Editorial: କ୍ରୀଡ଼ାର ଦର୍ପଣରେ ବିଶ୍ବରୂପ ଦର୍ଶନ: ଅଭିରାମ ବିଶ୍ବାଳଙ୍କ ସମ୍ପାଦକୀୟ ଆଳାପ ଓ ଆଲୋଚନାରେ ପଢ଼ନ୍ତୁ ଏଥର...

Jul 25, 2026 - 18:02
Editorial: କ୍ରୀଡ଼ାର ଦର୍ପଣରେ ବିଶ୍ବରୂପ ଦର୍ଶନ:  ଅଭିରାମ ବିଶ୍ବାଳଙ୍କ ସମ୍ପାଦକୀୟ ଆଳାପ ଓ ଆଲୋଚନାରେ ପଢ଼ନ୍ତୁ ଏଥର...

"କ୍ରୀଡ଼ାର ଦର୍ପଣରେ ବିଶ୍ବରୂପ ଦର୍ଶନ ଅଭିରାମ ବିଶ୍ବ‌ାଳଆଳାପ ଓ ଆଲୋଚନା ଧର୍ମ, ବିଜ୍ଞାନ, ସାହିତ୍ୟ, ରାଜନୀତି ଓ ଚଳଚ୍ଚିତ୍ର ଭଳି କ୍ରୀଡ଼ା ବାଟେ ମଧ୍ୟ ବ୍ୟକ୍ତି, ଗୋଷ୍ଠୀ, ସମୂହ, ରାଷ୍ଟ୍ର, ବିଶ୍ବ ଓ ସମାଜର ମନସ୍ତତ୍ତ୍ବ ଅଧିକ ସହଜରେ ବୁଝି ବୁଝେଇ ହୁଏ।

୨୦୨୬ ସଂସ୍କରଣର ବିଶ୍ବକପ୍ ଫୁଟ୍‌ବଲ୍‌ ସ୍ପେନ ଜିତିଲା।

ତା"ର ଦୁଇ ଦିନ ଆଗରୁ ଦୁନିଆର ଅନ୍ୟତମ ଅତି ମହାନ କ୍ରିକେଟ୍ ଖେଳାଳି ୱେଷ୍ଟଇଣ୍ଡିଜର ସାର୍ ଗ୍ୟାରି ସୋବର୍ସ ଚାଲିଗଲେ।

ସ୍ପେନର ବିଜୟ ଓ ସୋବର୍ସଙ୍କ ତିରୋଧାନ କ"ଣ ଖାଲି ଖେଳ ଜଗତର ଦୁଇଟି କଥା ମାତ୍ର- ଗୋଟିଏ ଫୁଟ୍‌ବଲ୍‌ କ୍ଷେତ୍ରର ଓ ଅନ୍ୟଟି କ୍ରିକେଟ୍ ପରିସରର?

ଏମିତିରେ ତ ସୋବର୍ସଙ୍କର ଏକଦା ଫୁଟ୍‌ବଲ୍‌ ପ୍ରତି ଯଥେଷ୍ଟ ରୁଚି ଥିଲା।Advertisment ଯେତେବେଳେ ସ୍ପେନ ୨-୦ ବ୍ୟବଧାନରେ ଫ୍ରାନ୍‌ସକୁ ହରେଇ ଫାଇନାଲରେ ପ୍ରବେଶ କଲା ଏବଂ ଫ୍ରାନ୍‌ସର ତାରକା ଖେଳାଳି ଏମ୍ବାପେ ପଡ଼ିଆରେ ଥାଇ ବି ନଥିଲା ଭଳି ଜଣାପଡୁଥିଲା ସେତେବେଳଠାରୁ ଯଥେଷ୍ଟ ସୂଚନା ମିଳୁଥିଲା ଯେ ସ୍ପେନର ବେଶ୍ ସମ୍ଭାବନା ରହିଛି କପ୍ ଜିଣିବାର।

ସାରା ଟୁର୍ନାମେଣ୍ଟରେ ସ୍ପେନର ଚମତ୍କାର ପ୍ରଦର୍ଶନର ଆଉ ଏକ ବଳିଷ୍ଠ ପ୍ରମାଣ ହେଲା ମାତ୍ର ଗୋଟିଏ ଗୋଲ୍ ଖାଇବା।

ସେପଟେ ଆର୍ଜେଣ୍ଟିନା ଥିଲା ୨୦୨୨ର ବିଜେତା; ସେ ଦଳର ଖେଳାଳି ମେସିଙ୍କ ପ୍ରତିଭା, ପ୍ରତିଷ୍ଠା, ପ୍ରଭାବ ଓ ଭାବମୂର୍ତ୍ତି ଏମିତି ଯେ କୁହାଯାଏ ସେ ଫୁଟ୍‌ବଲ୍‌ ବାଟେ କୁହୁକବାସ୍ତବ ସମ୍ଭବ କରାଇ ପାରନ୍ତି; ତଥାପି, ବହୁତ କଷ୍ଟେମଷ୍ଟେ ଇଜିପ୍ଟ, ସୁଇଜରଲ୍ୟାଣ୍ଡ ଓ ଇଂଲାଣ୍ଡର ମୁକାବିଲା କରି ଫାଇନାଲ ଯାଇପାରିଥିଲା ଆର୍ଜେଣ୍ଟିନା ମୁଖ୍ୟତଃ ମେସିଙ୍କ ଅବଦାନ ଯୋଗୁଁ ଏବଂ ଫାଇନାଲ ମ୍ୟାଚ୍‌ରେ ସ୍ପେନ ଆଦୌ ଖେଳେଇ ଦେଇ ନ ଥିଲା ଆର୍ଜେଣ୍ଟିନାକୁ।

ମେସିଙ୍କୁ ଏକପ୍ରକାରେ ଅଚଳ କରି ଦିଆଯାଇଥିଲା ଏବଂ ସ୍ପେନର ଖେଳାଳିମାନେ ଅନେକ ସମୟ ବଲ୍ ନିଜ ଆୟତ୍ତରେ ରଖିବା ସହିତ ନିର୍ଦ୍ଦିଷ୍ଟ ଭୂମିକାଗତ ଅଦ୍ଭୁତ ଖେଳ ଖେଳି "ପୋଜେସନ୍ ଯୁକ୍ତ ପୋଜିସନାଲ୍" ପଦ୍ଧତିର ଅସାଧାରଣ ମାଷ୍ଟରକ୍ଲାସ୍ ବଳରେ ପ୍ରତିପକ୍ଷକୁ କାହିଁ କେତେ ପଛରେ ଛାଡ଼ିଦେଲେ।

ଅତିଷ୍ଠ ହୋଇ ଆର୍ଜେଣ୍ଟିନାର କେତେଜଣ ଖେଳାଳି ଫୁଟ୍‌ବଲ୍‌ ଭଳି ଅତି ସୁନ୍ଦର ଖେଳ ନ ଖେଳି ଫାଉଲ୍, ଠେଲାପେଲା ଓ ଅଶୋଭନୀୟ କାର୍ଯ୍ୟମାନ କରି ବସିଲେ।

ଆଉ ଏକ ଦୃଷ୍ଟିରୁ ଦେଖିଲେ ଆଫ୍ରିକାର କୁନି ଦ୍ବୀପ ଦେଶ କାବୋ ବା କେପ୍ ଭର୍ଡେର ଏକ ବଡ଼ ଦାବି ରହିଛି ବିଶ୍ବକପ୍ ଉପରେ।

କାରଣ ସ୍ପେନ ସହ ସେ ଦଳର ମ୍ୟାଚ୍ ଅମୀମାଂସିତ ରହିଥିଲା ଏବଂ ଆର୍ଜେଣ୍ଟିନା ଠାରୁ ମାତ୍ର ୨-୩ ଗୋଲ୍ ବ୍ୟବଧାନରେ ହାରିଥିଲା।

ବିଜେତା ସ୍ପେନର ବିଜୟ ପଛର ଆଉ କେତେକ ପ୍ରମୁଖ କାରଣ ହେଲା- ବ୍ୟକ୍ତିଗତ ଉତ୍କର୍ଷ ଠାରୁ ସାମୂହିକ ପ୍ରଚେଷ୍ଟା ଦର୍ଶନରେ ବିଶ୍ବାସ ଓ ତା"ର ରୂପାୟନ, ଜଣେ ଜାଗାରେ ସଭିଏଁ ମାନସିକତାରେ ଆସ୍ଥା ଏବଂ ଫୁଟ୍‌ବଲ୍‌ ଖାଲି ଲୋକପ୍ରତିମା (ଆଇକନ୍)କୈନ୍ଦ୍ରିକ ନ ହୋଇ ଅବଧାରଣା (ଆଇଡିଆ) ଆଧାରିତ ହେଲେ ଅଭିଳାଷ ଓ ଉପଲବ୍‌ଧି ଭିତରେ ଫାଙ୍କ ରହେନି।

ସ୍ପେନର ଖେଳ ଥିଲା ସମଗ୍ର ଓ ପୂର୍ଣ୍ଣାଙ୍ଗ ଫୁଟ୍‌ବଲ୍‌- ତାଳ, ମେଳ, ଛନ୍ଦ, ସମବାୟ, ସହଯୋଗ, ସମନ୍ବୟ, ଆକ୍ରମଣ, ପ୍ରତିରକ୍ଷା, ଯୋଜନା ଓ ଅନୁଶାସନର ବିରଳ ଏକାୟନ।

ଆହୁରି ପଢ଼ନ୍ତୁ- Suna Besha 2026: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ; ପହଞ୍ଚିଲା ଅଳଙ୍କାର ଏସବୁ ସତ୍ତ୍ବେ ଅନେକ ଭାବୁଥିଲେ ଓ ଚାହୁଁଥିଲେ ଆର୍ଜେଣ୍ଟିନା ଜିତିଯିବ।

ମେସିଙ୍କ ପାଇଁ ଓ ଆର୍ଜେଣ୍ଟିନା ସକାଶେ କେମିତି ଫୁଟ୍‌ବଲ୍‌ପ୍ରେମୀ ମହଲରେ ଉନ୍ମାଦ ନାମକ ଜ୍ବର ସଂଚରି ଯାଇପାରେ ତାହା ଗଲା ବିଶ୍ବକପ୍ କାଳରେ ବେଶ୍ କିଛି ଦିନ କଲିକତାରେ ରହି, ଖେଳ ଦେଖି ଓ ବିଶାରଦଙ୍କୁ ଭେଟି ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ଓ ମୁକ୍ତଚିତ୍ତ ସ୍ତମ୍ଭକାର ଚନ୍ଦ୍ରହାସ ଚୌଧୁରୀ ଜାଣିବାକୁ ପାଇଥିଲେ ଏବଂ ମେସିଙ୍କ ଫୁଟ୍‌ବଲୀୟ ସନ୍ଥତ୍ବ ସମ୍ବନ୍ଧରେ ପ୍ରଭାବଶାଳୀ ଆଲୋଚନା ମଧ୍ୟ କରିଥିଲେ।

କିଏ ବା ନ ଜାଣେ ଯେ ବ୍ରାଜିଲ ଓ ଆର୍ଜେଣ୍ଟିନା ଭଳି ଲାଟିନ୍ ଆମେରିକୀୟ ଦେଶରେ ଫୁଟ୍‌ବଲ୍‌ର ମାନ୍ୟତା କ"ଣ!

କୁହାଯାଏ, ଲାଟିନ୍ ଆମେରିକାର ଅନେକ ଦେଶରେ ହୁଏତ ଗୀର୍ଜା ନ ଥିବା ଗଁା ଥାଇପାରେ; ମାତ୍ର ଫୁଟ୍‌ବଲ୍‌ ପଡ଼ିଆ ନ ଥିବା ଗାଁ ନାହିଁ।

ଫୁଟ୍‌ବଲ୍‌ ଖେଳ ହେଉଛି ମାନେ ଚାଷବାସ, ପୂଜାପାଠ, ଚୋରି ଡକାୟତି, ଅଫିସ କାମ, ରୋଗୀ ଚିକିତ୍ସା ଓ ପ୍ରେମଫ୍ରେମ ସବୁ ବନ୍ଦ।

ଏକଦା ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ୍ ଥିଲା ଯାହା ବ୍ରାଜିଲ ପାଇଁ ଫୁଟ୍‌ବଲ୍‌ ଥିଲା ତାହା- କାଲିପ୍‌ସୋ ଜାଗାରେ ସାମ୍ବା।

ଯାହାକୁ କହନ୍ତି ଲାଟିନ୍ ଆମେରିକାରେ ଲୋକେ ଖାଲି ଫୁଟ୍‌ବଲ୍‌ ଖେଳନ୍ତିନି; ଫୁଟ୍‌ବଲ୍‌ ସ୍ବପ୍ନରେ ଭେଟନ୍ତି, ଚାଲନ୍ତି, ଗପନ୍ତି, ପିଅନ୍ତି, ଖାଆନ୍ତି ଓ ଶୁଅନ୍ତି।

ବ୍ରାଜିଲର ଫୁଟ୍‌ବଲ୍‌ ସହ ଜୈବିକ ଓ ଐତିହାସିକ ସୂତ୍ରରେ ଗୁନ୍ଥା ଦେଶର ସାଂସ୍କୃତିକ ରାଜନୀତି।

ସର୍ବପ୍ରଥମେ ବ୍ରାଜିଲର ବେକାର ଓ ଅର୍ଦ୍ଧବେକାର ପ୍ରାକ୍ତନ କ୍ରୀତଦାସମାନେ ଖେଳଟିକୁ ଆପଣେଇ ବ୍ୟାପକ ଓ ଜନପ୍ରିୟ କରେଇଥିଲେ।

ବର୍ଣ୍ଣସଙ୍କରମାନେ, କୃଷ୍ଣ ମାତା-ଶ୍ବେତ ପିତା ଓ ଶ୍ବେତ ମାତା-କୃଷ୍ଣ ପିତାଙ୍କ ସନ୍ତାନମାନେ ହିଁ ବ୍ରାଜିଲକୁ ବିଶ୍ବପ୍ରସିଦ୍ଧ ଫୁଟ୍‌ବଲ୍‌ ଶକ୍ତି ଭାବେ ଠିଆ କରେଇଥିଲେ।

ବ୍ରାଜିଲର ଖେଳାଳିମାନେ ଫୁଟ୍‌ବଲ୍‌ ପଡ଼ିଆରେ ମାଡ଼ିଚାଲିବେ ତ ମାଡ଼ିଚାଲିବେ ନିର୍ବିକାର ଭାବ ନେଇ, ପ୍ରବଳ ଆସକ୍ତି ସହ।

ଫୁଟ୍‌ବଲ୍‌ ସେମାନଙ୍କ ପାଇଁ ମାତ୍ର ଖେଳଟିଏ ନ ଥିଲା; ଥିଲା ଜୀବନ ସଂଗ୍ରାମ ଓ ସାମାଜିକ ଇତିହାସ ପରିପ୍ରକାଶ କରିବାର ଶୈଳୀ, କୌଶଳ ଓ ପରିଭାଷା ମଧ୍ୟ।

ଏହା ସର୍ବଜନବିଦିତ ଯେ ବ୍ରାଜିଲରେ ଗଣତାନ୍ତ୍ରିକ ଆନ୍ଦୋଳନ ରାଜନୀତିକ ସ୍ତରରେ ଦାନା ବାନ୍ଧିବା ପୂର୍ବରୁ ଫୁଟ୍‌ବଲ୍‌ କ୍ଲବ୍ ଓ ଅନୁଷ୍ଠାନମାନଙ୍କରେ ଜନ୍ମଲାଭ କରିସାରିଥିଲା।

କାହିଁ ସେବେକାର ବ୍ରାଜିଲ ଫୁଟ୍‌ବଲ୍‌ ଏବଂ କାହିଁ ଏବେକାର ବ୍ରାଜିଲର ଖେଳ!

ଆମ ଭିତରୁ ଅନେକ ମେସି ଓ ମାରାଡୋନାଙ୍କ ଖେଳ ଦେଖିଛେ।

ସେ ଦୁହିଁଙ୍କୁ ଫୁଟ୍‌ବଲ୍‌ର ଭଗବାନ ମଧ୍ୟ କୁହାଯାଏ।

ସେଥିରୁ ଅନୁମାନ କରିହେବ ସର୍ବକାଳୀନ ଶ୍ରେଷ୍ଠ ପେଲେ କେତେ ବଡ଼ ଈଶ୍ବର ହୋଇ ନ ଥିବେ!

୧୯୮୬ରେ ମାରାଡୋନାଙ୍କ ଯାଦୁ ଓ ଚମତ୍କାରିତାରେ ଈଶ୍ବରଙ୍କ ହାତ ସାଙ୍ଗକୁ ମଣିଷର ଗୋଡ଼ ମିଶିଥିଲା।

ତାଙ୍କ ଗୋଡ଼ ମାରିଥିବା ଦ୍ବିତୀୟ ଗୋଲ୍‌ଟିକୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗୋଲ୍ ବିବେଚନା କରାଯାଏ; କାହିଁକି ନା ସେ ଗୋଲ୍ ଦେବା ପୂର୍ବରୁ ମାରାଡୋନା ଇଂଲାଣ୍ଡର ପାଞ୍ଚ ଜଣ ଖେଳାଳିଙ୍କ ବଳୟ ଭେଦି ଏବଂ ୬୦ ମିଟର ବା ୬୬ ୟାର୍ଡ ଦୂରତା ଏକାକୀ ବଲ୍‌କୁ ଡ୍ରିବଲିଂ କରି ନେଇଯାଇଥିଲେ।

ସେ ବିଜୟ ବାବଦରେ ମାରାଡୋନା ଥରେ କହିଥିଲେ- ୧୯୮୨ ମସିହାରେ ଇଂଲାଣ୍ଡ ଫକ୍‌ଲ୍ୟାଣ୍ଡ ଯୁଦ୍ଧରେ ଆମ ଦେଶର ଲୋକଙ୍କୁ ଚଢ଼େଇ ଭଳି ଗୁଳିକରି ମାରିଥିଲା।

ଏ ବିଜୟ ତା"ର ପ୍ରତିଶୋଧ।

୧୯୮୨ ମସିହା ଅକ୍‌ଟୋବର ମାସର କଥା।

ହ୍ବାଇଟ୍ ହାଉସ୍‌ରେ ଭେଟ ହୋଇଥିଲା କିଂବଦନ୍ତି ବ୍ୟକ୍ତିତ୍ବ ପେଲେଙ୍କର ରୋନାଲ୍‌ଡ ରେଗାନ୍‌ ସହ।

ରେଗାନ୍ କରମର୍ଦ୍ଦନ କରି ପେଲେଙ୍କୁ କହିଥିଲେ- ଏ ଅଧମର ନାମ ରୋନାଲ୍‌ଡ ରେଗାନ୍।

ଯିଏ ସଂଯୋଗବଶତଃ ଆମେରିକାର ରାଷ୍ଟ୍ରପତି।

ଆପଣଙ୍କ ପରିଚୟ ନିଷ୍ପ୍ରୟୋଜନ।

ମିଷ୍ଟର ପେଲେଙ୍କୁ କିଏ ବା ନ ଜାଣେ!

ଏବେକାର ଆମେରିକୀୟ ରାଷ୍ଟ୍ରମୁଖ୍ୟ କିନ୍ତୁ ନିଜ ଦେଶର ଖେଳାଳିଙ୍କ ଉପରୁ ନାଲି କାର୍ଡ କଟକଣା ଉଠେଇବାକୁ ଚାପ ପକଉଛନ୍ତି।

୧୮୮୮ ମସିହାରେ ହିଁ ବ୍ରାଜିଲରୁ ଦାସତ୍ବର ଉଚ୍ଛେଦ ଘଟିଥିଲା; ତା" ଆଗରୁ ପେଲେଙ୍କ ପୂର୍ବପୁରୁଷ ଥିଲେ କ୍ରୀତଦାସ।

କୃଷ୍ଣ ବର୍ଣ୍ଣ ଓ ଭଲ ଫୁଟ୍‌ବଲ୍‌ ଖେଳର ସଂପର୍କ ସମ୍ବନ୍ଧରେ ଏତିକି କୁହାଯାଇପାରେ ଯେ ତାହା କ୍ରୀଡ଼ାର ସମାବେଶୀ ଓ ବହୁ ସାଂସ୍କୃତିକ ସ୍ବଭାବର ପରୀକ୍ଷା କରେ।

ଏଥରକ ଫ୍ରାନ୍‌ସ, ଇଂଲାଣ୍ଡ ଓ ସ୍ପେନର କେତେଜଣ କୃଷ୍ଣକାୟ ଖେଳାଳି ଅତି ଉତ୍କୃଷ୍ଟ ଖେଳ ଖେଳିଥିଲେ।

ଆହୁରି ପଢ଼ନ୍ତୁ- Rahul Gandhi: ସରକାରକୁ ହଟାଇବା ସମୟ ଆସିଛି: ରାହୁଲ ଫୁଟ୍‌ବଲ୍‌ ସହ ଗୁନ୍ଥି ହୋଇଛି କେତେ ନା କେତେ କାହାଣୀ, ବଖାଣ, ଉପାଖ୍ୟାନ ଓ ଅବତାରଣା।

ଏବେ ସ୍ପେନର ବହୁଚର୍ଚ୍ଚିତ ଯୁବ ତାରକା ହେଉଛନ୍ତି ଲାମିନେ ୟାମାଲ।

ତାଙ୍କର ଏପରି ନାମକରଣର କାରଣ ଦୁଇ ଜଣ ପାରିବାରିକ ବନ୍ଧୁ ଲାମିନେ ଓ ୟାମାଲ ତାଙ୍କ ଜନ୍ମ ପୂର୍ବରୁ ତାଙ୍କ ପିତାମାତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦୁରବସ୍ଥାରୁ ମୁକୁଳେଇ ଥିଲେ।

୨୦୦୭ ମସିହାରେ ୟୁନିସେଫ ତରଫରୁ କରାଯାଇଥିବା ଏକ ଚାରିଟି ଫଟୋସୁଟ୍‌ରେ ଦେଖିବାକୁ ମିଳେ ମେସି ଗାଧେଇ ଦେଉଥିବାର ୟାମାଲଙ୍କୁ।

ୟାମାଲଙ୍କ ପରିବାର ପାଇଁ ଏକଦା ରୋଷେଇ ଘର ଓ ଶୟନ କକ୍ଷ ଥିଲା ଗୋଟିଏ ‌କୋଠରି ମାତ୍ର।

ମାର୍କ କୁକୁରେଲା ହେଉଛନ୍ତି ସ୍ପେନର ଆଉ ଜଣେ ବିଚକ୍ଷଣ ଖେଳାଳି ଯିଏ କହନ୍ତି ତାଙ୍କ ପାଇଁ ଅଗ୍ରାଧିକାର ତାଲିକାର ଏକ ନମ୍ବରରେ ନିଜ ଭିନ୍ନକ୍ଷମସଂପନ୍ନ ସ୍ବତନ୍ତ୍ର ସନ୍ତାନ ମାର୍ଟିଓର ସେବା ଓ ଚିକିତ୍ସା।

ସେଇଥିପାଇଁ ସିଏ ଲମ୍ବା ଓ ମୁକୁଳା କେଶ ରଖିଥାନ୍ତି ଯାହା ଦେଖି ତାଙ୍କ ପୁଅ ତାଙ୍କୁ ସହଜରେ ଚିହ୍ନିପାରିବ।

ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ବିମୋହିତ କରିଛି ଫୁଟ୍‌ବଲ୍‌।

ନିଜେ ଗୋଲ୍‌ରକ୍ଷକ ଥିବା ବିଖ୍ୟାତ ଲେଖକ ଆ‌ଲବେୟାର କାମ୍ୟୁ ଥରେ କହିଥିଲେ- ଜୀବନରେ ନ୍ୟାୟ, ନୈତିକତା ଓ ମୂଲ୍ୟବୋଧ ମତେ ଫୁଟ୍‌ବଲ୍‌ ଶିଖାଇଛି।

ନେଲ୍‌ସନ ମାଣ୍ଡେଲାଙ୍କ ପାଇଁ ଫୁଟ୍‌ବଲ୍‌ ଖେଳ ଓ ପଡ଼ିଆ ଥିଲା ଇନ୍ଦ୍ରଧନୁ ସାମ୍ମୁଖ୍ୟର ଉଦାହରଣ।

ବିବେକାନନ୍ଦଙ୍କ ମତରେ ବେଳେବେଳେ ଶାସ୍ତ୍ର ଓ ପ୍ରାର୍ଥନା ଜାଗାରେ ଫୁଟ୍‌ବଲ୍‌ ବରଂ ଜଣକୁ ସ୍ବର୍ଗର ଅଧିକ ନିକଟବର୍ତ୍ତୀ କରିପାରେ।

ଭାରତର ସ୍ଥାନ ଫୁଟ୍‌ବଲ୍‌ରେ କେଉଁଠି?

କେବଳ ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ, ଗୋଆ ଓ କେରଳରେ ସୀମିତ?

ନାମ କହିଲେ ସୁନୀଲ ଛେତ୍ରି, ବାଇଚୁଙ୍ଗ ଭୂତିଆ, ଆଇଏସ୍ ବିଜୟନ ଓ ଚୁନି ଗୋସ୍ବାମୀ ମାତ୍ର?

ୟୁରୋପୀୟ କ୍ଲବ୍‌ର ଖେଳାଳି ଅର୍ବୁଦପତି; କିନ୍ତୁ କଟକର କେତେଜଣ ଅତି ପୁରୁଣା ଖେଳାଳି ଚା" କି ପାନ ଦୋକାନ ଖୋଲି ବସିଥି‌େବ!

ଜଣେ ଯଦି ବିଶ୍ବକପ୍ ଫୁଟ୍‌ବଲ୍‌ ଦେଖି ପାରି ନ ଥିବେ କିନ୍ତୁ ଏଡୁଆର୍ଡୋ ଗାଲେଆନୋଙ୍କ ବିଶ୍ବପ୍ରସିଦ୍ଧ "ସକର୍ ଇନ୍ ସନ୍ ଆଣ୍ଡ ‌ସାଡୋ" ବହି ପଢ଼ିଥିବେ ତେବେ ନ ଦେଖି ପାରିଥିବାର ଦୁଃଖ ଲାଘବ ହୋଇଯାଏ।(ମତାମତ ଲେଖକଙ୍କ ନିଜସ୍ବ)  ମୋ: ୯୪୩୭୩୦୭୦୭୯ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।