମାନ ତିଆରି କରନ୍ତି।

କିନ୍ତୁ, କଥା ହେଲା, ବଂଶୀଗୁଡ଼ିକୁ ଫୁଙ୍କିଲା ମାତ୍ରକେ ଯେଉଁ ସ୍ବର ବାହାରେ, ତାହା ହେଲା "ରାଜାଙ୍କ କାନ କୁଲା ଭଳି"!

ଅବିଳମ୍ବେ ସାରା ରାଜ୍ୟରେ ଏ କଥା ବ୍ୟାପିଯାଏ।

ହତାଶ ରାଜା ଟୋପି ଖୋଲ ପକାନ୍ତି।

ତେବେ, ବୁଦ୍ଧିମାନ ମନ୍ତ୍ରୀ ରାଜାଙ୍କୁ ଏ ଦୁଃସ୍ଥିତିରୁ ରକ୍ଷା ପାଇବାର ଉପାୟ ବତାଇ କହନ୍ତି, ମଣିମା, ଏହି ବଡ଼ କାନକୁ ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣିବାରେ ନିୟୋଜିତ କରନ୍ତୁ।

ରାଜା ତାହା ହିଁ କରନ୍ତି।

ଇତିହାସ ସୃଷ୍ଟି ହୁଏ।

ଉଦ୍ଧତ ରାଜା ମରମୀ ରାଜାରେ ପରିଣତ ହୁଅନ୍ତି।

ପ୍ରଜାଙ୍କ ଅଭିଯୋଗର ତରଙ୍ଗମାନ ମଧ୍ୟ କ୍ରମେ ସ୍ଥିର ହୋଇଯାଏ।

ଏହି କଥନିକାର ମର୍ମ ଅତି ସରଳ!

ପ୍ରତିବାଦକୁ "ଛୁ ମନ୍ତର" କରିବାର ଉପାୟ ‌େକବଳ ଗୋଟିଏ, ତାହାକୁ ମରମୀ ହୃଦୟ ନେଇ ଶୁଣିବା!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)